Unknown

 

 

 

 

 

 

 

 

 

 

 

ପ୍ରବନ୍ଧ

ପଠାଣି ପଟ୍ଟନାୟକ

 

ଆଦ୍ୟାଭାସ

 

ପ୍ରବନ୍ଧ ହେଉଛି ଏକ ବ୍ୟାପକ କଳା । ଏହି କଳାର ପରିସର କଳନା ଓ ସଂଜ୍ଞା ଠିକଣା ଏକ କଷ୍ଟକର ବ୍ୟାପାର । ସାଧାରଣ ଭାବରେ ସତ୍ୟ ଓ ଯୁକ୍ତିର ମିଳନରେ କଥିତ ଭାଷାରେ ଗ୍ରଥିତ ଚିନ୍ତାର ସର୍ବୋତ୍କୃଷ୍ଟ ଅଭିବ୍ୟକ୍ତି ହିଁ ପ୍ରବନ୍ଧ । ଏଥିରେ ମାନବର କଳ୍ପନା ଅପେକ୍ଷା ଚିନ୍ତାର, ହୃଦୟ ଅପେକ୍ଷା ମସ୍ତିଷ୍କର ଏକ ଭାବାବେଗଠାରୁ ସତ୍ୟ ସିଦ୍ଧାନ୍ତର ପ୍ରାଧାନ୍ୟ ଅନୁଭୂତ ହୁଏ । ପ୍ରବନ୍ଧ ଅତ୍ୟାଧୁନିକ ରୂପରେ ଉପଯୁକ୍ତ ଦୃଷ୍ଟି ଭଙ୍ଗୀ ନେଇ ଆତ୍ମପ୍ରକାଶ କରିଛି।

 

ପ୍ରବନ୍ଧର ସ୍ୱରୂପ ସମ୍ବନ୍ଧରେ ଅନୁଧ୍ୟାନ କଲେ ବିଭିନ୍ନ ରଚନାବଳୀକୁ ପ୍ରବନ୍ଧ କୁହାଯାଇପାରେ । ସଂସ୍କୃତ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ ପ୍ରାଚୀନ କାଳରେ ମଧ୍ୟ ଛନ୍ଦୋବଦ୍ଧ ରଚନାବଳୀ ଏହି ନାମରେ ବିଖ୍ୟାତ ହୋଇଛି । ଜୟଦେବ ତାଙ୍କର ଗୀତଗୋବିନ୍ଦକୁ ମଧ୍ୟ ପ୍ରବନ୍ଧ ରୂପେ ସ୍ଵୀକାର କରିବାକୁ କୁଣ୍ଠାବୋଧ କରିନାହାନ୍ତି । ‘‘ଶ୍ରୀ ବାସୁଦେବ ରତିକେଳିକଥା ସମେତଂ ମେତଂ କରୋତି ଜୟଦେବ କବିଃ ପ୍ରବନ୍ଧ ।’’ ପୁଣି ଜଗନ୍ନାଥ ଦାସ, ଯଦୁମଣି, ଅଭିମନ୍ୟୁ ସମାନ୍ତସିଂହାର ପ୍ରମୁଖ ମଧ୍ୟ ସ୍ଵକୀୟ କୃତୀକୁ ପ୍ରବନ୍ଧ ରୂପେ ପ୍ରଚାର କରିଛନ୍ତି । ମାତ୍ର ଆଧୁନିକ କାଳରେ ପ୍ରବନ୍ଧର ପରିସର କେବଳ ଗଦ୍ୟ ରଚନା ମଧ୍ୟରେ ସୀମିତ ହୋଇଛି । ସୁତରାଂ ଇଂରାଜୀ ‘Essay’ର ପ୍ରତିଶବ୍ଦ ରୂପେ ପ୍ରବନ୍ଧ ଓଡ଼ିଆର ବ୍ୟବହୃତ ବୋଲି କୁହାଯାଇ ପାରେ । କିନ୍ତୁ ଇଂରାଜୀ ସାହିତ୍ୟରେ ମଧ୍ୟ Essay ରଚନା ପଦ୍ୟରେ ରହିଅଛି । Alexander Pope, Essay on Man ପଦ୍ୟରେ ରଚନା କରିଛନ୍ତି । ଇଂରାଜୀରେ ଏହି ‘Essay, ଶବ୍ଦର ବ୍ୟୁତ୍ପତ୍ତି ଗତ ଅର୍ଥ ‘ଯତ୍ନ’ ବା ଉଦ୍ୟମ । ପରବର୍ତ୍ତୀ କାଳରେ ଏହା ମୁଖ୍ୟତଃ ଗଦ୍ୟ ରଚନାକୁ ବୁଝାଇଛି ।

 

ପ୍ରବନ୍ଧ ସାହିତ୍ୟର ବ୍ୟାପ୍ତି ସୁଦୂରପ୍ରସାରୀ । ନିବଦ୍ଧ, ଆଲୋଚନା, ରମ୍ୟ ରଚନା, ଗବେଷଣାତ୍ମକ ସନ୍ଦର୍ଭ ମଧ୍ୟ ଏହାର ପର୍ଯ୍ୟଭୁକ୍ତ । ହିନ୍ଦୀ ସାହିତ୍ୟରେ ପ୍ରବନ୍ଧକୁ ନିବନ୍ଧ କୁହାଯାଇଥାଏ ଏବଂ ରମ୍ୟରଚନା ମୁଖ୍ୟତଃ ଆତ୍ମନିଷ୍ଠ ପ୍ରବନ୍ଧକୁ ବୁଝାଇଥାଏ । ଆଲୋଚନା କହିଲେ କୌଣସି ଚେତନଶୀଳ ଭାବ ସମ୍ବନ୍ଧୀୟ ଯୁକ୍ତିମୂଳକ ସିଦ୍ଧାନ୍ତକୁ ବୁଝାଏ ଓ ଗବେଷଣାତ୍ମକ ସନ୍ଦର୍ଭ ହେଉଛି କୌଣସି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧରେ ଏକ ପାଣ୍ଡିତ୍ୟପୂର୍ଣ୍ଣ ଅନୁସନ୍ଧାନମୂଳକ ତଥ୍ୟାନ୍ୱେଷୀ ପ୍ରବନ୍ଧ । ଏ ସବୁ ପ୍ରବନ୍ଧର ବିଭିନ୍ନ ବିଭାବ ଏବଂ ପ୍ରବନ୍ଧ ମଧ୍ୟରୁ ଆତ୍ମପ୍ରକାଶ କରି ଏହା ସ୍ୱତନ୍ତ୍ର ଭାବେ ବିକାଶ ଲାଭ କରିଛି ।

 

ପ୍ରବନ୍ଧର ଶ୍ରେଣୀ ବିଭାଜନ ବିଭିନ୍ନ ଭାବରେ କରାଯାଇପାରେ । ଶୃଙ୍ଖଳିତ ଭାବରେ କୌଣସି ଚିନ୍ତା ଭାଷାରେ ରୂପାୟିତ ହେଲେ ତାହା ପ୍ରବନ୍ଧରୂପେ ପରିଚିତ ହୁଏ । କୌଣସି ବିଷୟରେ ବହୁତଥ୍ୟ ଆହରଣ କରି ଓ ଅନୁଭୂତିପୂର୍ଣ୍ଣ ଏଷଣା ବଳରେ ପ୍ରାବନ୍ଧିକ ତାହାକୁ ପ୍ରବନ୍ଧରେ ସଂହତିପୂର୍ଣ୍ଣ ସମାବେଶ କରେ । ପ୍ରବନ୍ଧ ପ୍ରଥମତଃ ଚିନ୍ତାମୂଳକ ଓ ଅନୁଭୂତି ମୂଳକ ଏହିପରି ଦୁଇ ଭାଗରେ ଆତ୍ମପ୍ରକାଶ କରିଥିଲା । ଚିନ୍ତାମୂଳକ ପ୍ରବନ୍ଧଗୁଡ଼ିକ ବ୍ୟକ୍ତିନିଷ୍ଠ, ତଥ୍ୟପୂର୍ଣ୍ଣ ଓ ଏହା ଗୁରୁ ଗମ୍ଭୀର । ଅନୁଭୂତିମୂଳକ ପ୍ରବନ୍ଧଗୁଡ଼ିକ ବ୍ୟକ୍ତିନିଷ୍ଠ ମନ୍ମୟ ପ୍ରବନ୍ଧ । ଏଥିରେ ମାନବର ମାନସିକ ଅପେକ୍ଷା ଆତ୍ମାର ସମ୍ବନ୍ଧ ଅଧିକ । ବିଷୟ ଅପେକ୍ଷା ବ୍ୟକ୍ତିଗତ ଅନୁଭୂତିର ବଳିଷ୍ଠ ପରିପ୍ରକାଶ ଏଥିରେ ଘଟେ । ବସ୍ତୁନିଷ୍ଠ ପ୍ରବନ୍ଧ ଓ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ମଧ୍ୟରେ ସାଧାରଣଭାବେ ପାର୍ଥକ୍ୟ ହେଉଛି, ପ୍ରଥମଟି ଲେଖକ ପାଠକ ମଧ୍ୟ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କଲାବେଳେ ଅନ୍ୟଟିରେ ଲେଖକର ସ୍ୱ-ଅନୁଭୂତି ପାଠକର ଅନୁଭୂତି ସହ ଏକାତ୍ମ ହୁଏ । ସାଧାରଣ ପରିସର ଦୃଷ୍ଟିରୁ ପ୍ରବନ୍ଧକୁ ନିମ୍ନମତେ ବିଭାଗ କରାଯାଇପାରେ ।

 

(୧) ବର୍ଣ୍ଣନାମୂଳକ ପ୍ରବନ୍ଧ (Descriptive) (୨) ବିବରଣୀ ମୂଳକ ପ୍ରବନ୍ଧ (Narrative) (୩) ତାତ୍ତ୍ୱିକ ଓ ଆଲୋଚନା ମୂଳକ (Argumentative) (୪) ଭାବନାମୂଳକ (Reflective) (୫)ତଥ୍ୟ ପରିବେଷଣମୂଳକ (Informative) (୬) ସମ୍ବାଦମୂଳକ ପ୍ରବନ୍ଧ (Illustrative Easy).

 

ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ସାହିତ୍ୟର ଆରମ୍ଭକାଳ ବିଂଶ ଶତକର ପ୍ରଥମ ପାଦରେ ହୋଇଥିଲେ ହେଁ ଏହା ପ୍ରସ୍ତୁତି ବହୁପୂର୍ବରୁ ହେଇଥିଲା । ଶ୍ରୀ ରାମପୁରରେ ଛାପାଖାନା ପ୍ରତିଷ୍ଠା ଓ ସାହେବମାନଙ୍କ ଦ୍ୱାରା ବାଇବେଲର ଅନୁବାଦ ପ୍ରଭୃତି ଦ୍ୱାରା ଦେଶରେ ଏକ ନୂତନ ବାତାବରଣ ସୃଷ୍ଟିହୁଏ । ପୁଣି ଏହା ସହିତ ଇଂରାଜୀ ଢାଞ୍ଚାରେ ଶିକ୍ଷା ବ୍ୟବସ୍ଥାରେ ସମଗ୍ର ଦେଶରେ ଆଲୋଡ଼ନ ହୁଏ । ଏହାରି ଫଳରେ ପାଠ୍ୟପୁସ୍ତକ ଆକାରରେ ଛାତ୍ରମାନଙ୍କ ପାଇଁ କେତେକ ଗଦ୍ୟ ରଚନା ସୃଷ୍ଟି ହୁଏ । ଏଗୁଡ଼ିକରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରାଥମିକ ରୂପ ଦେଖିବାକୁ ମିଳେ । ଉତ୍କଳ ଦୀପିକାର ଆତ୍ମପ୍ରକାଶରେ ବିଭିନ୍ନ ସମ୍ବାଦ ମଧ୍ୟରେ ପ୍ରବନ୍ଧରେ ରୂପ ଦେଖିବାକୁ ମିଳିଥାଏ । ଏଗୁଡ଼ିକର ଭାଷା ବହୁତ୍ରୁଟି ପୂର୍ଣ୍ଣ ହେଲେ ମଧ୍ୟ ଏହିସବୁ ଯଥାର୍ଥରେ ଓଡ଼ିଆ ପ୍ରବନ୍ଧ ରଚନା ପାଇଁ ଏକ ପ୍ରେରଣାମୂଳକ ବାତାବରଣ ସୃଷ୍ଟି କରିଥିଲା । ଏହାପରେ ‘ଉତ୍କଳପ୍ରଭା’ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପାଇଁ ଏକ ସ୍ୱତନ୍ତ୍ର ଉଦ୍ୟମ କରେ । ଏହି ପତ୍ରିକାଟି ପ୍ରବନ୍ଧକମାନଙ୍କୁ ପ୍ରବନ୍ଧ ଲେଖିବା ସକାଶେ ଉତ୍ସାହିତ କରିବା ନିମିତ୍ତ ପ୍ରବନ୍ଧ ଲେଖକମାନଙ୍କୁ ପୁରସ୍କାର ଦେଉଥିଲା । ଏହି ସମୟରେ କେତେଜଣ ନୂତନ ପ୍ରବନ୍ଧ ଲେଖକ ସୃଷ୍ଟି ହୋଇଥିଲେ ଓ ସେମାନେ ପରବର୍ତ୍ତୀ କାଳରେ ‘ଉତ୍କଳ ସାହିତ୍ୟ ‘ମୁକୁର’ ‘ସତ୍ୟବାଦୀ’ ପ୍ରଭୃତିରେ ପ୍ରବନ୍ଧ ଲେଖି ପ୍ରତିଷ୍ଠ । ଅର୍ଜ୍ଜନ କରିଛନ୍ତି ଓ ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଏକ ଦିଗ୍‍ଦର୍ଶନ ଦେଇଛନ୍ତି । ଓଡ଼ିଆ ପ୍ରବନ୍ଧ ସାହିତ୍ୟର କ୍ରମବିବର୍ତ୍ତନରେ ଓଡ଼ିଆ ପତ୍ରିକାର ଦାନ ଅତୁଳନୀୟ । ଏଗୁଡ଼ିକରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପାଇଁ ବହୁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା ଓ ବିଭିନ୍ନ ବାଦାନୁବାଦ ମଧ୍ୟ ପ୍ରବନ୍ଧ ସୃଷ୍ଟି ହେଉଥିଲା । ଏହା ସମୟରେ ପ୍ରାବନ୍ଧିକମାନଙ୍କ ମଧ୍ୟରେ ବିଶ୍ଵନାଥ କର, ଶଶିଭୂଷଣ ରାୟ, ଜଳନ୍ଧର ଦେବ, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ମୋହିନୀମୋହନ ସେନାପତି ପ୍ରମୁଖ ପ୍ରସିଦ୍ଧି ଅର୍ଜ୍ଜନ କରିଥିଲେ-

 

ସ୍ୱାଧୀନୋତ୍ତର କାଳରେ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବହୁଧାରା ସୃଷ୍ଟି ହୋଇଛି । ଏ ସମୟରେ ରାଜନୀତି, ଇତିହାସ, ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ମନୋବିଜ୍ଞାନ, ଦର୍ଶନ ପ୍ରଭୃତି ବହୁ ବିଷୟ ପ୍ରବନ୍ଧର ଅଙ୍ଗୀଭୂତ ହୋଇଛି । ଏତଦ୍‍ବ୍ୟତୀତ ପ୍ରବନ୍ଧ ମଧ୍ୟରୁ ରମ୍ୟରଚନା ଓ ସମାଲୋଚନା ପ୍ରଭୃତି ସ୍ୱତନ୍ତ୍ର ବିଭାବ ସୃଷ୍ଟି ହୋଇ ବିକାଶଲାଭ କରିଛି । କଥୋପକଥନ, ଆତ୍ମଚରିତ, ଭ୍ରମଣ ବୃତ୍ତାନ୍ତ ପନ୍ତ୍ରାବଳୀ ଓ ଅଭିଭାଷଣଗୁଡ଼ିକୁ ମଧ୍ୟ ପ୍ରବନ୍ଧର ପର୍ଯ୍ୟାୟଭୁକ୍ତ କରାଯାଇଛି ।

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟ ପ୍ରକାଶ ପଥରେ ଏବେ ବି ଗତିଶୀଳ । ଏହା ବହୁ ପରିବର୍ତ୍ତନ ଓ ପରୀକ୍ଷା ମଧ୍ୟରେ ଆତ୍ମପ୍ରକାଶ କରୁଛି ଓ ମାନବର କ୍ରିୟା କଳାପକୁ ବ୍ୟକ୍ତ କରୁଛି । ଆଧୁନିକ ପ୍ରବନ୍ଧକ ବିଷୟବସ୍ତୁକୁ ପାଠକ ରୁଚି ଅନୁକୂଳ କରିବା ପାଇଁ ଯତ୍ନବାନ୍ ହେଉଛି । ଏଣୁ ଆଶା ଓ ବିଶ୍ୱାସ, ଏ ସବୁ ଚେଷ୍ଟା ଫଳରେ ପ୍ରବନ୍ଧ ସାହିତ୍ୟର ଏକ ନୂତନ ଦିଗନ୍ତ ଉଦ୍‍ଘାଟିତ ହେବ।

 

ପ୍ରବନ୍ଧ

 

୧.

ଗୁରୁଶିଷ୍ୟ

ଉତ୍କଳମଣି ଗୋପବନ୍ଧୁ ଦାସ

୨.

ଯେପରି ବୁଣିବ

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

୩.

ଅଦୃଷ୍ଟବାଦ

ଶ୍ରୀ କୃପାସିନ୍ଧୁ ମିଶ୍ର

୪.

ସାହିତ୍ୟ ଓ ସମାଲୋଚନା

ଶ୍ରୀ ବିଶ୍ଵନାଥ କର

୫.

ମନ

ଜଳନ୍ଧର ଦେବ

୬.

ଶିକ୍ଷା

ଶଶିଭୂଷଣ ରାୟ

୭.

ସମାଲୋଚନାର ଧାରା ଓ ଲକ୍ଷ୍ୟ

ଶ୍ରୀ ଗିରିଜାଶଙ୍କର ରାୟ

୮.

କବି ଓ କବିତା

ପଠାଣି ପଟ୍ଟନାୟକ

୯.

ଅଭିଭାବକ

ଚନ୍ଦ୍ରଶେଖର ରଥ

୧୦.

ବୈଜ୍ଞାନିକ ମନୋବୃତ୍ତି

ଶରତକୁମାର ମହାନ୍ତି

୧୧.

ସାହିତ୍ୟରେ ପରିବର୍ତ୍ତିତ ଭାବବୋଧ

କାଳିନ୍ଦୀଚରଣ ପାଣିଗ୍ରାହୀ

୧୨.

ଦଇବ ଦଉଡ଼ି

ଡାକ୍ତର ଭୁବନେଶ୍ୱର ବେହେରା

୧୩.

ଲେଖକ ପରିଚିତି

 

Image

 

ଗୁରୁ-ଶିଷ୍ୟ

ଉତ୍କଳମଣି ଗୋପବନ୍ଧୁ ଦାସ

 

ପ୍ରିୟ ଶିଶୁମାନେ, ତୁମ୍ଭେମାନେ ଦେଶର ନାନା ସ୍ଥାନରୁ ପାଠ ପଢ଼ିବା ପାଇଁ ଏଠାରେ ଆସି ରୁଣ୍ଡ ହୋଇଅଛି । ଆଜି ତୁମ୍ଭେ ଶିଶୁ ବାଳକ, ତରୁଣ, କାଲି ବଡ଼ ହେବ, ସଂସାର କରିବ, ସଂସାରର ନାନା କ୍ଷେନ୍ତ୍ରରେ କାର୍ଯ୍ୟ କରିବ, ସମାଜରେ ତୁମ୍ଭର ଗୋଟିଏ ଗୋଟିଏ ସ୍ଥାନ ହେବ, ଶିକ୍ଷା ପାଇଁ ସମାଜରେ ଗୋଟିଏ ଗୋଟିଏ ଉପଯୁକ୍ତ ଲୋକ ହେବ । ସେଥିପାଇଁ ତୁମ୍ଭେମାନେ ଏଠାକୁ ଆସିଛ । ସେହି ଉଦ୍ଦେଶ୍ୟରେ ତୁମ୍ଭର ବାପା ମାଆ, ଅଭିଭାବକମାନେ ଏଠାକୁ ପଠାଇ ଦେଇଅଛନ୍ତି । ତୁମ୍ଭେମାନେ ଆଜି ଏ ତରୁଣ ବୟସରେ ଆମ୍ଭମାନଙ୍କ ସାମନାରେ ଅଛ । ଆମ୍ଭମାନଙ୍କର ଶିଷ୍ୟ ହୋଇଅଛ । ଆମ୍ଭେମାନେ ତୁମ୍ଭମାନଙ୍କର ଶାସକ, ତୁମ୍ଭମାନଙ୍କ ଗୁରୁ । ତୁମ୍ଭେମାନେ ସମସ୍ତେ ଆଜି ନିଜଠାରୁ ଆମ୍ଭମାନଙ୍କୁ ବଡ଼ ବୋଲି ବିଚାରୁ ଅଛୁ । ଆମ୍ଭେମାନେ ମଧ୍ୟ ଉଚ୍ଚ ଅଧିଷ୍ଠାନରେ ବସି ତୁମ୍ଭମାନଙ୍କର ଜୀବନ ଗଢ଼ୁଅଛୁ ବୋଲି ବିଚାରି ଅଛୁ । ଆମ୍ଭେମାନେ ମନୁଷ୍ୟ, ଅସଂଖ୍ୟ ତ୍ରୁଟି ଆମ୍ଭମାନଙ୍କ ଜୀବନରେ ରହିଛି । ତଥାପି ତୁମ୍ଭେମାନଙ୍କ ତ୍ରୁଟି ଦେଖିଲେ ପଦେ ପଦେ ତାହା ଆମ୍ଭେମାନେ ସଂଶୋଧନ କରୁଅଛୁ । ଯଥାସାଧ୍ୟ ତୁମ୍ଭମାନଙ୍କର ଭବିଷ୍ୟତ ଜୀବନ କଳ୍ପନା କରୁଅଛୁ ଏବଂ ତୁମ୍ଭମାନଙ୍କର ସେହି କଳ୍ପିତ ଭବିଷ୍ୟତ ଜୀବନକୁ ଆଗରେ ରଖି ଆମ୍ଭମାନେ ତୁମ୍ଭର ଜୀବନକୁ ନିୟମିତ କରିଅଛୁ । କିନ୍ତୁ ଏକଥା ସବୁବେଳେ ମନେ ରଖିଥିବ ଶିଶୁମାନେ, ତୁମ୍ଭମାନଙ୍କର ଜୀବନ ନିୟମିତ କଲାବେଳେ ତୁମ୍ଭମାନଙ୍କର ତ୍ରୁଟି ଦେଖି ତୀବ୍ର ଶାସନ କଲାବେଳେ ଆମ୍ଭେମାନେ ନିଜର ଦାୟିତ୍ୱ ଭୁଲୁ ନାହୁଁ, ନିଜର ନଗଣ୍ୟତା ବିସ୍ମୃତ ହୋଇ ନାହିଁ । ଆମ୍ଭେମାନଙ୍କର ଜୀବନ ଏକପ୍ରକାର ପରିଣତ ହୋଇଅଛି । ତୁମ୍ଭମାନଙ୍କର ଶିଶୁଜୀବନ ଆଜି ସମ୍ଭାବନାରେ ପୂର୍ଣ୍ଣ । ଆମ୍ଭେମାନେ ଜୀବନରେ ଯାହା ହେବାର, ତାହା ଏକପ୍ରକାର ହୋଇସାରିଛୁ । ତୁମ୍ଭେମାନେ ଭବିଷ୍ୟତରେ କ’ଣ ହେବ, କିଏ କହି ପାରେ? ହୁଏତ ତୁମ୍ଭମାନଙ୍କର ଭିତରେ କେହି ବୁଦ୍ଧ, ଶଙ୍କର, ଚୈତନ୍ୟ, କେହି ବା ଅଶୋକ, ସିକନ୍ଦର ଥାଇପାରନ୍ତି । କିନ୍ତୁ ଆମ୍ଭେମାନେ ନଗଣ୍ୟ ହେଲେ ମଧ୍ୟ ଆଜି ତୁମ୍ଭେମାନଙ୍କୁ ଶାସନ କରିବାର ଭାର ଭଗବାନ ଆମ୍ଭମାନଙ୍କୁ ଦେଇଅଛନ୍ତି । ସେହି କର୍ତ୍ତବ୍ୟ ବୋଧରେ ଆମ୍ଭେମାନେ ତୁମ୍ଭକୁ ଶାସନ କରୁଅଛୁ, ତୁମ୍ଭର ତ୍ରୁଟି ଦେଖାଉଅଛୁ, ଦୋଷରେ ଦଣ୍ଡବିଧାନ କରୁଅଛୁ, ପ୍ରମାଦରେ ସଂଶୋଧନ ପନ୍ଥା ଦେଖାଇ ଦେଉଅଛୁ । କଦାପି ବିଚାରୁ ନାହୁଁ, ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟତା ଲାଭକରି ତୁମ୍ଭକୁ ଶାସନ କରୁଅଛୁ । ଅତି ଭୟରେ, ଭକ୍ତିରେ, ଆଦରରେ ଆମ୍ଭେ ଏଠାରେ ସେହି ଈଶ୍ଵରଦତ୍ତ କର୍ତ୍ତବ୍ୟ, ଯତ୍ କିଞ୍ଚିତ ସମାଧାନ କରିପାରିଲେ କୃତାର୍ଥ ହେବୁ ବୋଲି ବିଚାରୁ ଅଛୁ । କାଲି ତୁମ୍ଭେ ବଡ଼ ହୋଇ ଯେତେବେଳେ ପଛକୁ ଚାହିଁବ ସେତେବେଳେ ହୁଏତ ଆମ୍ଭ ଜୀବନରେ ବହୁତ ଅପୂର୍ଣ୍ଣତା, ତ୍ରୁଟି ଓ ପ୍ରମାଦ ଦେଖିପାରିବ । କିନ୍ତୁ ମନେରଖ, ଏକଥା ମୁଁ ତୁମ୍ଭଙ୍କୁ ଅନେକ ଥର କହିଅଛି, ହୃଦୟର ଆବେଗରେ ଆମ୍ଭମାନେ ତୁମ୍ଭର ସେହି ଦିନକୁ ଚାହିଁ ବସିଅଛୁ । ଗୁରୁ-ଶିଷ୍ୟର ଏହି ସମ୍ବନ୍ଧ ଘେନି ପ୍ରାଚୀନ ପୁରୁଷମାନେ କହିଛନ୍ତି—

 

"ସର୍ବତ୍ର ଜୟ ମନ୍ୱିଷ୍ୟେତ୍

ଶିଷ୍ୟାତି ଚ୍ଛେତ୍ ପରାଜୟମ୍‍’’

 

ଅର୍ଥାତ୍ ଲୋକ ସବୁଠାରେ ଜୟ ଅନ୍ୱେଷଣ କଲେ ମଧ୍ୟ ଶିଷ୍ୟଠାରୁ ପରାଜୟ ଇଚ୍ଛା କରେ । ଶିଷ୍ୟକୁ ଆପାଣାଠାରୁ ସର୍ବଗୁଣରେ ବଡ଼ ଦେଖିଲେ ଲୋକ କୃତାର୍ଥ ହୁଏ ।

 

ଏସବୁ କଥା ବୁଝିଲେ ମଧ୍ୟ କାର୍ଯ୍ୟରେ ବିଧିନିର୍ଦ୍ଦିଷ୍ଟ କର୍ତ୍ତବ୍ୟର ଆମ୍ଭେ ତୁମ୍ଭର ଶାସକ ଓ ଗୁରୁ । ଭବିଷ୍ୟତରେ ତୁମ୍ଭର ଯେ ସମ୍ଭାବନା ଥାଉ ନା କାହିଁକି, ତୁମ୍ଭର ସେ ଭବିଷ୍ୟତ ଆଜି ଆମ୍ଭରି ହାତରେ ଗଢ଼ାହେବ । ଏପରି ସ୍ଥଳରେ ତୁମ୍ଭର ଆମ୍ଭର ଗୁରୁଶିଷ୍ୟ ସମ୍ଭନ୍ଧ ଭଲକରି ବୁଝିବା ନିତାନ୍ତ ଆବଶ୍ୟକ । ତୁମ୍ଭେମାନେ ବାଳକ, ଏଠାରେ ବେଳେ ବେଳେ ଆମ୍ଭମାନଙ୍କ ହାତରେ ତୁମ୍ଭମାନଙ୍କୁ ଦଣ୍ଡ ପାଇବାକୁ ହୁଏ, ଦୁଃଖ ସହିବାକୁ ହୁଏ । ସେ ଦଣ୍ଡର ଅର୍ଥ ବେଳେ ବେଳେ ତୁମ୍ଭେମାନେ ବୁଝିନାହଁ । ଦାୟିତ୍ୱ ଘେନି ତୁମ୍ଭମାନଙ୍କୁ ଦଣ୍ଡ ଦେଇ ଆମ୍ଭେମାନେ ଯେ ମର୍ମ ବେଦନା ଭୋଗ କରୁ, ତାହା ତୁମ୍ଭେ ଜାଣ ନାହିଁ । ହୁଏତ ମନେ ମନେ ବିଚାର କର, ଓଃ ! କି ଦୁଃଖ କି ଯନ୍ତ୍ରଣା ! ପିତା, ମାତା, ଅଭିଭାବକ ଆମ୍ଭଙ୍କୁ କି କଷ୍ଟରେ ପକାଇ ଅଛନ୍ତି ! ମାତ୍ର ଟିକିଏ ବିଚାର କରି ଦେଖ, ଏ ଦୁଃଖ ତୁମ୍ଭର ଆଜି ଜୀବନରେ ନୂଆ ନୁହେଁ । ଏହା ଯଦି ଯନ୍ତ୍ରଣା ହୁଏ ତେବେ ଭଗବାନଙ୍କ ରାଜ୍ୟରେ ଯନ୍ତ୍ରଣା ହିଁ ଜୀବନ । ଆଜି ତୁମ୍ଭେ ନିତାନ୍ତ ଦୁଗ୍ଧପୋଷ୍ୟ ଶିଶୁ ନୁହଁ । ଟିକିଏ ବଡ଼ ହୋଇଅଛ । ମନର ବିକାଶ ପାଇଁ, ଜ୍ଞାନ ଅର୍ଜନ ପାଇଁ ଏଠାକୁ ଆସିଅଛ । କିନ୍ତୁ ତୁମ୍ଭେ ନିଜ ନିଜର ଶରୀରକୁ ଚାହଁ । ତୁମ୍ଭର ଏ ହସ୍ତପଦ ଅବୟବ, ଏ ସ୍ୱାସ୍ଥ୍ୟ ଏ ଶରୀର ଗୋଟିଏ ଦିନର ଫଳ ନୁହେଁ । ତୁମ୍ଭେ ଯେଉଁଦିନ ଜନ୍ମ ହୋଇ ପୃଥିବୀରେ ପଡ଼ିଥିଲ, ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ କେତେ ରୋଗ-ଦୁଃଖ-ଯନ୍ତ୍ରଣା-ଯାତନା ଭିତରେ ବଢ଼ିଅଛ ତାହାର ଇୟତ୍ତା ନାହିଁ । ଆଜି ସୁଦୃଢ଼ ହସ୍ତପଦ ଅବୟବ ଘେନି ତୁମ୍ଭେ ସଂସାରରେ ବିଚରଣ କରୁଅଛ କିନ୍ତୁ ଅବୟବରା ଦୃଢ଼ତା ସ୍ୱାଧୀନ ଭାବରେ ସଞ୍ଚରଣ କରିବାର ଏ ଶକ୍ତି ତୁମ୍ଭର କିପରି ହେଲା ଭାବିଛ କି ? ଆଜି ତୁମ୍ଭର ମନ ଚଞ୍ଚଳ ତୁମ୍ଭେ ସବୁବେଳେ ସ୍ୱାଧୀନତା ଲୋଡ଼ୁଅଛ, ତେଣୁ ସବୁ ଶାସନ ଲୋଡ଼ା ହେଉଅଛି । ତୁମ୍ଭେ ବିଚାରୁ ଅଛ, ତୁମ୍ଭର ଯାହା ଇଚ୍ଛା ତୁମ୍ଭେ ତାହା କରିଯିବ । ଅନ୍ୟ କେହି ତୁମ୍ଭକୁ କିଛି କହିଲେ ତୁମ୍ଭକୁ ସୁଖ ଲାଗୁନାହିଁ । ବେଳେ ବେଳେ ବିଚାରୁଛ, ତୁମ୍ଭ ସ୍ୱାଧୀନତାରେ ବାଧା ଦେବାର କାହାରି ଅଧିକାର ନାହିଁ । ଏ ଭାବ ତୁମ୍ଭର ଆଜି ହୋଇନାହିଁ । ଜୀବନର ଶାସନ ଆଜି ତୁମ୍ଭର ଦରକାର ହୋଇନାହିଁ । ଟିକିଏ ଭାବିଲେ ଦେଖିପାରିବ, ଜୀବନର ପ୍ରଥମରୁ ସବୁବେଳେ ତୁମ୍ଭେ ଶାସନରେ ବାଢ଼ୁଅଛ । ପଦେ ପଦେ ତୁମ୍ଭର ସ୍ୱାଧୀନ ବୃତ୍ତି ଧକ୍କା ପାଉଛି । ତୁମ୍ଭର ଏ ସମସ୍ତ ଜୀବନ ଯେପରିକି ଗୋଟିଏ ଶାସନ ତାଡ଼ନାର ଅନନ୍ତଲୀଳା ।

 

କଥାଟି ବୋଧହୁଏ ଭଲ ବୁଝିଲ ନାହିଁ । ବିଚାର କର, ହ୍ରସ୍ୱ, ଦୁର୍ବଳ କୋମଳ ହସ୍ତପଦ ଘେନି ଯେତେ ବେଳେ ତୁମ୍ଭେ ପୃଥିବୀରେ ପ୍ରଥମେ ପଡ଼ିଲ, ସ୍ୱାଧୀନ ଭାବରେ ହସ୍ତପଦ ଚଳାଇଲା, ସେତେବେଳେ ମଧ୍ୟ ଏହି କଠୋର ତାଡ଼ନା, ତୁମ୍ଭର ହସ୍ତ ପଦାକୁ ସବଳ ଓ ସୁଦୃଢ଼ କରିଅଛି । ପୃଥିବୀରେ ପଡ଼ିବା ମାନ୍ତ୍ରେ ତୁମ୍ଭେ ଅବୟବର ସ୍ୱାଧୀନ ଲୀଳାରେ ପୃଥିବୀ ଉପରେ ହସ୍ତପଦ ଆଘାତ କଲା ସଙ୍ଗେ ସଙ୍ଗେ ତାଡ଼ନା । ପୃଥିବୀ ସଙ୍ଗେ ସଙ୍ଗେ ତୁମ୍ଭର ସେ କଠୋର ପଦାଘାତକୁ ଶାସନ କଲେ, ତୁମ୍ଭେ ପଦାଘାତ କରିସାରି ଯନ୍ତ୍ରଣାରେ କାନ୍ଦି ଉଠିଲ । ବୋଧହୁଏ ବିଚାରିଲ, ଓଃ ! କି ଦୁଃଖ ! ମୋର ହସ୍ତ ପଦର ସ୍ୱାଧୀନ କ୍ରୀଡ଼ାରେ ଏ କି ଅବୈଧ ପ୍ରତିବନ୍ଧକ । କିନ୍ତୁ ଯେ ପ୍ରତିବନ୍ଧକ ନ ଥିଲେ, ଏହିପରି ପ୍ରତ୍ୟକ ଅଙ୍ଗଚାଳନାରେ ପ୍ରକୃତି ତୁମ୍ଭର ତାଡ଼ନା କରି ନ ଥିଲେ ତୁମ୍ଭର ହସ୍ତପଦ ସବଳ ହୋଇ ନଥାନ୍ତା । ସେତିକି ନୁହେଁ, ପୁଣି ଦେଖ, କିଛି ଦିନ ପରେ ତାଡ଼ନା ସହି ସହି ତୁମ୍ଭେ ଯେତେବେଳେ ମୁଣ୍ଡ ଉଠାଇ ଛିଡ଼ା ହେବାକୁ ଚେଷ୍ଟା କଲ, ସେତେବେଳେ ପ୍ରକୃତି ତୁମ୍ଭର ସ୍ୱାଧୀନତା ସହିଲେ ନାହିଁ । ତୁମ୍ଭେ ବାରମ୍ବାର ଉଠି ପଡ଼ିଲ । ପ୍ରକୃତି ତୁମ୍ଭକୁ ତୁମ୍ଭ ସ୍ୱାଧୀନତାରେ ବାରମ୍ଭାର ଶାସନ କଲେ । ସେ ଶାସନର ଦୁଃଖ ସହି ତୁମ୍ଭେ କ୍ରମେ କ୍ରମେ ହସ୍ତ ପଦାଦିର ଯେ ସ୍ୱାଧୀନ ବ୍ୟବହାର ଲୋଡ଼ୁଥିଲା, ତାହା କରିବାକୁ ସମର୍ଥ ହୋଇଅଛ । ସେଥିପାଇଁ କହେ, ତାଡ଼ନା ବିନା ଶାସନ ବିନା ସ୍ୱାଧୀନତା ନାହିଁ । ଶାସନର ସଂଯମ ନ ଥିଲେ ସ୍ୱାଧୀନତା ଗୋଟିଏ ବିଶୃଙ୍ଖଳ ସ୍ଵେଚ୍ଛା— ଚାରିତା । ସେ ସ୍ଵେଚ୍ଛାଚାରିତାରେ ଜୀବନର ଗଠନ ଅସମ୍ଭବ ।

 

ପରମପିତା ବିଶ୍ଵବିଧାତା ସମସ୍ତ ବିଶ୍ଵଜଗତର ସ୍ରଷ୍ଟା ଓ ପାଳନ କର୍ତ୍ତା । ସେ ଆମ୍ଭମାନଙ୍କୁ ଯେପରି ସ୍ୱାଧୀନ ବୃତ୍ତି ଦେଇଅଛନ୍ତି, ସ୍ୱାଧୀନ ବୃତ୍ତି ସଙ୍ଗେ ସଙ୍ଗେ ସେହିପରି ପ୍ରକୃତିରେ ନାନା ଶାସନର ପନ୍ଥା ଫିଟାଇ ଅଛନ୍ତି । ଜୀବ ଜନ୍ତୁଠାରୁ ମାନବ ଶିଶୁ ପର୍ଯ୍ୟନ୍ତ ସମସ୍ତଙ୍କର ସ୍ୱାଧୀନ ଲୀଳାରେ ସଂଯମ ହେବାକୁ ସ୍ଵେଚ୍ଛା ଚାରିତା ଶାସନ କରିବାକୁ ଅନନ୍ତ ପ୍ରକୃତି ସୃଷ୍ଟି କରି ଅଛନ୍ତି । ହସ୍ତ ପଦର ସ୍ଵେଚ୍ଛା ଚାଳନାରେ ପୃଥିବୀ ଆଘାତ ଦିଏ । ଶିଶୁ ସ୍ୱାଧୀନ ଭାବରେ ଆଖି ଫିଟାଇ ଚାହିଁ ଥାଏ । କେଉଁଠାରୁ ପବନ ଆସି ହଠାତ୍‍ ଶିଶୁ ଆଖି ବୁଝି ଦିଏ । ଶିଶୁକୁ ଯେପରି କି ଶାସନ କରି କହେ—"ବିଧାତାଙ୍କ ରାଜ୍ୟରେ ଏ ସ୍ଵେଚ୍ଛାଚାରିତା ତୋହର ଉଚିତ୍‍ ନୁହେଁ-। ଶିଶୁ, ତୋର ଯେତିକି ଚାହିଁବା ଉଚିତ୍‍ ତୁ ସେତିକି ଚାହିଁବୁ । ଚାହିଁ ରହିବାର ଅନନ୍ତ ଶକ୍ତି ଦେଖାଇ ବସିଲେ ତତେ ସେଥିରୁ ନିବୃତ୍ତି କରିବା ପାଇଁ ଆମ୍ଭେମାନେ ନିଯୁକ୍ତ ଅଛୁ । ବିଧାତାଙ୍କ ରାଜ୍ୟରେ ତୋର ସେ ଅଧିକାର ନାହିଁ । ଏହିପରି ଖରା, ବର୍ଷା, ଶୀତ, ବସନ୍ତ, ପୃଥିବୀ, ଆକାଶ, ଜଳ, ବାୟୁ, ନଦୀ, ପର୍ବତ, ଜଡ଼ ଜୀବନ୍ତ ସମସ୍ତେ ଭଗବାନଙ୍କର ଶାସନ ଦଣ୍ଡ ଘେନି ଜନ୍ତୁରେ ସ୍ଵେଚ୍ଛାଚାରିତା ନିୟମିତ କରୁଅଛନ୍ତି । ସେଥିରେ ଜୀବ ଜନ୍ତୁ ପ୍ରଭୃତିର ଅଙ୍ଗ ଚାଳନାଦିର ପ୍ରକୃତ ସ୍ୱାଧୀନ ବ୍ୟବହାର ଫିଟୁଅଛି । ସ୍ଵେଚ୍ଛାଚାରିତା ସଂଯମରେ ରସାଣିତ ହେଉଅଛି । ଆବେଗ ଶାସନରେ ସଂଯତ ହେଉଅଛି । ବିଶ୍ୱତନ୍ତ୍ରର ନିୟମରେ ସମସ୍ତଙ୍କର କର୍ତ୍ତବ୍ୟ ନିର୍ଦ୍ଦିଷ୍ଟ ହେଉଅଛି ।

 

ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ବହୁବାର ଶୁଣିଅଛ—ପଶୁ ପକ୍ଷୀ ଇତର ଜନ୍ତୁଠାରୁ ମନୁଷ୍ୟଭିନ୍ନ । ପ୍ରକୃତି ଯେ ନିୟମରେ ଚଳାଉଅଛି, ପଶୁପକ୍ଷୀ ଇତର ଜନ୍ତୁମାନେ ସେ ନିୟମରେ ପ୍ରକୃତିର ସେହି ନିର୍ଦ୍ଦିଷ୍ଟ ଶାସନରେ ଚାଲୁଅଛନ୍ତି । କିନ୍ତୁ ସ୍ୱାଧୀନତା ମନୁଷ୍ୟର ବିଶେଷତ୍ୱ । ନିରାଶ୍ରୟ ମାନବଶିଶୁ ଏକ ହିସାବରେ ଦେଖିଲେ ଇତର ଜନ୍ତୁପରି । ସେତେବେଳେ ତାର ସ୍ୱାଧୀନ ବୃତ୍ତି ବିକାଶ ପାଇ ନ ଥାଏ । କ୍ରମେ କ୍ରମେ ବୟସ ବୃଦ୍ଧି ସଙ୍ଗେ ଯେପରି ଶୈଶବ ଅତିକ୍ରାନ୍ତ ହୁଏ ସେହିପରି ମାନବ ପ୍ରାଣରେ ସ୍ୱାଧୀନ ଭାବ ଜାଗି ଉଠେ । ସତକଥା, ମାନବର ସ୍ୱାଧୀନତା ଘେନି ସେ ସୃଷ୍ଟିରେ ଶ୍ରେଷ୍ଠ । ତେବେ ସେ ସ୍ୱାଧୀନ ଭାବରେ ଏତେ ଶୃଙ୍ଖଳ କାହିଁକି ? ଅତି ଶୈଶବରେ ତାହାର ଜୀବନ ବିକାଶ ଲଭେ । କିନ୍ତୁ ସଙ୍ଗେ ସଙ୍ଗେ ପିତାମାତା, ବନ୍ଧୁ ସ୍ୱଜନ ତାହାର ଚତୁର୍ଦ୍ଦିଗରେ ଘେରି ବସନ୍ତି । ଜୀବନରେ ସେ ଯେତେ ଯେତେ ବିକାଶ ପାଏ, ପିତାମାତା ଠାରୁ ଆରମ୍ଭ କରି ବନ୍ଧୁ ସ୍ୱଜନ, ପରିବାର, ସମାଜ, ଜାତି, ଦେଶ, ଧର୍ମ ପ୍ରଭୃତି ନାନା ମୁଖରେ ବିଶ୍ୱପିତା ସହସ୍ର ଦୃଷ୍ଟିରେ ଯେପରି କି ତାକୁ ଚାହିଁଥାନ୍ତି । ତାକୁ ଶାସନ କରନ୍ତି । ଅପଚାର ଘଟିଲେ ରୋଗ ଶୋକ ପରିତାପ, ଅପମାନ ପ୍ରଭୃତି ନାନା କଠୋର ଦଣ୍ଡରେ ମାନବ ଦଣ୍ଡିତ ହୁଏ ।

 

ଆହା ! ଥରେ ଭାବି ଦେଖ, ମାତା—ତୁମ୍ଭର ସ୍ନେହମୟୀ ଜନନୀ ତୁମ୍ଭକୁ ବକ୍ଷରେ ଧରି କି ଆଦରରେ, କି ପ୍ରାଣଭରା ପ୍ରେମ ଦେଇ ସ୍ତନଧାରାରେ ହୃଦୟର ରକ୍ତଦାନ କରି ପାଳନ କରନ୍ତି । ତୁମ୍ଭେ ସମ୍ପଦରେ, ବିପଦରେ, ମାତୃ କୋଳରେ କି ଶାନ୍ତି, କି ବିରାମ ଭୋଗ କର । ରୋଗ ବେଳେ ସେହି ଜନନୀଙ୍କର ଅଜସ୍ର ଯତ୍ନ, ଶୟନେ ସ୍ୱପନେ, ଜାଗରଣେ ସର୍ବଦା ସେହି ଜନନୀଙ୍କର ଅନନ୍ତ ଆଦର ତୁମ୍ଭ ଜୀବନର ପରମସ୍ଥିତି । କିନ୍ତୁ ଏ ସମସ୍ତ ସ୍ନେହ, ସମସ୍ତ ଆଦର ମଧ୍ୟରେ ବିଶ୍ୱ ପିତାଙ୍କର ସେହି କଠୋର ଶାସନ ଦଣ୍ଡ କେବେ ଦେଖିଛ କି ? ତୁମ୍ଭେ ସମସ୍ତେ ମନେରଖିଥିବ, ପିଲାଦିନେ କୋରା ଖାଇବାକୁ ତୁମ୍ଭକୁ କେଡ଼େ ଖୁସି ଲାଗେ ! ଦୃଦୟର ଆଗ୍ରହରେ ପ୍ରାଣର ଆହ୍ଲାଦରେ ତୁମ୍ଭେ ଖଜା ଦେଖିଲେ ଖାଇବାକୁ ଧାଇଁ ଯାଇ । ଏ ସମସ୍ତ ହୃଦୟଭରା ଆଗ୍ରହ ବେଳେ ତୁମ୍ଭର ସେହି ସ୍ନେହମୟୀ ମାତାଙ୍କର ତୀବ୍ରତା ଆଜି ମନେ ପଡ଼େ ତ ? ତୁମ୍ଭେ କୋରା ଖାଇବାକୁ ଖଜା ଖାଇବାକୁ ହାତରେ ଧାଇଁଲା ବେଳେ ତୁମ୍ଭର ପ୍ରେମମୟୀ ଜନନୀ କଠୋର ହସ୍ତରେ ତାହା ଛଡ଼ାଇ ଫିଙ୍ଗି ଦେଇ ଅଛନ୍ତି । କେତେ ବେଳେ ବା ତର ତର ହୋଇ ପାଟିରେ କୋରା ଖଜା ଭର୍ତ୍ତି କରି ଦେଇଅଛ । ତାହା ଦେଖି ଜନନୀଙ୍କର ପ୍ରାଣ ଫାଟିଯାଇ ଅଛି । ସେ ତାଙ୍କର ଦୃଢ଼ ଆଙ୍ଗୁଳିରେ ତାହା ତୁମ୍ଭର ମୁହଁରୁ (ପାଟିରୁ) ବାହାର କରି ଦେଇ ଅଛନ୍ତି । ଅନନ୍ତ ପ୍ରେମମୟୀ ଜନନୀଙ୍କର ପ୍ରାଣରେ ଏ କଠୋରତା କିଏ ଦେଲା ? କାହିଁକି ବା ବିଧାତାଙ୍କର ନିୟମରେ ଅନନ୍ତ ପ୍ରେମ ଭିତରେ କଠୋରତା ଅଛି—ଏ କଥା ତୁମ୍ଭେ କେବେ ଭାବିଛ କି ? ଅବଶ୍ୟ ସେତେବେଳେ ଭାବି ନାହଁ । ସେତେବେଳେ ଜନନୀଙ୍କର ସେ କ୍ରିୟାକୁ କଠୋର ମଣି ନିରାଶ୍ରୟ ହୋଇ ପ୍ରାଣ ବିକଳରେ କାନ୍ଦିଅଛି । ଭାବିବାର ଶକ୍ତିଥିଲେ ବୋଧହୁଏ ଭାବିଥିବ—ଏ କି ଦୁଃଖ ! କି ଯନ୍ତ୍ରଣା ! ମୁଁ ଟିକିଏ ସ୍ୱାଦୁ ଜିନିଷ ଖାଇବାକୁ ଇଛା କରୁଅଛି । ଯାହାଙ୍କ ଘେନି ମୋର ପ୍ରାଣ ସେହି ଜନନୀଙ୍କର ଏଥିରେ କଠୋରତା କାହିଁକି ? ଯେ ମୋତେ ପ୍ରାଣଦେଇ ସୁଖ ପାଆନ୍ତି, ସେ ମୋର ଏ ସ୍ୱାଦୁ ଖାଇବାର ସୁଖ ଟିକରେ କି ସକାଶେ ଏତେ ପ୍ରତିବନ୍ଧକ ହେଉ ଅଛନ୍ତି ? ମୋର ମାତା କି ସକାଶେ ମୋର ଶନ୍ତ୍ରୁ ହେଉଅଛନ୍ତି ? ବିଧାତା ତୁମ୍ଭ ଜୀବନକୁ ଗଢ଼ିବା ପାଇଁ କୋମଳ, ସ୍ନେହମୟ ମାତୃରେ ହସ୍ତରେ ଏ କଠୋର ଶାସନ ଦଣ୍ଡ ରଖି ଅଛନ୍ତି । ମନେଥିବ, ଏ ଶାସନ ନ ମାନି ପିତା ମାତାଙ୍କୁ ଲୁଚାଇ କୋରା ଖଜା ଖାଇ ତୁମ୍ଭର ବେଳେ ବେଳେ କି ଅନିଷ୍ଟ ହୋଇଅଛି । କୃମି, କଫ, ଜ୍ୱର, ଅଜୀର୍ଣ୍ଣ ପ୍ରଭୃତି ବ୍ୟାଧିରୁ କେତେ ସାଙ୍ଘାତିକ ନିର୍ଯ୍ୟାତନା ତୁମ୍ଭକୁ ସହିବାକୁ ପଡ଼ିଅଛି । ତୁମ୍ଭର ସ୍ୱେଚ୍ଛାଚାରିତା ଫଳରେ ତୁମ୍ଭେ ଏସବୁ ନିର୍ଯ୍ୟାତନା ପାଇଅଛି । ବିଚାର, କର, ମାତାର ସ୍ନେହମୟ ହସ୍ତରେ ତୀବ୍ର ଶାସନଦଣ୍ଡ ନ ଥିଲେ ତୁମ୍ଭେ ଆଜି ନ ଥାନ୍ତ, ତୁମ୍ଭର ଏ ଶରୀର ନ ଥାନ୍ତା । ଏହିପରି ଜୀବନରେ କେତେ ଅନ୍ୟାନ୍ୟ ଅପଚାର, ଉଚ୍ଛୃଙ୍ଖଲତା ବେଳେ ତୁମ୍ଭର ପିତାମାତା ବନ୍ଧୁ ସ୍ଵଜନମାନେ ତୁମ୍ଭଙ୍କୁ ପଦେ ପଦେ ଶାସନ କରି ଅଛନ୍ତି । କେତେବେଳେ କଥାରେ କହିଅଛନ୍ତି, କେତେ ବେଳେ ଗାଳି ଦେଇ ଅଛନ୍ତି । କେତେବେଳେ ମଧ୍ୟ ପ୍ରହାର କରି ଅଛନ୍ତି । ଯଦି ସେ କଥା, ସେ ପ୍ରହାର ତୁମ୍ଭେ ସହି ନ ଥାନ୍ତ, ତେବେ ଭାବ, ତୁମ୍ଭର ଜୀବନ କ’ଣ ହୋଇଥାନ୍ତା । ବିଶ୍ୱପିତା, ପିତାମାତା, ବନ୍ଧୁ ସ୍ୱଜନ ରୂପରେ ଅନନ୍ତ ସ୍ନେହରେ ତୁମ୍ଭକୁ ଘେରି ରହି ସେହି ସ୍ନେହ ମଧ୍ୟ ତୁମ୍ଭ ପାଇଁ କଠୋର ଶାସନ ରଖିଅଛନ୍ତି, ସ୍ନେହର ନିର୍ଯ୍ୟାତନରେ ତୁମ୍ଭକୁ ବଢ଼ାଉ ଅଛନ୍ତି । ଜଗତରେ ଜୀବନର ବିକାଶରେ ସର୍ବତ୍ର ଏହି ନିୟମ । ମନେ ରଖିଥିବ ବାବୁ, ଯେ ପ୍ରାଣ ଦେଇ ସ୍ନେହ କରେ, ସେ ଶାସନ କରି ପାରିବ ନାହିଁ । ଯେ ତୁମ୍ଭକୁ ଅମାର୍ଗରେ ଗଲାବେଳେ ଶାସନ ନକରେ, ସେ ମୁହଁରେ ଯେତେ କହୁନା କାହିଁକି, ତାହା ପ୍ରାଣରେ ସ୍ନେହ ନାହିଁ । ବିଧାତାଙ୍କର ବିଶ୍ଵପରିପାଳନରେ କୋମଳ ସ୍ନେହ ସଙ୍ଗେ କଠୋର, ତାଡ଼ନାର ଏହି ମହା ସମ୍ମିଶ୍ରଣ ଗୋଟିଏ ଅତି ଅଭୁତ ବିଧାନ । ଯେ ଯାହାକୁ ସ୍ନେହ କରେ, ସେ ତାହାର ମଙ୍ଗଳ ଲୋଡ଼େ । କୋରାଟି ଖାଇ ଦେଲେ ମାତା ଜାଣନ୍ତି ତୁମ୍ଭର ଶରୀରର ମଙ୍ଗଳ ହେବ ନାହିଁ । ସେଥିପାଇଁ ଶାସନର ପ୍ରୟୋଜନ । ତୁମ୍ଭର ଯେଉଁ ମଙ୍ଗଳ ତୁମ୍ଭର ମାତା ଚାହାନ୍ତି, ସେ ମଙ୍ଗଳ ଭବିଷ୍ୟତରେ ଅଛି । ଭବିଷ୍ୟତର ସେ ମଙ୍ଗଳାକୁ କଳ୍ପନାକରି ସେ ନିଜର ସ୍ନେହକୁ ନିୟମିତ କରନ୍ତି, ଶାସନ ବିଧାନ କରନ୍ତି । ଯେ ମଙ୍ଗଳ ଯେତେ ଦେଖିଅଛି—ଜାଣିଥିବ, ତାର ପିଲାମାନେ ସେତିକ ସୁସ୍ଥାଭାବରେ ବଢ଼ିଅଛନ୍ତି—ତାହାର ସ୍ନେହ କାର୍ଯ୍ୟରେ ସେତିକି ବେଶୀ ପ୍ରକାଶ ପାଇଅଛି-। ଯେଉଁ ମାତା ଭବିଷ୍ୟତ ମଙ୍ଗଳ ଦେଖି ନାହିଁ, ପିଲାର ଯଥେଚ୍ଛାଚାର ପ୍ରବୃତ୍ତିରେ ତରଳି ଯାଇଅଛି, ପିଲାର ଯେତେ ବେଳେ ଯାହା ଇଛା ନ ବିଚାରି, ଆମକୁ ନ ଚାହିଁ, ପିଲାର ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି, ତାହା ତାହାକୁ କରିବାକୁ ଦେଇ ଅଛି, ତାହାର ପିଲା ସେତିକି ଅସୁସ୍ଥ ଓ ରୁଗ୍‍ଣ ହୋଇଅଛି-। ତାହାର ସ୍ନେହ ବାସ୍ତବରେ ସ୍ନେହ ନୁହେଁ, ତାହା ଗୋଟିଏ ମୋହ ।

 

ଏକଥା ସମସ୍ତେ ଊଣା ଅଧିକରେ ଅଙ୍ଗେ ନିଭାଇ ଅଛନ୍ତି । ଆଜି ଟିକିଏ ବିଚାର କଲେ ବୁଝି ପାରିବ, ଭଗବାନ ଯେଉଁମାନଙ୍କୁ ତୁମ୍ଭମାନଙ୍କ ଜୀବନ ଗଢ଼ିବାରେ ନିଯୁକ୍ତ କରିଅଛନ୍ତି, ସେମାନେ କେହି ତୁମ୍ଭର ବର୍ତ୍ତମାନ ସନ୍ତୁଷ୍ଟ ନୁହନ୍ତି । ତୁମ୍ଭେ ଭବିଷ୍ୟତରେ କଅଣ ହେବ, ଏକଥା ସେମାନେ ବିଚାରୁ ଅଛନ୍ତି ଏବଂ ଏ କଥାଟି ଆଗରେ ରଖି ତୁମ୍ଭକୁ ତିଆରି ଅଛନ୍ତି । ଅବଶ୍ୟ ଯେଉଁମାନେ ତୁମ୍ଭ ଶରୀରର ତତ୍ତ୍ୱ ନିଅନ୍ତି, ସେମାନଙ୍କ ପକ୍ଷରେ ଟିକିଏ ଚେଷ୍ଟା କଲେ ତୁମ୍ଭର ଶାରୀରିକ ଭବିଷ୍ୟତ ଦେଖିବା ମୋତେ କଷ୍ଟ କଥା ନୁହେଁ । ମନୁଷ୍ୟ ସୁସ୍ଥ ସବଳ ହେଲେ କ’ଣ ହୁଏ ତାହା ସମସ୍ତେ ଦେଖୁଅଛନ୍ତି । କଅଣ ଖାଇଲେ କି ରୋଗ ହୁଏ, କି ଅପଚାରରେ କି ଅନିଷ୍ଟ ଜନ୍ମେ, ତାହା ଜାଣିବା ସେତେ କଷ୍ଟସାଧ୍ୟ ନୁହେଁ । ଯେଉଁ ପିତାମାତା ଟିକିଏ ଆଲୋଚନା କରି କାର୍ଯ୍ୟ କରନ୍ତି, ସେମାନେ ବାଳକର ଲାଳନ ପାଳନରେ ପ୍ରାୟଶଃ କୃତକାର୍ଯ୍ୟ ହୁଅନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଅନେକଙ୍କର ପିତା ମାତା ଏକପ୍ରକାର କୃତକାର୍ଯ୍ୟ ହୋଇଛନ୍ତି । ଯଦି କେବଳ ଶରୀରର ପୁଷ୍ଟି ବିଧାନ ଓ ସ୍ୱାସ୍ଥ୍ୟରେ ମାନବ ଜଗତର ଉଦ୍ଦେଶ୍ୟ ସିଦ୍ଧ ହୁଅନ୍ତା, ତେବେ ଏହିଠାରେ ସ୍ନେହର କ୍ରିୟା ଶାସନର କାର୍ଯ୍ୟପରି ସମାପ୍ତ ହୁଅନ୍ତା ।

 

କିନ୍ତୁ ମନୁଷ୍ୟକୁ ମନୁଷ୍ୟ କରିବାକୁ ହେଲେ ଶରୀରକୁ ଚାହିଁଲେ ଚଳିବ ନାହିଁ । ଅବଶ୍ୟ ଶରୀର ବରାବର ଛାଡ଼ିଦେବାର ଜିନିଷ ନୁହେଁ । ମାତ୍ର ଶରୀର ସଙ୍ଗେ ସଙ୍ଗେ ମନର ବିକାଶ ବାଞ୍ଛନୀୟ । ଜ୍ଞାନ, ଭାବ ଓ ନୈତିକତା ବିନା ମନୁଷ୍ୟ ଶରୀର ଜନ୍ତୁ ମାତ୍ର । ଜାଣ କି, ଏତେ ଦିନ ଯାଏ ତୁମ୍ଭର ପିତା ମାତା ସ୍ନେହ ଶାସନରେ ତୁମ୍ଭର ଶରୀରକୁ କେତେକ ପରିମାଣରେ ନିର୍ମାଣ କରି ତୁମ୍ଭର ମନର ପୁଷ୍ଟି ନିମନ୍ତେ, ଜ୍ଞାନ ଓ ନୈତିକତାର ବିକାଶ ନିମନ୍ତେ ତୁମ୍ଭକୁ ଏହି ବିଦ୍ୟାଳୟକୁ ପଠାଇ ଅଛନ୍ତି । ଏଠାରେ ମଧ୍ୟ ଆସି ତୁମ୍ଭେ ସେହି ସ୍ନେହ ଶାସନରେ ବଢ଼ିବ । ପିଲାଦିନେ କୋରା ଖାଇଲାବେଳେ ମାତା ଛଡ଼ାଇ ଫିଙ୍ଗିଦେଲେ ତୁମ୍ଭେ ଯେପରି ବ୍ୟସ୍ତ ହେଉଥିଲ, ଏଠାରେ ମଧ୍ୟ ସେହିପରି ଗୁରୁ ତୁମ୍ଭକୁ ଶାସନ କଲାବେଳେ ଥରେ ଥରେ ତୁମ୍ଭର ଅସହ୍ୟ ହୁଏ । ସେଥିପାଇଁ କହୁଥିଲି, ତୁମ୍ଭେ ସେତେବେଳେ ବିଚାର —ଓଃ ! କି ଦୁଃଖ !! କିନ୍ତୁ ବିଚାରି ଦେଖ, ଏହି ଦୁଃଖ ମଧ୍ୟରେ ବିଶ୍ୱବିଧାତାଙ୍କର ସ୍ନେହଶାସନ ତୁମ୍ଭର ଜୀବନକୁ ଗଢ଼ୁଅଛି । ତୁମ୍ଭର ଭବିଷ୍ୟତ କଲ୍ୟାଣ ନିମନ୍ତେ ଗୁରୁ ସର୍ବଦା ଜାଗ୍ରତ ରହି ତୁମ୍ଭକୁ ପଦେ ପଦେ ତିଆରୁ ଅଛନ୍ତି । ଅନନ୍ତ ସ୍ନେହରେ ଶାସନ ମିଶାଇ ତୁମ୍ଭେ ଜୀବନର ବିକାଶ କରାଉଅଛନ୍ତି । ଯେଉଁଠାରେ ତୁମ୍ଭର ଦୟାମୟ ପିତା ଓ ସ୍ନେହମୟୀ ମାତା ନିଜକୁ ଅକ୍ଷମ ମଣିଲେ, ସେହିଠାରେ ଗୁରୁଙ୍କର କାର୍ଯ୍ୟ ଆରମ୍ଭ ହେଲା । ଜୀବନରେ ଯେଉଁ ଶାସନ, ଯେଉଁ ତାଡ଼ନା, ଜୀବନରେ ପଦେ ପଦେ ତୁମ୍ଭକୁ ମନୁଷ୍ୟ କରିଅଛି, ତୁମ୍ଭକୁ ଏତେ ଦିନ ବଞ୍ଚାଇ ରଖିଅଛି, ଏଠାରେ ମଧ୍ୟ ସେହି ଶାସନ ଓ ସେହି ତାଡ଼ନା ତୁମ୍ଭକୁ ସହିବାକୁ ହେବ । ସେହି ତାଡ଼ନା ଭିତରେ ତୁମ୍ଭର ମନୁଷ୍ୟତା ଫିଟିବ । ଆନନ୍ଦର ଆଗ୍ରହରେ ପିତା ମାତାଙ୍କର ଆଦେଶ ପାଳି ଯେପରି ତୁମ୍ଭର ମଙ୍ଗଳ ହୁଏ, ଗୁରୁଙ୍କର ଆଦେଶ ଉପଦେଶ ପାଳିଲେ ସେହି ପରି ସହଜରେ ତୁମ୍ଭେ ସୁମନୁଷ୍ୟ ହେବ ।

 

ଏବେ ତୁମ୍ଭେ ଏକପ୍ରକାର ବୁଝିଲ, ଗୁରୁ-ଶିଷ୍ୟର ସମ୍ବନ୍ଧ କଣ ? ପିତାମାତା ତୁମ୍ଭର ଶିଶୁକାଳର ଯେଉଁ କର୍ତ୍ତବ୍ୟ କରି ଆସୁଥିଲେ, ଯେତେବେଳେ ସେହି କର୍ତ୍ତବ୍ୟ କରିବାକୁ ଅକ୍ଷମ ହେଲେ, ସେତେବେଳେ ତୁମ୍ଭର ଭାର ଗୁରୁଙ୍କ ଉପରେ ପଡ଼ିଲା । ପିତାମାତା ଏତେ ଦିନ ତୁମ୍ଭର ଜୀବନର ଭବିଷ୍ୟତ ଦେଖୁଥିଲେ, ଦେଖି ତୁମ୍ଭର ଲାଳନ ପାଳନ କରୁଥିଲେ । ଏବେ ଆମ୍ଭଠାରେ ଛାଡ଼ି ଦେଇ ସେମାନେ ଯେପରି କି ନିଶ୍ଚିନ୍ତ ରହିଲେ । ଅବଶ୍ୟ ମୋର କହିବାର ଉଦ୍ଦେଶ୍ୟ ନୁହେଁ, ପୃଥିବୀର ସବୁ ପିତାମାତା ବାଳକର ମାନସ ବିକାଶରେ ନିଜକୁ ଅକ୍ଷମ ମଣି ଗୁରୁଙ୍କ ହାତରେ ଛାଡ଼ି ଦିଅନ୍ତି । ତେବେ ଯେଉଁମାନେ ଏଠାକୁ ଆସିଅଛ ଯେଉଁମାନଙ୍କର ଭାର ଆମ୍ଭମାନେ ବହନ କରିଅଛୁ, ସେହିମାନଙ୍କୁ ମୁଁ ଆଜି ଏହା କହୁଅଛି ଏବଂ ପ୍ରାଚୀନ ଭାରତରେ ଆର୍ଯ୍ୟର ଏହା ଚିରନ୍ତନ ବିଧିଥିଲା । ବାଳକର ମାନସିକ ନୈତିକ ଉନ୍ନତି ନିମନ୍ତେ ପିତାମାତା ତାହାକୁ ଗୁରୁଗୃହକୁ ପ୍ରେରଣ କରୁଥିଲେ ।

 

ତୁମ୍ଭମାନେ ଏଠାକୁ ଆସିଅଛ, ତୁମ୍ଭର ପିତା ମାତା ଏକ ପ୍ରକାର ନିଶ୍ଚିନ୍ତ ହୋଇ ଅଛନ୍ତି । ସେ ତୁମ୍ଭମାନଙ୍କୁ ଆମ୍ଭଠାରେ ଅର୍ପଣ କରି ଅଛନ୍ତି । ତୁମ୍ଭେମାନେ ବେଳେ ବେଳେ ଆଦେଶ, ଉପଦେଶ, ଶାସନ, ତାଡ଼ନାରେ ବିଚଳିତ ହୁଅ ସତ, କିନ୍ତୁ ଥରେ ଟିକିଏ ଭାବି ବୁଝିଗଲେ ଗୁରୁଙ୍କଠାରେ ଆତ୍ମା ସମର୍ପଣ କରି ନିଶ୍ଚିନ୍ତ ହେବ । ନିର୍ବିକଳ୍ପ ଭାବରେ ଆମ୍ଭର ଆଦେଶ ଉପଦେଶ ପାଳିବାକୁ ଜୀବନରେ ସୁଖ ମଣିବ । ମାତ୍ର ଗୋଟିଏ କଥା ଫିଟାଇ କହେ । ଏଠାକୁ ପଠାଇ ଦେଇ ତୁମ୍ଭର ପିତାମାତା ନିଶ୍ଚିନ୍ତ ତୁମ୍ଭେ ଏଠାକୁ ଆସି ଗୁରୁଙ୍କଠାରେ ଆତ୍ମ ସମର୍ପଣ କରି ମଧ୍ୟ ଜୀବନରେ ଶାନ୍ତି ପାଇବ । କିନ୍ତୁ ଆମ୍ଭମାନଙ୍କର ଗତି କଅଣ ? ବାସ୍ତବିକ୍‍ ତୁମ୍ଭମାନଙ୍କ ମୁହଁକୁ ଚାହିଁ ଏ ଗୁରୁ ଦାୟିତ୍ୱ କଥା ଭାବିଲାବେଳେ ଆମ୍ଭମାନଙ୍କର ଆତ୍ମା ସ୍ଥିର ହୁଏ । ତୁମ୍ଭର ପିତା ମାତା ତୁମ୍ଭର ଯେ ଭବିଷ୍ୟତ ଦେଖୁଥିଲେ, ଆମ୍ଭମାନେ ଯେଉଁ ଭବିଷ୍ୟତ ଦେଖି କ୍ରିୟାବିଧାନ କରିବୁ, ଏହି ଦୁଇଟି ମଧ୍ୟରେ ଘୋର ତାରତମ୍ୟ । ଏଠାରେ ତୁମ୍ଭକୁ ଜ୍ଞାନ ଦେବା ସଙ୍ଗେ ସଙ୍ଗେ ତୁମ୍ଭର ଭାବ ଓ ନୈତିକ ଜୀବନରେ ବିକାଶ କରିବାର ଭାର ଆମ୍ଭ ହାତରେ । ଜାଣନାହିଁ ବାଳକମାନେ !

 

ଜୀବନର ପ୍ରତି ମୁହୂର୍ତ୍ତ ଆମ୍ଭେମାନେ ନିଜେ ନିଜେ ଆମ୍ଭ ନିଜର ନୈତିକ ଜୀବନରେ କେତେ ସ୍ଖଳିତ ଓ ବିଚଳିତ ହେଉ । ମାନବ ମାନ୍ତ୍ରେ ଦୁର୍ବଳ । ପ୍ରତ୍ୟକ ସେପରି ସ୍ଖଳିତ ଓ ବିଚଳିତ ହୁଅନ୍ତି । ସେଥିରେ ପୁଣି ଆଦର୍ଶ ସ୍ଥିର ରଖି ତୁମ୍ଭମାନଙ୍କ ଜୀବନର ଗତି ଫିଟାଇବାକୁ ହେବ । କି ଭୀଷଣ କଥା ! କି ମହା ଦାୟିତ୍ୱ ! ବୁଝିବ, ଯେତେବେଳେ ତୁମ୍ଭେ ଗୁରୁ ଆସନରେ ବସିବ । ତୁମ୍ଭେ ହେଲ ଆମ୍ଭର ଶିଷ୍ୟ, ଆମ୍ଭେ ତୁମ୍ଭର ଶିଷ୍ୟ । ଆମ୍ଭେ ତୁମର ଶିକ୍ଷକ । ତୁମ୍ଭେମାନେ ଶାସିତ ହେବ, ଆମ୍ଭମାନେ ଶାସନ କରିବୁ । କିନ୍ତୁ ଏ ଅପୂର୍ଣ୍ଣ ମାନବ ଜୀବନରେ କେଉଁ ଆଦର୍ଶ ଘେନି କି ଉପାୟ ଅବଲମ୍ବନ କଲେ ଆମ୍ଭମାନେ ତୁମ୍ଭକୁ ଶାସନ କରିବାକୁ ସମର୍ଥ ହେବୁ ? ତୁମ୍ଭକୁ ଶାସନ କରିବାରେ ଆମ୍ଭେମାନେ ଯେପରି ବ୍ୟାକୁଳ, ମନ ଫିଟାଇ କହିଅଛୁ, ବାଳକମାନେ, ଏକଥା ଭାବିବାରେ ଆମ୍ଭେମାନେ ଦିବାରାତ୍ରି ସେହିପରି ବିବ୍ରତ ।

 

ଗୁରୁଶଷ୍ୟ ଆମ୍ଭର ଏ ପୁରାଣ ପ୍ରସିଦ୍ଧ ଦେଶରେ ଆଜିର କଥା ନୁହେଁ । ଶୈଶବ ଅତୀତ ହେଲେ ଭାରତବାସୀ ଚିରକାଳ କୈଶୋର, କୌମାର ଗୁରୁ ଗୃହରେ କଟାଇ ଆସୁଅଛି । ଗୁରୁ ଏ ଦେଶରେ ଚିରକାଳ ଶିଷ୍ୟର ଜୀବନ ଗତି ନିର୍ଦ୍ଦେଶ କରନ୍ତି ଏବଂ ନିଜର ଶାସନ ପାଇଁ ଜୀବନକୁ ଅନନ୍ତ ସାଧନାରେ ସିଦ୍ଧ କରିଥାଆନ୍ତି । ଏ ଜୀବନରେ ସେ ସାଧନା କେତେ ଦୂର ସମ୍ଭବ ହେଉଅଛି, ତାହା ଆମ୍ଭେମାନେ କହିପାରିବା ନାହିଁ । କିନ୍ତୁ ଗୋଟିଏ କଥା ତୁମ୍ଭକୁ ଏଠାରେ କହିବା ଉଚିତ, ଏ ଭୂମିରେ କାର୍ଯ୍ୟର ଚିରକାଳ, ବିଶ୍ୱାସ, ଭଗବାନ ଯେପରି ଜୀବଜନ୍ତୁ ଓ ଶିଶୁ ମାନବର ଶାସନ ନିମନ୍ତେ ପ୍ରକୃତିର ଅନନ୍ତ ଶକ୍ତି ସଜାଡ଼ି ରଖିଅଛନ୍ତି, ବାଲ୍ୟ ଶୈଶବର ସ୍ନେହ ମିଶ୍ରିତ ଶାସନ ପାଇଁ ଯେପରି ପିତାମାତା ସ୍ଵଜନମାନଙ୍କ ହୃଦୟରେ ନୈସର୍ଗିକ ଆଦର୍ଶ ରଖିଛନ୍ତି, ଗୁରୁପାଇଁ ସେହିପରି ଶାସ୍ତ୍ର ଅଛି । ମାତା ପିଲାମାନଙ୍କ ଶାସନ କରେ, କିନ୍ତୁ ସେ ଶାସନ ପାଇଁ ଉପଯୁକ୍ତ ହେବାକୁ ନିଜେ ସର୍ବଦା ନିଜ ପ୍ରାଣର ସନ୍ତାନ ବାତ୍ସଲ୍ୟ ରୂପେ ସ୍ୱାଭାବିକ ବୃତ୍ତିରେ ଶାସିତ ହୁଏ । ଗୁରୁ ସେହିପରି ଶିଷ୍ୟର ଶାସନ କରନ୍ତି; କିନ୍ତୁ ନିଜେ ଶାସ୍ତ୍ରର ନୀତିରେ ଶାସିତ ହୁଅନ୍ତି ।

 

ମନୁଷ୍ୟର ନାନା ଆଦର୍ଶ ମଧ୍ୟରେ ବିଧାତା ହିଁ ପରମ ଆଦର୍ଶ । ପ୍ରକୃତିରେ ସେହି ବିଧାତାଙ୍କର ଶକ୍ତି ଶିଶୁର ଶାସନ କରେ । ମାତାର ହୃଦୟରେ ସେହି ମହାଭାବ ସ୍ନେହରୂପେ ଜାଗ୍ରତ ହୁଏ ଏବଂ ସେହି ବିଧାତା ମଧ୍ୟ ଗୁରୁ-ଶିଷ୍ୟର ସମ୍ବନ୍ଧ ନିର୍ଦ୍ଦେଶ କରିଦିଅନ୍ତି । ସମସ୍ତ ଶାସ୍ତ୍ରର ନିର୍ଦ୍ଦେଶ ମଧ୍ୟରେ ଗୁରୁ ବିଧାତାଙ୍କର ଉପଦେଶ ଶୁଣେ । ଶିଷ୍ୟ ମଧ୍ୟ ଗୁରୁମୁଖରେ ସେହି ମୁଗ୍ଧ ଈଶବାଣୀ ଅନୁଭବ କରେ ଏବଂ ଏହି ଈଶ୍ୱର ଭାବରେ, ବିଧାତାଙ୍କର ପରମ ଆଦର୍ଶରେ ଜଗତର ସକାଳ ସମ୍ବନ୍ଧ ନିୟମିତ ହୁଏ । ଗୁରୁ ନିଜର ସାଧନାରେ ସର୍ବଦା ନିଜ ଭିତରେ ଈଶ୍ୱରଙ୍କର ସତ୍ତା ଅନୁଭବ କରିବାକୁ ପ୍ରୟାସ କରନ୍ତି ଏବଂ ଯେତେବେଳେ ସେହି ଭାବରେ ଅନୁପ୍ରାଣିତ ହୁଅନ୍ତି, ସେତେବେଳେ ଜୀବନରେ "ସୋଽହଂ" ଅର୍ଥାତ୍ ‘‘ମୁଁ ସେହି ଈଶ୍ୱର’’ ଏହି ବିଶ୍ୱାସରେ ସୃଷ୍ଟି ଈଶ୍ୱରମୟ ଓ କର୍ତ୍ତବ୍ୟକୁ ବିଧାତାଙ୍କର ନିର୍ଦ୍ଦେଶ ବୋଲି ଦେଖନ୍ତି ।

 

* ସତ୍ୟବାଦୀ-୨ୟ ଖଣ୍ଡ-ପ୍ରଥମ ଓ ଦ୍ଵିତୀୟ ସଂଖ୍ୟା-୧୯୧୬

Image

 

ଯେପରି ବୁଣିବ

ଶ୍ରୀ ପଦ୍ମଚରଣ ପଟ୍ଟନାୟକ

 

‘‘ଭାଗ୍ୟ ବୋଲି ଯାହା ବିଚାରଇ ନର

ଆନ ନୁହେ ତାହା,ଚିନ୍ତା ନାମାନ୍ତର ।

ବାଛି ନିଅ ଭାଗ୍ୟ ରହିଥାଅ ଚାହିଁ,

ଭଲ ମନ୍ଦ ଫେରେ ତିଳେ ଭ୍ରମ ନାହିଁ ।

ସ୍ନେହ ପାଇଁ ସ୍ନେହ, ଘୃଣା ପାଇଁ ଘୃଣା

ଆସେ ଏହି ନୀତି ନୁହେ କେବେ ଊଣା ।

ପୋତି ଦେଲେ ଆମ୍ବ ଆମ୍ବଡ଼ା ନ ଫଳେ,

କର୍ମ ଅନୁସାରେ ସଦା ଫଳ ଧରେ ।"

 

–ଏଲା ହ୍ଵିଲର ଉଇଲକକ୍‍ସ

 

‘‘ସୁନ୍ଦର ଚିନ୍ତା ସବୁ ଦୟା, ଦାକ୍ଷିଣ୍ୟ ଓ ମାଧୁର୍ଯ୍ୟର ସଦଭ୍ୟାସରେ ପରିଣତ ହୁଏ ଏବଂ କାଳକ୍ରମେ ସମୁଜ୍ଜ୍ଵତ୍ର ସୁନ୍ଦର ଅବସ୍ଥା ସୃଷ୍ଟି କରେ ।’’

 

ପୃଥିବୀରେ ସର୍ବତ୍ର ଲୋକେ ଯାହା ବୁଣନ୍ତି ବା ରୁଅନ୍ତି, ଠିକ୍ ତାହାହିଁ ଫସଲ ରୂପେ ପାଆନ୍ତି । ଧାନ ବୁଣି ସେଥିରୁ ଗହମ କେବେ ଅମଳ କରନ୍ତି ନାହିଁ । ବାସ୍ତବ ରାଜ୍ୟରେ ‘‘ଯେପରି ରୋଇବ, ସେପରି ଜୀଇବ, ଏ କଥା ଧ୍ରୁବ ସତ୍ୟରୂପେ ଜାଣିବା ସତ୍ତ୍ୱେ ଲୋକେ ଅନେକ ସମୟରେ ମନେ କରନ୍ତି ଯେ, ମନୋରାଜ୍ୟରେ ଏହି ପ୍ରାକୃତିକ ନିୟମର ବ୍ୟତିକ୍ରମ ହୁଏ ।

 

*O .S Marder and ‘Peace, power and Plenty" ରୁ ‘As you sow’ ର ଅନୁବାଦ ।

 

କେଉଁ ନୀତିରେ ମନୁଷ୍ୟ ସୁଖ ଓ ସନ୍ତୋଷର ଫଳଭୋଗୀ ହେବାକୁ ସାହସ କରେ, ଯଦି ସେ ଦିନ, ମାସ, ବର୍ଷ ଧରି ସୁଖ ସନ୍ତୋଷର ବିରୋଧାତ୍ମକ ଚିନ୍ତା ମନ ମଧ୍ୟରେ ରୋପଣ କରୁଥାଏ ? କିପରି ସେ ସ୍ୱାସ୍ଥ୍ୟ ସୁଖର ଫଳଲାଭ କରିବାକୁ ଆଶା କରିବ, ଯଦି ନିୟମିତ ଭାବରେ ସେ ରୋଗ ଚିନ୍ତାର ବୀଜ ମାନସ କ୍ଷେତ୍ରରେ ବିପନ କରୁଥିବ ?

 

ଯଦି କୌଣସି କୃଷକ ବାଳୁଙ୍ଗାଗୁଡ଼ିଏ ବିଲରେ ବୁଣି ଧାନ ଫସଲ କାଟିବାକୁ ଆଶା କରି ବସେ, ନିଶ୍ଚୟ ସେ କୃଷକକୁ ଲୋକେ ବିକୃତ ମସ୍ତିଷ୍କ ବୋଲି ଭାବନ୍ତି । ପକ୍ଷାନ୍ତରେ ଆମ୍ଭେମାନେ ସର୍ବଦା ଭୟର ଚିନ୍ତା, ବ୍ୟସ୍ତତାର ଚିନ୍ତା, ଉଦବେଗର ଚିନ୍ତା, ସନ୍ଦେହର ଚିନ୍ତାରେ ମନକୁ ପୂର୍ଣ୍ଣ କରି ଚକିତ ହେଉ ଯେ କାହିଁକି ସୁଖ ସନ୍ତୋଷ ଆସିଲା ନାହିଁ । ଚାଷୀର ବୁଣିବା ଓ କାଟିବା ଏବଂ ଆମ୍ଭର ଚିନ୍ତା ଓ ଫଳ ଏକ ନିୟମର ଅଧୀନ । ଶସ୍ୟର ବୀଜ ଏକା ଶସ୍ୟ ଉତ୍ପାଦନ କରିବାକୁ ସମର୍ଥ । ମନୁଷ୍ୟର କାର୍ଯ୍ୟର ଫଳାଫଳ କ୍ଷୁଦ୍ର ବୃହତ୍, ସୁନ୍ଦର ଅସୁନ୍ଦର, ପ୍ରଚୁର ଅପ୍ରଚୁର ହୁଏ—ତାହାର ନିଜର ଚିନ୍ତାର ଧର୍ମ ଅନୁସାରେ ।

 

ଚାଷୀ ବାଳୁଙ୍ଗା ବିହନ ବିଲଯାକ ବୁଣି ଯେପରି ଧାନ ଫସଲ ପାଇ ନ ପାରେ, କୌଣସି ଲୋକ ସବୁବେଳେ ମନରେ ଅକୃତକାର୍ଯ୍ୟତାର ଚିନ୍ତା ପୂର୍ଣ୍ଣ କରି କେବେ ହେଲେ କୃତକାର୍ଯ୍ୟତାର ସୁଖ ଅନୁଭବ କରିବାକୁ ସମର୍ଥ ହୋଇପାରେ ନାହିଁ । ଯଦି କେହି ଆଶାର ମଞ୍ଜି ରୂପେ ସ୍ୱାସ୍ଥ୍ୟ, ସୌନ୍ଦର୍ଯ୍ୟ, ସତ୍ୟ, ପବିତ୍ରତା, ସୁଖସମୃଦ୍ଧି, ଦୃଢ଼ତା ବିଶ୍ୱସାର ଚିନ୍ତା ପୋଷଣ କରେ, ସେ ନିଶ୍ଚୟ ତଦନୁରୂପ ଫଳ ଲାଭ କରିବ, କିନ୍ତୁ ସେ ଯଦି ବିବାଦ ବିସମ୍ବାଦ ବା ଅନର୍ଥର ବୀଜ ବିପନ କରିବ, ତାହାର ସ୍ୱାଭାବିକ ଫଳସ୍ୱରୂପ ସେ ଅନୈକ୍ୟ ବା ଅନର୍ଥ ଲାଭ କରିବ ।

ଦୁଶ୍ଚିନ୍ତା ଘାସ ବାଳୁଙ୍ଗା ପରି, ଘାସ ବାଳୁଙ୍ଗା ଫସଲକୁ ସମୂଳେ ନଷ୍ଟ କଲା ପରି ଏହା ସତ୍ ଚିନ୍ତାକୁ ଫଳପ୍ରଦ କରାଏ ନାହିଁ ।

ବାହ୍ୟ ଜଗତର ପ୍ରାକୃତିକ ନିୟମଗୁଡ଼ିକ ଯେପରି ବିଜ୍ଞାପନ ସମ୍ମତ, ଅନ୍ତର୍ଜଗତର ନିୟମଗୁଡ଼ିକ ମଧ୍ୟ ତଦ୍ରୂପ । ଏ କଥା ଠିକ୍ ରୂପେ ବୁଝିବାର ଶକ୍ତି ଯଦି ଆମ୍ଭମାନଙ୍କର ଥାଆନ୍ତା, ତେବେ ଜୀବନର ସମସ୍ୟାଗୁଡ଼ିକ କେଡ଼େ ସରଳ ହୋଇ ଯାଆନ୍ତା । ମସ୍ତିଷ୍କର ପ୍ରତି ଚିନ୍ତା ବୀଜରୂପେ ଠିକ୍ ରୂପେ ତାହାର ସମଜାତୀୟ ଫଳ ଉତ୍ପାଦନ କରନ୍ତା । କଣ୍ଟାର ଚିନ୍ତା କଣ୍ଟା ଫସଲ ଆଣାନ୍ତା, ଗୋଲାପର ଚିନ୍ତା ଗୋଲାପଫୁଲ ଆଣାନ୍ତା, ବାଳୁଙ୍ଗା ଚିନ୍ତା ବାଳୁଙ୍ଗା ଆଣାନ୍ତା, ଗହମର ଚିନ୍ତା ଗହମ ଆଣନ୍ତା ।

ପ୍ରତ୍ୟକ ଜୀବନର ଗତି ତାର ମାନସିକ ବପନକ୍ରିୟା ଫସଲ ମାତ୍ର । ଗୋଟିଏ ବୀଜରୁ ସହସ୍ର ଫଳ ହୁଏ । ଯଦି ବାୟୁ ବୁଣୁଁ, ତେବେ ଫସଲ ରୂପେ ଆମ୍ଭେମାନେ ଘୂର୍ଣ୍ଣିବାୟୁ ପାଇବୁ । ମନରେ ସୁଖ ସମୃଦ୍ଧି ଓ ପ୍ରାଚୁର୍ଯ୍ୟର ଚିନ୍ତାକୁ ସ୍ଥାନ ଦେଲେ ଆମ୍ଭେମାନେ ତଦ୍ରୂପ ଫଳଭାଗୀ ହେବୁ । ପକ୍ଷାନ୍ତରେ ନୀଚ କ୍ଷୁଦ୍ର ବା ଅକୃତକାର୍ଯ୍ୟର ଚିନ୍ତା ରୋପଣ କଲେ, ଫଳରେ ଦାରିଦ୍ର୍ୟ ଫସଲ ପାଇବାକୁ ଆମ୍ଭେମାନେ ହକ୍‍ଦାର । ଜୀବନର ସାଫଲ୍ୟ ଚିନ୍ତାର ଅନୁଗାମୀ ହେବ । ଆମ୍ଭେମାନେ ଯେତେବେଳେ ଗୋଟିଏ ନିର୍ଜୀବ ସ୍ୱାର୍ଥପର ମୁଖମଣ୍ଡଳ ଅବଲୋକନ କରୁଁ, ସେତେବେଳେ ଭାବୁଁ, ସେ ଲୋକଟିର ମନ କିପରି ନୀଚ, କ୍ଷୁଦ୍ର ସ୍ୱାର୍ଥପର ଚିନ୍ତାରେ ପୂର୍ଣ୍ଣ । ପକ୍ଷାନ୍ତରେ ଯେତେବେଳେ ଆମ୍ଭେମାନେ ଧୀର ଗମ୍ଭୀର ଆଶା ପ୍ରଫୁଲ୍ଲ ମୁଖଟିଏ ଦେଖୁଁ ସେତେବେଳେ ଠିକ୍‍ କରିନେଉଁ, ଲୋକଟିର ମନରେ ଆଶା, ଆନନ୍ଦ, ଉତ୍ସାହର ବୀଜ ଅବଶ୍ୟ ବପନ କରା ହୋଇଅଛି ।

ଯଦି କୌଣସି ବ୍ୟକ୍ତି ଖଣ୍ଡିଏ ତୀକ୍ଷ୍ନ ଛୁରୀ ଧରି ନିଜ ଦେହର ଚମଡ଼ାକୁ ଚିରି ରକ୍ତ ବାହାର କରେ, ଲୋକେ ତାକୁ ଅବଶ୍ୟ ପାଗଳ ବୋଲି କହିବେ । ମାତ୍ର ଆମ୍ଭେମାନେ ଯେ ପ୍ରତି ମୁହୂର୍ତ୍ତରେ କ୍ରୋଧ, ଘୃଣା, ହିଂସା, ଦ୍ୱେଷ, ପ୍ରତିହିଂସା ରୂପ ସୁତୀକ୍ଷଣ ଚିନ୍ତା ଛୁରୀକା ଦ୍ୱାରା ଆମ୍ଭମାନଙ୍କର ମନକୁ ଖଣ୍ଡ ଖଣ୍ଡ କରି କାଟି ରକ୍ତାକ୍ତ କରୁଅଛୁ, ଏକଥା ତିଳେ ହେଲେ ମନେ କରୁ ନାହୁଁ, ଅଥଚ ଏପରି କରି ମଧ୍ୟ ଆମ୍ଭେମାନେ ଆପଣାକୁ ସୁବିଚାରକ ପ୍ରକୃତିସ୍ଥ ପୁରୁଷ ବୋଲି ମନେ କରିଥାଉଁ ।

ପ୍ରତି ଚିନ୍ତା କ୍ଷୁଦ୍ର ବୀଜରୂପେ ସମଜାତୀୟ ମାନସିକ ଚାରାଗଛଟିଏ ସୃଷ୍ଟି କରେ । ଯଦି ସେ ବୀଜରେ ବା ଚିନ୍ତାଚାରାରେ କିଛି ବିଷାକ୍ତ ପଦାର୍ଥ ଥାଏ, ତେବେ ସେ ଗଛର ଫଳ ଅବଶ୍ୟ ବିଷମୟ ହେବ । ସେ ମାନବର ଜୀବନକୁ ନଷ୍ଟ କରିବ, ସବୁ ସୁଖ ଓ ସବୁ ଶକ୍ତିର ବିନାଶର କାରଣ ହେବ ।

ମନୁଷ୍ୟ ବାସନାର ଦାସ ହେଲେ ତାହରିଠାରେ ବାସନାର ଫଳ ଫଳିବ । ଯେଉଁ ଲୋକ ଅତି ସ୍ୱାର୍ଥ ପର ଜୀବନ ଯାପନ କରେ, କେବଳ ନେବା କଥା ଜାଣେ, ତାହାକୁ କିଛି ଦେବାର ଅଭ୍ୟାସ କରେ ନାହିଁ, ସେ ପରିମାଣରେ କଣ୍ଟାର ଫସଲ ପାଏ, ସେଥିରେ ତାର ଦୁଃଖ କରିବାର କିଛି କାରଣ ଥାଇ ନ ପାରେ । ଜୀବନ ଆମ୍ଭମାନଙ୍କ ପ୍ରତି ବଡ଼ ନ୍ୟାୟପର । ଆମ୍ଭେମାନେ ଯେତିକି ଦେଉଁ, ପ୍ରତିଦାନରେ ଠିକ୍ ସେତିକି ପାଉଁ । ଏହାର କାରଣ ହେଉଛି ଯେ, ଆମ୍ଭେମାନେ ଯାହା ପାଇବାକୁ ମନେ କରୁଁ, ତାହାର ଉପଯୁକ୍ତ ମୂଲ୍ୟ ନ ଦେଇ ନେଇଯିବାକୁ ଇଚ୍ଛା କରୁଁ; କିନ୍ତୁ ଆମ୍ଭେମାନେ ଯେତିକି ମୂଲ୍ୟ ଦେଉଁ, ସେହି ଅନୁପାତରେ ପଦାର୍ଥ ଲାଭ କରୁଁ । ପ୍ରକୃତି କାଳିରେ କେବେହେଲେ ସର୍ବଦା ଦିଏ ନାହିଁ—ସେ ସର୍ବଦା ବ୍ୟବସାୟରେ ନଗଦ କାରବାର କରେ-। ସେ ଠିକ୍ ଆମର ମୂଲ୍ୟ ଅନୁସାରେ ମାଲ ଦେଉଥାଏ—ତାହାର କାରବାରର ଏପରି ବନ୍ଦୋବସ୍ତ ଯେ, ମୂଲ୍ୟତକ ନ ଦେଲେ କୌଣସି ମାଲ ତା ଗୋଦାମରୁ ଫାଟକ ଡେଇଁ ବାହାରକୁ ଯାଇ ପାରେନାହିଁ ।

 

ସୁଖ ସମୃଦ୍ଧିର ଫସଲ ପାଇବାକୁ ଇଚ୍ଛା ଥିଲେ ଭବିଷ୍ୟତ ମାନବ ଅକୃତ କାର୍ଯ୍ୟତାର, ଦାରିଦ୍ର୍ୟର, ସନ୍ଦେହ ବା ନିରୁତ୍ସାହର ବୀଜ ବପନ କରିବ ନାହିଁ । ସେ ଯେପରି ଫସଲ ପାଇବାକୁ ଇଚ୍ଛା କରିବ, ସେହିପରି ବୀଜ ସେ ବପନ କରିବ । ସେ ଯଦି ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ବା ଲାଳିତ୍ୟରେ ଚରିତ୍ର ଗଠନ କରିବାକୁ ଇଚ୍ଛା କରିବ ତେବେ ସ୍ନେହ, ପ୍ରୀତି, ଦୟା ଦାକ୍ଷିଣ୍ୟର ବୀଜ ବପନ କରିବ ଏବଂ ମନେ ରଖିବ ଯେ ସେ ଯଦି ହିଂସା, ଦ୍ୱେଷ, ଘୃଣା, ପ୍ରତିହିଂସାର ବୀଜ ବପନ କରିବ,ତାହାହେଲେ ସେହିପରି ଫସଲ ଆମଦାନି କରିବ—ତାହା ଅସୁନ୍ଦର, କୁତ୍ସିତ କଦାକାର ଛଡ଼ା ଆଉ କିଛି ହେବ ନାହିଁ ।

 

ଭବିଷ୍ୟତ ମାନବ ବିଜ୍ଞାନସମ୍ମତ ଭାବରେ ଜୀବନ ଯାପନ କରିବ । ସେ ବୁଝିବ ଯେ ଶାରୀରିକ ସ୍ୱାସ୍ଥ୍ୟ, ଶକ୍ତି ଓ ସୌନ୍ଦର୍ଯ୍ୟ ଆଣିବାର ଗୋଟିଏ ମାତ୍ର ଉପାୟ ଅଛି । ତାହା ହେଉଛି, ସେ ଯେଉଁ ସ୍ୱାସ୍ଥ୍ୟ ଲୋଡ଼ୁଅଛି, ସେହି ସ୍ୱାସ୍ଥ୍ୟ-ଚିନ୍ତା-ବୀଜ ବପନ କରିବ । କୃଷକ ଯେପରି ଯେଉଁ ମଞ୍ଜି ବୁଣେ, ସେହି ଫସଲ ପାଇବ ବୋଲି ନିଃସନ୍ଦେହରେ ମନେ କରିପାରେ, ସେ ସେହିପରି ଚିନ୍ତା କରିବ, ସେହି ଚିନ୍ତାର ଅନୁରୂପ ଫସଲ ଜୀବନରେ ଅବଶ୍ୟ ପାଇବ ।

 

ଶରୀର ମନର ପ୍ରତିବିମ୍ବ ମାତ୍ର, ଏହା ଆଉ କିଛି ହୋଇ ନ ପାରେ । ଯେ ମନରେ ସ୍ନେହରେ, କରୁଣାର, ପ୍ରେମର, ସୌନ୍ଦର୍ଯ୍ୟ ଚିନ୍ତା ପୋଷଣ କରନ୍ତି, ତାଙ୍କର ଶରୀର ଏହି ମାନସିକ ଚିନ୍ତା ଅନୁସାରେ ଅବଶ୍ୟ ଗଠିତ ହେବ । ଏହା ସମୟ ସାପେକ୍ଷ, କିନ୍ତୁ ହେବା ବିଷୟରେ କିଛି ଅନିଶ୍ଚିତତା ବା ସନ୍ଦେହ ନାହିଁ । ଏହା ଗୋଟିଏ କଠିନ ନିରାଟ ସତ୍ୟ; ସମ ପଦାର୍ଥ ଅବଶ୍ୟ ସମ ପଦାର୍ଥ ସୃଷ୍ଟି କରିବ ।

 

ଦସ୍ୟୁ ଅନ୍ୟର ପଦାର୍ଥ ଅପହରଣ କରି ଅପହୃତର ଯେତେ କ୍ଷତି କରେ, ତାଠାରୁ ଅଧିକ ପରିମାଣରେ ନିଜର କ୍ଷତି କରେ । ଯାହାର ମାଲ ଯାଏ ସେ ଅବଶ୍ୟ କିଛି ଅସୁବିଧାରେ ପଡ଼େ, କିନ୍ତୁ ଦସ୍ୟୁ ନିଜେ ନିଜର ମନୋବୃତ୍ତି ଉପରେ ଦାରୁଣ ଆଘାତ କରି ନିଜର ସର୍ବନାଶ ସାଧନ କରେ । ଆମ୍ଭେମାନେ ଏପରି ଭାବରେ ଗଠିତ ଯେ, ଇଚ୍ଛା କରି ଅନ୍ୟର କ୍ଷତି କରିବାକୁ ଗଲେ ସେଠି ସଙ୍ଗେ ସଙ୍ଗେ ନିଜର ନିଶ୍ଚୟ ଖଟି କରିବୁଁ । ଆମ୍ଭେମାନେ ଯଦି ନିଜ ପ୍ରତି ଭଲ କରିବୁଁ, ସେଥି ସଙ୍ଗେ ସାଙ୍ଗ ଅନ୍ୟର ଅବଶ୍ୟ ଭଲ କରିବୁଁ । ଆମ୍ଭର ପ୍ରତିବେଶୀର କିଛି କ୍ଷତି କରିବାକୁ ଗଲେ ଆମ୍ଭର ନିଜର ସେଥି ସଙ୍ଗେ ସଙ୍ଗେ ଅନ୍ୟର ଅବଶ୍ୟ କ୍ଷତି ହେବ । ନବଯୁଗର ଏ ନୂତନ ଦର୍ଶନଶାସ୍ତ୍ର ଯୀଶୁଖ୍ରୀଷ୍ଟ ଶିକ୍ଷା ଦେଇଅଛନ୍ତି । ତାଙ୍କର ଆଗମନ ପୂର୍ବରୁ ପାଶ୍ଚାତ୍ୟ ଖଣ୍ଡରେ ବିଧାନ ଥିଲା, "ଆଖି ପାଇଁ ଆଖି, ଦାନ୍ତ ପାଇଁ ଦାନ୍ତ’’ ଅର୍ଥାତ୍ ଚାପୁଡ଼ାକୁ ଚାପୁଡ଼ା, ବିଧାକୁ ବିଧା ବିଧାନ କରିବା ଉଚିତ । କିନ୍ତୁ ସେ ଶିକ୍ଷା ଦେଲେ, କେହି ଆଘାତ କଲେ, ତାହାର ପ୍ରତିଘାତ କରନାହିଁ । ଯୀଶୁଖ୍ରୀଷ୍ଟ କହିଲେ ଏହା ପ୍ରଚଳିତ ବିଧାନ ଅଛି ଯେ, ଆଖିପାଇଁ ଆଖି, ଦାନ୍ତପାଇଁ ଦାନ୍ତ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁ ଅଛି ଯେ, ତୁମ୍ଭେମାନେ ମନ୍ଦକାର୍ଯ୍ୟକୁ ବାଧା ଦିଅ ନାହିଁ, ଯଦି କେହି ତୁମ୍ଭର ବାମ ଗାଲରେ ଚପେଟାଘାତ କଲା ତାକୁ ବାମେତର ଗାଲ ମଧ୍ୟ ଦେଖାଇ ଦିଅ । ଆହୁରି ମଧ୍ୟ ସେହି ଯୀଶୁଖ୍ରୀଷ୍ଟ କହିଛନ୍ତି, ‘‘ଏପରି କଥା ପ୍ରଚଳିତ ଯେ, ତୁମ୍ଭେ ତୁମ୍ଭର ପ୍ରତିବେଶୀଙ୍କୁ ସ୍ନେହ କରିବ ଏବଂ ଶତ୍ରୁଙ୍କୁ ଘୃଣା କରିବ । ମାତ୍ର ମୁଁ ତୁମ୍ଭଙ୍କୁ କହୁଅଛି ଯେ, ତୁମ୍ଭେ ତୁମ୍ଭର ଶତ୍ରୁଙ୍କୁ ସ୍ନେହ କରିବ । ଯେଉଁମାନେ ତୁମ୍ଭଙ୍କୁ ଭର୍ତ୍ସନା କରିବେ, ସେମାନଙ୍କୁ ଆଶୀର୍ବାଦ କରିବ । ଯେଉଁମାନେ ତୁମ୍ଭଙ୍କୁ ଘୃଣା କରିବେ, ତୁମ୍ଭେ ସେହିମାନଙ୍କର ଉପକାର କରିବ । ଯେଉଁମାନେ ତୁମ୍ଭଙ୍କୁ ତିରସ୍କାର କରି ତୁମ୍ଭ ବିରୁଦ୍ଧରେ ନାନାଦି ମିଥ୍ୟା ଅଭିଯୋଗ କରିବେ, ସେମାନଙ୍କ ମଙ୍ଗଳ ସକାଶେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବ ।’’ ଏ ବାକ୍ୟଗୁଡ଼ିକ ରସାୟନଶାସ୍ତ୍ର ଅଥବା ଗଣିତ-ଶାସ୍ତ୍ରନିୟମପରିପୂର୍ଣ୍ଣ ବିଜ୍ଞାନ ସମ୍ମତ ।

 

ଭବିଷ୍ୟତମାନବ ଏହି କଥା ବୁଝିବ ଯେ, କେହି କିଛି କ୍ଷତି କଲେ, ତାହା ବିରୁଦ୍ଧରେ ପ୍ରତିହିଂସା ନେବାର ପ୍ରବୃତ୍ତି କିମ୍ବା ଅନ୍ୟ ପ୍ରତି ଘୃଣା, ନିଜର ଶକ୍ତିର ଅପବ୍ୟୟ କରି ହ୍ରାସ କରିଦିଏ ।

 

ନିଆଁରେ ହାତ ପୋଡ଼ିଯାଏ ଏକଥା ଶିକ୍ଷା କରିବା ପର୍ଯ୍ୟନ୍ତ ଶିଶୁ ନିଆଁ-ଖୁଣ୍ଟାକୁ ହାତ ବଢ଼ାଉଥାଏ । ଆମ୍ଭେମାନେ କୁଚିନ୍ତା ଦ୍ୱାରା ନିଜର କ୍ଷତି କରିସାରି, ନିଜେ ରକ୍ତାକ୍ତ ହୋଇ ପରିଶେଷରେ ଅଭିଜ୍ଞତା ଲାଭ କରିବା ଯେ ଅନ୍ୟର ମନ୍ଦ ଆଚରଣର ପ୍ରତିଦାନରେ ମନ୍ଦ ଆଚରଣ କରିବା ଗୋଟିଏ ବଡ଼ ବ୍ୟୟସାଧ୍ୟ କାର୍ଯ୍ୟ ଏବଂ ତାହାର ଆଶ୍ରୟ ନେବା ନିଜର ହିତଦୃଷ୍ଟିରୁ ଆଦୌ ଉଚିତ ନୁହେଁ । ଆମ୍ଭମାନଙ୍କର ଯେତେ ଅଭିଜ୍ଞତା ବଢ଼ିବ, ଆମ୍ଭେମାନେ ଏକଥା ଉତ୍ତମରୂପେ ଶିକ୍ଷା କରି ପାରିବା ଯେ, ଏ ଉପାୟ ଆତ୍ମରକ୍ଷା ବା ଆତ୍ମୋନ୍ନତି ପକ୍ଷରେ ଆଦୌ ଉଚିତ ନୁହେ ।

 

ଆମ୍ଭେମାନେ ନିଜ ନିଜର ଭାଗ୍ୟ ବା ଅବସ୍ଥା ବିଷୟରେ ନାନା ଆପତ୍ତି ଓଜରକରି ଦୁଃଖିତ ହୋଇପାରୁଁ, କିନ୍ତୁ ଦୁଃଖର କିଛି ମାତ୍ର କାରଣ ନାହିଁ । ଗତ କାଲି ଯାହା ବୁଣିଥିଲୁଁ, ଆଜି ତାହାହିଁ କାଟୁଅଛୁଁ । ଆଗାମୀ କାଲି ଯଦି ଫସଲ ପାଇବାକୁ ଆଶା କରୁଁ, ତାହାର ଏକମାତ୍ର ଉପାୟ ଭିନ୍ନ ପ୍ରକାର ମଞ୍ଜି ବୁଣିବା । ଆମ୍ଭେମାନେ ଯାହା କାର୍ଯ୍ୟ କରୁଅଛୁଁ ବା ଯାହା ଚିନ୍ତା କରୁଅଛୁଁ, ତାହାର ପ୍ରତ୍ୟେକ ଅଂଶ କ୍ଷୁଦ୍ର ବୀଜ ପରି, ତାହାର କିଛିମାତ୍ର ନଷ୍ଟ ହେଉନାହିଁ । ଏ ବିଶ୍ୱସଂସାର କ୍ଷେତ୍ରରେ ସେ ବୀଜଗୁଡ଼ିକ ବୁଣି ହୋଇ ଯାଇ ତାହାର ସମରୂପ ଫସଲ ଆସୁଅଛି । ଅନେକ ଲୋକ ଓଜର ଆପତ୍ତି କରିବାର ଶୁଣାଯାଏ ଯେ, ସେମାନେ ଭଲ ଫସଲ ପାଇଲେ ନାହିଁ, ଶସ୍ୟ ପରିବର୍ତ୍ତରେ ସେମାନଙ୍କର କ୍ଷେତ୍ର ବାଳୁଙ୍ଗାରେ ପରିପୂର୍ଣ୍ଣ ହୋଇଗଲା, କିନ୍ତୁ ସେମାନେ ସେମାନଙ୍କ ଜୀବନର କାର୍ଯ୍ୟାବଳୀକୁ ବିଶ୍ଳେଷଣ କରିଲେ ବୁଝି ପାରିବେ ଯେ, ସେମାନେ ନିଜ କ୍ଷେତ୍ରରେ ହିଂସା, ଦ୍ୱେଷ, ସ୍ୱାର୍ଥପରତାର ବୀଜ ବପନ କରିଥିଲେ ଏବଂ ଫଳ ତଦନୁରୂପ ହୋଇଅଛି । ସେମାନେ ଯଦି ନିସ୍ଵାର୍ଥପରତା, ଉଦାରତା, ଦୟା, ସ୍ନେହ ଓ ଆନନ୍ଦର ବୀଜ ବପନ କରିଥାଆନ୍ତେ, ସେମାନଙ୍କର ଫସଲ ନିଶ୍ଚୟ ଅନ୍ୟ ପ୍ରକାରର ହୋଇଥାଆନ୍ତା ।

 

ସମୟ ଆସିବ, ଯେତେବେଳେ ବୁଦ୍ଧିମାନ୍ ମାନବ ଅଗ୍ନିରେ ହାତ ଦେଲା ପରି ଆଉ ହିଂସା, ଦ୍ୱେଷ, କ୍ରୋଧ, ଘୃଣା, ପ୍ରତିହିଂସା ପ୍ରଭୃତି ଦୁଶ୍ଚିନ୍ତାରେ ମନ ଦେବ ନାହିଁ ।

 

ଭବିଷ୍ୟତ ମାନବ ପାପାତ୍ମକ ଚିନ୍ତାରେ ନିଜକୁ ରକ୍ତାକ୍ତ କରିବନାହିଁ । ସେ ହିଂସା, ଦ୍ୱେଷ ଘୃଣାର ଚିନ୍ତାରେ ଲିପ୍ତ ହୋଇ ଆତ୍ମଘାତୀ ହେବନାହିଁ । କାରଣ ଶିଶୁ ଅଗ୍ନିରେ ହାତ ଥୋଇଲେ ହାତ ପୋଡ଼ିଯିବ, ଏହା ଜାଣି ଯେପରି ହାତ ଦିଏ ନାହିଁ, ସେହିପରି ସେ କୁଚିନ୍ତାରେ ମଗ୍ନ ହେଲେ ତାହାର ଫଳ ବିଷମୟ ହେବ, ଏହା ଜାଣି ସେଥିରୁ ବିରତ ହେବାକୁ ସର୍ବଦା ଯତ୍ନବାନ ହେବ ।

Image

 

ଅଦୃଷ୍ଟବାଦ

(ଉତ୍କଳ ସାହିତ୍ୟ ସମାଜର ତା ୧ । ୧୨ । ୧୭ ରିଖ ଅଧିବେଶନରେ ପଠିତ)

ଶ୍ରୀ କୃପାସିନ୍ଧୁ ମିଶ୍ର

 

ଅଦୃଷ୍ଟବାଦ ଜନସାଧାରଣରେ ବହୁ କାଳରୁ ପ୍ରଚଳିତ । ମାନବ ହୃଦୟରେ ଜ୍ଞାନ ଓ ବିଚାର ବିକାଶ ଦିନରୁ, ଲୋକେ ଅଦୃଷ୍ଟର ଦ୍ୱାହିଦେଇ ଆସୁଅଛନ୍ତି । କୌଣସି କାର୍ଯ୍ୟରେ ନିରସ୍ତହେଲେ, କିମ୍ବା ହଠାତ୍ କୌଣସି ଆକସ୍ମିକ ଦୁର୍ବିପାକ ଘଟିଲେ, ଲୋକେ ସାଧାରଣତଃ ଅଦୃଷ୍ଟ ଉପରେ ଦାୟିତ୍ୱ ପକାଇଥାନ୍ତି । ପୁତ୍ର ନିଧନ ଠାରୁ ସାମାନ୍ୟ ଅର୍ଥହାନି ପର୍ଯ୍ୟନ୍ତ, ମରଣଠାରୁ ଶରୀରର ସାମାନ୍ୟ ଗ୍ଲାନି ପର୍ଯ୍ୟନ୍ତ ସମସ୍ତ ବିପଦ ଲୋକେ ଅଦୃଷ୍ଟ ଉପରେ ପକାଇ ଦେଇ କ୍ଷଣିକଶାନ୍ତି ଲାଭ କରନ୍ତି । କେବଳ ବିପଦ ନୁହେଁ ସମ୍ପଦରେ ମଧ୍ୟ ଅଦୃଷ୍ଟର ନାମ ବେଳେ ବେଳେ ଶୁଣାଯାଏ ସ୍ଥୂଳତଃ, ମାନବ ଜୀବନ ସମାନ ଅବସ୍ଥାରେ ଚାଲୁଥିବା ପର୍ଯ୍ୟନ୍ତ ଆପଣ ବ୍ୟତୀତ ଅନ୍ୟ କାହାରି ଚିନ୍ତା ମନରେ ପଶେ ନାହିଁ । କିନ୍ତୁ ସମାନ ଅବସ୍ଥାରୁ ଜୀବନ ମନକୁ ଲାଗିଲା ଭଳି କିଛି ବିଚଳିତ ହେଲେ, ଅଦୃଷ୍ଟ ହିଁ ତାହାର କାରଣ ବୋଲି ଧରାଯାଏ । ଅବଶ୍ୟ ଅଦୃଷ୍ଟ କଣ ଏବଂ ତାହା କେଉଁଠାରେ କି ଭାବରେ ମାନବଶକ୍ତିର ବହିର୍ଭୂତ ଘଟଣା ରାଶି ନିୟନ୍ତ୍ରିତ କରୁଅଛି; ଜନସାଧାରଣଙ୍କ ମଧ୍ୟରୁ ବଡ଼ କ୍ଵଚିତ୍ ଲୋକେ ସେ କଥା ଜାଣନ୍ତି । ମାତ୍ର, ଅଦୃଷ୍ଟର ଦ୍ଵାହି ନ ଦେବା ଅତି ଅଳ୍ପ ମାତ୍ର ଦେଖାଯାନ୍ତି । ବିଶେଷତଃ ଆମ୍ଭମାନଙ୍କ ଦେଶରେ ଅଦୃଷ୍ଟବାଦର ବହୁଳ ପ୍ରଚାର ଦେଖାଯାଏ । ଯେ ନିରକ୍ଷର ଏବଂ ସଂସାର ସମ୍ବନ୍ଧରେ ଯାହାର ଲେଶମାତ୍ର ଜ୍ଞାନ ନାହିଁ, ସେ ମଧ୍ୟ ଜାଣେ ମାନବ ଜୀବନ ଅଦୃଷ୍ଟଦ୍ୱାରା ପରିଚାଳିତ ।

 

ଅଦୃଷ୍ଟବାଦ ପୃଥିବୀର ପ୍ରାୟ ସର୍ବତ୍ର ପ୍ରଚଳିତ । ଅବଶ୍ୟ ସ୍ଥଳବିଶେଷରେ ଏହାର ପ୍ରକାର ଭେଦ ଦେଖାଯାଏ । କିଏ ଅଦୃଷ୍ଟ, କିଏ ଫେଟ, କିଏ ଈଶ୍ୱର, କିଏ ବା ଅନ୍ଧ ଆକସ୍ମିକତା ଇତ୍ୟାଦି ନାମରେ ମାନବଜୀବନ ଓ ସଂସାରର ନିୟନ୍ତାଙ୍କୁ ଅଭିହିତ କରନ୍ତି । ନାମ ଯାହାହେଉ, ଭାବ ସମସ୍ତଙ୍କର ପ୍ରାୟ ଏକ । ସଚରାଚର ବିଶ୍ୱରେ ଯାହାକିଛି ଘଟୁଛି, ମାନବ ଇତିହାସର ଘଟଣାରାଶିଠାରୁ ଜଡ଼ ଜଗତର ବିଭିନ୍ନ ବିକାର ପର୍ଯ୍ୟନ୍ତ ସମସ୍ତ କୌଣସି ଏକ ଅପରିବର୍ତ୍ତନୀୟ ଓ ଅଲଙ୍ଘନୀୟ ଶକ୍ତିର ଅଜ୍ଞାତ ଇଙ୍ଗିତରେ ଘଟୁଅଛି । ସେଥିରେ ମନୁଷ୍ୟର ହାତ ନାହିଁ । ମନୁଷ୍ୟ ସେ ଶକ୍ତିର ବିରୁଦ୍ଧରେ ଆପଣାର ଇଚ୍ଛାନୁଯାଇ କିଛି କରି ନପାରେ; ଇତର ପ୍ରାଣୀ ବା ଜଡ଼ଜଗତ ପରି ମନୁଷ୍ୟ ସେହି ଅଲଙ୍ଘନୀୟ ଶକ୍ତିର ଦାସାନୁଦାସ ମାତ୍ର ।

 

"ନିୟତ୍ୟା ବାଧ୍ୟତେ ଲୋକଃ, ନିୟତିଃ କେନ ବାଧ୍ୟତେ" ।

 

ଇଂରେଜୀରେ ପ୍ରବଚନ ଅଛି" Man proposes, God disposes" ମନୁଷ୍ୟ କଳ୍ପନା କରୁଛି, କିନ୍ତୁ ନିଷ୍ପତ୍ତି ଈଶ୍ୱରଙ୍କ ହାତରେ । ଈଶ୍ୱରଙ୍କର ନିଷ୍ପତ୍ତିତ ଅନ୍ୟଥା କରିବା ମାନବର ଅସାଧ୍ୟ ।

 

ଦାର୍ଶନିକ ଚିନ୍ତାର ବର୍ତ୍ତମାନ ବିକାଶ ଅନୁସାରେ ଏହି ରୂପ ଅଦୃଷ୍ଟବାଦର ସତ୍ୟତା ଯାହାହେଉ ପଛକେ; ଜନସାଧାରଣ ସେ ଉଚ୍ଚ ଦର୍ଶନ ଚିନ୍ତାରେ ପ୍ରଭାବିତ ହୋଇ ପାରନ୍ତି ନାହିଁ । ପ୍ରସିଦ୍ଧ ଦାର୍ଶନିକମାନଙ୍କ ମଧ୍ୟରୁ କେତେଜଣ ବା ଆପଣାର ସୁଚିନ୍ତିତ ମତ ଅନୁସାରେ ଜୀବନ ପରିଚାଳନ କରନ୍ତି ? ଜର୍ମାନ ଆଚାର୍ଯ୍ୟ ସୋପେନ- ହାଓ୍ୟାର ଆତ୍ମହତ୍ୟାକୁ ହିଁ କେବଳ ମାନବ ଜୀବନର ଚରମ ନୈତିକ ଆଦର୍ଶ ବୋଲି ଆପଣା ଦର୍ଶନରେ ବିଧିବଦ୍ଧ କଲେ; କିନ୍ତୁ ସେ ନିଜେ ଜୀବନର ସମସ୍ତ ମାୟାମମତା ପରିହାର କରି ଆତ୍ମହତ୍ୟା କରି ପାରି ନ ଥିଲେ । ନିଜେ ଦାର୍ଶନିକମାନଙ୍କର ଚିନ୍ତା ଓ କାର୍ଯ୍ୟରେ ଏପରି ଅସାମଞ୍ଜସ୍ୟ ଥିବା ସ୍ଥଳେ; ଜନସାଧାରଣ ବା କେତେଦୂର ସେମାନଙ୍କର ଚିନ୍ତାରେ ତନ୍ମୟ ହୋଇ ପାରନ୍ତି ? ସେମାନେ ସାଧାରଣତଃ ପାରମ୍ପରିକ ଭାବରେ ଜୀବନ ଗଠନ ଓ ପରିଚାଳନ କରନ୍ତି । ସୁତରାଂ ସଭ୍ୟତାର ଆଦିମ ଅବସ୍ଥାରେ ମାନବ ଯେଉଁ ଚିନ୍ତା ଓ ପ୍ରଜ୍ଞାର ଅନୁସରଣ କରୁଥିଲା; ତାହା ନାନା ସଂସ୍କାର ଓ ପରିବର୍ତ୍ତନ ମଧ୍ୟରେ ଅଦ୍ୟାପି ମଧ୍ୟ ମାନବସମାଜ ମାନଙ୍କରେ ଦେଖାଯାଏ । ଦାରଉଇନ୍ ପ୍ରଭୃତି ବର୍ତ୍ତମାନ ସମାଜରୁ ଏହିପରି କେତେଗୁଡ଼ିଏ ଆଦିମପ୍ରଥା ଅନ୍ୱେଷଣ କରି ଏବଂ ତାହା ସହିତ ଅନ୍ୟାନ୍ୟ କାରଣ ମିଶାଇ ମାନବକୁ ମାର୍କଟ ଜାତିର ଉତ୍ତରାଧିକାରୀ ବୋଲି ନିର୍ଣ୍ଣୟ କରି ଅଛନ୍ତି । ବର୍ତ୍ତମାନ୍ ସମାଜରେ ଏହିପରି କେତେ ପ୍ରଥା ଅଛି ଯାହା ଆଦିମ ମାନବ ସମାଜର ବୋଲି ସମାଜ ଦାର୍ଶନିକମାନେ ସ୍ଥିର କରନ୍ତି । ଅଦୃଷ୍ଟବାଦ ସେହିପରି ଆଦିମ ମାନବ ଚିନ୍ତାରେ ଅବଶ୍ୟ କାର୍ଯ୍ୟ ।

 

ଆଦିମ ମନୁଷ୍ୟ ତାହାର ଚତୁର୍ଦ୍ଦିଗରେ ବେଷ୍ଟନୀ ମଧ୍ୟରେ ଆପଣାକୁ ନିତାନ୍ତ ଅସହାୟ ମନେ କରେ । ପ୍ରକୃତି ଅବଶ୍ୟ ନିଶ୍ଚଳ ଥିଲା ବେଳେ, ତାହା ଭାବ ଭିନ୍ନ ପ୍ରକାର ହୋଇପାରେ । ମାତ୍ର ପରକ୍ଷଣରେ ସେହି ନିଶ୍ଚଳ ଓ ନିର୍ଜୀବ ପ୍ରକୃତି ଜୀବନର ସମ୍ପୂର୍ଣ୍ଣ ଆଭାସ ଦେଲାବେଳେ, ମନୁଷ୍ୟ ଆପଣାକୁ କ୍ଷୁଦ୍ର ପ୍ରାଣୀବିଶେଷ ମାତ୍ର ମନେ କରିବା ସ୍ୱାଭାବିକ୍ । ବର୍ତ୍ତମାନ୍ ଯୁଗରେ ମଧ୍ୟ ଭାବୁକ "ନିସ୍ତବ୍‍ଧ ନୀରବ ମହାବିଜନ" ଭୀମ ମରୁସ୍ଥଳୀରେ ଭୀଷଣ ଋକ୍ଷ ଶୈଳାବଳୀ, ଉତ୍ତୁଙ୍ଗ ଜଳପ୍ରପାତର ଭୈରବ ଆରବ ପ୍ରଭୃତି ଦେଖି "ଅବସାଦ ବା ଆତ୍ମବିସ୍ତୁତି"ରେ ବୁଡ଼ିଯାଏ । ଆଦିମ ମାନବ ପ୍ରତି ଏ ସବୁ ଆହୁରି ଭୟଙ୍କର; ଏଥିରେ ସେ ଆପଣକୁ ନିତାନ୍ତ ଅସହାୟ ଜୀବ ମାତ୍ର ମନେ କରିବା ବିଚିତ୍ର କଣ ? ପୁଣି ନିର୍ଜୀବ ପ୍ରକୃତି ଯେତେବେଳେ ସଜୀବ ହୁଏ, ସେତେବେଳେ ତାର ଜ୍ଞାନ ଓ ବିବେକ ଏକାବେଳକେ ସ୍ତବ୍‍ଧ ହୁଏ । ପ୍ରକୃତିରେ ଜୀବନର ଏହିପରି ଭୀଷଣ ଆସ୍ଫାଳନ ଦେଖି ସେ କଣ ଭାବିପାରେ ? ସେ ଆପଣାର ଶରୀର ତୁଳନାରେ ମନେ କରେ ପ୍ରକୃତିର ପ୍ରତ୍ୟେକ ବିଭାଗର ଅନ୍ତରାଳରେ ଏକ ଏକ ଅଦୃଶ୍ୟ ଓ ଅଜ୍ଞାତ ଶକ୍ତି ରହି ସେହି ବିଭାଗମାନଙ୍କୁ ସଜୀବ କରୁଅଛି । ସେ ସମସ୍ତ ଶରୀରରେ ଏକ ଜୀବନ ଅନୁଭବ ନ କରି ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗର ସ୍ୱତନ୍ତ୍ର ଜୀବନ ଅନୁଭବ କରେ । ପ୍ରକୃତିରେ ସେହିପରି ବେଳେ ବେଳେ ଜୀବନର ଅଷ୍ଫାଳନ ଦେଖିଲେ, ପ୍ରକୃତିର ବିଭିନ୍ନ ବିଭାଗରେ ଏକ ଏକ ସ୍ୱତନ୍ତ୍ର ଜୀବନୀ ଶକ୍ତି ସେ କଳ୍ପନା କରେ ଏବଂ ସେହି ସେହି ଶକ୍ତି ଗୁଡ଼ିକ ଗୋଟିଏ ଗୋଟିଏ ପୃଥକ୍ ଦେବତା ଜ୍ଞାନ କରି, ସେମାନଙ୍କର ପରିତୋଷ ନିମନ୍ତେ ଆପଣାର ଧନ ଓ ମନ ନିୟୋଗ କରେ । ଆମ୍ଭମାନଙ୍କର ଧର୍ମରେ ଅଦ୍ୟାପି ଜଳ, ପର୍ବତ, ନଦୀ, ବୃକ୍ଷ ପ୍ରଭୃତି ଇଷ୍ଟଦେବତା ଜ୍ଞାନରେ ପୂଜା ପାଉ ଅଛନ୍ତି । ଅବଶ୍ୟ ସେମାନଙ୍କ ବିଷୟରେ ଆମ୍ଭମାନଙ୍କର ଭାବ ଉନ୍ନତତର ହୋଇଅଛି ସତ; ସାନ୍ତାଳ ପ୍ରଭୃତି ଅର୍ଦ୍ଧସଭ୍ୟ ଜାତିମାନଙ୍କ ମଧ୍ୟରେ ଏହିପରି ଦେବତାମାନଙ୍କର ଉପାସନା ବଡ଼ ପ୍ରଚୁର ଦେଖାଯାଏ । ଆଦିମମାନବ ପକ୍ଷରେ ଏହି ସବୁ ଦେବତାଙ୍କ ସଂଖ୍ୟା ଯେ କେତେ ହୋଇଥିବ, ତାହାର ଇୟତା କିଏ କହିପାରେ ?

 

ଆପଣାର ପାରିପାର୍ଶ୍ଵିକ ବେଷ୍ଟନୀ ମଧ୍ୟରେ ମନୁଷ୍ୟ ନିଃସହାୟ ସତ; ତଥାପି ପ୍ରକୃତିର କୌଣସି ଶକ୍ତି ମନୁଷ୍ୟର ପ୍ରତିକୂଳ ହେଲେ ସେ ତାହାର ନିରାକରଣ ପାଇଁ ଅବଶ୍ୟ ଚେଷ୍ଟା କରିବା ସ୍ୱାଭାବିକ୍ । ଆତ୍ମରକ୍ଷଣ ପ୍ରବୃତ୍ତି ନାହିଁ କାହାର ? ବିପଦର ନୀରାକରଣ ପାଇଁ ଚେଷ୍ଟା କରି ବିଫଳ ହେଲେ, ମନୁଷ୍ୟ ଉକ୍ତ ବିପଦକୁ ଆପଣା ଠାରୁ ସ୍ୱତନ୍ତ୍ର ଓ ଜଳବତ୍ତର ଶକ୍ତିର କାର୍ଯ୍ୟ ମନେ କରେ । ପୁଣି ଉକ୍ତ ଶକ୍ତିକୁ ସେ ଆପଣାର ଅନୁକୂଳ ଜ୍ଞାନ କରି ପାରେ ନାହିଁ । ତାହା ସର୍ବଦା ମନୁଷ୍ୟ ସ୍ୱାର୍ଥର ଅନ୍ତରାୟ । କାରଣ ମାନବ କୌଣସି ମଙ୍ଗଳକର ଘଟଣାକୁ ଯେତେ ଆପଣାର ଓ ଆପଣାର ଶକ୍ତି ସାମର୍ଥ୍ୟଦ୍ୱାରା ସାଧିତ ମନେ କରେ; ଅମଙ୍ଗଳକର ଘଟଣାକୁ ସେ ସେପରି ଜ୍ଞାନରେ ଦେଖେ ନାହିଁ-। ବାୟୁ ମନ୍ଦ ମନ୍ଦ ବୋହିଲା ବେଳେ ସେ ଯେତେ ବାୟୁପ୍ରତି କୃତଜ୍ଞ ନହୁଏ; ପ୍ରବଳ ବେଗରେ ବୋହି ତାହାର ଘର ଦ୍ୱାରା ଭାଙ୍ଗି ପକାଇଲେ ସେ ତାହାର ପରିତୋଷ ନିମନ୍ତେ ସମଧିକ ଯତ୍ନବାନ ହୁଏ । ସୁତରାଂ ପ୍ରକୃତିର ବିଭିନ୍ନ ବିଭାଗମାନଙ୍କର ଅନ୍ତରାଳରେ ଆପଣାଠାରୁ ପୃଥକ୍ ବଳବତ୍ତର ଏବଂ ଆପଣା ସ୍ୱାର୍ଥର ପ୍ରତିକୂଳ ଶକ୍ତିମାନ କାର୍ଯ୍ୟ କରୁଥିବାର ସେ ବିଚାର କରେ । ଏମନ୍ତ କି ବର୍ତ୍ତମାନ ଯୁଗରେ ‘ଅଦୃଷ୍ଟ’ କହିଲା ବେଳେ, କୌଣସି ବ୍ୟକ୍ତିର କେବଳ ଅମଙ୍ଗଳ ଘଟଣା ପ୍ରତି ଲକ୍ଷ୍ୟ କରି କୁହାଯାଏ । ପୁତ୍ର ଜନ୍ମ ହେଲାବେଳେ ମନୁଷ୍ୟ ଅଦୃଷ୍ଟ ପ୍ରତି କୃତଜ୍ଞତା ପ୍ରାୟ ଦେଖାଯାଏ ନାହିଁ । କିନ୍ତୁ ପୁତ୍ରର ଉତ୍କଟ ରୋଗ ବା ମରଣ ସମୟ ‘‘ନିୟତ୍ୟା ବାଧ୍ୟତେ ଲୋକଃ" ବୋଲି ଅଦୃଷ୍ଟ ଉପରେ ସମସ୍ତ ଦାୟିତ୍ୱ ଢାଳି ଦିଏ । ଏପରି ସ୍ଥଳେ ଆଦିମ ମାନବ ଆପଣା ପୂର୍ଣ୍ଣ ପ୍ରତିକୂଳାଚାର ପ୍ରବଳଶକ୍ତି ଗୁଡ଼ିଏ ପ୍ରକୃତିର ବିଭିନ୍ନ ବିଭାଗରେ ରାଜତ୍ୱ କରୁଥିବାର କଳ୍ପନା କରେ ଏବଂ ଆପଣାକୁ ନିରାଶ୍ରୟ ଓ ଇତର ଦୁର୍ବଳ ଜୀବମାନଙ୍କ ସଙ୍ଗେ ସମାନ ମନେ କରେ ।

 

ମାନବ ମନ ବହୁଳତା ମଧ୍ୟରେ ବହୁଦିନ ସ୍ଥିର ରହିପାରେ ନାହିଁ । ପ୍ରକୃତିର ସମସ୍ତ ବହୁଳତା ମଧ୍ୟରେ ଏକ ବ୍ୟାପକ ଶକ୍ତି ପାଇବାପାଇଁ ତାହାର ହୃଦୟ ବ୍ୟାକୁଳ ହୁଏ । ଯେଉଁ ଆଦିମମାନଙ୍କ ତାହା ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗରେ ଗୋଟିଏ, ସ୍ୱତନ୍ତ୍ର ଜୀବନ ଅନୁଭବ କରୁଥିଲା; ସେ ପୁଣି ଜ୍ଞାନର ବିକାଶ ସଙ୍ଗେ ସଙ୍ଗେ ସମସ୍ତ ଶରୀରରେ ଏକ ବ୍ୟାପକ ଜୀବନର ପରିଚୟ ପାଏ । ଅବଶ୍ୟ ଜୀବନ କଣ ଓ ତାହାର ଶରୀରର କେଉଁଠାରେ ରହି କିପରି ଭାବରେ କାର୍ଯ୍ୟ କରୁଅଛି, ସେ ସେକଥା କିଛି ଜାଣେନାହିଁ; ଜାଣେ କେବଳ ଜୀବନର କାର୍ଯ୍ୟ ହସ୍ତପଦର ସଞ୍ଚାଳନ । ସେହିପରି ପ୍ରକୃତିର ବିଭିନ୍ନ ବିଭାଗରେ ସେ ଯେଉଁ ଅସଂଖ୍ୟ ଶକ୍ତି ଅନୁମାନ କରୁଥିଲା, ଜ୍ଞାନର ବିକାଶ ସଙ୍ଗେ ସେ ସମସ୍ତ ଶକ୍ତିକୁ ଏକ ବ୍ୟାପକ ଶକ୍ତିର ବିଭିନ୍ନ ଅଙ୍ଗ ବା ବିଭାଗ ସ୍ୱରୂପ ବିଚାରେ । ମାତ୍ର ସେ ବ୍ୟାପକ ଶକ୍ତି କଣ, କେଉଁଠାରେ ଅଛି ଏବଂ କିପରି କାର୍ଯ୍ୟ କରି ସମସ୍ତ ସୃଷ୍ଟି ଚଳାଉଅଛି, ସେ ଜ୍ଞାନ ତାହାର ନାହିଁ । କେବଳ ସେ ଜାଣେ, ଏକ ମହାଶକ୍ତି ପ୍ରକୃତିର ଅନ୍ତରାଳରେ ଅଦୃଶ୍ୟ ଓ ଅଜ୍ଞାତ ଭାବରେ ରହି ଚରାଚର ବିଶ୍ୱ ଚଳାଉଅଛି ।

 

ଅବଶ୍ୟ ମାନବ ଚିନ୍ତା କୌଣସି ଏକ ନିର୍ଦ୍ଦିଷ୍ଟ ସରଳ ମାର୍ଗରେ ଏକାଦି କ୍ରମେ ଗତି କରିପାରେ ନାହିଁ । ମଧ୍ୟେ ମଧ୍ୟେ ଚିନ୍ତାର ବହୁ ବିଭଙ୍ଗ ଓ ଭାବର ବହୁଳତା ଦେଖାଯାଏ । ପ୍ରକୃତିର ବିଭିନ୍ନ ବିଭାଗମାନଙ୍କର ଏକତ୍ଵ ପ୍ରତିପାଦନ ସଙ୍ଗେ ସଙ୍ଗେ ମଧ୍ୟ ମାନବ ଚିନ୍ତା ବହୁଳତା ପ୍ରତି ଆକୃଷ୍ଟ ହୋଇଅଛି । ତଥାପି ସେହି ବହୁଳତା ମଧ୍ୟରେ ଉକ୍ତ ଏକତ୍ଵ ଚିନ୍ତା ଅଲକ୍ଷିତ ଭାବରେ କାର୍ଯ୍ୟ କରୁଥିବାର ଦେଖାଯାଏ । ଗ୍ରୀସୀୟ ଓ ଭାରତୀୟ ପୁରାଣରେ ଦେବତା ଅସଂଖ୍ୟ, ତଥାପି ଗ୍ରୀସୀୟମାନେ ଜିଉସଙ୍କୁ ଏବଂ ଭାରତୀୟମାନେ ଇନ୍ଦ୍ରଙ୍କୁ ଦେବରାଜ ମନେ କରୁଥିଲେ । ଏହି ଦେବରାଜରେହିଁ ଅଦ୍ୱୈତ ପରମେଶ୍ୱର ଚିନ୍ତା ଗୁଢ଼ ଭାବରେ ରହିଅଛି । ଅନ୍ୟାନ୍ୟ ଦେବତାମାନେ ତାହାଙ୍କର ଅଧସ୍ତନ । ଅର୍ଥାତ ଏକ ଅଦ୍ଵିତୀୟ ପରମେଶ୍ଵରଙ୍କର ବିଭିନ୍ନ ବିଭାଗ ମାତ୍ର । ଗ୍ରୀସୀୟ ଦର୍ଶନ ଇତିହାସରେ ଜଳ, ବାୟୁ ବା ଅଗ୍ନି ପ୍ରଭୃତି ପ୍ରକୃତିର ସର୍ବଶ୍ରେଷ୍ଠ ବ୍ୟାପକ ଆଦ୍ୟତନ ଶକ୍ତି ବୋଲି ସ୍ଥିରୀକୃତ ହେବା ସଙ୍ଗେ ସଙ୍ଗେ, ଜିମ୍‍କ୍ରିଟସ ପ୍ରଭୃତିଙ୍କର ଅଗଣିତ ପରମାଣୁ ମଧ୍ୟରେ ପ୍ରକୃତି ପୁଣି ବିଭକ୍ତ ହୋଇଅଛି । ତଥାପି ସେହି ପରମାଣୁମାନଙ୍କର ସଂହତିରେ ଏକ-ଶକ୍ତି-ଚିନ୍ତା ପରମାଣୁବାଦୀଙ୍କ ମନରେ ଅଜ୍ଞାତ ଭାବରେ କାର୍ଯ୍ୟ କରିଥିବାର ଜଣାଯାଏ । ଭାରତ ଦର୍ଶନରେ ପୂର୍ଣ୍ଣ ଅଦ୍ୱୈତବାଦ ସଙ୍ଗେ ସଙ୍ଗେ ସାଂଖ୍ୟକାରଙ୍କର ପ୍ରକୃତି ଓ ଅସଂଖ୍ୟ ପୁରୁଷ ଅବଶ୍ୟ ଦେଖାଯାଏ; ତଥାପି ପ୍ରକୃତିର ବିବର୍ତ୍ତନ ବୋଲି ସାଂଖ୍ୟକାର ଯାହା ସିଦ୍ଧାନ୍ତ କରିଅଛନ୍ତି; ତହିଁରେ ଏକ ଶକ୍ତିଚିନ୍ତା ଅଜ୍ଞାତଭାବରେ ଦେଖାଇ ଅଛନ୍ତି । ପ୍ରକୃତି ଜଡ଼, ପୁରୁଷର ସନ୍ନିହିତ ନହେଲେ ତାହାର ବିବର୍ତ୍ତନ ହୋଇ ନ ପାରେ । ପୁଣି ବିବର୍ତ୍ତନର ଉଦ୍ଦେଶ୍ୟ ପୁରୁଷର ମୁକ୍ତି । ଉପେୟ ଦ୍ୱାରା ଉପାୟ ଯେପରି ପ୍ରଭାବିତ ହୁଏ, ପୁରୁଷର ମୁକ୍ତି ସେହିପରି ପ୍ରକୃତିର ସମସ୍ତ ବିବର୍ତ୍ତନ ଅନୁପ୍ରାଣିତ କରେ । ପୁରୁଷର ପାର୍ଥକ୍ୟ ବା ବହୁଳତା ଥାଉ ପଛକେ, ମୁକ୍ତି କିନ୍ତୁ ଏକ ତାହାର ପ୍ରକାର ଭେଦନହିଁ-। ଏହିପରି ନାନା ଦେଶର ଚିନ୍ତାରେ ବେଳେ ବେଳେ ବହୁ ଶକ୍ତିବାଦ ଦେଖାଗଲେ ମଧ୍ୟ, ମାନବଚିନ୍ତା ଜ୍ଞାତ ଭାବରେ ହେଉ ନ ଅଜ୍ଞାତ ଭାବରେ ହେଉ, ସର୍ବଦା ଏକ-ଶକ୍ତି- ଚିନ୍ତା ଆଡ଼କୁ ଅଗ୍ରସର ହେଉଅଛି ।

 

ଭାରତୀୟ ଚିନ୍ତାରେ ବିଶେଷତଃ ଏହି ଏକତ୍ୱ ଚିନ୍ତା ଅନ୍ୟାନ୍ୟ ଦେଶ ଅପେକ୍ଷା ଅଧିକ ପରିମାଣରେ ପରିସ୍ପୁଟ । ବର୍ତ୍ତମାନ୍‍ ଭାରତୀୟମାନେ ସାଂଖ୍ୟ ଦର୍ଶନ ପ୍ରତି ଆସ୍ଥା ଯଥେଷ୍ଟ ଦେଖନ୍ତି ସତ୍ୟ, ମାତ୍ର କେବଳ ଭାରତୀୟମାନଙ୍କର ଚିରନ୍ତନ ଉଦାରତା ବଶତଃ । ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ କିନ୍ତୁ ବେଦାନ୍ତନର ଅଦ୍ୱୈତ ମତରେ । ଏପରିକି ବିଶିଷ୍ଟାଦ୍ୱୈତ ମତ ଅର୍ଥାତ୍ ବ୍ରହ୍ମଙ୍କର ଅନନ୍ତ ଅବସ୍ଥାନ ସଙ୍ଗେ ସଙ୍ଗେ ମାନବର ସ୍ୱାତନ୍ତ୍ର୍ୟ ବା ସ୍ୱାଧୀନତା ପ୍ରତିପାଦନ, ସେପରି ଲୋକପ୍ରୀୟ ନୁହେଁ । କେବଳ ଦର୍ଶନରେ ନୁହେଁ, ପାଣିନୀଙ୍କର ବ୍ୟାକରଣ ସୂତ୍ର ବନ୍ଧନ ପର୍ଯ୍ୟନ୍ତ ମଧ୍ୟ ଏହି ଏକତ୍ଵ ଚିନ୍ତାର ସମ୍ୟକ୍ ଆଭାସ ଦେଇଅଛି । ସ୍ଥୂଳତଃ ଭାବ ଓ କାର୍ଯ୍ୟରେ ଏକତ୍ୱ ପ୍ରତିପାଦନ ଭାରତୀୟ ଚିନ୍ତାର ଚରମ ଲକ୍ଷ୍ୟ । ଇଉରୋପୀୟ ଦୃଷ୍ଟିରେ ଏହା ଗୋଟିଏ ଦୋଷ ବୋଲି ଧରାଯିବା ସ୍ୱାଭାବିକ । ପାର୍ଥକ୍ୟ ଓ ସ୍ୱାତନ୍ତ୍ର୍ୟ ଜ୍ଞାନ ଇଉରୋପୀୟ ଚିନ୍ତାସହ ଏପରି ଭାବରେ ଜଡ଼ିତ ଯେ, ଉନବିଂଶ ଶତାବ୍ଦୀରେ ମଧ୍ୟ କାର୍ଲାଇଲ କହିଗଲେ, "The universal history is the history of its great men" ଅର୍ଥାତ୍‍ ପୃଥିବୀର ଇତିହାସ ତାହାର ମହାପୁରୁଷ ମାନଙ୍କର ଜୀବନୀ ମାତ୍ର । କିନ୍ତୁ ଏମର୍ସନ ତାହାର ଉତ୍ତର ଦେଲେ, ସେହି ମହାପୁରୁଷମାନେ ଅନ୍ୟ କେହି ନୁହନ୍ତି ବା ଅନ୍ୟ କୌଣସି ଉନ୍ନତତର ରାଜ୍ୟରୁ ଆସି ନ ଥାନ୍ତି, ସେମାନେ ତଦାନୀନ୍ତନ ଜନ ସାଧାରଣଙ୍କର ପ୍ରତିନିଧି ମାତ୍ର (Representative men) ସେମାନେ ତତ୍କାଳୀନ ଅପ୍ରସ୍ପୁଟିତ ଶକ୍ତିର ପ୍ରସ୍ପୁଟନ ମାତ୍ର । ବହୁ-କାଳରୁ ଭାରତରେ ଏହିପରି ମହା ଶକ୍ତିଶାଳୀ ଏମର୍ସନମନେ ଜନ୍ମଗ୍ରହଣ କରି ଯେଉଁ ମନ୍ତ୍ର ଦୀକ୍ଷା ଦେଇଯାଇ ଅଛନ୍ତି, ଭାରତବାସୀ ଏତେ ଝଞ୍ଜାତୋଫାନ୍ ସତ୍ତ୍ୱେ ଅଦ୍ୟାବଧି ତାହାରି ଦ୍ୱାରା ପ୍ରଭାବିତ ହେଉଅଛନ୍ତି ।

 

ଏହିରୂପେ ବିଭିନ୍ନ ଦେଶରେ ଲୋକେ ଜ୍ଞାନର ବିକାଶ ଅନୁସାରେ ପ୍ରକୃତିର ବହୁଳତା ମଧ୍ୟରୁ ଏକତ୍ଵ ଆଡ଼କୁ ଅଗ୍ରସର ହୋଇଅଛନ୍ତି । ଦର୍ଶନ ରାଜ୍ୟରେ ଏହି ଗତି ବୁଝିବା ନିମନ୍ତେ ଅନେକ ସମୟରେ ବଡ଼ ସୂକ୍ଷ୍ମ ଦୃଷ୍ଟିର ଆବଶ୍ୟକ କରେ; କିନ୍ତୁ ଜଡ଼ ବିଜ୍ଞାନର କ୍ରମୋନ୍ନତିରେ ଏହା ସୁସ୍ପଷ୍ଟ । କେତେଗୁଡ଼ିଏ ଘଟଣା ମଧ୍ୟରେ ବିଜ୍ଞାନ ଗୋଟିଏ ଗୋଟିଏ ନିୟମ ଆବିଷ୍କାର କରିଅଛି ଏବଂ ଏହିପରି କେତେ ନିୟମ ଦ୍ୱାରା ସମସ୍ତ ବିଶ୍ୱବ୍ରହ୍ମାଣ୍ଡ ଶାସିତ ହେଉଥିବାର ପ୍ରମାଣ କରୁଅଛି । ତେବେ ବିଜ୍ଞାନର ଅଧିକତର ଉନ୍ନତି ହେଲେ, ନିୟମର ବହୁଳତା ପାର ହୋଉ ତାହା ଅବଶ୍ୟ ଏକ ଅଦ୍ଵିତୀୟ ନିୟମ ପାଇବ ଏବଂ ବର୍ତ୍ତମାନ ଦାର୍ଶନିକ ଯାହା ସହଜାତ କଳ୍ପନାରେ ଅନୁମାନ ମାତ୍ର କରି ବେଳେ ବେଳେ ଅନୁମାନ ରାଜ୍ୟରେ ମଧ୍ୟ ପଥଭ୍ରାନ୍ତ ହେଉଅଛି; ବିଜ୍ଞାନର ଚାକ୍ଷୁସ ପ୍ରମାଣ ସାହାଯ୍ୟରେ ସମସ୍ତ ବିଶ୍ଵନିୟମର ଏକତ୍ଵ, ସେତେବେଳେ ସାଧାରଣ ଲୋକପତି ସୁସ୍ପଷ୍ଟ ହୋଇଯିବ । ଲୋକ ସାଧାରଣ ଯାହାଦେଉ ସହଜାତ ଅନୁମାନ ବଳରେ ପ୍ରକୃତିରେ ଏକ ଶକ୍ତିର କାର୍ଯ୍ୟ ସ୍ଥିର କରିଅଛନ୍ତି । ତେବେ ଏହି ଶକ୍ତି କଣ ଓ କିପରି କାର୍ଯ୍ୟ କରେ ଏବଂ କେଉଁଠାରେ ରହି ମାନବ ଇତିହାସ ଓ ପ୍ରକୃତିର ଘଟଣାରାଶି ନିୟମିତ କରୁଅଛି; ତାହା ସେ ଜାଣେନାହିଁ । ତାହା ପ୍ରତି ସେ ଶକ୍ତି ଅଦୃଷ୍ଟ ଓ ଅଜ୍ଞାତ ।

 

ଅଦୃଷ୍ଟବାଦ ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମ୍ମରେ ନାନାଭାବରେ ପ୍ରଚଳିତ ଅଛି । କିଏ ଅଦୃଷ୍ଟକୁ ସୃଷ୍ଟିର ସର୍ବଶେଷ ନିୟତି, ମନେ କରନ୍ତି, କିଏ ଅବା ତାହାକୁ ଭଗବାନଙ୍କ ନିମ୍ନରେ ସ୍ଥାନ ଦିଅନ୍ତି । କିଏ ପୁଣି ଅଦୃଷ୍ଟକୁ ମାନବର ଧର୍ମଜୀବନରେ ଆଧିପତ୍ୟ କରୁଥିବାର ବିଶ୍ୱାସ କରନ୍ତି । ତେବେ ମୋଟରେ ସମସ୍ତ ଅଦୃଷ୍ଟବାଦୀଙ୍କର ସାଧାରଣତଃ ବିଶ୍ୱାସ ଯେ ଏହି ଚରାଚର ସୃଷ୍ଟିରେ ପୂର୍ଣ୍ଣଜ୍ଞାନ ପ୍ରୟାସୀ ମାନବଠାରୁ ଜୀବହୀନ ଜଡ଼ଜଗତ ପର୍ଯ୍ୟନ୍ତ ସମସ୍ତ ଏକ ଅପରିବର୍ତ୍ତନୀୟ ଓ ଅଲଙ୍ଘନୀୟ ଶକ୍ତିର ଇଙ୍ଗିତରେ ଚାଲୁଅଛି । ମାନବର ଉନ୍ନତି ଅବନତି ଓ ଧର୍ମ ବା ପାପ ସେହି ଅଦୃଷ୍ଟର ଇଙ୍ଗିତ ମାତ୍ର । ଅଦୃଷ୍ଟବାଦ ଏପରି ଭାବରେ ପ୍ରାୟ ପ୍ରତ୍ୟେକ ଧର୍ମ୍ମରେ ଅଳ୍ପାଧିକ ଦେଖାଯାଏ । ବିଶେଷତଃ ପ୍ରାଚୀନ ଜାତି ଓ ଧର୍ମମାନଙ୍କରେ ଏହାର ଅସ୍ତିତ୍ୱ ସ୍ପଷ୍ଟ । ତେବେ ପ୍ରତ୍ୟେକରେ ପ୍ରାୟ ପ୍ରକାରଭେଦ ଅଛି । ହୋମରଙ୍କ ଅନୁସାରେ, ଅଦୃଷ୍ଟ ବା ଫେଟ୍ ଏକ ଅନିର୍ଦ୍ଦିଷ୍ଟ ଶକ୍ତି ଏବଂ ତାହା ସମସ୍ତ ମାନବୀୟ ଘଟଣାର ନିୟନ୍ତା ଓ ପ୍ରବର୍ତ୍ତକ । କିନ୍ତୁ ଏହି ଫେଟ୍ ଦେବତାମାନଙ୍କର ଉପରେ କୌଣସି କର୍ତ୍ତୃତ୍ୱ କରୁ ନ ଥିଲେ, କାରଣ ଜିଉସ ବା ଜୁପିଟର ମାନବମାନଙ୍କର ଭାଗ୍ୟ ନିରୂପଣ କରୁଥିବାର ବର୍ଣ୍ଣନା ଅଛି । ପରେ ପୁଣି ହିସଅଡ଼ଙ୍କ ସମୟରେ ଏକ ଅଦୃଷ୍ଟ ତିନି ପୃଥକ୍ ଅଦୃଷ୍ଟ ରୂପେ କଳ୍ପିତ ହେଲେ, ଏବଂ ତିନିଙ୍କ ମଧ୍ୟରେ କାର୍ଯ୍ୟ ବିଭାଗ ହେଲା । କ୍ଳୋଥୋଙ୍କ କାର୍ଯ୍ୟ ମାନବ ଜୀବନରୂପବସ୍ତ୍ର ବୁଣିବା ଏବଂ ମାନବର ମରଣ ବେଳେ ତାର ବସ୍ତ୍ର ଖଣ୍ଡି ଛିଣ୍ଡାଇ ପକାଇବା । ଦ୍ଵିତୀୟରେ ଲାଚେସୈସ ପ୍ରତ୍ୟେକ ମାନବକୁ ତାହାର ଭାଗ୍ୟ ନିର୍ଦ୍ଦିଷ୍ଟ କରିଦେଉଥିଲେ ଏବଂ ମାନବ ଯେପରି ତାହାର ଭାଗ୍ୟ ବ୍ୟତିକ୍ରମ କରିବାକୁ ଚେଷ୍ଟା ନକରେ ତାହା ମଧ୍ୟ ସେ ଦେଖୁଥିଲେ । ତୃତୀୟ ଅଦୃଷ୍ଟ ଅଟୋପସ୍, ସେ ଏକାବେଳକେ ଅଲଙ୍ଘନୀୟ ଓ ଅପରିବର୍ତ୍ତନୀୟ । ହିନ୍ଦୁମାନଙ୍କର ଷଷ୍ଠୀ ଦେବୀ ଜନ୍ମର ଷଷ୍ଠ ଦିବସରେ ଶିଶୁର କପାଳରେ ଭାଗ୍ୟ ଲେଖିଲାପରି; ଏହି ଗ୍ରୀସୀୟ ଅଦୃଷ୍ଟମାନେ ମନୁଷ୍ୟର ଜନ୍ମ ଓ ମରଣ ଦେବତା ସ୍ୱରୂପ କଳ୍ପିତ ହୋଇଥିଲେ । ହୋମରଙ୍କ ଅଦୃଷ୍ଟ ଏକ ଏବଂ ଦେବତାମାନଙ୍କ ଉପରେ ତାହାର କୌଣସି କର୍ତ୍ତୃତ୍ୱ ନ ଥିଲା । କିନ୍ତୁ ପରବର୍ତ୍ତୀ କାଳରେ ଅଦୃଷ୍ଟ ହେଲେ ତିନି ଅବଶ୍ୟ ସେମାନଙ୍କର କାର୍ଯ୍ୟ ବିଭାଗରୁ ହୋମରଙ୍କ ଏକ ଅଦୃଷ୍ଟ ବ୍ୟକ୍ତ ହୁଏ । ଏହି ତିନି ଅଦୃଷ୍ଟ ପୁଣି ଦେବତାମାନଙ୍କର ମଧ୍ୟ ଭାଗ୍ୟବିଧାତା ଥିଲେ ।

 

କ୍ରମେ ଏହି ଅଦୃଷ୍ଟବାଦ ପୁରାଣର କଳ୍ପନାରୁ ଆସି ଗ୍ରୀସର ଦର୍ଶନ ରାଜ୍ୟରେ ପ୍ରବେଶ କଲା । ପରମାଣୁ ବାଦୀ ଡିମକ୍ରିଟସ୍ ପ୍ରଭୃତି ସୃଷ୍ଟିର ଗଠନ ବୁଝାଇବାକୁ ଯାଇ ପରମାଣୁମାନଙ୍କର ସଂହତିକୁ କେବଳ ଆକସ୍ମିକତାର ଫଳ ବୋଲି ନିର୍ଣ୍ଣୟ କଲେ । ସେମାନଙ୍କ ସଂହତି ଦ୍ୱାରା ସୃଷ୍ଟିର ଗଠନ ନିମନ୍ତେ ସେ କୌଣସି ବୁଦ୍ଧି ବା ଜ୍ଞାନର ପ୍ରୟୋଜନ ଦେଖି ନ ଥିଲେ । ଏହି ଅନ୍ଧ ଆକସ୍ମିକତା ପୁଣି ଇପିକ୍ୟୂରସଙ୍କ ଦର୍ଶନରେ ଦେଖାଗଲା । ଇପିକ୍ୟୂରସ ଅବଶ୍ୟ ଜ୍ଞାନମୟ ଈଶ୍ୱର ବିଶ୍ୱାସ କରୁଥିଲେ, ସତ, ମାତ୍ର ତାହାଙ୍କ ଈଶ୍ୱର ସଂସାରର କୌଣସି କାର୍ଯ୍ୟରେ ଲିପ୍ତ ନ ଥାଇ ନିଶ୍ଚିତ ଓ ନିରାଲମ୍ବ ଭାବରେ ସଂସାରରୁ ବହୁ ଦୂରରେ ଥାନ୍ତି । ଫଳରେ ପରମାଣୁବାଦୀଙ୍କର ଅନ୍ଧ ଆକସ୍ମିକତା ସଂସାରରେ ରାଜତ୍ୱ କରୁଥାଏ । ଷ୍ଟୋଇକ ଦାର୍ଶନିକମାନଙ୍କର ମତ ପୁଣି ଏହାର ସମ୍ପୂର୍ଣ୍ଣ ବିପରୀତ । ଚିନ୍ତା ରାଜ୍ୟରେ ସାଧାରଣତଃ ଦେଖାଯାଏ ଏକ ବ୍ୟକ୍ତି ଏକ ଦିଗରେ ଗଲେ, ତାହାର ପରବର୍ତ୍ତୀ ଭାବୁକ ଭାବ ବାହୁଲ୍ୟରେ ତାହାର ସମ୍ପୂର୍ଣ୍ଣ ବିପରୀତ ଦିଗ ଅବଲମ୍ବନ କରନ୍ତି । କିନ୍ତୁ ଉଭୟଙ୍କ ମତର ସାମଞ୍ଜସ୍ୟରେ ଯେ କି ସତ୍ୟ ଥାଏ, ତାହା ସେମାନେ ଦେଖିବାକୁ ଅବକାଶ ପାଆନ୍ତି ନାହିଁ । ଇପିସଂସାର ଝଞ୍ଜାରୁ କ୍ୟୁରସ ଯେପରି ଈଶ୍ୱରଙ୍କୁ ସଂସାର ଝଞ୍ଜାରୁ ନିରାପଦରେ ଓ ନିଶ୍ଚିନ୍ତରେ ସୃଷ୍ଟିର ବହୁଦୂରରେ ସ୍ଥାପନ କଲେ, ଷ୍ଟୋଇଙ୍କ ଆଚାର୍ଯ୍ୟମାନେ ସେହିପରି ତାହାକୁ ସୃଷ୍ଟିର ପ୍ରାଣ ମନେ କରିସୃଷ୍ଟି ମଧ୍ୟରେହିଁ ତାହାଙ୍କୁ ଆବଦ୍ଧ ରଖିଲେ । ମନୁଷ୍ୟର ସ୍ୱାଧୀନ ପ୍ରବୃତ୍ତିର ଖେଳା ନିମନ୍ତେ ଇପିକ୍ୟୁରସ ଈଶ୍ୱରଙ୍କୁ ସଂସାରରୁ ବହିଷ୍କାର କରି କେବଳ ଅନ୍ଧ ଆକସ୍ମିକତାର ରାଜତ୍ୱ ପ୍ରତିପାଦନ କଲେ, ଷ୍ଟୋଇକମାନେ ଈଶ୍ୱରଙ୍କୁ ସୃଷ୍ଟିର ଜୀବନ ଓ ନିୟାମକ ସ୍ୱରୂପ ଜ୍ଞାନକରି ସଂସାରରେ ତାହାକୁହିଁ କେବଳ ଦେଖିଲେ । ଏକମତରେ ମନୁଷ୍ୟ ଆପଣାର ଉଦ୍ଦାମପ୍ରବୃତ୍ତିର ଦାସ୍ୟାନୁଦାସ ହୋଇ ଯେପରି ଥିଲା; ଅନ୍ୟ ମତରେ ଆପଣାକୁ କେବଳ ଏକ ଅସହାସ ଦାୟିତ୍ୱହୀନ-ଯନ୍ତ୍ରସ୍ୱରୂପ ମନେ କଲା । ଫଳରେ, ମନୁଷ୍ୟ ସ୍ୱାଧୀନ ଜୀବନ ହରାଇ, ପରହସ୍ତରେ କ୍ରୀଡ଼ନକ ମାତ୍ର ରହିଲା । ଏହି ଅଦୃଷ୍ଟବାଦ ପୁଣି ଗ୍ରୀସୀୟ ଦର୍ଶନରୁ ଆସି ଖ୍ରୀଷ୍ଟୀୟାନ ଧର୍ମ ଓ ଦର୍ଶନ ଚିନ୍ତାରେ ପ୍ରକାଶ ପାଇଲା । ବାଇବେଲ୍‍ ମତରେ ଆଦିମ ମାନବ ଆଦାମ ଓ ଇଭଙ୍କ ପାପ ଯୋଗେ ସମସ୍ତ ମାନବଜାତି ପାପୀ ସ୍ୱରୂପ ଜନ୍ମଗ୍ରହଣ କରେ । ସେ ସଂସାରରେ ଯାହାକିଛି କର୍ମ ବା ଯେତେ ଧର୍ମ ଆଚରଣ କରୁ, ସେ ସମସ୍ତ ଦ୍ୱାରା ତାହାର ପାପ କ୍ଷୟ ହୋଇ ନପାରେ; ସେ ଜନ୍ମରୁ ଯେ ପାପୀ, ଚିରକାଳ ସେହିପରି ପାପୀ ହୋଇ ରହିବ । ତେବେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ମୁକ୍ତି ପାଇବେ ସେମାନେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟିର ଆରମ୍ଭରୁ ନିର୍ଦ୍ଦିଷ୍ଟ ଅଛନ୍ତି । ସେହିମାନେହିଁ କେବଳ ଈଶ୍ୱରଙ୍କ Grace ବା ଦୟା ପାଇବେ ଅନ୍ୟମାନଙ୍କର ମୁକ୍ତି ଅସମ୍ଭବ । ଏହି ପ୍ରାଥମିକ ପାପର ଆଖ୍ୟାୟିକା ଦାର୍ଶନିକ ଚିନ୍ତାରେ ନାନାଆକାର ଧରି ଇଉରୋପର ମଧ୍ୟଯୁଗରେ ଘୋର ବାଦବିବାଦ ଉପସ୍ଥାପିତ କରିଥିଲା । ଈଶ୍ୱର ସର୍ବଜ୍ଞ, ସର୍ବଦ୍ରଷ୍ଟା ଓ ସର୍ବଶକ୍ତିମାନ୍ । ସୃଷ୍ଟିର ସର୍ବୋତ୍କୃଷ୍ଟ ପ୍ରାଣୀ ମାନବଠାରୁ କ୍ଷୁଦ୍ରତମ ଧୂଳିକଣା ପର୍ଯ୍ୟନ୍ତ ସମସ୍ତ ସେହି ଈଶ୍ୱରଙ୍କର ଅନନ୍ତ ଜ୍ଞାନ ଓ ଶକ୍ତିର ଖେଳା । ମାନବ ଯାହା ଭାବୁଛି, ବା କରୁଛି, ସେ ନିଜେ ତାହା କରୁନାହିଁ ତାହା ସମସ୍ତ ଈଶ୍ଵରଙ୍କର କାର୍ଯ୍ୟ; ମାନବ କେବଳ ଈଶ୍ୱରଙ୍କ କାର୍ଯ୍ୟରେ ଉପାୟ ମାତ୍ର । କୌଣସି କାର୍ଯ୍ୟର ଦାୟିତ୍ୱ ମାନବ ଉପରେ ନାହିଁ, ସମସ୍ତ କେବଳ ଈଶ୍ୱରଙ୍କ ଉପରେ ସୁତରାଂ କେହି କେହି ଦାର୍ଶନିକ ମାନବର ସ୍ୱାଧୀନତା ଓ ଦାୟିତ୍ୱ ଥିବା ପ୍ରମାଣ କଲେ । କୀଟାଣୁ ଈଶ୍ୱର ସର୍ବଜ୍ଞ ଓ ସର୍ବଶକ୍ତିମାନ, ମନୁଷ୍ୟ ଭବିଷ୍ୟତରେ ଯାହା କିଛି ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ବା ଅବନତି କରିବ, ତାହା ସମସ୍ତ ପୂର୍ବରୁ ଈଶ୍ୱରଙ୍କୁ ଜଣା ଏବଂ ତାହା ଈଶ୍ୱରଙ୍କ ଶକ୍ତି ଦ୍ୱାରା ସାଧିତ ହେବାର ପୂର୍ବରୁ ନିଶ୍ଚିତ ହୋଇଅଛି । ମନୁଷ୍ୟକୁ ଏସବୁ ବିଷୟରେ ସ୍ୱାତନ୍ତ୍ର୍ୟ ଓ ସ୍ୱାଧୀନତା ଦେଲେ ଈଶ୍ୱରଙ୍କର ଜ୍ଞାନ ଓ ଶକ୍ତି ଅନନ୍ତ ନ ହୋଇ ବରଂ ଶାନ୍ତ ହୋଇଯିବ । ସୁତରାଂ ଖ୍ରୀଷ୍ଟିୟାନ ଦର୍ଶନର ପ୍ରଥମ ପ୍ରବର୍ତ୍ତକ ମହର୍ଷି ଅଗଷ୍ଟାଇନ୍ ଈଶ୍ୱରଙ୍କର ଜ୍ଞାନ ଓ ଶକ୍ତିର ଅନନ୍ତତା ଅକ୍ଷୁଣ୍ଣ ରଖିବା ନିମନ୍ତେ Predestination ବା ପ୍ରାକନିବନ୍ଧନ ମତ ପ୍ରତିପାଦନ କଲେ । ମାନବ ଭବିଷ୍ୟତରେ ଯାହା ହେବ ବା କରିବ ସେ ସମସ୍ତ ଈଶ୍ୱର ସୃଷ୍ଟିର ଆଦ୍ୟରୁ ନିବନ୍ଧନ କରିଅଛନ୍ତି । ସେ ନିବନ୍ଧନ ସ୍ଥାୟୀ, ଅପରିବର୍ତ୍ତନୀୟ ଓ ଅଲଙ୍ଘନୀୟ । ମାନବ ଜନ୍ମରୁ ପାପୀ, ତାହାର ଆଜୀବନ ଶ୍ରମ ଓ ଧର୍ମ କେବଳ ପାପରେହିଁ ପରିଣତ ହେବ । ତେବେ ଯେଉଁ ବିଚାର ଦିବସରେ ସମସ୍ତ ମୃତବ୍ୟକ୍ତି କବରରୁ-ଉଠି ଈଶ୍ୱରଙ୍କ ବିଚାରାଳୟରେ ଉପସ୍ଥିତ ହେବେ, ସେମାନଙ୍କ ମଧ୍ୟରୁ କେବଳ ପୂର୍ବ ନିର୍ଦ୍ଦିଷ୍ଟ ବ୍ୟକ୍ତି କେତେକଙ୍କୁ ଈଶ୍ୱର Grace ବା ଦୟା ଦାନ କରିବେ ଏବଂ ସେହିମାନେ କେବଳ ମୁକ୍ତି ପାଇବେ-। ଏହି ଗ୍ରେସ୍ ବା ଦୟା ପୁଣି ଈଶ୍ୱରଙ୍କର ସ୍ୱତଃ ଦାନ; ମନୁଷ୍ୟ ନିଜ ଚେଷ୍ଟାରେ ଗ୍ରେସ ଦାବି କରିବା ପାଇଁ ନିଜକୁ ଉପଯୁକ୍ତ ସୁଦ୍ଧା କରିପାରିବ ନାହିଁ । କାରଣ, ସେ ଯଦି ଗ୍ରେସ ଦାବୀ କରେ, ତାହାହେଲେ ସେ ଗ୍ରେସ୍ ତାହାର କର୍ମରେ ନିଶ୍ଚିତ ଫଳହେବ; ଇଶ୍ଵରଙ୍କର ଆଉ ଦାନ ହୋଇ ରହିବ ନାହିଁ । ଏହି ରୂପେ ଅଗଷ୍ଟଷ୍ଟାଇନ୍ ଓ ତାହାଙ୍କର ସମଧର୍ମୀମାନେ ମନୁଷ୍ୟକୁ ଅଦୃଷ୍ଟ ବା ନିୟତିର ଶୃଙ୍ଖଳାରେ ସମ୍ପୂର୍ଣ୍ଣ ରୂପେ ଆବଦ୍ଧ କରିଥିଲେ । ଅପର ପକ୍ଷରେ ଦାର୍ଶନିକମାନେ ପୁଣି ନୈତିକ ଜୀବନରେ ମାନବର ସ୍ୱାଧୀନତା ଓ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିବାକୁ ଯାଇ ନିୟତି ଓ ମାନବୀୟ ସ୍ୱାତନ୍ତ୍ର୍ୟର ସାମଞ୍ଜସ୍ୟ ପ୍ରତିଷ୍ଠା କରିବା ପରିବର୍ତ୍ତରେ ଦୁଇଟି ମଧ୍ୟରେ ପ୍ରଭେଦ ବଢ଼ାଇ ଦେଇଥିଲେ ମାତ୍ର ।

 

ମୁସଲମାନ ଧର୍ମରେ ଅଦୃଷ୍ଟ (Kismet) କିସ୍‍ମତ୍ ବା ନାଶିବ୍ (Nasib) ନାମରେ ଅଭିହିତ । ଅଦୃଷ୍ଟ ସର୍ବଶକ୍ତିମାନ ଓ ଅପରିବର୍ତ୍ତନୀୟ । ପ୍ରକୃତିର ସକଳ ନିୟମ ତାହାର ଇଙ୍ଗିତ ମାତ୍ର; କୌଣସି ନିୟମ ଦ୍ୱାରା କିନ୍ତୁ ସେ ଆବଦ୍ଧ ନୁହେଁ । ଏହିପରି ଚିନ୍‍ ଧର୍ମରେ ଟାଓ ଅର୍ଥାତ୍ ସ୍ୱର୍ଗର ନିୟମ, ସମୁଦାୟ ପ୍ରକୃତି ଶାସନ କରୁଅଛି; ମାନବ ମଧ୍ୟ ସେହି ନିୟମର ଶାସନାଧୀନ; ଗ୍ରୀସୀୟ ପନିଫେଟ୍ ବା ଅଦୃଷ୍ଟରେ ସ୍କାର୍ଡନେଭିଆ ଲୋକଙ୍କର ମଧ୍ୟ ବିଶ୍ୱାସ ।

Image

 

ସାହିତ୍ୟ ଓ ସମାଲୋଚନା

ଶ୍ରୀ ବିଶ୍ଵନାଥ କର

 

ମନୁଷ୍ୟ ସମାଲୋଚନାର ବଡ଼ ପକ୍ଷପାତୀ । ସେ କୌଣସି ବିଷୟ ଦେଖିଲେ ବା ଶୁଣିଲେ ତାହାର ସମାଲୋଚନାରେ ପ୍ରବୃତ୍ତ ହୁଏ । କ୍ଷୁଦ୍ରବାଳକ ତାର ସାମାନ୍ୟ ଜ୍ଞାନ ଓ ବୁଦ୍ଧିର ସାହାଯ୍ୟରେ କେତେ ମତବ୍ୟକ୍ତ କରୁଅଛି, ଅନ୍ୟ ବ୍ୟକ୍ତି ତାହାର କଥାଶୁଣି ହାସ ସମ୍ବରଣ କରିପାରୁ ନାହିଁ; କିନ୍ତୁ ସେ ତାହାର ମତକୁ ଗମ୍ଭୀର ଭାବରେ ବ୍ୟକ୍ତି କରିବାକୁ ସଙ୍କୁଚିତ ନୁହେଁ । ଅନ୍ତଃପୁରସ୍ଥା ରମଣୀ ଜଗତର ଅତି କ୍ଷୁଦ୍ର ସୀମା ମଧ୍ୟରେ ଆବଦ୍ଧ ରହିଅଛି; କିନ୍ତୁ ସେ ଏହି ସମାଲୋଚନା ପ୍ରବୃତ୍ତି ଚରିତାର୍ଥ ନକରି ରହିପାରୁନାହିଁ; କାହିଁକି ନ କରିବ ? ଆମେମାନେ ତାହାକୁ ମନୁଷ୍ୟର ସର୍ବପ୍ରକାର ଉଚ୍ଚ ଅଧିକାରରୁ ବଞ୍ଚିତ କଲେହେଁ ବିଧାତା ତାହାକୁ ମନୁଷ୍ୟୋଚିତ ଗୁଣଗୁଡ଼ିକ ଦେଇ ଜନ୍ମ ଦେଇଅଛନ୍ତି, ସୁତରାଂ ସେ ତାହାର କ୍ଷୁଦ୍ର ସୀମା ମଧ୍ୟରେ ଯଥାସମ୍ଭବ ସ୍ୱାଭାବିକ ପ୍ରବୃତ୍ତିର ପରିଚାଳନ କରିବାରେ ନିଯୁକ୍ତ ରହିଅଛି ତାହା ବାଟରେ ହେଉ ବା ଅବାଟରେ ହେଉ । ପଶୁଠାରୁ ମନୁଷ୍ୟର ପୃଥକ୍‍ କେତେଗୋଟି ବୃତ୍ତି ଅଛି, ଏହି ସମାଲୋଚନା ପ୍ରବୃତ୍ତି ତନ୍ମଧ୍ୟରୁ ଗୋଟିଏ । ମନୁଷ୍ୟ ଯେତିକି ପଶୁତ୍ଵର ସୀମାରୁ ଊର୍ଦ୍ଧ୍ୱକୁ ଉଠୁଥିବ, ଏ ପ୍ରବୃତ୍ତି ସେତିକି ତାହାର ପ୍ରାଣରେ ବୃଦ୍ଧିପ୍ରାପ୍ତ ହେଉଥିବ । ସଭ୍ୟଜାତୀୟ ମନୁଷ୍ୟମାନଙ୍କ ମଧ୍ୟରେ ଏହାର ପ୍ରାବଲ୍ୟ ଦେଖିଲେ ହୃଦୟ ସ୍ତମ୍ଭୀତ ହୋଇଯାଏ ।

ସଭ୍ୟତାର ଉନ୍ନତିକ୍ରମେ ଜନସମାଜ କ୍ଷୁଦ୍ର ବିଷୟ ପରିହାର କରି ଉଚ୍ଚ ବିଷୟର ସମାଲୋଚନାରେ ପ୍ରବୃତ୍ତ ହୁଏ—ସେତେବେଳେ ଆଉ କିଏ କିପରି ଚାଲିଲା, କିଏ କିପରି ହସିଲା ଇତ୍ୟାଦି ତୁଚ୍ଛ ବିଷୟର ଆଲୋଚନାରେ ତାହାର ରୁଚି ନ ଥାଏ । ଜୀବନ ଗୁରୁତ୍ୱ ସେ ଅନୁଭବ କରିପାରେ, ଯାହା ସାଙ୍ଗେ ଜୀବନର କିଛି ସମ୍ପର୍କ ନାହିଁ ଏପରି ବିଷୟ ସଙ୍ଗେ ସେ ଆଉ କୌଣସି ସମ୍ବନ୍ଧ ରଖିବ ଇଚ୍ଛା କରେ ନାହିଁ । ପୁଣି ପୂର୍ବେ ଯେଉଁ ସବୁ ବିଷୟ ନିର୍ବିବାଦରେ ତାହା ଉପରେ ଆଧିପତ୍ୟ ସ୍ଥାପନ କରିଥିଲେ, ସେ ସେମାନଙ୍କଠାରୁ କୈଫତ ତଲବ କରେ, ଅର୍ଥାତ ତୁମ୍ଭେମାନେ ଯେ ମୋର ଅମୂଲ୍ୟ ଜୀବନର ଏତେ ଗୁଡ଼ିଏ ଅଂଶ ଅଧିକାର କରି ବସିଅଛ, କହତ କାହାଠାରୁ ମୁଁ କି ଲାଭ ପାଇବି ? ସେ ଆଉ ନିର୍ବିଚାରରେ କୌଣସି ବିଷୟ ଗ୍ରହଣ କରେ ନାହିଁ ବା ପରିତ୍ୟାଗ କରେ ନାହିଁ । ଏହି ହେତୁରୁ ମନୁଷ୍ୟ ସମାଜ ମଧ୍ୟରେ ନାନାପ୍ରକାର ବିପ୍ଳବ ଉପସ୍ଥିତ ହୁଏ ।

ଅଜ୍ଞାନ ଅବସ୍ଥାରେ ମନୁଷ୍ୟ ମାଟିଗୋଡ଼ି ମୁହଁରେ ଦେଇ ତୃପ୍ତି ଅନୁଭବ କରେ, ଇଷ୍ଟାନିଷ୍ଟ ବିଚାର ତାହାର ନଥାଏ । ସେ ମାଟିଗୋଡ଼ି ତାହାର ମୁହଁରୁ କାଢ଼ିନେବାକୁ କେହି ଚେଷ୍ଟା କଲେ ସେ କ୍ରୋଧରେ, ଦୁଃଖରେ ଅଧୀର ହୋଇଉଠେ । ଏମନ୍ତକି, ତାହା ପରିବର୍ତ୍ତରେ କୌଣସି ସୁନ୍ଦର ସମିଷ୍ଟ ପଦାର୍ଥ ଦେଲେ ମଧ୍ୟ ସେତେବେଳେ ତାର ମନ ପ୍ରବୋଧ ମାନେ ନାହିଁ । ତୁମ୍ଭେ ସୁଦୀର୍ଘ ବତ୍କୃତା କରି ମାଟି ଗୋଡ଼ିର ଅପକାରିତା ବୁଝାଇବାକୁ ଚେଷ୍ଟାକର, ସେ କଥା ତାହାର କର୍ଣ୍ଣରେ ପ୍ରବେଶ କରିବ ନାହିଁ । ସେ ରୋଦନ ଧ୍ୱନିରେ ଆକାଶ କମ୍ପାଇ ଦେବ । ଅଜ୍ଞାନ ଶିଶୁ ପକ୍ଷରେ ଏହା ଯେପରି ସତ୍ୟ ଓ ପ୍ରତ୍ୟକ୍ଷ ବ୍ୟାପାର, ଅଜ୍ଞାନ ସମାଜ ପକ୍ଷରେ ଏହା ଠିକ୍ ସେହିପରି-। ଆମ୍ଭେମାନେ ବର୍ତ୍ତମାନ ଅନ୍ୟାନ୍ୟ ବିଷୟ ପରିତ୍ୟାଗ କରି କେବଳ ସାହିତ୍ୟ-ସମାଲୋଚନା ବିଷୟ କିଞ୍ଚିତ୍ ଆଲୋଚନା କରିବୁ ।

ସଭ୍ୟ ଦେଶମାନଙ୍କରେ ଦେଖାଯାଏ, ଉଚ୍ଚଶ୍ରେଣୀ ପତ୍ରିକାମାନ ସାମୟିକ ସାହିତ୍ୟ ସମାଲୋଚନାରେ ପରିପୂର୍ଣ୍ଣ । କୌଣସି ଗୋଟିଏ ମତ ନିର୍ବିବାଦରେ ସମାଜ ମଧ୍ୟରେ ପ୍ରତିଷ୍ଠା ଲାଭ କରିବ, ସାଧ୍ୟ ନାହିଁ । ସମାଲୋଚନର ସୁତୀକ୍ଷଣ ଅସ୍ତ୍ର ସହ୍ୟ କରି ଯେ ତିଷ୍ଠି ପାରିଲା, ସେହି କେବଳ ସମାଜର ଉଚ୍ଚଶ୍ରେଣୀ ନିକଟରେ ଆଦର ପ୍ରାପ୍ତ ହେବ । ବଡ଼ ବଡ଼ ପଣ୍ଡିତମାନଙ୍କ ମସ୍ତିଷ୍କ ଏହି ଗୁରୁତର କାର୍ଯ୍ୟରେ ନିରନ୍ତର ବ୍ୟାପୃତ ରହିଅଛି । ଅସାର ପୁସ୍ତକ ସଭ୍ୟ ଦେଶମାନଙ୍କରେ ଅଛି ସତ୍ୟ; କିନ୍ତୁ ତାହାର ଆଦର କେବଳ ନିମ୍ନ ଶ୍ରେଣୀରେ । ପ୍ରାଚୀନ ପୁସ୍ତକମାନଙ୍କ ସମାଲୋଚନା ବିଷୟରେ ମଧ୍ୟ ରାଶି ରାଶି ଗ୍ରନ୍ଥ ଲିଖିତ ହୋଇଅଛି । ତଥାପି ତାହାର ପରିସମାପ୍ତି ନାହିଁ । ଫଳକଥା, ସାହିତ୍ୟ ସମାଲୋଚନା ସଭ୍ୟତାର ଗୋଟିଏ ପ୍ରଧାନ ଓ ଅପରିହାର୍ଯ୍ୟ ଅଙ୍ଗ । ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ସାହିତ୍ୟର ଉନ୍ନତି, ତହିଁ ସଙ୍ଗେ ସଙ୍ଗେ ସମାଲୋଚନାର ମାତ୍ରାବୃଦ୍ଧି ।

 

ଉଚ୍ଚଶ୍ରେଣୀର ଲେଖକମାନଙ୍କର ଇଚ୍ଛା ଯେ ସେମାନଙ୍କ ଗ୍ରନ୍ଥ ନିରପେକ୍ଷ ଭାବରେ ସମାଲୋଚିତ ହେଉ, ଏ ପ୍ରବୃତ୍ତି ମଧ୍ୟ ଅତି ପ୍ରଶଂସନୀୟ । ସେମାନେ କଦାଚ ଇଚ୍ଛା କରନ୍ତି ନାହିଁ ଯେ, ଲୋକେ ଆମ୍ଭମାନଙ୍କ ମୁହଁ ଦେଖି ସମାଲୋଚନା କରନ୍ତୁ । ଇଂଲଣ୍ଡର ଜଣେ ଉଚ୍ଚ ଶ୍ରେଣୀର ଉପନ୍ୟାସ ରଚୟିତ୍ରୀ ନିଜର ନାମ ପରିବର୍ତ୍ତରେ ସ୍ୱରଚିତ ପୁସ୍ତକରେ ଗୋଟିଏ ପୁରୁଷାନାମ ସନ୍ନିବେଶିତ କରି ପ୍ରଚାର କରିଥିଲେ । ତାହାର କାରଣ, ରମଣୀର ଲେଖାବୋଲି କାଳେ ନିରପେକ୍ଷ ସମାଲୋଚନା ନହେବ । ଏପରି ଯେଉଁମାନଙ୍କର ଭାବ, ସେହିମାନେ ପ୍ରକୃତରୂପେ ସାହିତ୍ୟର ମର୍ଯ୍ୟାଦା ବୁଝିଅଛନ୍ତି । ବାସ୍ତବିକ ଲେଖକ ପାଠକ ସମସ୍ତଙ୍କ ପକ୍ଷରେ ସମାଲୋଚନା ବଡ଼ ଉପକାରୀ । କୌଣସି ସାହିତ୍ୟ ସମାଜରେ ସ୍ଥାୟୀ ହୋଇ ରହିବାର ଉପଯୋଗୀ କି ନା, ସମାଲୋଚନା ତାହାର ଅଙ୍ଗ ପ୍ରତ୍ୟେଙ୍ଗ ପରୀକ୍ଷା କରି ଦେଖାଇଦିଏ । ସମାଲୋଚନା ସାଧାରଣ ପାଠକଙ୍କ ନିକଟରେ ସାହିତ୍ୟର ମୂଲ୍ୟ ନିରୂପଣ କରିଦିଏ ।

 

ଲେଖକଙ୍କର ସ୍ୱାଧୀନତା ଅଛି, ସେ ସ୍ୱାଧୀନ ଭାବରେ ତାଙ୍କ ମତ ପ୍ରଚାର କରି ପାରନ୍ତି; କିନ୍ତୁ ସେ ଲେଖିଦେଲେ ବୋଲି ଯେ ସାଧାରଣଙ୍କୁ ତାହା ନାଟ ମସ୍ତକରେ ଗ୍ରହଣ କରିବାକୁ ହେବ, ଏପରି କିଛି କଥା ନାହିଁ । ଯେବେ ତାହା ଭ୍ରାନ୍ତିସଙ୍କୁଳ ଓ ଅନିଷ୍ଟକର ହୁଏ, ତେବେ ତାହା ଦେଖାଇ ଦେବାର ସ୍ୱାଧୀନତା ମଧ୍ୟ ବ୍ୟକ୍ତି ବିଶେଷଙ୍କର ଅଛି । ସେଥିରେ କାହାର କ୍ଷୁଣ୍ଣ ହେବାର କିଛି କାରଣ ନାହିଁ । ଯେଉଁମାନେ କୌଣସି ପ୍ରକାର ଦୋଷ ପ୍ରଦର୍ଶନ ନାମରେ ଏକାବେଳକେ ଅଗ୍ନି-ଶର୍ମା ହୋଇ ଉଠନ୍ତି, ସେପରି ଲେଖକମାନଙ୍କୁ ଜୁହାର । ଏପରି ସର୍ବଜ୍ଞମନ୍ୟ ଲେଖକମାନଙ୍କର ଜାଣି ରଖିବା ଉଚିତ ଯେ, ତାଙ୍କର ଯେପରି ସ୍ୱାଧୀନତା ଅଛି, ଅନ୍ୟର ମଧ୍ୟ ସେହିପରି ଅଛି । ଲେଖକ ଜାଣେ, ପାଠକ ଅନେକ । ସମସ୍ତଙ୍କ ଦୃଷ୍ଟି ସମାନ ରୂପେ ତୀକ୍ଷ୍ଣ ନୁହେଁ, ସମସ୍ତଙ୍କ ରୁଚି ସମାନ ରୂପେ ମାର୍ଜିତ ନୁହେଁ, ସୁତରାଂ ସମସ୍ତଙ୍କ ଦ୍ୱାରା ପ୍ରକୃତ ସମାଲୋଚନା ସମ୍ଭବପର ନୁହେଁ । ସାଧାରଣ ସମାଲୋଚକ ସମସ୍ତଙ୍କର ହୋଇ ସେ କାର୍ଯ୍ୟ କରିଦିଅନ୍ତି । ସାଧାରଣଙ୍କର ଉପକାର କରିବାପାଇଁ ଜଣ ଅଧକର ଶତ୍ରୁ ହେବା ଅଶ୍ରେୟ ନୁହେଁ।

 

ଆମ୍ଭମାନଙ୍କ ଦେଶରେ ଯେପରି ସାହିତ୍ୟ ନାହିଁ; କି ସେପରି ସମାଲୋଚନା ନାହିଁ । ଯାହା ଟିକିଏ ଅଧେ ସାହିତ୍ୟ ବାହାରୁଅଛି, ତାହାର ସମାଲୋଚନାରେ ଲେଖକଙ୍କର ପ୍ରବୃତ୍ତି ନାହିଁ । ଏହି ଉଦାସୀନତା ସାହିତ୍ୟ ପ୍ରତି ଅବଜ୍ଞାର ଉଜ୍ଜ୍ୱଳ ପ୍ରମାଣ । ଯେଉଁମାନଙ୍କର ପୁସ୍ତକ ପାଠକ ଅଭ୍ୟାସ ରହିଛି, ସେମାନେ ଇଂରାଜୀ ପୁସ୍ତକ ପଢ଼ନ୍ତି ଅଥବା ବଙ୍ଗଳା ପୁସ୍ତକ ପଢ଼ନ୍ତି । ସେମାନେ ଜାଣନ୍ତି ଯେ ଓଡ଼ିଆ ଲେଖକଙ୍କ କଥାରେ ଶିକ୍ଷଣୀୟ ବା ଗ୍ରହଣୀୟ ବିଷୟ ପ୍ରକୃତ ପକ୍ଷେ କିଛି ନାହିଁ-। ସୁତରାଂ ତାହା ପଠନ ଅଯୋଗ୍ୟ—ତାହାହେଲେ ସମାଲୋଚନା କରିବାର କିଛିମାତ୍ର ପ୍ରୟୋଜନ ରହିଲା ନାହିଁ । ଆଉ ଏକ ଶ୍ରେଣୀର ଲୋକ ଅଛନ୍ତି । ସେମାନେ ଭଲ ବା ମନ୍ଦ କିଛି ବିଚାର କରନ୍ତି ନାହିଁ, ଯାହା ପାଇଲେ କେତେଗୁଡ଼ିଏ ପଢ଼ି ପକାଇଲେ—ତାହା ମଧ୍ୟରୁ କିଛି ସାର ପାଇଲେ କି ନାହିଁ, ଯାହା ପାଠକଲେ ସେଥି ସଙ୍ଗେ ସେମାନଙ୍କ ମତ କେତେଦୂର ମିଳିଲା, ଇତ୍ୟାଦି କିଛି ସେମାନଙ୍କ ମନରେ ପ୍ରବେଶ କରେ ନାହିଁ । ଏହିପରି ଯେ କୌଣସି ରୂପେ ଧରିଲେ ଓଡ଼ିଆ ସାହିତ୍ୟର ହୀନାବସ୍ଥା ଓ ତାହାପ୍ରତି ସାଧାରଣଙ୍କର ଅନାଦର ସହଜରେ ପ୍ରତିପନ୍ନ ହେବ ।

 

ସେ ଯାହାହେଉ ଲେଖକର ଦାୟିତ୍ୱଜ୍ଞାନ ଜନ୍ମାଇଦେବା ସମାଲୋଚନାର ପ୍ରଧାନ କାର୍ଯ୍ୟ । ସମାଲୋଚନାର ନାମ ଶୁଣି ଯେ ଭୀତ ବା କ୍ରୁଦ୍ଧ ହୁଏ, ସେ କଦାଚ ଲେଖକ ପଦର ଉପଯୁକ୍ତ ନୁହେଁ । ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଉଷାକାଳ, *କିନ୍ତୁ ସେଥିପାଇଁ ଯେ ଯାହା ଲେଖିବ ତା ହିଁ ସହି, ସେ ସମ୍ବନ୍ଧରେ କିଛି କଥା କହିବା ମହାପାପ, ଏପରି ମନେକରିବା ବିଷମ ଭ୍ରାନ୍ତି । ଯେଉଁମାନେ ଏପରି ମନେକରନ୍ତି, ଆମ୍ଭେମାନେ ସେମାନଙ୍କୁ ଥରେ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଠାକୁରଙ୍କ "ଇଉରୋପ ପ୍ରବାସୀର ପତ୍ର" ପାଠ କରିବାକୁ ଅନୁରୋଧ କରୁଅଛୁ । ଅନ୍ୟାୟ ସମାଲୋଚନା ହୋଇଥିଲେ ଲେଖକର ପ୍ରତିବାଦ କରିବାର ଅଧିକାର ଅଛି । ବାଦ, ପ୍ରତିବାଦକୁ ଭୟ କରିବାର କିଛିମାତ୍ର କାରଣ ନାହିଁ । ଉଚିତ ବାଦ ପ୍ରତିବାଦରେ ଉପକାର ଛଡା ଅପକାର ନାହିଁ ।

 

ଓଡ଼ିଆ ସାହିତ୍ୟ ନିତାନ୍ତ ଅପକ୍ଵ ବୋଲି ଯେଉଁମାନେ ତାହାର ସମାଲୋଚନାକୁ ଅନାବଶ୍ୟକ ମନେକରନ୍ତି, ଆମ୍ଭେମାନେ ସେମାନଙ୍କର ମତ ଅନୁମୋଦନ କରିନପାରୁ । ପୁଣି ସମାଲୋଚନା ପ୍ରତି ଦୃକ୍‍ପାତ ନକରି ଯେଉଁମାନେ ଦମ୍ଭ ସହକାରେ ସ୍ୱାଧୀନତାର ଅପବ୍ୟବହାର କରନ୍ତି, ସେମାନେ ଆହୁରି ନିନ୍ଦନୀୟ । ଯେଉଁମାନଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ ଅଛି, ସେମାନଙ୍କର ଏହି ଦିଓଟି ବିଷୟ ପ୍ରତି ମନୋଯୋଗୀ ହେବା ଏକାନ୍ତ ଆବଶ୍ୟକ । ଅର୍ଥାତ୍ ଯାହା ଦେଖିଲେ ନିରପେକ୍ଷ ଭାବରେ ତାହାର ସମାଲୋଚନା କରିବା ଏବଂ କେହି ଦୋଷ ଦେଖାଇଲେ ସ୍ଥିର ଚିତ୍ତରେ ତାହା ବିଚାର କରିବା । ତାହା ନହେଲେ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ଗତି ଯେପରି ଭାବରେ ହେଉଅଛି, ଅଳ୍ପକାଳ ମଧ୍ୟରେ ତାହା ଗୋଟିଏ କିମ୍ଭୂତ-କିମାକାର ପଦାର୍ଥ ହୋଇ ଉଠିବ ।

 

(ବିବିଧ ପ୍ରବନ୍ଧରୁ ସଂଗୃହୀତ)

 

*ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଓଡ଼ିଆ ସାହିତ୍ୟ ଜନ୍ମଗ୍ରହଣ କରିଥିଲା ଏଠାରେ ତାହାହିଁ ଲକ୍ଷ୍ୟ କରାଯାଇଛି ।

Image

 

ମନ

ଜଳନ୍ଧର ଦେବ

 

ମୁଁ ମନୋବିଜ୍ଞାନର ସୀମା ସ୍ପର୍ଶ କରିନାହିଁ ବୋଇଲେ ଚଳେ, ଅଥଚ ମନ ସମ୍ବନ୍ଧରେ ପଦେ ଅଧେ ଲେଖିବାକୁ ବସିଛି । ହାସ୍ୟାସ୍ପଦ ହେବାର କଥା ନୁହେଁ କି ?

 

ଦୋହି ଦେବାଟା ଦୋଷାବହ । ଅନ୍ତତଃ ବାଇବଲ ଏ ମତବ୍ୟକ୍ତ କରେ । ଆମ ଦେଶରେ ରାଣ ପକାଇବାର ବାରଣ ନାହିଁ, ବରଂ ରାଣ ଦ୍ୱାରା ଆତ୍ମମତ ପୋଷଣ କରିବାକୁ ପ୍ରଶ୍ରୟ ଦିଆଯାଇଛି । ଆତ୍ମମତ ବଜାୟ ରଖିବା ନିମନ୍ତେ ଈଶ୍ୱର, ପିତା, ମାତା ଓ ପୁତ୍ରର ମସ୍ତକରେ ହାତ ଦେବାକୁ ନିଷେଧ ନାହିଁ । ଅନୁଶାସନ, ରାଣ ପ୍ରମାଣ ପ୍ରଭୃତିକୁ ଏକ ପର୍ଯ୍ୟାୟଭୁକ୍ତ କରି ରଖାଯାଇଅଛି ବୋଇଲେ ଚଳେ—ଅନ୍ତତଃ ଜାତି ଧର୍ମ ବଜାୟ ରଖିବା ନିମନ୍ତେ । ଧର୍ମଶାସ୍ତ୍ର ଲେଖକଗଣ କେବଳ ଶପଥ ଦ୍ୱାରା ଆବହମାନ କାଳରୁ ବିଶ୍ୱାସକୁ ଆଜିଯାଏ ରକ୍ଷା କରିବାକୁ ସମର୍ଥ ହୋଇଅଛନ୍ତି । ଆଶ୍ଚର୍ଯ୍ୟର କଥା, ସ୍ୱାଧୀନ ମନୋବୃତ୍ତିକୁ ମଧ୍ୟ ବିଶ୍ୱାସର ଗଣ୍ଡିରେ ଆବଦ୍ଧ ରଖିବାକୁ ଚେଷ୍ଟା କରିଅଛନ୍ତି, ମନର ସ୍ୱାତନ୍ତ୍ର୍ୟ ନଷ୍ଟ କରିବାକୁ ଯତ୍ନ କରିଅଛନ୍ତି । କୃତକାର୍ଯ୍ୟ ହେବା ନହେବା ଏଠାରେ ବିଚାର୍ଯ୍ୟ ନୁହେଁ ।

 

ଜୀବମାନଙ୍କର ମନ ଅଛି କି, କେବଳ ମନୁଷ୍ୟର ମନ ବା ମନୋବୃତ୍ତି ଅଛି, ଏହା ଏକ କଠିନ ପ୍ରଶ୍ନ । ତେବେ ଜୀବମାନଙ୍କର ମନୋବୃତ୍ତି ନାହିଁ, ମନ ମନୁଷ୍ୟ ଜାତିର ନିଜସ୍ୱ ବୋଲିବା ସଙ୍ଗତ ନୁହେଁ । ଉତ୍କୃଷ୍ଟ ଜୀବମାତ୍ରରହିଁ ମନ ଅଛି; ମାତ୍ର ମନୁଷ୍ୟର ମନ ସହିତ ପ୍ରସାରରେ ଇତର ବିଶେଷ ଅଛି । ଏଠାରେ ଉତ୍କୃଷ୍ଟ ଜୀବ ଓ ନିକୃଷ୍ଟ ଜୀବ ମଧ୍ୟରେ ସୀମା ନିର୍ଦ୍ଦେଶ କରିବାର ଅବସର ନାହିଁ ।

 

ଏଠାରେ କେବଳ ମନୁଷ୍ୟର ମନ ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରାଯାଉ । ଆବହମାନ କାଳରୁ ମନୋବୃତ୍ତି ଏକ ଏବଂ ପୂର୍ଣ୍ଣତା ପ୍ରାପ୍ତ ବୋଲାଯାଇ ନ ପାରେ । ଯେହେତୁ ଏହାର ହ୍ରାସ ସମୃଦ୍ଧି ପରିଲକ୍ଷିତ ହୁଏ । ମନ ଇନ୍ଦ୍ରିୟ ଘଟିତ ମସ୍ତିଷ୍କର କ୍ରିୟା । "କ୍ଷିତ୍ୟପତେଜ ମରୁତ ବ୍ୟୋମ କଳାଦିକା ଦେହିନୋ ମନଃ ।"

 

ଏଠାରେ ମନକୁ ଗୋଟିଏ ସ୍ୱତନ୍ତ୍ର ତତ୍ତ୍ୱ ବୋଲି ଧରାଯାଇଛି । ମନକୁ ଚିରକାଳ ସ୍ଥିର ବୋଲି ସ୍ୱୀକାର ନ କଲେ ଗୋଟିଏ ସୃଷ୍ଟି କର୍ତ୍ତା ଦଣ୍ଡାୟମାନ କରିବାର ବିଘ୍ନ ଉପସ୍ଥିତ ହେବ । ତାର୍କିକମାନଙ୍କର ପ୍ରୟୋଜନ ନିମନ୍ତେ ମନ ଚିର ବିଦ୍ୟମାନ, ମାତ୍ର ତାହା ନୁହେଁ । କ୍ଷତି ଅପ୍ ତେଜ ପ୍ରଭୃତିର ମୌଳିକତ୍ୱ ନାଶ ସଙ୍ଗେ ସଙ୍ଗେ ମନର ଚିରବିଦ୍ୟମାନତ୍ଵ ନଷ୍ଟ ହୋଇଅଛି ।

 

ଇନ୍ଦ୍ରିୟ ସହିତ ମନର ଦୃଢ଼ ସମୃଦ୍ଧ, ଇନ୍ଦ୍ରିୟ ବ୍ୟତିରେକେ ମନ ପଙ୍ଗୁ । ଯାହା ଇନ୍ଦ୍ରିୟଗ୍ରାହ୍ୟ ହୋଇନାହିଁ, ତାହା ମନ ସ୍ମରଣ କରି ନ ପାରେ । ଅତୀନ୍ଦ୍ରିୟ ଭାବନା ତ ଦୂରର କଥା ।

 

ବୁଦ୍ଧିବୃତ୍ତିର ବିକାଶ ନିମନ୍ତେ କେଉଁ ଇନ୍ଦ୍ରିୟର ପ୍ରାଧାନ୍ୟ ସ୍ୱୀକାର କରିବାକୁ ହେବ ? ପ୍ରତ୍ୟେକ ଇନ୍ଦ୍ରିୟ ମସ୍ତିଷ୍କକୁ ଜ୍ଞାନ ଖୋରାକ୍ ଯୋଗାନ୍ତି । ତେବେ ଜ୍ଞାନ ବିକାଶରେ ଦର୍ଶନେନ୍ଦ୍ରୟର ଆବଶ୍ୟକତା ଯେ ବେଶି, ଏହି କହିବା ବାହୁଲ୍ୟ ମାତ୍ର । ଦର୍ଶନେଦ୍ରିୟ ଦ୍ୱାରା ବାହ୍ୟବସ୍ତୁର ପ୍ରତିବିମ୍ବ ମସ୍ତକକୁ ନୀତ ହୋଇ ବସ୍ତୁର ପ୍ରକୃତ ରୂପର ଉପଲବ୍‍ଧ କରାଏ । ଚକ୍ଷୁ ମୁଦ୍ରିତ ଥିଲେ ମସ୍ତିଷ୍କ କୌଣସି ବସ୍ତୁର ଅସ୍ତିତ୍ୟ ଉପଲବ୍ଧି କରିପାରେ ନାହିଁ । ମନ ତାହା ସ୍ମରଣ ବା ଭାବନା କରିପାରେ ନାହିଁ । ମସ୍ତିଷ୍କ ଓ ମନ ବିଦ୍ୟମାନ ସତ୍ତ୍ୱେ ଯେବେ ଚକ୍ଷୁ ନ ଥାନ୍ତା, ତାହାହେଲେ ମନୁଷ୍ୟ ଦ୍ୱାରା ଏ ସଂସାରର ବୈଚିତ୍ର୍ୟ ଉପଲବ୍ଧ ହୁଅନ୍ତା ନାହିଁ । ଏ ସଭ୍ୟତା ବା ଉନ୍ନତିର ସ୍ଥାନ କାହିଁ ?

 

ଚକ୍ଷୁ ଯାହା ଦେଖେ, ମନ ତାହା ସ୍ମରଣ ଓ ଭାବନା କରିପାରେ । ଚକ୍ଷୁ ଏକାଥରକେ ଯେତିକି ଦେଖେ, ମନ କେବଳ ତେତିକି ମାତ୍ର ଭାବନା କରିପାରେ । ଧ୍ୟାନମଗ୍ନ ଧାର୍ମିକ ପ୍ରବର ସମ୍ମୁଖରେ କ୍ଷୁଦ୍ର କୃଷ୍ଣ ମୂର୍ତ୍ତିକୁ ରଖି ଯେତେ ଚେଷ୍ଟା କଲେ ସୁଦ୍ଧା ସେହି କ୍ଷୁଦ୍ର ମୂର୍ତ୍ତିର ଆଗପଛ ତଳ ଉପର ଏକ ସଙ୍ଗରେ ଧ୍ୟାନଚକ୍ଷୁରେ ଦେଖି ପାରିବେ କି ? ନାହିଁ କେବଳ ସମ୍ମୁଖଭାଗ ଦେଖିବେ । କାରଣ ତାଙ୍କର ଚକ୍ଷୁ ସେହି କ୍ଷୁଦ୍ର ମୂର୍ତ୍ତିର ସମଗ୍ର ଅଂଶ ଏକ ସଙ୍ଗରେ ଦେଖିବାକୁ କ୍ଷମ ହୋଇନାହିଁ-। ପର୍ବତର ପାଦଦେଶରେ ଦଣ୍ଡାୟମାନ ହେଲେ ପର୍ବତର ଯେଉଁ ଅଂଶ ନେତ୍ର ଦ୍ୱାରରେ ପ୍ରବେଶ କରିବ, ଦର୍ଶକ ସିନା ସେତିକି ଅଂଶ ନିଜ ମନଚକ୍ଷୁରେ ଭାବନା କରିପାରିବ, ସମଗ୍ର ପର୍ବତର ଦୃଶ୍ୟକୁ ଭାବି ପାରିବ କାହୁଁ ?

 

ମନ ଅତି ବେଗଶାଳୀ । ତା ଠାରୁ ବଳି ବେଗଶାଳୀ ଆଉ କେହି ନାହିଁ ବୋଲି କହନ୍ତି । ଏହା ପୂର୍ବକାଳର ମୁନିଋଷିଙ୍କର ଉକ୍ତି । ଆମ୍ଭେମାନେ ଅନ୍ଧ ବିଶ୍ୱାସରେ ତାହା ସ୍ୱୀକାର କରି ଆସୁଛେ-। କେବେ ଗତିର ତୁଳନା କରିନାହୁଁ । ଯେଉଁ ବ୍ୟକ୍ତି ଆମେରିକା ଯାଇ ନାଏଗରା ପ୍ରପାତ ଦେଖିଅଛନ୍ତି, ସେ ଇଛା କଲାମାତ୍ରେ ତାଙ୍କର ମାନସ ଚକ୍ଷୁରେ ପ୍ରପାତର ଦୃଶ୍ୟ ସହସା ଦେଖିପାରନ୍ତି । ମାତ୍ର ଏହାକୁ ପ୍ରକୃତ ଗତି ବୋଲିବା ଯାହା, ପ୍ରତାରିତ ହେବା ଅର୍ଥ ତାହା-। ଆଜିକାଲି ବିଦ୍ୟୁତ ପୃଥିବୀକୁ ଏକ ସେକେଣ୍ଡରେ ସାତଥର ପ୍ରଦକ୍ଷିଣ କରିପାରେ । ଏହା ପ୍ରକୃତ ଗତି, ଯେହେତୁ ଥର ଥର ହୋଇ ସାତଥର ବିଦ୍ୟୁତ୍ ନଦୀ, ପର୍ବତ, ସାଗର, ଜନପଦ, ବନ, ଉପବନର ଦୃଶ୍ୟ ମାନସ ପଟରେ ପକାଇଯିବ, ତାହାହେଲେ ନାଏଗରାକୁ ପହଞ୍ଚିବାକୁ କେତେ ସେକେଣ୍ଡ ଲାଗିବ, ତାହା ପାଠକେ ବିଚାର କରନ୍ତୁ । ନିଜ ପ୍ରକୋଷ୍ଠ ମଧ୍ୟରେ ନାଏଗରାର ଛପା ଦେଖିବା ଯାହା, ମନରେ ନାଏଗରାର ଭାବନା କରିବା ତାହା । ଗୋଟାଏ କାଗଜ ଉପରେ ଫଟୋଗ୍ରାଫ୍, ଅପରଟା ମସ୍ତିଷ୍କରେ ଫଟୋଗ୍ରାଫ୍ । ମନ ଦୃଶ୍ୟ ସମ୍ବନ୍ଧରେ ଚକ୍ଷୁର ଅଧୀନ ।

 

ପଣ୍ଡିତ ଗଟ୍ଟୁଲାଲ ୧୮୯୧ରେ ଉତ୍କଳକୁ ଆସିଥିଲା । ସେ ଚକ୍ଷୁହୀନ । ଶ୍ରବଣେନ୍ଦ୍ରିୟ ସାହାଯ୍ୟରେ ସେ ଯେ ପାଣ୍ଡିତ୍ୟ ଉପାର୍ଜ୍ଜନ କରିଥିଲେ, ତାହା ଭାବିଲେ ଆଶ୍ଚର୍ଯ୍ୟନ୍ଵିତ ହେବାକୁ ପଡ଼େ । ଶ୍ରୁତିଧର ଅଷ୍ଟାବଧାନୀ । ତାଙ୍କର ପାଦ ପୂରଣ ପଣ୍ଡିତଗଣଙ୍କୁ ବିସ୍ମିତ କରିଥିଲା । ତାଙ୍କର କଣ ମନ ନ ଥିଲା ? ଥିଲା । ଶ୍ରବଣେନ୍ଦ୍ରିୟ ସାହାଯ୍ୟରେ ମାନସିକ ସ୍ମରଣ ଶକ୍ତିର ଉତ୍କର୍ଷ ସଙ୍ଗେ ସଙ୍ଗେ ଦର୍ଶନେଦ୍ରିୟର ସାହାଯ୍ୟାଭାବରୁ ଦୃଶ୍ୟ ବର୍ଣ୍ଣନା କରିବା ଶକ୍ତି ପଙ୍ଗୁ ହେଲା ।

 

ଦର୍ଶନେଦ୍ରିୟ ଯେପରି ମସ୍ତିଷ୍କରେ ଫଟୋଗ୍ରାଫ ରଖେ, ଶ୍ରବଣେନ୍ଦ୍ରିୟ ମସ୍ତିଷ୍କରେ ସେପରି ଫଟୋଗ୍ରାଫ୍ ରଖିପାରେ ନାହିଁ । ଅନ୍ୟ ଇନ୍ଦ୍ରିୟମାନେ ମଧ୍ୟ ସେପରି ସ୍ଥାୟୀ ଛାପ ରଖି ପାରନ୍ତି ନାହିଁ । ଏଣୁ ମନ ସ୍ମରଣ କଲାମାତ୍ରେ ଯେପରି ଗୋଟାଏ ପୂର୍ବଦୃଷ୍ଟ ଦୃଶ୍ୟର ଦର୍ଶନ ସୁଖ ଅନୁଭବ କରିପାରେ, ସେପରି ଶ୍ରବଣ ଓ ସ୍ପର୍ଶ ସୁଖ ଅନୁଭବ କରିପାରେ ନାହିଁ ।

 

ସ୍ମରଣ କରିବା ମନର ବା ମସ୍ତିଷ୍କର କାର୍ଯ୍ୟ; ମାତ୍ର ପରେ ଅନୁକରଣ କାର୍ଯ୍ୟ ନୁହେଁ । ଏଣୁ ପରେ ଦୃଶ୍ୟହିଁ କେବଳ ଠିକ୍‍ ରୂପେ ଅନୁଭୂତ ହୁଏ, ମାତ୍ର ଶବ୍ଦ ସ୍ପର୍ଶ ଇତ୍ୟାଦି ଅନୁଭୂତ ହୁଏ ନାହିଁ । ଭାବୁକ କୌଣସି ପୂର୍ବଦୃଷ୍ଟ ଥିଏଟାରର ଦୃଶ୍ୟର ଭାବନା କଲେ ନର୍ତ୍ତକ ନର୍ତ୍ତକୀର ହାବଭାବ, ଭଙ୍ଗୀ, ମୁଖଭଙ୍ଗୀ, ହସ୍ତଚାଳନ ପ୍ରଭୃତି ମାନସପଟରେ ଦେଖିପାରିବ । ମାତ୍ର ଗୀତ ଓ ବାଦ୍ୟ ତାର କର୍ଣ୍ଣକୁ ଶୁଣାଯିବନାହିଁ । ସେହିପରି ସ୍ପର୍ଶେନ୍ଦ୍ରିୟର ପ୍ରକୃତ ସୁଖ ଅନୁଭୂତ ହୁଏ ନାହିଁ, କେବଳ ସ୍ମରଣ ମାତ୍ର ହୁଏ ।

 

ଚକ୍ଷୁର ପତାଥିବାରୁ ଦର୍ଶନେଦ୍ରିୟକୁ ନିରୋଧ କରାଯାଇପାରେ । ମାତ୍ର କର୍ଣ୍ଣେନ୍ଦ୍ରିୟକୁ ନିରୋଧ କରିବାର ଉପାୟ ନାହିଁ । ମାତ୍ର କର୍ଣ୍ଣେନ୍ଦ୍ରିୟକୁ ନିରୋଧ କରିବାର ଉପାୟ ନାହିଁ । ଧ୍ୟାନ ମଗ୍ନ ଥିଲେ ସୁଦ୍ଧା ଶବ୍ଦ ନିଶ୍ଚୟ କର୍ଣ୍ଣ ପଟହରେ ଆଘାତ କରିବ । ମାତ୍ର ଆଲୋକ ବା ଦୃଶ୍ୟ ଦର୍ଶନେଦ୍ରିୟରେ ପ୍ରବେଶ କରି ମସ୍ତିଷ୍କରେ ଯେପରି ସ୍ଥାୟୀ ଛାପ ରଖିପାରେ । ଶବ୍ଦର ସହଜ ପ୍ରବେଶ ଦ୍ୱାରା ସେପରି ଥିଲେ ସୁଦ୍ଧା ମସ୍ତିଷ୍କରେ ସ୍ଥାୟୀ ରୂପ ରଖିପାରେ ନାହିଁ । ରସନା ଓ ନାସିକା ଆସ୍ଵାଦନ ଓ ଗନ୍ଧର ପ୍ରବେଶ ଦ୍ୱାର ହେଲେ ସୁଦ୍ଧା ମସ୍ତିଷ୍କରେ ସ୍ଥାୟୀ ଛାପ ରଖିପାରନ୍ତି ନାହିଁ, ଯଦ୍ଦ୍ଵାରା କି ପରେ ଠିକ୍‍ ଶ୍ରବଣ, ଆଘ୍ରାଣ, ଅସ୍ଵାଦନ ଓ ସ୍ପର୍ଶସୁଖ ବା ଦୁଃଖ ଠିକ୍‍ରୂପେ ଅନୁଭୂତ ହୋଇପାରେ ।

 

ଯାହାହେଉ ମନ କୌଣସି ସ୍ଥାୟୀ ତତ୍ତ୍ୱ ନୁହେଁ, ମନ ଇନ୍ଦ୍ରିୟବ୍ୟାପାର ଜନିତ । ମନ ଚିର ବିଦ୍ୟମାନ ନ ଥିଲା କିମ୍ବା ଜଡ଼ ଜଗତରୁ ସ୍ୱତନ୍ତ୍ର ନୁହେଁ । ଏକ ସମୟରେ ସୂର୍ଯ୍ୟ ଗ୍ରହ ପୃଥିବୀ ସମସ୍ତେ ଗ୍ୟାସର ସମଷ୍ଟି ଥିଲେ । ଏହାର ବିସ୍ତୃତି ପ୍ଲୁଟାସ ଗ୍ରହରୁ ବଳି ଲକ୍ଷ ଲକ୍ଷ ମାଇଲ ପର୍ଯ୍ୟନ୍ତ ବିସ୍ତୃତ ଥିଲା । କ୍ରମେ ସଂକୁଚିତ ହୋଇ ସୂର୍ଯ୍ୟ ଗ୍ରହ ଉପଗ୍ରହର ସମଷ୍ଟି ହୋଇଅଛି । ପ୍ଲୁଟାସ୍, ନେପଚୁନ, ଇଉରେନାସି, ଶନି, ବୃହସ୍ପତି ଅନେକ କ୍ଷୁଦ୍ର ଗ୍ରହ ମଙ୍ଗଳ, ପୃଥିବୀ, ଶୁକ୍ର, ବୁଧ ଓ ସୂର୍ଯ୍ୟର ଉତ୍ପତ୍ତି ସେହି ଗ୍ୟାସରୁ । ଏହା କୋଟି କୋଟି ବର୍ଷର ବ୍ୟାପାର, ଏଠାରେ ମନର ଅସ୍ତିତ୍ୱ କାହିଁ ?

 

ପୃଥିବୀ ଗ୍ୟାସରୁ ଘନୀଭୂତ ହେଲା । ତାର ଗତିର ଇୟତ୍ତା ଠିକ୍ ରୂପେ କିଏ କହିପାରିବ ? କି ଉତ୍ପାତ । ପ୍ରତି ମୁହୂର୍ତ୍ତରେ ଉଲ୍‍କା ଧୂମକେତୁ ସୃଷ୍ଟି କଣା ସେହି ଭ୍ରମ୍ୟମାଣ ପିଣ୍ଡରେ ପତିତ ହେଉଥିଲେ । ତାର ପ୍ରଚଣ୍ଡ ଗତି ହେତୁ ତାର ଶରୀରରୁ ପ୍ରକାଣ୍ଡ ପ୍ରକାଣ୍ଡ ପିଣ୍ଡ ଊର୍ଦ୍ଧ୍ୱକୁ ଉତ୍‍କ୍ଷିପ୍ତ ହୋଇ ପୁଣି ସହଜରେ ଆସି ତାହା ଦେହରେ ପଡ଼ି ବିଲୀନ ହେଉଥିଲା । ଏହିରୂପେ କେତେକାଳ ପୃଥିବୀର ଦେହର ଗଢ଼ା ଲାଗିଲା । ଜଡ଼ଜୀବର ପାର୍ଥକ୍ୟ ନାହିଁ, ସମସ୍ତହିଁ ଏକ । କ୍ରମେ ଘନ ଓ ତରଳ ବସ୍ତୁର ଉତ୍ପତି ଯୌଗିକ ପଦାର୍ଥର ସ୍ଵାତନ୍ତ୍ର୍ୟ ଓ ଜୈବିକ ଅଣୁର ଉତ୍ପତି-। କେତେ କୋଟି ବର୍ଷର ଘଟଣା । ଜୀବର ସୃଷ୍ଟି ପୁଣି କେତେ ବର୍ଷପରେ ଉତ୍କୃଷ୍ଟ ଜୀବ ଓ କ୍ରମେ ମଣିଷର ଉଦ୍ଭବ ଓ ମନର ବିକାଶ । ଖ୍ରୀଷ୍ଟପୂର୍ବ ପ୍ରାୟ ୫୦୦୦ ବର୍ଷ ପୂର୍ବେ ଈଶ୍ୱର ମନୁଷ୍ୟର ବାସଯୋଗ୍ୟ କରି ଧରାକୁ ଗଢ଼ି ତହିଁରେ ଆଡ଼ମ୍ ଇଭକୁ ବିଚରଣ କରିବାକୁ ଛାଡ଼ିଦେଲେ ଏବଂ ସେ ଦୁହିଁଙ୍କି ସର୍ବାବୟବ ସମ୍ପନ୍ନ କରି ତାଙ୍କଠାରେ ମନକୁ ମଧ୍ୟ ନିହିତ କରିଥିଲେ ବୋଲି ଯେ ବିଶ୍ୱାସ ଥିଲା, ତାହା ଅମୂଳକ ବୋଲି ପ୍ରତିପନ୍ନ ହୋଇ ସାରିଅଛି । ଅନ୍ୟାନ୍ୟ ଧର୍ମର ଏତାଦୃଶ ଅମୂଳକ ମତ ମଧ୍ୟ ଅଧୁନା ଅଗ୍ରାହ୍ୟ ହୋଇଅଛି । ମନ ସ୍ୱତନ୍ତ୍ର ଓ ଚିର ବିଦ୍ୟମାନ ନୁହେଁ-

 

(ସହକାର—ସପ୍ତଦଶ ଭାଗ—ଏକାଦଶ ସଂଖ୍ୟା—ଫାଲ୍‍ଗୁନ ୧୩୪୪)

Image

 

ଶିକ୍ଷା

ଶଶିଭୂଷଣ ରାୟ

 

ଅଧୁନା ସଭ୍ୟତା ପ୍ରଭାବରୁ ଅନେକ ଲୋକ ବିଶ୍ୱ ବିଦ୍ୟାଳୟର ପ୍ରଦତ୍ତ ଶିକ୍ଷାକୁ ଉଚ୍ଚ ଶିକ୍ଷାର ଆଦର୍ଶ ମନେ କରନ୍ତି । ସେମାନଙ୍କ ମତରେ ଯେଉଁମାନେ କୌଣସି ବିଶ୍ୱବିଦ୍ୟାଳୟର "ବ୍ୟାଚଲର " କିମ୍ବା "ମାଷ୍ଟର" ଉପାଧି ଗ୍ରସ୍ତ ନୁହନ୍ତି । ସେମାନେ ଉଚ୍ଚଶିକ୍ଷିତ ବ୍ୟକ୍ତି ମଧ୍ୟରେ ଗଣ୍ୟ ହେବାର ଅଧିକାରୀ ହୋଇ ନାହାନ୍ତି । ସଂସ୍କୃତ, ବଙ୍ଗଳା, ଓଡ଼ିଆ, ତେଲୁଗୁ, ଆରବ୍ୟ, ପାରସ୍ୟ ପ୍ରଭୃତି ସାହିତ୍ୟ ଏବଂ ଅଳଙ୍କାର ଦର୍ଶନ ନ୍ୟାୟ ପ୍ରଭୃତିରେ ଯେଉଁମାନେ ପ୍ରଗାଢ଼ ପାଣ୍ଡିତ୍ୟ ଲାଭ କରି ଅଛନ୍ତି, ସେମାନଙ୍କୁ ଅନେକ ଉଚ୍ଚଶିକ୍ଷିତ ବୋଲି କହିବାକୁ କୁଣ୍ଠାବୋଧ କରନ୍ତି—କାରଣ ଉଚ୍ଚଶିକ୍ଷା କେବଳ କୌଣସି କଲେଜର ପ୍ରାଚୀନ ମଧ୍ୟରେ ଆବଦ୍ଧ, କଲେଜ ବାହାରକୁ ଆଉ ଉଚ୍ଚଶିକ୍ଷାର ସ୍ଥାନ ନାହିଁ ପରା !

 

ଯେଉଁମାନଙ୍କ ମନରେ ଏପରି ଧାରଣା ରହିଅଛି ସେମାନେ ସ୍ତ୍ରୀ ଜାତିର ଉଚ୍ଚ ଶିକ୍ଷା କହିଲେ ବିଶ୍ୱବିଦ୍ୟାଳୟର ଉପାଧି ପ୍ରତି ନିଶ୍ଚୟ ଲକ୍ଷ୍ୟ ରଖିବେ । ସେମାନଙ୍କ ମତରେ ପୁରୁଷ ହେଉନ୍ତୁ ବା ସ୍ତ୍ରୀ ହେଉନ୍ତୁ, କୌଣସି ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ ନ ହେଲେ ତାଙ୍କ ଶିକ୍ଷା ଉଚ୍ଚଶିକ୍ଷା ହେବ ନାହିଁ । ଅବଶ୍ୟ ଆମ୍ଭେମାନେ ବିଶ୍ଵବିଦ୍ୟଳର ପ୍ରଦତ୍ତ ଶିକ୍ଷାକୁ ଉଚ୍ଚଶିକ୍ଷା କରିବାକୁ ଅସମ୍ମତ ନୋହୁଁ, ମାତ୍ର ଆମ୍ଭେମାନେ ସ୍ପଷ୍ଟତଃ କହିବାକୁ ବାଧ୍ୟ ଯେ, ଯେଉଁ ଶିକ୍ଷା ଫଳରୁ ସାମାଜିକ ବନ୍ଧନ ଶିଥିଳ ହୁଏ, ପରସ୍ପର ମଧ୍ୟରେ ପ୍ରକୃତ ସହାନୁଭୂତି କମିଯାଏ, ଶିକ୍ଷିତ ବ୍ୟକ୍ତି ଅଶିକ୍ଷିତଙ୍କୁ ଘୃଣା କରି ସେମାନଙ୍କ ସହିତ ମିଳାମିଶା କରିବାକୁ କୁଣ୍ଠିତ ହୁଅନ୍ତି, ସେହି ଶିକ୍ଷା ସାହିତ୍ୟ ଅଥବା ବିଜ୍ଞାନ ଭଣ୍ଡାରର ତୋରଣ ଊନ୍ମୁକ୍ତ କଲେହେଁ ତାହା ପ୍ରକୃତ ପ୍ରସ୍ତାବରେ ଅପଶିକ୍ଷା ମାତ୍ର । ଶିକ୍ଷିତ ଜମିଦାର ଯେଉଁ ଶିକ୍ଷା ଫଳରୁ ପଲ୍ଲୀଭବନ ପରିତ୍ୟାଗ କରି ନଗର ବାସ ସକାଶେ ଲାଳାୟିତ, ମଧ୍ୟବିତ୍ତ ଗୃହସ୍ଥ ଯୁବକ ଯେଉଁ ଶିକ୍ଷା ଫଳରୁ ଅପରିମିତ ବ୍ୟୟ କରି ସମ୍ଭ୍ରମରକ୍ଷାରେ ସମୃତ୍ସୁକ, ଶିଳ୍ପୀର ପୁତ୍ର ଯେଉଁ ଶିକ୍ଷା ଲାଭ କରି ପିତୃ ପିତାମହଙ୍କ ଅନୁଷ୍ଠିତ ବ୍ୟବସାୟ ପରିତ୍ୟାଗ ପୂର୍ବକ ଚାକିରି ସକାଶେ ଉତ୍କଣ୍ଠିତ, ସେହି ଶିକ୍ଷା ଅନ୍ୟ ଦେଶ ପକ୍ଷରେ ଯେତେ ଉପଯୋଗୀ ହେଉ ପଛକେ, ଆମ୍ଭମାନଙ୍କ ଦେଶ ଓ ସମାଜ ପକ୍ଷରେ ସେ ଶିକ୍ଷା କେବେହେଁ ସମ୍ୟକ ଉପଯୋଗୀ ଏବଂ ଉପକାରୀ ନୁହେଁ ।

 

ବର୍ତ୍ତମାନ ସମୟରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ଶିକ୍ଷା ପ୍ରଣାଳୀ ଆମ୍ଭମାନଙ୍କ ବାଳକଗଣଙ୍କର ଏକ ଆଡ଼େ ଯେପରି ଉପକାର କରୁଅଛି, ଅନ୍ୟଆଡ଼େ ସେହିପରି ଉପକାର ମଧ୍ୟ କରୁଅଛି । ଏହି ଶିକ୍ଷା ପ୍ରଭାବରୁ ସମାଜ ବନ୍ଧନ ଶିଥିଳ ହୋଇଅଛି, ପଲ୍ଲୀ ଗ୍ରାମରେ ଭଦ୍ରଲୋକଙ୍କ ସଂଖ୍ୟା କମିଯାଉଅଛି । ଯୁବକମାନେ ଆତ୍ମନିର୍ଭର ବିସ୍ତୃତ ହୋଇ ପରମୁଖାପେକ୍ଷୀ ହୋଇଅଛନ୍ତି । ଯେଉଁ କାର୍ଯ୍ୟ ଅକ୍ଳେଶରେ ସ୍ୱୟଂ ସମ୍ପନ୍ନ କରିପାରିବୁ ସେହି କାର୍ଯ୍ୟ ନିର୍ବାହ ଅନ୍ୟର ତୋଷାମଦ ସୁନିଶ୍ଚିତ । ବର୍ତ୍ତମାନ ଶିକ୍ଷାପଦ୍ଧତିର ଏହା ଅନ୍ୟତମ କୁଫଳ, ଏଥିରେ ସନ୍ଦେହ ନାହିଁ ।

 

ପୁରୁଷଙ୍କ ଶିକ୍ଷାର ପରିଣାମ ଯେତେବେଳେ ଏପରି, ସେତେବେଳେ ସ୍ତ୍ରୀମାନେ ଯଦି ଏପରି ଶିକ୍ଷା ପ୍ରାପ୍ତ ହୁଅନ୍ତି, ତାହାହେଲେ ସମାଜର ପରିଣାମ କଣ ହେବ ଏହା ବୁଦ୍ଧିମାନ ବ୍ୟକ୍ତି ମାତ୍ରକେ ଅନୁଭବ କରି ପାରିବେ । ଆମ୍ଭମାନଙ୍କ ଦେଶରେ ବାଳକ ଓ ବାଳିକାମାନଙ୍କୁ ବିଦ୍ୟାଳୟରେ ପ୍ରାୟ ଏକ ପ୍ରକାର ଶିକ୍ଷା ଦିଆ ଯାଇଥାଏ । ପ୍ରଭେଦ ମଧ୍ୟରେ ବାଳିକାମାନଙ୍କୁ ରନ୍ଧନ ଓ ସୂଚୀ ଶିଳ୍ପ ଓ ସୀବନ କାର୍ଯ୍ୟରେ ଶିକ୍ଷା ପ୍ରଦତ୍ତ ହୋଇଥାଏ । ଏହା ଉପରେ ସେମାନେ ଶିକ୍ଷା ପଥରେ କିଞ୍ଚିତ ଅଗ୍ରସର ହେଲେ ଉଭୟ ମଧ୍ୟରେ ଏହି ପାର୍ଥକ୍ୟଟି ଆଉ ନ ଥାଏ । ବାଳକମାନେ ଡ୍ରିଲ୍‍ର ଓ ବାଳିକାମାନେ ସୂଚୀ ଶିଳ୍ପର ଗଣ୍ଡି ପାରିହୋଇ ଏକ କ୍ଷେତ୍ରରେ ପରସ୍ପରର ପ୍ରତିଯୋଗୀ ରୂପେ ଦଣ୍ଡାୟମାନ ହୁଅନ୍ତି । ମାଟ୍ରିକୁଲେଶନ, ଇଣ୍ଟରମିଡିଏଟ୍, ବି.ଏ. ଅଥବା ଏମ୍. ଏ ପରୀକ୍ଷାରେ ସମାନ ପ୍ରଶ୍ନ ସମସ୍ତଙ୍କୁ ପ୍ରଦତ୍ତ ହୋଇଥାଏ—ସୁତରାଂ ଯୁବକ ଯୁବତୀ ନିର୍ବିଶେଷରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ସେହି ପ୍ରଶ୍ନ ସମୂହର ଉତ୍ତର ଲେଖିବାକୁ ହୋଇଥାଏ ।

 

ଉଚ୍ଚ ଶିକ୍ଷାର ଏହିପରି ପଦ୍ଧତି ଦେଖି ଅନେକ ସମୟରେ ମନେହୁଏ ଯେ, ବିଧାତା ରମଣୀ ଓ ପୁରୁଷ ମଧ୍ୟରେ ଯେଉଁ ସ୍ୱାଭାବିକ ପାର୍ଥକ୍ୟ ସ୍ଥାପନ କରିଅଛନ୍ତି, ସେମାନଙ୍କ ନିଜ ନିଜ କର୍ତ୍ତବ୍ୟ ପାଳନ ସକାଶେ ଯେଉଁ ପୃଥକ କର୍ମକ୍ଷେତ୍ର ନିର୍ଦ୍ଦେଶ କରିଅଛନ୍ତି, ଶିକ୍ଷାବିଭାଗୀୟ ଭାଗ୍ୟ ବିଧାତାମାନେ ବୋଧହୁଏ ତାହା ଅଗ୍ରାହ୍ୟ କରି ସ୍ତ୍ରୀ ଓ ପୁରୁଷଙ୍କ ଏକ କର୍ମକ୍ଷେତ୍ର ମଧ୍ୟରେ ଛାଡ଼ିଦେବାକୁ ଆଗ୍ରହାନ୍ଵିତ । ସେମାନେ ବୋଧହୁଏ ବିସୃତ ହୁଅନ୍ତି ଯେ, ସ୍ତ୍ରୀ ଯେପରି କେବେହେଁ ପୁରୁଷ ହୋଇ ପାରିବ ନାହିଁ, ସେପରି ସ୍ତ୍ରୀ ଓ ପୁରୁଷର କାର୍ଯ୍ୟ ଓ ଶିକ୍ଷା ଏକପ୍ରକାର ହେବା ଅସଙ୍ଗତ । ପାଶ୍ଚାତ୍ୟ ପଣ୍ଡିତମାନେ ଏବଂ ପାଶ୍ଚାତ ଶିକ୍ଷାପ୍ରାପ୍ତ କିମ୍ବା ପାଶ୍ଚାତ୍ୟ ଭାବ-ପ୍ରବୁଦ୍ଧ ଶିକ୍ଷିତ ବ୍ୟକ୍ତିମାନେ ଯାହା କହନ୍ତୁ ପଛକେ, ଆମମାନଙ୍କ ମନରେ ଦୃଢ଼ ବିଶ୍ୱାସ ଅଛି ଯେ, ଆମମାନଙ୍କ ଦେଶର ପ୍ରାଚୀନ ମନୀଷୀମାନେ ସମାଜରେ ସ୍ତ୍ରୀମାନଙ୍କ ସକାଶେ ଯେଉଁ ସବୁ ବ୍ୟବସ୍ଥା କରି ଯାଇଅଛନ୍ତି ତାହା ଆମମାନଙ୍କ ସମାଜ ପକ୍ଷରେ ସର୍ବାଂଶରେ ଉପଯୋଗୀ । କିନ୍ତୁ ଦେଶକାଳ ପାତ୍ର ବିଶେଷରେ ମଧ୍ୟେ ମଧ୍ୟେ ଏହାର ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନର ଦୋହି ଦେଇ ଯେଉଁମାନେ ସମାଜ ସଂସ୍କାର କରିବାକୁ ଅଗ୍ରସର ହୁଅନ୍ତି, ଅଧିକାଂଶ ସ୍ଥଳରେ ସେମାନେ ସଂସ୍କାର ପରିବର୍ତ୍ତରେ ସଂହାରରେ ହସ୍ତକ୍ଷେପ କରନ୍ତି । ଆମ୍ଭେମାନେ ସମାଜ ସଂହାରର ପକ୍ଷପାତୀ ନୋହୁ, ସମାଜ ସଂସ୍କାରର ପକ୍ଷପାତୀ । ଆମ୍ଭମାନଙ୍କ ମତରେ କୌଣସି ବିଦ୍ୟାଳୟରେ ହିନ୍ଦୁ ଅଥବା ମୁସଲମାନ ରମଣୀଙ୍କ ଶିକ୍ଷାଲାଭର ସମ୍ଭାବନା ନାହିଁ । ପ୍ରାଚ୍ୟ ରମଣୀର, ଯାହା ଶିକ୍ଷଣୀୟ ତାହା ଅନ୍ତଃପୁର ମଧ୍ୟରେ ନିବନ୍ଧ । ଗ୍ରାମ୍ୟ ଅବଧାନଠାରୁ କଲେଜର ଅଧ୍ୟାପକ ପର୍ଯ୍ୟନ୍ତ ସେ ଶିକ୍ଷା ଦେବାକୁ ଅସମର୍ଥ । ସେମାନେ ବାଳିକାମାନଙ୍କୁ ପଣିକିଆଠାରୁ ମିଲଟନ୍ କାରଲାଇଲ ବୁଝାଇ ପାରନ୍ତି; କିନ୍ତୁ ରମଣୀଙ୍କୁ କେବେହେଁ ଆଦର୍ଶ ଗୃହିଣୀ କରି ଗଠନ କରି ପାରିବେ ନାହିଁ । ଯେଉଁ ସମସ୍ତ ଆଚାର ବ୍ୟବହାରରେ ରମଣୀର ରମଣୀ ସୁଲଭ ସୌନ୍ଦର୍ଯ୍ୟ ବିକଶିତ ହୁଏ, ଯହିଁରେ ବାଲ୍ୟକାଳରୁ ସ୍ତ୍ରୀମାନଙ୍କ ହୃଦୟରେ ସୁକୋମଳ ବୃତ୍ତିନିଚୟ ଅଙ୍କୁରିତ ଓ ପଲ୍ଲବିତ ହୋଇପାରେ, ସେଭଳି ଶିକ୍ଷା ଆଜିକାଲିକାର ଶିକ୍ଷାରେ ସମ୍ଭବ ହେବଟିକି ? ଏହି ଶିକ୍ଷାରେ ଆଦର୍ଶ ଗୃହିଣୀ ହୋଇ ଗୃହଲକ୍ଷ୍ମୀ ଭାବରେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହଜ ହେବ କି ?

 

କୌଣସି ସଂବାଦ ପତ୍ରରେ ଥରେ ପଢ଼ିଥିଲି, ଆମ୍ଭମାନଙ୍କ ଦେଶର ସ୍ତ୍ରୀ ଶିକ୍ଷା ବିସ୍ତାର ଉଦ୍ଦେଶ୍ୟରେ ଅର୍ଥାତ୍‍ ଉଚ୍ଚଶିକ୍ଷା ବିସ୍ତାର ସକାଶେ ବିଲାତରୁ କେତେଜଣ ବିଦୁଷୀ ଶିକ୍ଷୟିତ୍ରୀଙ୍କୁ ଏ ଦେଶକୁ ଆଣିବାର ପ୍ରସ୍ତାବ ହୋଇଥିଲା । ସେମାନେ ଆମ୍ଭମାନଙ୍କର ଅନ୍ତଃପୁରଚାରଣୀମାନଙ୍କୁ କି ରୂପ ଶିକ୍ଷାରେ ଶିକ୍ଷିତ କରିବେ ? ସେମାନେ ହିନ୍ଦୁ ମୁସଲମାନ ନାରୀସମାଜର କେଉଁ ଖବର ଜାଣନ୍ତି ? ଏ ଦେଶର ରମଣୀମାନେ କିଭଳି ଗୁଣରେ ଅଳଙ୍କୃତା ହେଲେ ସମସ୍ତଙ୍କର ପ୍ରଶଂସା ଓ ସମ୍ମାନ ଲାଭ କରି ପାରିବେ, ଏହା ସେମାନେ ଜାଣନ୍ତିଟି କି ? ସମ୍ଭବତଃ ସେମାନେ ଜାଣିଥିବେ ଏବଂ କେତେକ ପୁସ୍ତକ ପାଠ କରି ଏହି ଏହି ଅଭିଜ୍ଞତା ଅର୍ଜ୍ଜନ କରିଥିବେ ଯେ, ଭାରତବର୍ଷର ସ୍ତ୍ରୀ ମାନଙ୍କର ଅବସ୍ଥା କ୍ରୀତଦାସୀମାନଙ୍କ ଅବସ୍ଥା ଅପେକ୍ଷା ଶୋଚନୀୟ, ପୁରୁଷମାନେ ସେମାନଙ୍କୁ ଗବାକ୍ଷହୀନ ଆଲୋକ ଶୂନ୍ୟ ଅନ୍ତଃପୁର ନାମକ କାରାଗାରରେ ଚିରକାଳ ଅବରୁଦ୍ଧ କରି ରଖନ୍ତି । ବିନା କାରଣରେ ଅଥବା ସାମାନ୍ୟ କାରଣରୁ ସେମାନଙ୍କୁ ବେତ୍ରାଘାତରେ, ଜର୍ଜରିତ କରନ୍ତି । ଅଭାଗିନୀମାନେ କୌଣସି ପୁରୁଷ ଆତ୍ମୀୟ ସମକ୍ଷରେ ବାହାରି ପାରନ୍ତି ନାହିଁ । ସେହି ଅନ୍ତଃପୁର କାରାଗାରରେ ସେମାନଙ୍କୁ ଯାବଜ୍ଜୀବନ କଠୋର ପରିଶ୍ରମର ଦଣ୍ଡ ଭୋଗ କରିବାକୁ ହୋଇଥାଏ । ଅଧିକାଂଶ ପାଶ୍ଚାତ୍ୟ ରମଣୀଙ୍କ ମନରେ ସେମାନଙ୍କର ପ୍ରାଚ୍ୟ ଭଗିନୀମାନଙ୍କ ସମ୍ବନ୍ଧରେ ଏହି ଭ୍ରାନ୍ତ ଧାରଣା ରହିଅଛି । ଏପରି ସ୍ଥଳରେ ବିଦେଶରୁ ଆନୀତ ବିଦୁଷୀ ଶିକ୍ଷୟତ୍ରୀମାନେ ଆମ୍ଭମାନଙ୍କ ଦେଶର ସ୍ତ୍ରୀମାନଙ୍କର କେଉଁ ଉପକାରରେ ସମର୍ଥ ?

 

ଅନ୍ତଃପୁରହିଁ ହିନ୍ଦୁ ରମଣୀର ଏକମାତ୍ର ଶିକ୍ଷାର ସ୍ଥାନ । ଅନ୍ତଃପୁରର ବାହାରେ ତାହାର ଯେଉଁ ଶିକ୍ଷାଲାଭ ହୁଏ, ତହିଁରେ ତାହାର ମାନସିକ ଉନ୍ନତି ହୋଇପାରେ, ତାହାର ସୁପ୍ତ ବୁଦ୍ଧି ଜାଗ୍ରତ ହୋଇପାରେ, ମାତ୍ର ସେ ସମାଜର ପ୍ରକୃତ ଆଦର୍ଶରୁ ଦୂରକୁ ଘୁଞ୍ଚିଯିବ । ପୁରୁଷ ସମାଜରେ ପାଶ୍ଚାତ୍ୟ ଶିକ୍ଷାର ବିସ୍ତାର ପ୍ରଭାବରୁ ଯେଉଁ ସାମାଜିକ ବିଶୃଙ୍ଖଳାର ଆବିର୍ଭାବ ହୋଇଅଛି, ନାରୀ ସମାଜରେ ସେହି ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ବୃଦ୍ଧି ହେଲେ ସମାଜର ବିଶୃଙ୍ଖଳା ସମାଜ ବିପ୍ଳବରେ ପରିଣତ ହେବ ।

 

ଏ ଗୁଡ଼ିକ ଗଲା ମୂଳ କଥା । ମାତ୍ର ଆଜିକାଲି ଦେଶକାଳ ପାତ୍ର ବିବେଚନାରେ ସ୍ତ୍ରୀ ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା କରିବା ପ୍ରଧାନ କର୍ତ୍ତବ୍ୟ । ମୋହର କ୍ଷୁଦ୍ରମତରେ ନିମ୍ନ ସିଦ୍ଧାନ୍ତଗୁଡ଼ିକ ଦ୍ୱାରା ସ୍ତ୍ରୀ ଶିକ୍ଷା ନିୟମିତ ହେବା ଉଚିତ :–

 

(୧) ସ୍ତ୍ରୀମାନଙ୍କର ଶାରୀରିକ ଦୁର୍ବଳତା ପୁରୁଷ ଅପେକ୍ଷା ଅଧିକ । ଅତ୍ୟନ୍ତ ମସ୍ତିଷ୍କ ପରିଚାଳନା ଦ୍ୱାରା ଶରୀରର ଦୁର୍ବଳତା କ୍ଷତି ହୁଏ, ତାହା ପୂରଣ କରିବାର ଶକ୍ତି ପୁରୁଷ ଅପେକ୍ଷା ସ୍ତ୍ରୀମାନଙ୍କର ଅଳ୍ପ ।

 

(୨) ଜନନ ବ୍ୟାପାର ପୁରୁଷ ଅପେକ୍ଷା ସ୍ତ୍ରୀ ଜାତିର ଜୀବନରେ ଗୁରୁତର ଘଟନା । ସମସ୍ତ ଶାରୀରତତ୍ତ୍ୱବିଦ୍‍ଙ୍କ ମତରେ ଜନନ କାର୍ଯ୍ୟ ମସ୍ତିଷ୍କ ପରିଚାଳନର ବିରୋଧୀ, ସୁତରାଂ ମାନସିକ ପରିଶ୍ରମଦ୍ୱାରା ସ୍ତ୍ରୀ ଜାତିର ଶାରୀରିକ ଯନ୍ତ୍ରସମୂହ ପୁରୁଷ ଅପେକ୍ଷା ଅଧିକ ପରିମାଣରେ ବିକୃତ ହୋଇଥାଏ ।

 

(୩) ସ୍ତ୍ରୀ ଜାତିର ଏହି ଶାରୀରିକ ବିକୃତ ସମଗ୍ର ଜାତି ପକ୍ଷରେ ଅଧିକତର ଅନିଷ୍ଟକାରୀ-। ପୁରୁଷର ଈଦୃଶ ବିକୃତି ଭଲ ହେବାର ସମ୍ଭାବନା ରହିଅଛି । କିନ୍ତୁ ସ୍ତ୍ରୀମାନଙ୍କୁ ଅନେକ ସମୟରେ ବସି ରହିବାକୁ ହୁଏ ଏବଂ ଅଧିକତର ଅସ୍ୱାସ୍ଥ୍ୟକର ଅବସ୍ଥାରେ ଜୀବନଯାପନ କରିବାକୁ ହୁଏ ବୋଲି ଅଯୌକ୍ତିକ ଶିକ୍ଷା ପ୍ରସୂତ ଶାରୀରିକ, ଅନିଷ୍ଟର କୁଫଳ ସେମାନଙ୍କୁ ଅଧିକ ପରିମାଣର ଭୋଗ କରିବାକୁ ହୋଇଥାଏ ।

 

(୪) ସନ୍ତାନ ପକ୍ଷରେ ପିତା ଅପେକ୍ଷା ମାତାର ସ୍ୱାସ୍ଥ୍ୟ ଅଧିକତର ପ୍ରୟୋଜନୀୟ । ପିତୃତ୍ୱ ଲାଭ କରିବାକୁ ପିତାଙ୍କର ଯେଉଁ ପରିମାଣରେ ଶକ୍ତି ବ୍ୟୟିତ ହୁଏ, ମାତାଙ୍କ ତୁଳନାରେ ତାହା ଅକିଞ୍ଚିତ୍‍କର ଏବଂ ଗର୍ଭଧାରଣ, ସନ୍ତାନଜନନ ଓ ଶିଶୁ ପାଳନ ପ୍ରଭୃତି ସକାଶେ ମାତାଙ୍କର ଅଧିକତର ଶାରୀରିକ ଓ ନୈତିକ ଶକ୍ତି ସଞ୍ଚିତ ହେବା ଆବଶ୍ୟକ । ମହତ୍ ଲୋକମାନଙ୍କ ମାତୃଗଣ ଅପରିମିତ ମାନସିକ ପରିଶ୍ରମ ଦ୍ୱାରା ସ୍ୱୀୟ ଜନନ ଶକ୍ତି ହ୍ରାସ କରି ପକାଇଥିଲେ ନିଶ୍ଚୟ ତାଦୃଶ ସନ୍ତାନର ଜନ୍ମଦାନରେ ଅକ୍ଷମ ହୋଇଥାନ୍ତେ

 

(୫) ଜନନ ଜନନୀ ସ୍ୱୋପାର୍ଜିତ ଜୀବନୀ ଶକ୍ତିର ଅପବ୍ୟୟ କଲେ ସନ୍ତାନମାନଙ୍କ ଜୀବନୀ ଶକ୍ତି ଅବଶ୍ୟ ହ୍ରାସପ୍ରାପ୍ତି ହୁଏ ।

 

(୬) ବିଖ୍ୟାତ ବିଶେଷଜ୍ଞମାନଙ୍କ ମତରେ ସ୍ତ୍ରୀ ମାନଙ୍କର ଶିକ୍ଷା ଯେଉଁ ପରିମାଣରେ ସୂକ୍ଷ୍ମ ହୁଏ, ସେମାନଙ୍କ ସନ୍ତାନଗଣ ସେହି ପରିମାଣରେ ଦୁର୍ବଳ ହୁଅନ୍ତି ।

 

ହାରବର୍ଟ ସ୍ପେନ୍‍ସର ତାହାଙ୍କ Principles of Biology ଗ୍ରନ୍ଥରେ ମସ୍ତିଷ୍କ ପରିଚାଳନା ଦ୍ୱାରା ସ୍ତ୍ରୀ ଜାତି ଅଂଶତଃ ଅଥବା ସମ୍ପୂର୍ଣ ରୂପୀ ବନ୍ଧ୍ୟାତ୍ୱ ପ୍ରାପ୍ତ ହୁଅନ୍ତି । ଏହି ପୁସ୍ତକର ଦ୍ୱିତୀୟ ଭାଗରେ ୪୮୫ ପୃଷ୍ଠାରେ ସ୍ପଷ୍ଟ ଲିଖିତ ଅଛି, "ଉଚ୍ଚଶ୍ରେଣୀ ମହିଳାମାନଙ୍କ ଖାଦ୍ୟ ନିମ୍ନଶ୍ରେଣୀ ସ୍ତ୍ରୀ ମାନଙ୍କ ଖାଦ୍ୟ ଅପେକ୍ଷା ଉତ୍କୃଷ୍ଟ ଏବଂ ଅନ୍ୟାନ୍ୟ ଶାରୀରିକ ନିୟମାଦି ସମ୍ପର୍କରେ ସେମାନେ ଶ୍ରେଷ୍ଠ, ଏହା ବିବେଚନା କଲେ ସେମାନଙ୍କର ଜନଶକ୍ତିର ହ୍ରାସ କେବଳ ମସ୍ତିଷ୍କ ପ୍ରସୂତ କହିଲେ ଅନ୍ୟାୟ ହେବନାହିଁ, କାରଣ ମସ୍ତିଷ୍କ ଉପରେ ଗୁରୁତର ଭାରଦେଲେ ଶାରୀରିକ କୁଫଳ ବେଶି ହୋଇଥାଏ । ଏହି ଜନନ ଶକ୍ତିର ହ୍ରାସପ୍ରାପ୍ତି କେବଳ ଯେ ସେମାନଙ୍କର ବନ୍ଧ୍ୟାତୃ ଦ୍ୱାରା ପ୍ରମାଣିତ ହୁଏ, ଏ ରୂପ ନୁହେଁ ଅପେକ୍ଷାକୃତ ଅଳ୍ପ ବୟସରେ ଜନନ ଶକ୍ତିର ବିଲୋପ ଏବଂ ସନ୍ତାନମାନଙ୍କୁ ସ୍ତନ୍ୟପାନର ଅକ୍ଷମତାରେ ମଧ୍ୟ ପ୍ରକାଶିତ ହୋଇଥାଏ । ଜନନଶକ୍ତିର ପ୍ରକୃତ ଅର୍ଥ ସୁସ୍ଥ ସନ୍ତାନ ପ୍ରସବ ଓ ସ୍ୱାଭାବିକ କାଳ ପର୍ଯ୍ୟନ୍ତ ତାହାକୁ ସ୍ତନ୍ୟପାନର କ୍ଷମତା । ଅତି ଶିକ୍ଷିତ ମହିଳାଗଣଙ୍କ ମଧ୍ୟରେ ଯେଉଁମାନେ ଶିକ୍ଷାର ଗଣ୍ଡି ଅତିକ୍ରମ କରିବାକୁ କ୍ଷମ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଏହି କ୍ଷମତା ନାହିଁ । କୃତ୍ରିମ ସହାୟ ବ୍ୟତୀତ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଯେ କେତୋଟି ସନ୍ତାନ ପ୍ରସବ ଓ ପାଳନ କରିବାକୁ କ୍ଷମ, ତଦ୍ଦ୍ୱାରା ସେମାନଙ୍କର ଉତ୍ପାଦିକା ଶକ୍ତି ପରମିତ ହେଲେ ସେମାନଙ୍କୁ ଅପେକ୍ଷାକୃତ ଜନନ-ଶକ୍ତି-ବିହୀନ କରିବାକୁ ହେବ ।"

 

ଏହା ଏବଂ ଏହିପରି ଅନ୍ୟାନ୍ୟ ଅନେକ ବିବରଣରୁ ଅନୁମତି ହୁଏ ଯେ, ଉଚ୍ଚଶିକ୍ଷାର ପ୍ରତିଯୋଗିତା ଏବଂ ପରୀକ୍ଷାର ଆଧିକ୍ୟ ହେତୁରୁ ଯେଉଁ ଗୁରୁତର ମାନସିକ ପରିଶ୍ରମ ହୁଏ, ତହିଁରେ ବାଳକ ଅପେକ୍ଷା ବାଳିକାମାନଙ୍କର ଅଧିକତର ଅନିଷ୍ଟ ହୋଇଥାଏ । ଈଦୃଶ୍ୟ ପରିଶ୍ରମ କେତେକ ପୁରୁଷାନୁକ୍ରମେ ଚାଲିଲେ ସ୍ତ୍ରୀ ଜାତି ମାତୃତ୍ୱର କର୍ତ୍ତବ୍ୟ ପ୍ରତିପାଳନରେ ସମ୍ପୂର୍ଣ ଅକ୍ଷମ ହୋଇଯିବେ । ସୂକ୍ଷ୍ମ ବିଜ୍ଞାନ ସମ୍ମତ ଶିକ୍ଷା ପ୍ରଣାଳୀ ପୁରୁଷ ଜାତି ଅପେକ୍ଷା ସ୍ତ୍ରୀ ଜାତି ପକ୍ଷରେ ଅଧିକତର ବିପଦଜନକ । କାରଣ ସ୍ତ୍ରୀମାନଙ୍କୁ ଅଧିକ ସମୟ ବସି କାର୍ଯ୍ୟ କରିବାକୁ ହୋଇଥାଏ । ଏହି ସକାଶେ ସେମାନେ ମାନସିକ ଶ୍ରମରେ ଅଧିକ ସମୟ ନିୟୋଜିତ କରନ୍ତି ଏବଂ ଅଧିକ ମନଯୋଗ ଦେଇଥାନ୍ତି । କେବଳ ମାନସିକ ପରିଶ୍ରମ ନୁହେଁ, ସୀମାବଦ୍ଧ ସ୍ଥାନରେ ଅବସ୍ଥିତ ନିକୃଷ୍ଟ ଖାଦ୍ୟ, ଅପ୍ରଚୁର ବ୍ୟାୟାମ ପ୍ରଭୃତିରେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ନଷ୍ଟ ହୁଏ । ବଂଶାନୁକ୍ରମିକତାରେ ଏଥିରୁ ଭୟଙ୍କର କୁଫଳ ପ୍ରସୂତ ହେବ । କାରଣ ଯେଉଁ ସମସ୍ତ ଉଚ୍ଚ ଶିକ୍ଷିତା ମହିଳା ଗଣ ଭବିଷ୍ୟଦ ବଂଶୀୟମାନଙ୍କ ଉନ୍ନତ ବିଧାନର ଆଶାସ୍ଥଳ ସେମାନେ କ୍ରମଶଃ ମାତୃପଦର ସମ୍ପୂର୍ଣ ଅନୁପଯୁକ୍ତ ହୁଅନ୍ତି ଅଥବା ରୁଗ୍‍ଣ ସନ୍ତାନ ପ୍ରସବ କରନ୍ତି; କିନ୍ତୁ ଅପେକ୍ଷାକୃତ ଅଳ୍ପଶିକ୍ଷିତ ସୁସ୍ଥକାୟ ରମଣୀବୃନ୍ଦ ମାନବ ଜାତିକୁ ବିଲୋପ ମୁଖରୁ ରକ୍ଷା କରନ୍ତି ।

 

ହାରବଟ୍ ସ୍ପେନସରଙ୍କ Education ନାମକ ଗ୍ରନ୍ଥର ୧୮୭ ପୃଷ୍ଠାରେ ଲିଖିତ ଅଛି, ମାତୃଗଣ କନ୍ୟାମାନଙ୍କୁ ପୁରୁଷ ଜାତିଙ୍କ ଚିତ୍ତାକର୍ଷକ କରିବାକୁ ସେମାନଙ୍କର ସ୍ୱାସ୍ଥ୍ୟ ନଷ୍ଟ କରିବାକୁ ସେମାନଙ୍କର ସ୍ୱାସ୍ଥ୍ୟ ନଷ୍ଟ କରି ସେମାନଙ୍କୁ ଯେଉଁ ମାନସିକ ଶିକ୍ଷା ପ୍ରଦାନ କରିବାକୁ ପ୍ରୟାସୀ ହୋଇଥାନ୍ତି ଏତଦପେକ୍ଷା ଅନିଷ୍ଟକର ବିଷୟ ଆଉ କିଛି ନାହିଁ । ସେମାନେ ହୁଏତ ପୁରୁଷମାନଙ୍କ ରୁଚି ଆଡ଼କୁ ଲକ୍ଷ୍ୟ କରନ୍ତି ନାହିଁ, ନତୁବା ତତ୍ ସମ୍ବନ୍ଧରେ ଭ୍ରାନ୍ତ ଧାରଣା ପୋଷଣ କରନ୍ତି । ପୁରୁଷ କେବଳ ବିଦୁଷୀ ପତ୍ନୀର ପ୍ରାର୍ଥୀ ନୁହନ୍ତି; କିନ୍ତୁ ଶାରୀରିକ ସୌନ୍ଦର୍ଯ୍ୟ, ସତ ପ୍ରକୃତ ଓ ସଦ୍‍ବୁଦ୍ଧିର ପକ୍ଷପାତୀ । କେଉଁ ପୁରୁଷ ଇଟାଲୀୟ ଅଥବା ଜର୍ମାନ୍ ଭାଷାବିଜ୍ଞ ବୋଲି କେଉଁ ରମଣୀର ପାଣିପୀଡ଼ନ କରିଅଛନ୍ତି ? କିନ୍ତୁ ରକ୍ତିମ ଗଣ୍ଡ ଏବଂ ହାସ୍ୟୋତଫୁଲ୍ଲ ନୟନ ସମସ୍ତଙ୍କର ଚିତ୍ତାକର୍ଷକ, ପରିପୂର୍ଣ ସ୍ୱାସ୍ଥ୍ୟପ୍ରସୂତ ଶାନ୍ତ ସ୍ୱଭାବ ଓ ପ୍ରଫୁଲ୍ଲ ପ୍ରକୃତି ପୁରୁଷମାତ୍ରକେ ସମସ୍ତଙ୍କର ମନୋହରଣ କରିବାକୁ ସମର୍ଥ । ସମସ୍ତେ ଏଭଳି କେତେଗୁଡ଼ିଏ ଘଟନା ଅବଗତ ଅଛନ୍ତି, ଯେଉଁ ସ୍ଥଳରେ ଅନ୍ୟ କୌଣସି ଗୁଣର ଅସ୍ତିତ୍ୱ ବ୍ୟତୀତ କେବଳ ଶାରୀରିକ ସୌନ୍ଦର୍ଯ୍ୟ ଗାଢ଼ ପ୍ରଣୟନ ଉଦ୍ରେକ କରିଅଛି । କିନ୍ତୁ କେହି ଏଭଳି ଦୃଷ୍ଟାନ୍ତ ଦେଖାଇ ପାରିବେ ନାହିଁ, ଯେଉଁ ଠାରେ ନୈତିକ ଅଥବା ଶାରୀରିକ ସୌନ୍ଦର୍ଯ୍ୟ ବ୍ୟତୀତ କେବଳ ପାଣ୍ଡିତ୍ୟଦ୍ୱାରା ପୁରୁଷର ଚିତ୍ତରେ ପ୍ରଣୟନ ସଞ୍ଚାର ହୋଇଅଛି । ଯେଉଁ ସମସ୍ତ ଗୁଣ ସମବାୟରେ ପ୍ରଣୟର ସୃଷ୍ଟି ହୁଏ, ଦୈହିକ ସୁଷମାହିଁ ତନ୍ମଧ୍ୟରେ ପ୍ରଧାନ; ନୈତିକ ଗୁଣାବଳୀ ଦ୍ଵିତୀୟ, ବୁଦ୍ଧିବୃତ୍ତିର ଉତ୍କର୍ଷ ତୃତୀୟ ଓ ସର୍ବାପେକ୍ଷା ଦୁର୍ବଳ ଏବଂ ଏ ସ୍ଥଳରେ ମଧ୍ୟ ଅୟାସ ଲବ୍ଧ ପାଣ୍ଡିତ୍ୟ ଅପେକ୍ଷା ସ୍ୱାଭାବିକ ଅନ୍ତର୍ଦୃଷ୍ଟି, ରସିକତା ଏବଂ ଦୃଢ଼ ବୋଧଶକ୍ତି ଅଧିକତର ଚିତ୍ତାକର୍ଷକ । ଯେବେ କେହି କହନ୍ତି, ଏକଥା ଠିକ୍ ନୁହେଁ ଏବଂ ବାସ୍ତବିକ ଏଭଳି ହେଲେ ପୁରୁଷ ଚରିତ୍ର ନିନ୍ଦନୀୟ; ତାହେଲେ ସେ କିଛି ଜାଣନ୍ତି ନାହିଁ । ପ୍ରକୃତିର ମହତ୍ତମ ଉଦ୍ଦେଶ୍ୟ—ଭବିଷ୍ୟଦ ବଂଶୀୟମାନଙ୍କ ହିତ ସାଧନ । ଭବିଷ୍ୟଦ୍ ବଂଶୀୟଗଣଙ୍କ ପକ୍ଷରେ ରୁଗ୍‍ଣ ଦେହ ବିଶିଷ୍ଟା ମାର୍ଜିତ ବୁଦ୍ଧି ନାରୀଗଣ ଅକର୍ମଣ୍ୟ, କାରଣ ଦୁଇ ଚାରି ପୁରୁଷରେ ସେମାନଙ୍କର ବଂଶ ବିଲୁପ୍ତ ହେବାର ସମ୍ଭାବନା । ପକ୍ଷାନ୍ତରରେ ମାନସିକ ଗୁଣ ବର୍ଜିତ ସୁସ୍ଥକୟ ନାରୀଗଣ ରକ୍ଷଣୀୟ, କାରଣ ଭବିଷ୍ୟତରେ ସେମାନଙ୍କ ବଂଶଧରଗଣଙ୍କ ମାନସିକ ବୃତ୍ତି ନିଶ୍ଚୟ ଅତୁଳ ବିଭବଶାଳୀ ହୋଇପାରେ । ଅତଏବ ଅଯଥା ପାଣ୍ଡିତ୍ୟ ଦ୍ୱାରା ବାଳିକାମାନଙ୍କ ସ୍ମରଣ ଶକ୍ତି ଭାରାକ୍ରାନ୍ତ କରିବାପାଇଁ ସେମାଙ୍କର ଶାରୀରିକ ଅନିଷ୍ଟ ସାଧନ ନିତାନ୍ତ ମୂର୍ଖତାର କାର୍ଯ୍ୟ ।"

 

ତେବେ ସ୍ତ୍ରୀ ଶିକ୍ଷା କ’ଣ ଅନ୍ୟାୟ ? ତାହା ନୁହେଁ । ସେମାନଙ୍କର ଶକ୍ତି ଅନୁସାରେ ଯଥାସମ୍ଭବ ଶିକ୍ଷା ପ୍ରଦାନ ଆମ୍ଭମାନଙ୍କର ଅବଶ୍ୟ କର୍ତ୍ତବ୍ୟ । ମାତ୍ର ଶିକ୍ଷା ଏକ ବିଷୟ ଏବଂ ମାନସିକ ବୃତ୍ତି ସମୂହର ଅପଚୟ ଆଉ ଗୋଟିଏ ବିଷୟ । ଶିକ୍ଷାର, ବିଶେଷତଃ ସ୍ତ୍ରୀ ଶିକ୍ଷାର ଉଦ୍ଦେଶ୍ୟ ଏହି ଯେ ଶିଶୁର ମାନସିକ ଶକ୍ତିର ଯଥାସମ୍ଭବ ଅଳ୍ପ ଅପଚୟ କରି ତାହାକୁ ଯଥାସମ୍ଭବ ଅଧିକ ପ୍ରୟୋଜନୀୟ ବିଦ୍ୟା ଓ ଲଳିତକଳା ଶିକ୍ଷା ଦେବାକୁ ହେବ । ପାରିବାରିକ ଜୀବନରେ ସ୍ତ୍ରୀମାନଙ୍କର ଗୋଟିଏ କର୍ତ୍ତବ୍ୟ ରହିଛି । ଯାହା ସେମାନଙ୍କର କାହିଁରେ ଘୁଞ୍ଚାଇବାର ଉପାୟ ନାହିଁ । ସନ୍ତାନମାନଙ୍କର ନୈତିକ ଓ ଶାରୀରିକ ଶିକ୍ଷାର ଭାର ସେମାନଙ୍କ ଉପରେ ନ୍ୟସ୍ତ । ଏହି କାର୍ଯ୍ୟରେ ସ୍ତ୍ରୀ ଜାତିକୁ ସମ୍ପୂର୍ଣ୍ଣ ଉପଯୁକ୍ତ କରିବା ଏକାନ୍ତ ଆବଶ୍ୟକ । ସୁତରାଂ ବ୍ୟବହାରିକ ଶିକ୍ଷା ପ୍ରଣାଳୀ ଏବଂ ଗାର୍ହସ୍ଥ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ ଏହି ଦିଓଟି ବିଷୟର ଅଭିଜ୍ଞତା ସ୍ତ୍ରୀମାନଙ୍କ ପକ୍ଷରେ ନିତାନ୍ତ ଆବଶ୍ୟକ।

 

ସମାଜ ସମ୍ପର୍କରେ ସ୍ତ୍ରୀ ଜାତିର ଅନ୍ୟ ଗୋଟିଏ କର୍ତ୍ତବ୍ୟ ରହିଛି । ମାନବ ଜାତିର ଆଧ୍ୟାତ୍ମ୍ୟ ରାଜ୍ୟର ନାରୀ ହୃଦୟ ସର୍ବାପେକ୍ଷା ପ୍ରବଳତ୍ତମ ଭାବ ସମୂହର ଅବାସ ଭୂମି; ଯଥା-ଦୟା, ମମତା, ଆତ୍ମତ୍ୟାଗ ଏବଂ ପ୍ରରାର୍ଥପରତା । ନାରୀ ମୂର୍ତ୍ତିମତି, କରୁଣା ଦାୟାରୂପିଣୀ ଭଗିନୀ । ନାରୀ ନିକଟରେ ରାଜନୀତି ନିରସ ଓ ଅନୁପଯୋଗୀ, କିନ୍ତୁ ପରୋପକାର ତାର ଆୟତ୍ତାଧୀନ । ପରୋପକାରୀତା ସହିତ ଅର୍ଥନୀତି ଶାସ୍ତ୍ରର ଦୃଢ଼ ସମ୍ବନ୍ଧ । ଅତଏବ ଅର୍ଥନୀତି ଶାସ୍ତ୍ରରେ ସ୍ତ୍ରୀମାନଙ୍କର କିଞ୍ଚିତ ଅଭିଜ୍ଞତାର ପ୍ରୟୋଜନ ବୋଲିବା ବାହୁଲ୍ୟ, ଏକଥା ୟୁରୋପ ସମ୍ବନ୍ଧରେ ପ୍ରଯୋଜ୍ୟ । ଆମ୍ଭମାନଙ୍କ ଦେଶରେ ପରୋପକାର ବ୍ୟକ୍ତିଗତ ହିତ ସାଧନ । ୟୁରୋପରେ ତାହା କମ୍ କିନ୍ତୁ, ବିଶ୍ଵଜନୀନ ପ୍ରେମ କିମ୍ବା ସ୍ୱଦେଶ ହିତୈଷଣାଦ୍ୱାରା ପରୋପକାର ନିୟନ୍ତ୍ରିତ । ଅବଶ୍ୟ ଏତଦୁଭୟର ସମ୍ମିଳନୀରେ ପରୋପକାରିତାର ପ୍ରକୃତ ସଫଳତା ।

 

ମାନବ ହୃଦୟର ଉନ୍ନତ ସାଧନ ମାତାର ବିଶେଷ କାର୍ଯ୍ୟ । ମାତୃଭକ୍ତି ସର୍ବାପେକ୍ଷା ନିର୍ଦ୍ଦୋଷ ଓ ପ୍ରୟୋଜନୀୟ ଧର୍ମସାଧନ । ଅତଏବ ସର୍ବପ୍ରକାର ନୀତିଶିକ୍ଷା ସହିତ ମାତୃଭକ୍ତି ସମ୍ମିଳିତ କରିବା ମାତାର କର୍ତ୍ତବ୍ୟ । ମାତାର ମନୋବେଦନା ଶିଶୁ ଚିତ୍ତର ଏକମାତ୍ର ଆଶଙ୍କା । ମାତାର ହର୍ଷବିଷାଦହିଁ ଶିଶୁର ଏକମାତ୍ର ବିବେକ ବାଣୀ । ଶିଶୁ ହୃଦୟର ଏହି ମାତୃଭକ୍ତି ଭିତ୍ତିରେ ମାତା ସର୍ବବିଧ ହଚ୍ଚତମ ଭାବ ସମୂହର ବୀଜ ରୋପଣ କରେ ।

 

ଗୋଟିଏ କଥାରେ, ସ୍ତ୍ରୀ ଶିକ୍ଷା ସମ୍ବନ୍ଧରେ ଆମ୍ଭମାନଙ୍କୁ ଯୋଡ଼ିଏ ବିରୁଦ୍ଧ ତଥ୍ୟର ସାମଞ୍ଜସ୍ୟ ବିଧାନ କରିବାକୁ ହେବ । ଏକଆଡ଼େ ପୁରୁଷ ଅପେକ୍ଷା ଦୁର୍ବଳ ବୋଲି ତତୁଲ୍ୟ ମାନସିକ ପରିଶ୍ରମ କଲେ ସ୍ତ୍ରୀ ତାହାଭଳି ପୁନରାୟ ଶକ୍ତି ସଞ୍ଚୟରେ ଅକ୍ଷମ । ଅପରଆଡ଼େ ସ୍ତ୍ରୀ ପୁରୁଷର ସୁଜ୍ଞାନୀ ଏବଂ ସନ୍ତାନଗଣଙ୍କର ବାଲ୍ୟାବସ୍ଥାରେ ଶିକ୍ଷୟିତ୍ରୀ, ଅତଏବ ପୁରୁଷର କରଣୀୟ କିମ୍ବା ଜନୁନୀୟ କୌଣସି ବିଷୟରେ ତାହାର ସମ୍ପୂର୍ଣ ଅଜ୍ଞତା ବାଞ୍ଛନୀୟ ନୁହେଁ ।

 

ଅଧୁନା ବାଳକମାନଙ୍କର ମାନସିକ ଶ୍ରମର ବୃଦ୍ଧି ହେଉଛି ବୋଲି ବାଳିକାମାନଙ୍କ ପକ୍ଷରେ ମଧ୍ୟ ତଦ୍ରୂପ ହେଉଅଛି । କାଳେ ବାଳିକାମାନଙ୍କର ଶାରୀରିକ ଉନ୍ନତିରେ ବ୍ୟାଘାତ ସୃଷ୍ଟିହେବ, ଏହି ଆଶଙ୍କାରେ ପିତାର ମସ୍ତିଷ୍କ ପରିଚାଳନ ଦ୍ୱାରା ସନ୍ତାନର ଯେଉଁ ଅନିଷ୍ଟ ହୁଏ, ମାତାର ସ୍ୱାସ୍ଥ୍ୟ ଦ୍ୱାରା ସେହି କ୍ଷତି ପୂରଣର ଆଶାରେ ବାଳିକାମାନଙ୍କର ମାନସିକ ପରିଶ୍ରମ ଏକାବେଳକେ ବନ୍ଦ କରିବାର ଚେଷ୍ଟା ବୃଥା ସ୍ୱପ୍ନ ମାତ୍ର । ସନ୍ତାନ ପିତାମାନଙ୍କର ଭଲମନ୍ଦ ଉଭୟବିଧ ପ୍ରକୃତିର ଉତ୍ତରାଧିକାରୀ ହେବ । ଯେଉଁ ମାତା ସ୍ୱୀୟ ସନ୍ତାନକୁ ତାଙ୍କ ସବଳ ଶରୀରର ଉତ୍ତାରାଧିକାରୀ କରନ୍ତି, ସେ ତାହାକୁ ଗୋଟିଏ ଅମୂଲ୍ୟ ନିଧି ପ୍ରଦାନ କରନ୍ତି ସତ୍ୟ, ମାତ୍ର ଏହା ଉପରେ ଯେବେ ସେ ସନ୍ତାନର ସ୍ୱାଭାବିକ ସ୍ୱାସ୍ଥ୍ୟର ଉନ୍ନତିବିଧାନ କରିବାକୁ ଓ ବୁଦ୍ଧିବୃତ୍ତି, କର୍ମଠତା ଏବଂ ଇଚ୍ଛାଶକ୍ତିର ଉପଯୁକ୍ତ ବିକାଶ ସାଧନାରେ କ୍ଷମ ହୁଅନ୍ତି, ତାହାହେଲେ ତାଙ୍କର ଦାନର ମୂଲ୍ୟ ଦ୍ଵିଗୁଣିତ ହୁଏ । ପ୍ରଥମୋକ୍ତ ଅପେକ୍ଷା ଶେଷୋକ୍ତ କାର୍ଯ୍ୟ କଠିନ । ଭବିଷ୍ୟତ ସନ୍ତାନମାନଙ୍କ ମଙ୍ଗଳାମଙ୍ଗଳ ପ୍ରତି ଦୃଷ୍ଟି ପକାଇବା ପୂର୍ବରୁ ନାରୀର ସ୍ୱୀୟ ହିତାହିତ ଦେଖିବା କର୍ତ୍ତବ୍ୟ । କିନ୍ତୁ ଅତିରିକ୍ତ ଭବିଷ୍ୟଦଶୀ ହେଲେ କିଛିହିଁ ଦୃଷ୍ଟିଗୋଚର ହେବନାହିଁ । ଯେଉଁମାନେ କେବଳ ବାଳିକାମାନଙ୍କ ସୌନ୍ଦର୍ଯ୍ୟ କଥା ଭାଳନ୍ତି, ସେମାନଙ୍କର ସ୍ମରଣ ରଖିବା ଉଚିତ୍ ଯେ, ଅବସର ସମ୍ପନ୍ନା ରମଣୀମାନଙ୍କର ବୃଦ୍ଧି ବୃତ୍ତି ନିଯୋଗର ଉପଯୁକ୍ତ ପନ୍ଥା ଥିବା ନିତାନ୍ତ ଆବଶ୍ୟକ । କାରଣ ପକୃତି ସେମାନଙ୍କୁ ଯଥେଷ୍ଟ ଧୀଶକ୍ତି ପ୍ରଦାନ କରିଅଛନ୍ତି ଏବଂ ତାହା ସତ୍‍ପଥରେ ନିଯୋଜିତ ନହେଲେ ନିଶ୍ଚୟ ନାନାବିଧ ଅକିଞ୍ଚିତ୍‍କର କାର୍ଯ୍ୟ ଓ ଅହିତକର ଆମୋଦପ୍ରମୋଦ ଆଡ଼କୁ ଧାବିତ ହେବ । ଚିନ୍ତାଶାଳୀ ଓ ଉନ୍ନତ ଜୀବନଯାପନରେ ଜୀବନୀଶକ୍ତିର ଯେତେଦୂର ଅପଚୟ ସମ୍ଭବ, ଆଳସ୍ୟମୟ ଜୀବନଯାପନରେ ତାହାର ଆଶଙ୍କା ତଦପେକ୍ଷା କମ୍‍ ନୁହେଁ । ବିଶେଷତଃ ବୃଦ୍ଧି ବୃତ୍ତି ବିକାଶ ସଙ୍ଗରେ ନୈତିକ ଗୁଣଗୁଡ଼ିକ ମଧ୍ୟ ଉନ୍ନତ ଲାଭ କରେ । କେବଳ ସଙ୍ଗିନୀର ରୂପଲାବଣ୍ୟ ଶିକ୍ଷିତ ପତିଙ୍କୁ ବହୁକାଳ ସନ୍ତୁଷ୍ଟ ରଖିପାରେ ନାହିଁ । ସର୍ବଦା ଏକତ୍ର ବାସରେ ଦୈହିକ ଲାବଣ୍ୟପ୍ରିୟତା କମିଯାଏ । କିନ୍ତୁ ନୈତିକ ଗୁଣରାଜି କେବେହେଁ ବିରକ୍ତି ଉତ୍ପନ୍ନ କରେନାହିଁ । ଶିକ୍ଷିତା ମହିଳାର ଉନ୍ନତ ଅନ୍ତଃକାରଣ ଅଲକ୍ଷରେ ଚିରାଧିପତ୍ୟ ସ୍ଥାପନ କରିଥାଏ । ଅନେକ ପୁତ୍ର ମାତୃ- ଅନୁକାରୀ ହୋଇଥାନ୍ତା । ସୁତରାଂ ମାତାର ନୈତିକ ଓ ମାନସିକ ଉନ୍ନତି ପୁତ୍ରର ଚାରିତ୍ରିକ ଉନ୍ନତି ପକ୍ଷରେ ଏକାନ୍ତ ପ୍ରୟୋଜନୀୟ । ଏହି ସମସ୍ତ ବିବେଚନା କରି ଦେଖିଲେ ଏହାହିଁ ପ୍ରତିପନ୍ନ ହୁଏ ଯେ, ସ୍ତ୍ରୀ ଶିକ୍ଷାପ୍ରାଣାଳୀର ସଂଶୋଧନ ଆବଶ୍ୟକ, ମାତ୍ର ତାହା ରହିତ କରିବା ସମ୍ପୂର୍ଣ୍ଣ ଅନୁଚିତ-। ବାଳକ ବାଳିକା ଉଭୟଙ୍କୁ ଆମ୍ଭେମାନେ ଅତିରିକ୍ତ ମାନସିକ ଶ୍ରମର ବଶୀଭୂତ କରୁଅଛୁଁ, ଅଥଚ ତଦ୍ଦ୍ୱାରା ସେମାନଙ୍କର ଶାରୀରିକ ବଳରେ ଯେଉଁ ହ୍ରାସ ହେଉଅଛି, ତଦ୍‍ବିଷୟରେ ଯଥେଷ୍ଟ ମନୋଯୋଗ ପ୍ରଦାନ କରୁନାହିଁ । ଉପଯୁକ୍ତ ପାଥେୟ ନଘେନି ଦୂରଦେଶ ଯାତ୍ରାର ଯେଉଁ ଫଳ, ଏହା ମଧ୍ୟ ସେହିଭଳି । ପ୍ରାୟ ସର୍ବତ୍ର ସ୍ୱାସ୍ଥ୍ୟ ଅନେକ କୁନିୟମ ପ୍ରଚଳିତ ଏବଂ ଏ ବିଷୟରେ ବାଳିକାମାନେ ପ୍ରାୟତଃ ଅଜ୍ଞ, ଏହି ହେତୁରୁ ଶାରୀରିକ ଓ ମାନସିକ ଉଭୟବିଧ ଉନ୍ନତି ପ୍ରୟାସିନୀ ବାଳିକାମାନଙ୍କର ଶାରୀରିକ ଅଧଃପତନ ଏତେ ବେଶି । ଏହାର ପ୍ରତିକାର ସହଜ-। ଯେବେ ବାଳିକାମାନଙ୍କୁ କୌଣସି ନିୟମ ଅବଶ୍ୟ ପାଳନୀୟ ବୋଲି ଶିକ୍ଷା ପ୍ରଦତ୍ତ ହୁଏ, ତେବେ ତାହା ପୁଙ୍ଖାନୁପୁଙ୍ଖରୂପେ ପାଳନ କରିବାକୁ ସେମାନେ ପୁରୁଷ ଅପେକ୍ଷା ଅଧିକତର ଯତ୍ନଶୀଳ ହୁଅନ୍ତି-ବାଳିକାମାନଙ୍କୁ ଘରକରଣା ଶିଖାଇବା ଭଳି ସ୍ୱାସ୍ଥ୍ୟରକ୍ଷାର ସହଜ ନିୟମଗୁଡ଼ିକ ଦେଖାଇଲେ ସେମାନେ ଯେପରି ବାସନ ପ୍ରଭୃତିରେ ସାମାନ୍ୟ ମଇଳା ଦେଖିପାରନ୍ତି ନାହିଁ ସେହିପରି ସେହି ନିୟମ ଗୁଡ଼ିକର ସାମାନ୍ୟ ବ୍ୟତିକ୍ରମ ସୁଦ୍ଧା ଦେଖିପାରିବେ ନାହିଁ

 

ଯେଉଁ ସମସ୍ତ ବିଷୟରେ ମନ ସହଜରେ ଆକୃଷ୍ଟ ହୁଏ ନାହିଁ—ଏଭଳି ଅପ୍ରଯୋଜିନୀୟ ବିଷୟସମୂହ ଶିକ୍ଷା ଦ୍ୱାରା ସ୍ତ୍ରୀ ଜାତିର ମସ୍ତିଷ୍କ ଭାରକ୍ରାନ୍ତ କରିବା ଉଚିତ୍ ନୁହେଁ । ଯେଉଁ ସମସ୍ତ ବାଳିକାଙ୍କ ଭବିଷ୍ୟତ ଜୀବନର ଗତି ପୂର୍ବରୁ ନିର୍ଦ୍ଦିଷ୍ଟ ନଥାଏ, ସେମାନଙ୍କୁ ବହୁ କ୍ଳେଶ ମଧ୍ୟରେ ବୃଥା ପାଣ୍ଡିତ୍ୟପୂର୍ଣ୍ଣ ନକରି ପ୍ରୟୋଜନୀୟ ଶିକ୍ଷଣୀୟ ବିଷୟ ସମୂହର ଗୋଟିଏ ସ୍ଥୂଳ ଧାରଣା ପ୍ରଦାନ କରିବା କର୍ତ୍ତବ୍ୟ ଏହିପରି ଗୋଟିଏ ସ୍ଥୂଳଶିକ୍ଷାର ଉଦ୍ଦେଶ୍ୟ ଏହି ଯେ, ଆବଶ୍ୟକ ହେଲେ ଯେ କୌଣସି ପ୍ରୟୋଜନୀୟ ବିଷୟ ସେମାନେ ସହଜରେ ଆୟତ୍ତ କରିପାରିବେ । ବାଳକମାନଙ୍କ ଭବିଷ୍ୟତ ଜୀବନ ଅଧିକ ନିଶ୍ଚିନ୍ତ । ସ୍ତ୍ରୀଙ୍କୁ ସ୍ୱାମୀଙ୍କ କାର୍ଯ୍ୟରେ ସହାୟତା ସମ୍ଭବ ହୋଇପାରେ । ସନ୍ତାନଗଣଙ୍କର ପ୍ରାଥମିକ ଶିକ୍ଷାର ଭାର ଗ୍ରହଣ ଆବଶ୍ୟକ ହୋଇପାରେ । କାହାର କେତେବେଳେ କେଉଁ ଅବସ୍ଥା ହେବ ତାହାର ନିଶ୍ଚୟତା ନାହିଁ । ସମଗ୍ର ପରିବାରର ପ୍ରତିପାଳନ ଭାର ମଧ୍ୟ କୌଣସି ସ୍ତ୍ରୀଙ୍କ ସ୍କନ୍ଧରେ ପଡ଼ିପାରେ । କିନ୍ତୁ ଏହା ସ୍ପଷ୍ଟ ରୂପେ ବୁଝିବା ଆବଶ୍ୟକ ଯେ, ସମସ୍ତ ବିଷୟରେ ବାଳିକାମାନଙ୍କୁ ପଣ୍ଡିତ କରାଇବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ହେବା ଅନୁଚିତ, ଆମ୍ଭମାନଙ୍କର ଉଦ୍ଦେଶ୍ୟ—ଆବଶ୍ୟକ ହେଲେ ସମସ୍ତ ବିଷୟ ଶିକ୍ଷା କରିବେ, ସେମାନଙ୍କର ମନ ଏପରିଭାବେ ଗଠିତ କରିବା । ବାସ୍ତବ ଜୀବନର ପ୍ରୟୋଜନ ସାଧନାରେ ଆମ୍ଭମାନଙ୍କୁ ଅଧିକତର ଉପଯୋଗୀ କରିବାହିଁ ଶିକ୍ଷାର ଉଦ୍ଦେଶ୍ୟ । ଅତଏବ ସ୍ତ୍ରୀ ଜାତି ଅତିମାର୍ଜିତ ରୁଚି ଏବଂ ଅଯଥା ପାଣ୍ଡିତ୍ୟ ପରିହାରପୂର୍ବକ ଦୃଢ଼ତର ନୀତିଜ୍ଞାନ, ଶାରୀରିକ ପରିଶ୍ରମ କ୍ଷମତା, ଇଚ୍ଛାଶକ୍ତିର ବଳାଧାନ, ସାଂସାରିକ ଜ୍ଞାନର ପରିପକ୍ଵତା ଓ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବାର କ୍ଷମତା ଶିକ୍ଷାର ପ୍ରୟୋଜନ ।

 

ଉତ୍କଳର ଜଣେ ଶିକ୍ଷା ବିଭାଗୀୟ ସୁପ୍ରସିଦ୍ଧ ପ୍ରବୀଣ କର୍ମଚାରୀ ବଙ୍ଗୀୟ ନାରୀ ସମାଜର ଶିକ୍ଷିତ ମହିଳାମାନଙ୍କୁ ଦେଖି ଥରେ ସ୍ପଷ୍ଟ କହିଥିଲେ, "ଏମାନଙ୍କୁ ଯାହା ଶିକ୍ଷା ପ୍ରଦତ୍ତ ହେଉଅଛି, ତାହା ପରବର୍ତ୍ତୀ ଜୀବନରେ ସେମାନଙ୍କର କୌଣସି କାର୍ଯ୍ୟରେ ଆସିବ ନାହିଁ । ନାହିଁ । ଅଥଚ ଯାହା ସର୍ବାପେକ୍ଷା ଆବଶ୍ୟକ—ମାତୃତ୍ୱର ଉପଯୋଗିତା, ତତ୍ ସମ୍ୱନ୍ଧରେ ଏମାନଙ୍କୁ କିଛି ହିଁ ଶିକ୍ଷା ପ୍ରଦତ୍ତ ହେଉନାହିଁ । ଏମାନଙ୍କୁ ରୀତିମତ ପାଠ ପଢ଼ାଇ ଗୋଟିଏ ଗୋଟିଏ ଚଳତ୍‍ଶକ୍ତି ବିଶିଷ୍ଟ ବିଶ୍ୱକ୍ଷେତ୍ରରେ ପରିଣତ କରି କଣ ହେବ ? ପ୍ରକୃତ ପକ୍ଷରେ ସମାଜର ଉପଯୋଗୀ ରମଣୀ ଗଠିତ ହେବାହିଁ ଶିକ୍ଷିତା ନାରୀର ମର୍ଯ୍ୟାଦା ।"

 

ଏହି ଦୋଷ ବର୍ଜନର କେବଳ ଗୋଟିଏ ଉପାୟ ରହିଛି । ବର୍ତ୍ତମାନ ସମୟରେ ବାଳିକା ବିଦ୍ୟାଳୟରେ ଯେଉଁ ସମସ୍ତ ବିଷୟ ପଠିତ ହୁଏ ତାହାର ଅର୍ଦ୍ଧେକ ବର୍ଜନ କରି ସେହି ସ୍ଥାନରେ ସ୍ତ୍ରୀ ଜାତି ପକ୍ଷରେ ପ୍ରକୃତ ପ୍ରୟୋଜନୀୟ କେତେଗୁଡ଼ିଏ ବିଷୟ ନିର୍ବାଚନ କରିବା ।

 

ବାଳିକା ବିଦ୍ୟାଳୟରେ ପରୀକ୍ଷାର୍ଥୀନୀ ରମଣୀଙ୍କ ସଂଖ୍ୟା ଆମ୍ଭମାନଙ୍କ ଦେଶରେ ଅତି କମ୍ ଏବଂ ଦାରିଦ୍ରବଶତଃ ଆମ୍ଭମାନଙ୍କ ଦେଶର ମଧ୍ୟବିତ୍ତ ଶ୍ରେଣୀର ମହିଳାମାନଙ୍କୁ ସ୍ଵହସ୍ତରେ ଅନେକ ଗୃହକାର୍ଯ୍ୟ ସମ୍ପନ୍ନ କରିବାକୁ ହୁଏ । ଯେଉଁମାନେ କହନ୍ତି, ଆମ୍ଭମାନଙ୍କ ଦେଶରେ ସ୍ତ୍ରୀ ଶିକ୍ଷା ଏକାବେଳକେ ନାହିଁ, ସେମାନେ ଗୋଟିଏ କଥା ବିସ୍ମୃତ ହୋଇଥାନ୍ତି । କେବଳ ପୁସ୍ତକସ୍ତ ବିଦ୍ୟାହିଁ ବିଦ୍ୟା ନୁହେଁ, ଶିକ୍ଷାର ଅନ୍ୟାନ୍ୟ ଉପାୟ ମଧ୍ୟ ରହିଛି । ଆମ୍ଭମାନଙ୍କ ଦେଶର ପୁରୁଷମାନଙ୍କ ଶିକ୍ଷା ସହିତ ସ୍ତ୍ରୀ ଲୋକଙ୍କୁ ବାଧ୍ୟହୋଇ କିଞ୍ଚିତ୍ ଶିକ୍ଷାଲାଭ କରିବାକୁ ହେଉଅଛି—ଶିକ୍ଷିତ ବର ଏକାବେଳକେ ଅଜ୍ଞ କନ୍ୟାକୁ ବିବାହ କରିବାକୁ ଅସମ୍ମତ । ସ୍ତ୍ରୀମାନଙ୍କୁ କ୍ରମଶଃ ଏହି ରୂପେ ଅଧିକତର ଶିକ୍ଷିତ ହେବାକୁ ପଡ଼ିବ । କିନ୍ତୁ ଅବରୋଧ, ଏକାନ୍ତବର୍ତ୍ତୀତ୍ୱ ଓ ଅକାଳମାତୃତ୍ଵ ଯୋଗୁଁ ବିବାହ ଉତ୍ତାରୁ ବଧୂମାନଙ୍କ ପୁସ୍ତକଗତ ଶିକ୍ଷା ଅନେକ ସ୍ଥଳରେ ଏକାବେଳକେ ବନ୍ଦ ହୋଇଯାଏ-। ତଥାପି ଆଉ ଏପ୍ରକାର ଶିକ୍ଷା ଚାଲୁଥାଏ । ଶିକ୍ଷିତ ସ୍ୱାମୀ, ଦେବର ଓ ପୁତ୍ରର ସଂସର୍ଗରେ ଅନ୍ତଃପୁରସ୍ଥା ମହିଳାବୃନ୍ଦ ଅଲକ୍ଷରେ ସେମାନଙ୍କର ଉନ୍ମତ ଭାବସମୂହ କିୟତ୍‍ପରିମାଣରେ ହେଲେ ଆୟତ୍ତ କରନ୍ତି ଏବଂ ସେମାନଙ୍କୁ ଦେଖି ସ୍ୱୀୟ ପ୍ରକୃତି ଓ ରୀତିନୀତି କେତେକ ଅଂଶରେ ସଂଶୋଧନ କରନ୍ତି । ଆମ୍ଭମାନଙ୍କ ଦେଶରେ ପୁସ୍ତକଗତ ବିଦ୍ୟା ବ୍ୟତୀତ, ଅନେକ ମହିଳା ଯେପରି ମାର୍ଜିତ ରୁଚି, ଉନ୍ନତ ଆଦର୍ଶ ଓ ଉଦାର ଚରିତ୍ରର ପରିଚୟ ଦିଅନ୍ତି, ତାହା ଅନେକ ଶିକ୍ଷିତ ମହୋଦୟଗଣଙ୍କର ଶୁଦ୍ଧା ଆକର୍ଷଣ କରିଥାଏ । ତଥାପି ଏଭଳି ଅଜ୍ଞଶିକ୍ଷା ଯଥେଷ୍ଟ ବୋଲି ବିବେଚିତ ହୋଇ ନ ପାରେ । ଅନେକ ସ୍ଥଳରେ ରମଣୀମାନେ ଦୁଇ ଚାରି ପୃଷ୍ଠା ଓଲଟାଇବାକୁ ଶିକ୍ଷା କରି ବିବାହିତ ହୁଅନ୍ତି ଏବଂ ଯଥେଷ୍ଟ ଶିକ୍ଷା ଓ ତଜ୍ଜାତ ନିର୍ବାଚନ କ୍ଷମତାର ଅଭାବରେ ବିବାହ ଉତ୍ତାରୁ କେବଳ ଅପାଠ୍ୟ ଓ ଅଶ୍ଳୀଳ ପୁସ୍ତକ ସମୂହର ଚର୍ଚ୍ଚା କରିବାକୁ ଭଲ ପାଆନ୍ତି । ପୁଣି ଗୃହକର୍ମର ଶିକ୍ଷା ଭାବପୁସ୍ତକ ଏବଂ ତଥାକଥିତ ବିଦ୍ୟାଗର୍ବରେ ସ୍ଫୀତ ହୋଇ ପାଚକତା ପ୍ରଭୃତି ଅତ୍ୟାବଶ୍ୟକ କର୍ତ୍ତବ୍ୟର ଅବହେଳା କରି ଏକମାତ୍ର ପରିଶ୍ରମରେ ଓ ବଜାର ମୂଲ୍ୟର ଦ୍ୱିଗୁଣ ବ୍ୟୟରେ ଏକଯୋଡ଼ା କାର୍ପେଟ୍‍ର ଜୋତା ପ୍ରସ୍ତୁତ କରି ପ୍ରଚୁର ଆତ୍ମପ୍ରସାଦ ଲାଭ କରିଥାନ୍ତି-। ସୁତରାଂ ଆମ୍ଭମାନଙ୍କ ଦେଶର ସ୍ତ୍ରୀମାନଙ୍କୁ ଶିକ୍ଷା ଦେବାକୁ ହେଲେ ଭଲରୂପେ ଶିକ୍ଷା ଦେବାହିଁ ପ୍ରୟୋଜନ । ଯାହା ପ୍ରକୃତ ପକ୍ଷରେ ଆବଶ୍ୟକ ସେହିପରି ବିଷୟ ଶିକ୍ଷା ଦେବାକୁ ଏବଂ ସର୍ବୋପରି ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟିରଖି ଶିକ୍ଷା ଦେବାକୁ ହେବ । ବିଶ୍ୱ ବିଦ୍ୟାଳୟର ହକ ପରୀକ୍ଷା ସମୂହରେ ପ୍ରତିଯୋଗିତା ସ୍ତ୍ରୀମାନଙ୍କ ଶରୀର ଏବଂ ମାତୃତ୍ଵ ପକ୍ଷରେ କେତେଦୂର କ୍ଷତିକାରକ ତାହା ହାର୍ବାର୍ଟ ସ୍ପେନସର କହିଛନ୍ତି । ସେଥିରେ ଅନେକଗୁଡ଼ିଏ ଅନାବଶ୍ୟକ ବିଷୟ ଶିଖିବାକୁ ହୁଏ ଏବଂ ସ୍ମୃତିଶକ୍ତ ଉପରେ ଅତ୍ୟଧିକ ଭାର ପଡ଼ିଥାଏ । ଏହା ନିଶ୍ଚିତ । ସ୍ତ୍ରୀମାନଙ୍କ ମଧ୍ୟରେ ଅତ୍ୟଳ୍ପ ସଂଖ୍ୟକ ରମଣୀ ହକଶିକ୍ଷା ଲାଭକଲେ ତହିଁରେ ଅନିଷ୍ଟ ହେବନାହିଁ—ମାତ୍ର ବହୁସଂଖ୍ୟଙ୍କ ରମଣୀଙ୍କର ହକଶିକ୍ଷା ଲାଭରେ ସମଗ୍ର ଜାତିର କ୍ଷତି ବ୍ୟତୀତ ଲାଭ ହେବ ନାହିଁ । ବିବାହ ବୟସର ବୁଦ୍ଧ ନ ହେଲେ ଏବଂ ସ୍ୱାମୀ ସ୍ତ୍ରୀର ଶିକ୍ଷାପ୍ରତି ଅଧିକତର ମନୋଯୋଗୀ ନ ହେଲେ ଆମ୍ଭମାନଙ୍କ ଦେଶରେ ସ୍ତ୍ରୀ ଶିକ୍ଷାର ସମ୍ପୂର୍ଣ୍ଣତା ପ୍ରତି ଆଶା କରିବା ବୃଥା । କିନ୍ତୁ ମୌନ ହୋଇ ବସି ରହିଲେ ଏହି ଆବଶ୍ୟକ ସଂସ୍କାରଗୁଡ଼ିକ ସଂଶୋଧିତ ହେବା କଠିନ । ଏକାବେଳେ ଆମୂଳ ସଂସ୍କାର ଚେଷ୍ଟା ମଧ୍ୟ ବିଫଳ ହେବ । ଯେପରି ରହିଅଛି ସେହି ଅବସ୍ଥାରେ ସ୍ତ୍ରୀ ଶିକ୍ଷାର ଉନ୍ନତ କଳ୍ପେ ଚେଷ୍ଠା କରିବା ଆବଶ୍ୟକ । ଏହି ପରି ସ୍ତ୍ରୀ ଜାତି ଅଧିକତର ଶିକ୍ଷିତ ହେଲେ ସେହି ସମସ୍ତ ସଂସ୍କାର ସ୍ୱତଃ ଆସିବ । ଅଧୁନା ସାଧାରଣତଃ ୧୨ । ୧୩ ବର୍ଷ ପୂର୍ବେ ବାଳିକାମାନଙ୍କର ବିବାହ ହେଉନାହିଁ । ଛଅବର୍ଷ ବୟସରୁ ବିଦ୍ୟାରମ୍ଭ କଲେ ବିବାହ ପୂର୍ବରୁ ୬ । ୭ ବର୍ଷ କାଳ ଶିକ୍ଷାର ସମୟ ରହିଥାଏ । ଏହି ସମୟ ମଧ୍ୟରେ ନିମ୍ନଲିଖିତ ବିଷୟ ସମୂହର ସ୍ଥୂଳ ଶିକ୍ଷାଦାନ ଅସମ୍ଭବ ନୁହେଁ—

 

୧)

ସ୍ୱାସ୍ଥ୍ୟରକ୍ଷା ।

୨)

ଲୋକ ସାହିତ୍ୟ ।

୩)

ପାଟୀ ଗଣିତ ଓ ବଜାର ହିସାବ ।

୪)

ଭାରତ ବର୍ଷର ଇତିହାସ ଓ ଭୂଗୋଳ ।

୫)

ଶିଶୁପାଳ ଓ ଶିଶୁଶିକ୍ଷା ପ୍ରଣାଳୀ ।

୬)

ପାକପ୍ରଣାଳୀ

୭)

ସାମାନ୍ୟ ସୀବନ କାର୍ଯ୍ୟ (କନ୍ଥା, ମାଣ୍ଡି ପ୍ରଭୃତି ସିଲାଇ, ମୋଜା ବୁଣିବା ଇତ୍ୟାଦି ।)

 

ଏହି କେତୋଟି ବିଷୟରେ ଶିକ୍ଷା ସମ୍ପୂର୍ଣ୍ଣ ହେଲେ ମଧ୍ୟବିତ୍ତ ଗୃହସ୍ଥମାନଙ୍କ ବାଳିକାଗଣଙ୍କର ଯଥେଷ୍ଟ ହେଲା ବୋଲିବା ବାହୁଲ୍ୟ, ସମସ୍ତ ଶିକ୍ଷା ମାତୃଭାଷାରେ ଦେବାକୁ ହେବ-। ଯେଉଁମାନେ ବିଶେଷ ଭାବରେ ଅବସ୍ଥାପନ୍ନ, ସେମାନେ ଏଥି ସହିତ ଆଉ କୌଣସି ଲଳିତ କଳା ଯଥା—ସଙ୍ଗୀତ, ଚିତ୍ରବିଦ୍ୟା ପ୍ରଭୃତି ଦେଖି ପାରନ୍ତି । ଏହା ମଧ୍ୟରେ ୬ଷ୍ଠ ଓ ୭ମ ବିଷୟ ଏ ଦେଶର ବାଳିକାମାନେ ବିଶେଷ ଶିକ୍ଷା ବ୍ୟତୀତ ଆୟତ୍ତ କରିପାରନ୍ତି । ପ୍ରଥମ, ତୃତୀୟ ଓ ଚତୁର୍ଥ ବିଷୟଗୁଡ଼ିକ ୬।୭ ବର୍ଷ ମଧ୍ୟରେ ଶିକ୍ଷା ପ୍ରଦାନର ସମ୍ଭାବନା । ନାରୀହୃଦୟ ସ୍ଵଭାବତଃ ଭାବପ୍ରବଣ ସୁତାରାଂ କବିତାରେ ସେମାନଙ୍କର ଚିତ୍ତ ସହଜରେ ଆକୃଷ୍ଟ ହୁଏ ଏବଂ କାବ୍ୟରେ ଯେତେ ସହଜରେ ହକ ଭାବନିଚୟ ହୃଦୟରେ ଦୃଢ଼ ପ୍ରୋଥିତ କରି ଦିଆଯାଏ, ଏଭଳି ଆଉ କୌଣସି ବିଷୟରେ ହେବାର ସମ୍ଭାବନା ନାହିଁ । ଚିତ୍ତ ଉଦାର ଏବଂ ରୁଚିମାର୍ଜିତ କରିବାକୁ କାବ୍ୟହିଁ ଅତୁଳ ଶକ୍ତିଶାଳୀ । ଏହି ସମସ୍ତ କାରଣରୁ କାବ୍ୟ ହକସ୍ଥାନ ଅଧିକାରର ଯୋଗ୍ୟ । ଅବଶ୍ୟ ୧୨।୧୩ ବର୍ଷ ବୟସର ବାଳିକା ସାହିତ୍ୟ ଗତ ସର୍ବବିଧ ହକ ଭାବସମୂହ ହୃଦୟରେ ଧାରଣା କରିବାକୁ ଅକ୍ଷମ; କିନ୍ତୁ ସେହି ସମୟ ମଧ୍ୟରେ ତାହାକୁ ଏହି ପରିମାଣରେ ଶିକ୍ଷିତା କରିବା ସମ୍ଭବ, ଯହିଁରେ ହକ ସାହିତ୍ୟ ଚର୍ଚ୍ଚାରେ ତାହାର ତୀକ୍ଷ୍ଣ ରୁଚି ଜନ୍ମିବ । ଶିଶୁପାଳ ଓ ଶିକ୍ଷା ପ୍ରଣାଳୀ ଭଲରୂପେ ବୁଝିବାକୁ ହେଲେ ମାପ ହେବା ଆବଶ୍ୟକ । କିନ୍ତୁ ତତ୍ ସମ୍ବନ୍ଧରେ ପୂର୍ବୋକ୍ତ ମନ୍ତବ୍ୟ ପ୍ରଯୋଜ୍ୟ-। ବିଶେଷତଃ ଆମ୍ଭମାନଙ୍କ ଦେଶରେ ଧାତ୍ରୀ ଅଥବା ଦାସୀର ବାହୁଲ୍ୟାଭାବରେ ଭଦ୍ର ଶ୍ରେଣୀର ବାଳିକାମାନଙ୍କର ସାନ ସାନ ଭାଇ ଭଉଣୀଙ୍କ ସେବା ଶୁଶ୍ରୂଷା କରିବାକୁ ହୋଇଥାଏ-। ସୁତରାଂ ୧୦।୧୨ ବର୍ଷର ବାଳିକା ଏ ବିଷୟରେ ନିତାନ୍ତ ଅଜ୍ଞାନ ଥାଏ । ବାଳିକାମାନଙ୍କର ପରୀକ୍ଷା ସମ୍ବନ୍ଧରେ କୌଣସି କଠୋର ନିୟମ ନ ଥିବାହିଁ ଭଲ ଏବଂ ପଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଯଥେଷ୍ଟ ଖେଳର ଅବସର ଦେବା କର୍ତ୍ତବ୍ୟ, ତା ହେଲେ ସ୍ୱାସ୍ଥ୍ୟହାନିର ସମ୍ଭାବନା ନ ଥାଏ-। ଅବସର ଅନେକ ପରିମାଣରେ ବ୍ୟାୟାମର କାର୍ଯ୍ୟ ହୁଏ । ଏହି ପ୍ରଣାଳୀରେ ଶିକ୍ଷା ହେଲେ ବିବାହ ଯୋଗ୍ୟା କନ୍ୟା ବିଦୁଷୀ ବୋଲି ପରିଗଣିତ ହେବ ନାହିଁ ସତ୍ୟ, (ଏହା ତେତେ ପ୍ରାର୍ଥନୀୟ କି ନାହିଁ, ସେ ବିଷୟରେ ସନ୍ଦେହ ରହିଛି) ! କିନ୍ତୁ ତାହାର ଭବିଷ୍ୟତ ଜୀବନରେ ପ୍ରୟୋଜନୀୟ ବିଷୟ ସମୂହର ଗୋଟିଏ ସ୍ଥୂଳ ଧାରଣା ଲାଭ ହେବ । ଉପଯୁକ୍ତ ସ୍ୱାମୀ ହସ୍ତରେ ପଡ଼ିଗଲେ ସେ ସେତେବେଳେ ତାହାକୁ ରୀତିମତ ଶିକ୍ଷିତା କରି ନେବ । ଏଭଳି ସ୍ତ୍ରୀ ଦୁର୍ଲଭ ନୁହନ୍ତି, ଯେଉଁମାନେ ବିବାହ ଉତ୍ତାରୁ ପତି କର୍ତ୍ତୃକ ବିଶେଷ ରୂପେ ଶିକ୍ଷିତା ହୋଇ ଅଛନ୍ତି । ଅନେକ ସ୍ୱାମୀ ପତ୍ନୀର ଘୋରତର ଅଜ୍ଞାତା ଦର୍ଶନରେ ନିରାଶ ହୋଇଥାନ୍ତି, କିଛିଦିନ ସେମାନଙ୍କୁ ଶିକ୍ଷା ଦାନର ଚେଷ୍ଟା କରି ସୁଦ୍ଧା ସାଫଲ୍ୟ ଲାଭ ଆୟାସ ସାଧ୍ୟ ଦେଖି ସେ ଚେଷ୍ଟା ପରିତ୍ୟାଗ କରନ୍ତି । ପତି ଯେବେ ପୂର୍ବ ନିର୍ଦ୍ଦିଷ୍ଟ ପ୍ରଣାଳୀରେ କିୟତ ପରିମାଣରେ ଶିକ୍ଷିତା ପତ୍ନୀ ଲାଭ କରନ୍ତି ତାହେଲେ ନିଶ୍ଚୟ ଅଳ୍ପାୟାସରେ ତାହାକୁ ସ୍ୱୀୟ ଯୋଗ୍ୟା କରି ପାରିବେ । ପୂର୍ବ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅନୁସାରେ ବିଦ୍ୟାଳୟ ସ୍ଥାପିତ ହେଲେ ଇଦୃଶ ସ୍ତ୍ରୀ ଶିକ୍ଷାର ସଫଳତା ପରୀକ୍ଷିତ ହୋଇପାରେ-। ଏପରି ବିଦ୍ୟାଳୟରେ ବ୍ୟୟ ବାହୁଲ୍ୟର ଆଶଙ୍କା ନାହିଁ ।

Image

 

Unknown

ସମାଲୋଚନାର ଧାରା ଓ ଲକ୍ଷ୍ୟ

ଶ୍ରୀ ଗିରିଜାଶଙ୍କର ରାୟ

 

ଆଧୁନିକ ଉତ୍କଳ ସାହିତ୍ୟର ନାନା ବିଭାଗର ଯେଉଁ ସବୁ ଅଭାବ ପରିଲକ୍ଷିତ ହେଉଅଛି, ସେଥି ମଧ୍ୟରୁ ସମାଲୋଚନାର ଅଭାବ ପ୍ରଧାନ । ସାହିତ୍ୟ ମଧ୍ୟରେ ନୂତନ ଆଦର୍ଶ ପ୍ରତିଷ୍ଠା ଦ୍ୱାରା, ସାହିତ୍ୟକ ପୁସ୍ତକମାନଙ୍କର କଳାର ଯଥାଯଥ ଵ୍ୟାଖ୍ୟାନ ଦ୍ୱାରା ଓ ସାହିତ୍ୟ ରାଜ୍ୟରୁ ଅସାର ଆବର୍ଜନାର ବିନାଶ ଦ୍ୱାରା ଜାତୀୟ ସାହିତ୍ୟକୁ ଉର୍ନ୍ନତିମାର୍ଗରେ ପରିଚାଳିତ କରିବା ସମାଲୋଚନାର କାର୍ଯ୍ୟ । ସାହିତ୍ୟ ରାଜ୍ୟରେ ଏପରି ଏକ ସମୟ ଥାଏ, ଯେତେବେଳେ ଯେ କୌଣସି ପ୍ରକାର ନୂତନ ବସ୍ତୁକୁ ସାହିତ୍ୟରେ ସ୍ଥାନ ନ ଦେଲେ ଅଥବା ସୁଯୁକ୍ତିପୂର୍ଣ୍ଣ ଗଠନକ୍ଷମ ଓ ସହାନୁଭୂତିମୂଳକ ସମାଲୋଚନା ଦ୍ୱାରା ପ୍ରତ୍ୟେକ ମୌଳିକ ପ୍ରବନ୍ଧକୁ ଉତ୍ସାହିତ ନ କଲେ ସାହିତ୍ୟର ବିକାଶରେ ବାଧା ଜନ୍ମେ । କିନ୍ତୁ ସାହିତ୍ୟ ଯେତେବେଳେ ଉନ୍ନତି ମାର୍ଗରେ ଆରୋହଣ କରେ, ଯେତେବେଳେ ବିଦେଶ ସହିତ ଭାବର ଆଦାନ ପ୍ରଦାନ ଦ୍ୱାରା ନିଜର ଶକ୍ତିକୁ ଅକ୍ଷୁଣ୍ଣ ରଖି ନିଜକୁ ପୃଷ୍ଟ ଓ ଆଦର୍ଶସ୍ଥାନୀୟ କରିବାକୁ ବସେ, ସେତେବେଳେ ସମାଲୋଚନା ମଧ୍ୟ ପୂର୍ବର ଭାବ ଛାଡ଼ି ବିଶ୍ୱସାହିତ୍ୟର ଉନ୍ନତ ଆଦର୍ଶରେ ଜାତୀୟ ସାହିତ୍ୟକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରେ । ସମାଲୋଚନାର ଏହି ଦୁଇ ପ୍ରକାର ପ୍ରଭେଦ ଥିଲେହେଁ ଗୋଟିକରେ ସ୍ଥାନୀୟ ଅଭାବ, ପ୍ରତିଦୃଷ୍ଟି ରଖି ଜାତୀୟ ସାହିତ୍ୟକୁ ଉତ୍ସାହିତ ଓ ସେଥିରେ ନୂତନ ଭାବର ବିକାଶରେ ସାହାଯ୍ୟ କରିବା ଓ ଅନ୍ୟଟିର ବିଶ୍ୱଜୀବନର ମହାଭାବରାଶିର ଅର୍ଥ ପ୍ରକଟନ କରି ସାହିତ୍ୟ ମଧ୍ୟରୁ ନିମ୍ନ ସ୍ତରର ପୁସ୍ତକମାନଙ୍କୁ ନିରାକରଣ କରିବା ପ୍ରଧାନ କାର୍ଯ୍ୟ ଥିଲେ ହେଁ ଏ ଦୁଇ ପ୍ରକାର ସମାଲୋଚନାର ଲକ୍ଷ୍ୟ ଏକ, ଦୁହେଁ ବିଭିର୍ନ୍ନ ମାର୍ଗ ଅବଲମ୍ବନ କରି ଜାତୀୟ ସାହିତ୍ୟର ଉନ୍ନତିରେ ବ୍ରତୀ ଓ ସାହିତ୍ୟରେ ନୂତନ ଭାବ ଓ ନୂତନ ଆଦର୍ଶ ପ୍ରତିଷ୍ଠାରେ ଦୁହେଁ ବ୍ୟସ୍ତ । ଉତ୍କଳ ସାହିତ୍ୟରେ ଆଜି ପର୍ଯ୍ୟନ୍ତ ଯେତେ ସମାଲୋଚନା ବାହାରିଛି, ସେମାନଙ୍କ ମଧ୍ୟରେ ଯେଉଁଗୁଡ଼ିକ ବାସ୍ତବିକ ସମାଲୋଚନା ନାମରେ ଯୋଗ୍ୟ, ସେ ସବୁ ପ୍ରାୟ ପ୍ରଥମ ମାର୍ଗର ଅନୁବର୍ତ୍ତୀ ଓ ଉତ୍କଳ ସାହିତ୍ୟର ନାନାବିଧ ଅଭାବ ଦୃଷ୍ଟିରେ ଏପ୍ରକାର ସମାଲୋଚନା ଯେ ସମୀଚୀନ, ସେଥିରେ ସନ୍ଦେହ ନାହିଁ । ଦ୍ୱିତୀୟ ପ୍ରକାର ସମାଲୋଚନାର ସମୟ ଆଜି ପର୍ଯ୍ୟନ୍ତ ଉତ୍କଳ ସାହିତ୍ୟରେ ଆସିଅଛି କି ନାହିଁ, ସେଥିର ବିଚାର ନ କରି ସମାଲୋଚନାର ଧାରା ଓ ଲକ୍ଷ୍ୟ ସମ୍ବନ୍ଧରେ ସାଧାରଣ ଭାବରେ କିଛି କହିବାହିଁ ବର୍ତ୍ତମାନ ପ୍ରବନ୍ଧର ଉଦ୍ଦେଶ୍ୟ । ସମାଲୋଚନାର ପୂର୍ବୋକ୍ତ ଦୁଇପ୍ରକାର ଭେଦରେ କୌଣସି ସମାଲୋଚନା ଦୁଇ ପ୍ରକାରରେ କରାଯାଇପାରେ । କୌଣସି ପୁସ୍ତକ ସାହିତ୍ୟର କେଉଁ ବିଭାଗର ଅଭାବ କେତେଦୂର ପୂର୍ଣ୍ଣ କରିଅଛି, ତାହା ଦେଖିବା ସମାଲୋଚକର ପ୍ରଧାନ କର୍ତ୍ତବ୍ୟ । ସେହି ବିଭାଗରେ ଜାତୀୟ ସାହିତ୍ୟ କେତେଦୂର ଉନ୍ନତ ହୋଇଅଛି, ତାହାକୁ ମାପକାଠି କରି ଆଲୋଚ୍ୟ ପୁସ୍ତକଟି ଜାତୀୟ ସାହିତ୍ୟର ଉନ୍ନତିର ପରିଚାୟକ କିନା, ତାହା ଦ୍ୱାରା ଜାତୀୟ ସାହିତ୍ୟରେ କୌଣସି ନୂତନ ଭାବ ବା ଆଦର୍ଶ ପ୍ରବେଶ ଲାଭ କରି ଅଛି କି ନାହିଁ, ତାହାର ବିଚାର କରିବା ସମାଲୋଚକର ଦ୍ୱିତୀୟ କର୍ତ୍ତବ୍ୟ । ସମାଲୋଚକର ତୃତୀୟ କାର୍ଯ୍ୟଟି ଅତିଶୟ କଠିନ । ସାହିତ୍ୟ ମାନବ ଜୀବନର ବ୍ୟାଖ୍ୟା । ମାନବ ଜୀବନକୁ କବି କେଉଁ ଭାବରେ ଦେଖିଅଛନ୍ତି, ମାନବର ଦୈନଦିନ କାର୍ଯ୍ୟର, ତାହାର ଦୁଃଖ, ଶୋକ, ଦୈନ୍ୟ ଓ ବିପଦର ସେ କି ପ୍ରକାର ସମ୍ବନ୍ଧ ସ୍ଥାପନ କରିଅଛନ୍ତି, ସେଗୁଡ଼ିକ ନିରୂପଣ କରି ଓ ସାହିତ୍ୟକ କଳା ମଧ୍ୟରେ ସେ କି କି ବିଶେଷତ୍ୱ ଦେଖାଇ ଅଛନ୍ତି ଓ କେଉଁ ବିଭାଗରେ କେତେ ଦୂର ଉର୍ନ୍ନତିର ଆଦର୍ଶ ସ୍ଥାପନ କରିଅଛନ୍ତି, ସେଗୁଡ଼ିକର ସମ୍ୟକ ବିଚାର କରି ପୁସ୍ତକଟିର ବିଶ୍ୱସାହିତ୍ୟ ମଧ୍ୟରେ ସ୍ଥାନ ନିରୂପଣ କରିବା ସମାଲୋଚକର ତୃତୀୟ କାର୍ଯ୍ୟ । ସାହିତ୍ୟ ଉନ୍ନତ ନ ଥିଲେ, ଜାତୀୟ ସାହିତ୍ୟ ପରିମାର୍ଜିତ ହୋଇ ସେଥିରେ ଉନ୍ନତ ଭାବରାଶିର ବିକାଶ ନ ହେଲେ ସମାଲୋଚକୁ ଏହି ତୃତୀୟ କର୍ତ୍ତବ୍ୟଟି ସମ୍ପାଦନ କରିବାକୁ ହୁଏ ନାହିଁ ।

 

ସାହିତ୍ୟ ମଧ୍ୟରେ ଭାବର ବିକାଶ ଅପେକ୍ଷା କଳାର ବିକାଶ ସାହିତ୍ୟକ ଆଲୋଚନାର ଅଧିକ ଅଙ୍ଗୀଭୂତ । ସାହିତ୍ୟର ଲକ୍ଷ୍ୟ ଦ୍ୱି ବିଧ ଲୋକମାନଙ୍କୁ ଆନନ୍ଦ ସହିତ ଶିକ୍ଷା ପ୍ରଦାନ କରିବା । ନୀରସ ଦର୍ଶନ ଶାସ୍ତ୍ରରେ ଯେଉଁ ସବୁ କଠିନ ତତ୍ତ୍ୱର ଆଲୋଚନା ହୁଏ, ତହିଁରେ ଯେ ମାନବ ଜୀବନର କାର୍ଯ୍ୟାବଳୀରେ ବ୍ୟାଖ୍ୟା ହୁଏ ନାହିଁ, ତାହା ନୁହେଁ; କିନ୍ତୁ ସେ ସବୁ ତତ୍ତ୍ୱାଲୋଚନା ନିରାଲମ୍ବ, ସୂକ୍ଷ୍ମ ଓ ସୁଗଭୀର ଭାବପୂର୍ଣ୍ଣ ଥିବାରୁ ସାଧାରଣ ବୋଧଗମ୍ୟ ହୁଏ ନାହିଁ । ଜନସାଧାରଣଙ୍କୁ ଶିକ୍ଷା ଦେବାକୁ ହେଲେ ସେମାନେ ଯହିଁରେ ଆନନ୍ଦ ପାଇବେ, ତାହାରି ସଙ୍ଗେ ସେମାନଙ୍କୁ ଶିକ୍ଷା ଦେବାକୁ ହୁଏ । ନାଟକ ବା ଉପନ୍ୟାସର କଥାଛନ୍ଦରେ, କବିତା ମଧ୍ୟରେ କବିର ଅନୁଭୂତି ଓ ଚିତ୍ରାଙ୍କନ ମଧ୍ୟ ଦେଇ ଲୋକମାନଙ୍କ ସମ୍ମୁଖରେ କୌଣସି ବାସ୍ତବ ଜଗତର ଛବି ଧରି ସେଥିରେ ପ୍ରକଟିତ ବ୍ୟକ୍ତି ବା ପଦାର୍ଥମାନଙ୍କର ଇନ୍ଦ୍ରିୟଗ୍ରାହ୍ୟ ଛବି ଦ୍ୱାରା ମାନବଜୀବନରେ ନୂତନ ଭାବ ଓ ଆଶାର ସଞ୍ଚାର କରିବାରେ ସାହାଯ୍ୟ କରିବା ଓ ତାହାକୁ ଜୀବନ ଦୃଶ୍ୟ ପଟରେ ତାହାର ନିଜ କାର୍ଯ୍ୟର ଅନୁରୂପ କାର୍ଯ୍ୟ ଓ ତାହାର ସାଧାରଣ ଫଳାଫଳାଦି ପ୍ରଦର୍ଶନ କରି ତାହାର ମନ ଓ ଚରିତ୍ରକୁ ଉନ୍ନତ କରିବା ସାହିତ୍ୟର ଏକ ପ୍ରଧାନ ଉଦ୍ଦେଶ୍ୟ । କିନ୍ତୁ ମନୁଷ୍ୟ ସମାଜରେ ଏହି ଭାବରାଶିର ପ୍ରକଟନ କରିବାକୁ ହେଲେ ଓ ତାହାରି ସଙ୍ଗେ ସଙ୍ଗେ ଆନନ୍ଦ ପ୍ରଦାନ କରିବାକୁ ହେଲେ ସାହିତ୍ୟକୁ କେତେକ କଳାଗତ ନିୟମର ସାହାଯ୍ୟ ନେବାକୁ ହୁଏ । ଏହି କଳାଗତ ନିୟମାବଳୀର ଆଲୋଚନା କରିବା ଓ ସେଗୁଡ଼ିକର ସଂସ୍କାର କରି ସାହିତ୍ୟକୁ ସ୍ୱୀୟ ଉଭୟବିଧ କର୍ତ୍ତବ୍ୟରେ ବ୍ରତୀ କରିବାରେ ସାହାଯ୍ୟ କରିବା ସମାଲୋଚକର ପ୍ରଧାନ କାର୍ଯ୍ୟ । ଏଥି ନିମନ୍ତେ ଯେଉଁ ଜ୍ଞାନର ପ୍ରୟୋଜନ, ତାହାର ଅଭାବ ଥିଲେ ସମାଲୋଚନା କେବେହେଁ ଫଳପ୍ରଦ ହେବ ନାହିଁ ।

 

ସାହିତ୍ୟର ଏହି କଳାଗତ ନିୟମର ଆଲୋଚନା କରିବାର ଦୁଇ ଗୋଟି ଧାରା ଅଛି । ପ୍ରଥମତଃ ସାହିତ୍ୟର କେତେଗୁଡ଼ିଏ ଧାରାବାହିକ ନିୟମ ଅଛି । କୌଣସି ପୁସ୍ତକରେ ସେହିସବୁ ନିୟମର କେତେଦୂର ବ୍ୟତ୍ୟୟ ଓ ସେହିସବୁ ବ୍ୟତ୍ୟୟ-ଦ୍ୱାରା କେଉଁ କେଉଁ କଳାଗତ ଦୋଷ ଲକ୍ଷିତ ହେଉଅଛି, ସେଥିରେ ଆଲୋଚନା ଓ କେତେକ ନିୟମାବଳୀ ଆଦର୍ଶ ଧରି କୌଣସି ପୁସ୍ତକରେ ତାହାକୁ ପ୍ରୟୋଗ କରି ତାହାର ଦୋଷଗୁଣ ନିରୂପଣ କରାଯାଇପାରେ । ଦ୍ୱିତୀୟତଃ ଲେଖକ ନିଜର ଲେଖା ମଧ୍ୟରେ କେଉଁ କଳାଗତ ବିଶେଷକୃତ ପ୍ରକଟିତ କରିଅଛନ୍ତି, ତାହା ଆଲୋଚନା କରି ସେହି କଳା ବିଶେଷର ସମ୍ପୂର୍ଣ୍ଣ ବିଶ୍ଳେଷଣ ଦ୍ୱାରା ତାହାର ପୂର୍ଣ୍ଣ ନିୟମାବଳୀର ସ୍ୱରୂପ ପ୍ରକାଶ କରାଯାଇ ପାରେ ।

 

ଏଥିମଧ୍ୟରୁ ପ୍ରଥମଟି ସଂଶ୍ଳେଷକ (Synthetic) ବା ଆଲୋଚନାର ଅବରୋହ ପ୍ରଣାଳୀ ଓ ଦ୍ୱିତୀୟଟିକୁ ବିଶ୍ଳେଷକ (Analytic) ବା ଆଲୋଚନାର ଅରୋହ ପ୍ରଣାଳୀ ବୋଲାଯାଇ ପାରେ । ଏ ଦୁଇ ପ୍ରକାର ସମାଲୋଚନା ମଧ୍ୟରୁ ପ୍ରଥମଟି ସାଧାରଣ ସାହିତ୍ୟର ଆଲୋଚନାରେ ବ୍ୟବହୃତ ହୋଇଥାଏ । ଯେଉଁ ପୁସ୍ତକ ମଧ୍ୟରେ କୌଣସି ନୂତନ ଆଦର୍ଶ ନାହିଁ ବା କୌଣସି ନୂତନ ଭାବରେ ସମ୍ୟକ ବ୍ୟଞ୍ଜନା ନିମିତ୍ତ ନୂତନ କଳା ସୃଷ୍ଟିଆଡ଼େ କୌଣସି ଲକ୍ଷ୍ୟ ନାହିଁ, ତାହାର ଆଲୋଚନା କରିବା ସମୟରେ ଆମ୍ଭେମାନେ ସାଧାରଣତଃ ଏହି ପ୍ରଥମ ଉପାୟ ଅବଲମ୍ବନ କରିଥାଉଁ । ନାଟକ ପ୍ରାକୃତିକ ଘଟନା ରାଶିର ଛବି ହେବ, କବିତା ମଧ୍ୟରେ କବିର ପ୍ରାଣର ସ୍ପନ୍ଦନ ଅନୁଭୂତି ହେବ, ଉପନ୍ୟାସ ସୁଖପାଠ୍ୟ ଓ ତହିଁର କଥାବସ୍ତୁ ସାଧାରଣ ଗାର୍ହସ୍ଥ୍ୟ ଜୀବନର ପ୍ରତିକୃତି ଅଙ୍କନରେ ସଚେଷ୍ଟ ହେବ, ଏହି କେତେଗୁଡ଼ିକଏ ମୂଲୀଭୂତ ନିୟମ ଘେନି, ଅଥବା ନାଟକର ପାଞ୍ଚଗୋଟି ଅଂଶଥିବ, କବିତାରେ ଭାବ ଓ ଭାଷାର ସାମଞ୍ଜସ୍ୟ ଥିବ, ଏହିପରି କେତେଗୁଡ଼ିଏ କଳାଗତ ନିୟମ ଘେନି ଆଲୋଚ୍ୟ ପୁସ୍ତକରେ ସେହି ନିୟମମାନ ରକ୍ଷିତ ହୋଇଅଛି କି ନାହିଁ, ତାହା ଦେଖାଯାଇ ପାରେ । ଏହାକୁ ସମୟ ସମୟରେ ବୈୟାକରଣିକ ବା ଗାଣିତିକ ସମାଲୋଚନା ମଧ୍ୟ ବୋଲାଯାଇ ଥାଏ । ବ୍ୟାକରଣ ଅଥବା ଅଙ୍କ ଶାସ୍ତ୍ରରେ ଯେପରି କେତେଗୁଡ଼ିଏ ନିୟମ ବିଧିବଦ୍ଧ ଅଛି ଓ ଯାହା ସେସବୁ ନିୟମର ବର୍ହିଭୂତ, ତାହା ନିନ୍ଦନୀୟ ଓ ଅବ୍ୟବହାର୍ଯ୍ୟ, ସେହିପରି ଏହି ପ୍ରକାର ସମାଲୋଚନା ମଧ୍ୟରେ ସମାଲୋଚକ ନିଜର ଇଚ୍ଛା ଅନୁସାରେ କେତେଗୁଡ଼ିଏ ନିୟମକୁ ଆଦର୍ଶ ଧରି ଆଲୋଚ୍ୟ ପୁସ୍ତକଟି ତଦନୁସାରେ ବିବେଚନା କରନ୍ତି । କିନ୍ତୁ ପୁସ୍ତକଟି ଟିକିଏ ଉଚ୍ଚଶ୍ରେଣୀର ହେଲେ, ସେଥିମଧ୍ୟରେ କୌଣସି ନୂତନ ଭାବର ଆଦର୍ଶ ବା କଳାଗତ ବିଶେଷତ୍ୱ ସ୍ଥାନ ପାଇଥିଲେ ଏକପ୍ରକାର ସମାଲୋଚନା ଫଳପ୍ରଦ ହୁଏ ନାହିଁ-। ସେତେବେଳେ ଦ୍ୱିତୀୟପ୍ରକାର ଆଲୋଚନାର ପ୍ରୟୋଜନ । Wordsworthଙ୍କ ପ୍ରଥମ କବିତା ଦେଖି Jeffries କହିଥିଲେ "This will never do" (ଏହା କେବେ ଚାଲିବ ନାହିଁ)-। କାରଣ ସେହି କବିତା ମାନଙ୍କରେ ଯେଉଁ ବିଶେଷତ୍ୱ ପ୍ରଦର୍ଶିତ ହୋଇଥିଲା, ସାଧାରଣ ଜୀବନକୁ କବିତାର ଅଙ୍ଗୀଭୂତ କରିବାର ଯେଉଁ ଚେଷ୍ଟା ହୋଇଥିଲା, ତାହା ଇଂଲଣ୍ଡରେ ସେତେବେଳେ ନୂତନ । ଏହିପରି ଅମିତ୍ରାକ୍ଷର ବିରୁଦ୍ଧରେ ମଧ୍ୟ ସମାଲୋଚକମାନେ ନାନାବିଧ ଆନ୍ଦୋଳନ କରିଥିଲେ । କୌଣସି ନୂତନ ପଦାର୍ଥକୁ ଲୋକେ ସହଜରେ ଟିକିଏ ସନ୍ଦିଗ୍ଧ ଚକ୍ଷୁରେ ଦେଖିଥାନ୍ତି-। କାଳେ ତାହାଦ୍ୱାରା ସମାଜର କୌଣସି ଅନିଷ୍ଟ ସାଧିତ ହେବ, କାଳେ ସାହିତ୍ୟରେ ସେହି ପରି ବିଶେଷତ୍ୱର ପ୍ରବେଶ ଲାଭ ଦ୍ୱାରା ସାହିତ୍ୟ ମଧ୍ୟରେ କୌଣସି ନିୟମ ରହିବ ନାହିଁ, ଏହି ଆଶଙ୍କାରେ ସାଧାରଣତଃ ସମାଲୋଚକମାନେ ପୁରାକାଳରୁ Aristotle ଅଥବା ଅନ୍ୟ କୌଣସି ପ୍ରସିଦ୍ଧ ସାହିତ୍ୟଙ୍କ ମତର ଚର୍ବିତଚର୍ବଣ କରି ପୁସ୍ତକ ସମାଲୋଚନା ସାଙ୍ଗ କରନ୍ତି । କାଳକ୍ରମେ ଯେତେବେଳେ ସେସବୁର ବିଶେଷତ୍ୱ ନିଜର ଶକ୍ତିଦ୍ୱାରା ଲୋକରେ ପ୍ରସିଦ୍ଧି ଲାଭ କରେ, ତେତେବେଳେ ସମାଲୋଚକମାନେ ସେଥିପାଇଁ ନୂତନ ନିୟମମାନ ବିଧିବଦ୍ଧ କରି ସାହିତ୍ୟକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ସମାଲୋଚକମାନଙ୍କୁ ମନେ ରଖିବାକୁ ହେବ ଯେ, କଳାଗତ ବିଶେଷତ୍ୱ କଳା ପକ୍ଷରେ ସୌନ୍ଦର୍ଯ୍ୟ ହାନିକର ନୁହେଁ, ବରଂ ନିୟମର ଅତ୍ୟନ୍ତ ପ୍ରାଦୁର୍ଭାବ ହେତୁରୁ ସାହିତ୍ୟକ କଳା ସମୟରେ ଏକ କେନ୍ଦ୍ରିଭୂତ ହୋଇଯାଏ ଓ କେତେକାଳ ପର୍ଯ୍ୟନ୍ତ ସାହିତ୍ୟର ଜୀବନୀ ଶକ୍ତି ଏକପ୍ରକାର ଲୋପ ପାଏ । ସାହିତ୍ୟ ରାଜ୍ୟରେ ପ୍ରତ୍ୟେକ ସାଧକର ଚେଷ୍ଟା ଦୁଇ ପ୍ରକାର-ପ୍ରଥମ ଲୋକଶିକ୍ଷା ଓ ଦ୍ୱିତୀୟ ଲୋକରଞ୍ଜନ । ଏଣୁ ଲୋକକୁ ଶିକ୍ଷା ଦେବା ନିମନ୍ତେ, ସାହିତ୍ୟରେ ପ୍ରାଣର ସ୍ପନ୍ଦନ ନିମନ୍ତେ ଯେ ପ୍ରତ୍ୟହ ନୂତନ ନୂତନ ଉପାୟ ଉଦ୍ଭାବିତ ହେବ, ନୂତନ ନୂତନ କଳା ମଧ୍ୟ ଦେଇ ଯେ ସାହିତ୍ୟକମାନେ ସାଧାରଣ ଲୋକଙ୍କ ପ୍ରାଣକୁ ସ୍ପର୍ଶ କରିବାକୁ ଚେଷ୍ଟା କରିବେ; ଏହା ସ୍ୱଭାବିକ । ଏଣୁ କୌଣସି ଅତି ପାଣ୍ଡିତ୍ୟପୂର୍ଣ୍ଣ ନିୟମାବଳୀ ସାହାଯ୍ୟରେ ସାହିତ୍ୟକୁ ସଞ୍ଜତ କରିବାର ଚେଷ୍ଟା ଯେ ସାହିତ୍ୟର ସଂକୀର୍ଣ୍ଣତାରେ ପରିଣତି ହେବ, ସେଥିରେ ସନ୍ଦେହ ନାହିଁ । ଏଥିଯୋଗୁଁ ସାହିତ୍ୟର ଦ୍ୱିତୀୟ ପ୍ରକାର ଅର୍ଥାତ୍‍ ବିଶ୍ଳେଷକ ସାମାଲୋଚନାର ପ୍ରୟୋଜନ ଏପ୍ରକାର ସମାଲୋଚନାରେ ପ୍ରତ୍ୟେକ ଲେଖକର କଳାଗତ ବିଶେଷତ୍ୱ ସମ୍ପୂର୍ଣ ବିଶ୍ଳେଷଣ କରିବାକୁ ହୁଏ । ଏପ୍ରକାର ସମାଲୋଚନାରେ କୋଣସି କବିକୁ ଅନ୍ୟ ଉପରେ ଉଚ୍ଚାସନ ଦେବାର ପ୍ରୟାସ ବୃଥା; କାରଣ, ଦୁଇଜଣ କବି ଦିଓଟି କଳାବିଶେଷତ୍ୱ ପ୍ରଚାରକ ମାତ୍ର-। ସାହିତ୍ୟକ ସଭାରେ ସାହିତ୍ୟକର ସ୍ଥାନ ନିରୂପଣ ଅସମ୍ଭବ; କାରଣ, ପ୍ରତ୍ୟେକର ଯେତିକି ବିଶେଷତ୍ୱ ଅଛି, ସେହି ଟିକକ ବିଶ୍ଳେଷଣ କରିବା ହିଁ ଏହି ସମାଲୋଚନାର କାର୍ଯ୍ୟ-। କୌଣସି ପୁସ୍ତକ ଯଦି ଅନ୍ୟ ପୁସ୍ତକର ନକଲ ନ ହୁଏ, ତେବେ ଏ ପ୍ରକାର ସମାଲୋଚନାନୁସାରେ ସେ ଦୁହିଁଙ୍କୁ ମଧ୍ୟରେ କେଉଁଟି ଭଲ, ତାହାର ବିଚାର ହୋଇ ନ ପାରେ । ମାତ୍ର କଳା ବିଶେଷତ୍ୱ ଇତିହାସ ପ୍ରଦର୍ଶନ ନିମନ୍ତେ ତୁଳନା ସମୟ ସମୟରେ କରାଯାଇ ପାରେ-। ଏପ୍ରକାର ସମାଲୋଚନାରେ ସମାଲୋଚକର ଟିକିଏ ବିଶେଷ ଜ୍ଞାନ ପ୍ରୟୋଜନ ହୁଏ । ବିଭିନ୍ନ ରାଜ୍ୟରେ ବିଭିନ୍ନ ସମୟରେ କେଉଁ କେଉଁ ପ୍ରକାର କଳା ଅନୁସୃତ ହୋଇଅଛି । ସେଗୁଡ଼ିକର ବିଶେଷତ୍ୱ କେଉଁ ଠାରେ ଓ ସେହି କାଳର ପ୍ରକଟନରେ କେଉଁ କେଉଁ କଳା କି ପ୍ରକାର ନିଜର ନିଜତ୍ୱ ବଜାଇ ରଖିଛନ୍ତି; ତାହାର ସାଧାରଣ ଜ୍ଞାନ ନ ଥିଲେ ଏପ୍ରକାର ସମାଲୋଚନା ବିଡ଼ମ୍ବନା ମାତ୍ର-। ସମାଲୋଚନାର ଏହି ନୀତି ଅନିସାରେ ଡି. ଏଲ. ରାୟଙ୍କର ଆଲୋଚନା କରିବାକୁ ହେଲେ ତାଙ୍କ ନାଟକରେ ପ୍ରତ୍ୟେକ ପ୍ରଧାନ ବ୍ୟକ୍ତି ମଧ୍ୟରେ ଗୋଟିଏ ଭାବର ପ୍ରାଧାନ୍ୟ ଓ ସେହି ଲୋକର ପ୍ରତ୍ୟେକ କାର୍ଯ୍ୟରେ ସେହି ସ୍ୱଭାବଗତ ଭାବର ଉନ୍ମେଷ, ଏଣୁ ସେହିସବୁ ବ୍ୟକ୍ତିମାନଙ୍କ ମନରେ କୌଣସି ଦ୍ୱୈଧଭାବ ଓ ମନୁଷ୍ୟୋଚିତ ବିକାରଭାବ ଓ ସେଥିଯୋଗୁଁ ପ୍ରତ୍ୟେକ ଉଚ୍ଚଶ୍ରେଣୀର ନାଟକ ମଧ୍ୟରେ ପ୍ରୟୋଜନୀୟ ଦ୍ୱୈଧଭାବ ଦେଖାଇବାକୁ ଯାଇ ପ୍ରଧାନ ପ୍ରଧାନ ବ୍ୟକ୍ତିମାନଙ୍କର ମାନସିକ ଦ୍ୱୈଧର ଅଭାବ ହେତୁରୁ ତାହାର ଅବସ୍ଥା ସହିତ ତାହାର ବୈରତା କଳ୍ପନା ବା ଅନ୍ୟ କୌଣସି ପୁରୁଷରେ ତଦ୍‍ବିପରୀତ ଗୁଣର ବିକାଶସୂଚନା ଇତ୍ୟାଦି ନାନାପ୍ରକାର ଗଳାଗତ ବିଶେଷତ୍ୱ ଓ ତାହାର ଇତିହାସ ଆଲୋଚନା କରିବା ପ୍ରୟୋଜନ । ପୁଣି ଡି.ଏଲ. ରାୟଙ୍କର ନାଟ୍ୟକାଳରେ ହାସ୍ୟ ରସ ପ୍ରଦର୍ଶନ ସ୍ଥାନରେ ପ୍ରାୟ ଅଙ୍ଗ ପ୍ରତ୍ୟଙ୍ଗର ଅଯଥା ସଞ୍ଚାଳନ ଓ ସ୍ୱାଭାବିକ ନୀଚତାର ପ୍ରକାଶ ଓ ସାଧରଣ ଲୋକଙ୍କର ଚିତ୍ତରଞ୍ଜନ ନିମିତ୍ତ ଏଗୁଡ଼ିକର ପ୍ରୟୋଜନ ବିଚାର ମଧ୍ୟ ବିଶ୍ଳେଷଣ ସମାଲୋଚନାର ଅନ୍ତର୍ଗତ । ବାସ୍ତବରେ ଡି.ଏଲ୍‍. ରାୟଙ୍କର ନାଟ୍ୟକଳାର ମୂଳ ମନ୍ତ୍ର ଚରିତ୍ରାଙ୍କର ଓ ଘଟନା ସମାବେଶରେ ସ୍ପଷ୍ଟତା ଓ ବଳ, ସେଥିରେ ଚେଷ୍ଟା ଲୋକଙ୍କ ହୃଦୟକୁ ସ୍ପର୍ଶ କରିବା ଓ ତାହାର ପ୍ରତିଭାର ବିକାଶ ସାଧାରଣ ନାଟ୍ୟମଞ୍ଚରେ । ଏପ୍ରକାର ବିଶ୍ଳେଷଣ ଯେ ଟିକିଏ କଷ୍ଟସାଧ୍ୟ, ତାହା ବୋଲିବା ବାହୁଲ୍ୟ ମାତ୍ର; କିନ୍ତୁ ଏପ୍ରକାର ସମାଲୋଚନା ନ ହେଲେ ସାହିତ୍ୟରେ ନୂତନ ଭାବରେ ପ୍ରବେଶ ଲାଭ ଅସମ୍ଭବ । ଏହିପରି କାଞ୍ଚି କାବେରୀଙ୍କୁ ଆଲୋଚନା କରିବାକୁ ହେଲେ ତହିଁରେ ଚତୁର୍ଥ ଅଙ୍କରେ ଅବରୋହ ଓ ପୁରୁଷୋତ୍ତମ ଦେବଙ୍କ ମାନସିକ ଦ୍ୱୈଧ ମଧ୍ୟରେ ବିବାହରେ ବାଧା ପ୍ରଦାନରେ ତାଙ୍କର ଦୌବାଲ୍ୟ ହେତୁରୁ ତାହାର ଅନିବାର୍ଯ୍ୟତା, ବିଦୂଷକର ହାସ୍ୟରସରେ ସଂସ୍କୃତ ସାହିତ୍ୟର ନିୟମାବଳୀର ଅନୁକରଣ, ଭଦ୍ରାର ସୃଷ୍ଠିରେ ସଂସ୍କୃତ ଓ ଇଂରାଜୀ ନାଟ୍ୟକାଳର ଯୁଗପତ ଅନୁକରଣ, ଦାସ୍‍ ଓ ଦୂତ ଏ ଦୁଇଲୋକଙ୍କୁ ସମଧିକ ପ୍ରାଧାନ୍ୟ ଦେବାର କାରଣ ପ୍ରଭୃତିର ବିଶ୍ଳେଷଣ କରିବା ଏକାନ୍ତ ପ୍ରୟୋଜନ । ଉତ୍କଳରେ ଏପ୍ରକାର ସମାଲୋଚନା ଆଦୌ ନାହିଁ, ଏଣୁ ଏପ୍ରକାର ସମାଲୋଚନା ଉଦାହରଣ ପ୍ରଦାନ ଅସମ୍ଭବ ।

 

ବିଶ୍ଳେଷଣ ସମାଲୋଚନାର ପୁଣି ଦିଓଟି ଧାରା ଅଛି । ଗୋଟିଏ ପୁସ୍ତକର ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ଦୁଇ ଗୋଟି ପ୍ରଶ୍ନର ଉତ୍ତର ପ୍ରଦାନ କରିବାକୁ ହୁଏ । ପ୍ରଥମ-ପୁସ୍ତକରେ ଇତିହାସ କଣ, ଏହାର ଉପାଦାନ କେଉଁଠାରୁ ସଂଗୃହିତ ହୋଇଅଛି, କେଉଁ କେଉଁ ପୁସ୍ତକର ଛାୟା ଅବଲମ୍ବନରେ ଏହା ଲିଖିତ, କେଉଁ କେଉଁ ସ୍ଥାନରେ କବି ଅନ୍ୟର ଭାବ ବା ଭାଷାର ଅନୁକରଣ କରିଅଛନ୍ତି,କେଉଁ କେଉଁ ସ୍ଥାନରେ କବିର ନିଜତ୍ୱ ସମ୍ପୂର୍ଣ୍ଣ ଲାଭ କରିଅଛି, କେଉଁ କେଉଁ କଳା ବିଶେଷତ୍ୱ କେଉଁ କେଉଁ କବିଙ୍କ ରଚନାରୁ ଗୃହୀତ ହୋଇଅଛି, ଏଗୁଡ଼ିକର ବିଚାର କରିବା ଏହି ପ୍ରଥମ ସମାଲୋଚନାର ବିଶେଷ୍ୟତ୍ୱ । ଦ୍ୱିତୀୟରେ ସମାଲୋଚନାକୁ ଦେଖିବାକୁ ହେବ, କବିଙ୍କ ପୁସ୍ତକରେ କେଉଁ କେଉଁ ଭାବ ସ୍ଥାନ ଲାଭ କରିଅଛି, କବିଙ୍କ ଉଦ୍ଦେଶ୍ୟ କଣ ଓ ସେହି ଉଦ୍ଦେଶ୍ୟଟି କି ପ୍ରକାରେ ବିକଶିତ ହୋଇଅଛି, କବି ସ୍ୱୀୟ କଳା ସାହାଯ୍ୟରେ ନିଜର ଉଦ୍ଦେଶ୍ୟଟି ସମ୍ପୂର୍ଣ୍ଣ ଭାବରେ ପ୍ରକଟନ କରି ପାରି ଅଛନ୍ତି କି ନାହିଁ ଇତ୍ୟାଦି । ସାଧାରଣତଃ କୌଣସି ପୁସ୍ତକକୁ ବିଶ୍ଳେଷଣ କରିବାକୁ ହେଲେ ଆମ୍ଭେମାନେ ପ୍ରାୟ ଏହି ଉଭୟ ଧାରାର ଆଶ୍ରୟ ଗ୍ରହଣ କରିଥାଉଁ; ପ୍ରଥମଟିରେ କବିଙ୍କ ଭାବ ସମୂହର ଇତିହାସ ନିରୂପଣ ଓ ଦ୍ୱିତୀୟରେ ତାହାର ଭାବର ସାରବତା ଓ କଲା ସହିତ ସେହି ଭାବ ବିକାଶର ସମନ୍ଵୟର ଆମ୍ଭେ ମାନେ କରିଥାଉଁ ।

 

ସମାଲୋଚକକୁ ଏତେଗୁଡ଼ିକ କାର୍ଯ୍ୟ କରିବାକୁ ହେଲେ ତାହାର ବିଶେଷ ଜ୍ଞାନର ପ୍ରୟୋଜନ । ଜଗତରେ ଯାହା କିଛି ସୁନ୍ଦର, ଯାହାକିଛି ମନୋଜ୍ଞ, ଯାହା ଉନ୍ନତି ଓ ଆଦର୍ଶସ୍ଥାନୀୟ, ତାହାର ପ୍ରଚାରହିଁ ପ୍ରକୃତ ପକ୍ଷରେ ସମାଲୋଚନାର ଲକ୍ଷ୍ୟ । ଜ୍ଞାନ ରାଜ୍ୟରେ ଯାହାକିଛି ଉତ୍ତର, ତାହାର ପ୍ରଚାର କି ମହତ୍‍ଉଦ୍ଦେଶ୍ୟ ଓ କି ଦୁଷ୍କର କାର୍ଯ୍ୟ - କେତେଜଣ ଏକାର୍ଯ୍ୟ ଭାର ଗ୍ରହଣ କରିବାକୁ ସମର୍ଥ ଓ କେତେଜଣ ବୃଥାରେ ସମାଲୋଚକ ନାମର ଦାବୀ କରନ୍ତି ! ଆଧୁନିକ ବିଶ୍ୱସାହିତ୍ୟ ପଢ଼ିବାକୁ ହେବ, ସେଥିରେ ପ୍ରକଟିତ ନାନାପ୍ରକାର କଳା ବିଶେଷତ୍ୱ ଆଲୋଚନା କରିବାକୁ ହେବ, ପୁରାତନ ଆଦର୍ଶ ସହିତ ନୂତନର ସମନ୍ଵୟ କରିବାକୁ ଶିକ୍ଷା କରିବାକୁ ହେବ, ଜୀବନ୍ତ କଳାକୁ ଜୀବନର ଉପାଦାନ ସ୍ୱରୂପ ଗ୍ରହଣ କରିବାକୁ ହେବ, ତେବେ ସିନା ଏହି ପ୍ରକାର ଉଚ୍ଚ ଅଙ୍ଗର ସମାଲୋଚନା ସମ୍ଭବପର ହେବ, ତେବେ ସିନା ସାହିତ୍ୟ ରାଜ୍ୟର ନିୟାମକ ରୂପ ଛାଡି ସାହିତ୍ୟର ଅର୍ଥବୋଧକ ଓ ବିଶ୍ଳେଷଣ ରୂପରେ ନିଜକୁ ଗର୍ବିତ ମନେ କରିପାରିବ—ଅନ୍ୟଥା ସମାଲୋଚନା ବୃଥା । ଆଧୁନିକ ଉତ୍କଳ ସାହିତ୍ୟରେ ଯେ ପ୍ରକାର ସମାଲୋଚନାର ପ୍ରାଦୁର୍ଭାବ ଦେଖାଯାଏ, ତାହା ଅସାର ପ୍ରଳାପ ଭିନ୍ନ ଆଉ କଣ ? କେତେଗୁଡ଼ିଏ ଅର୍ଦ୍ଧ ଚର୍ବିତ ନିୟମ ଦ୍ଵାରା କୌଣସି ପୁସ୍ତକ ଉପରେ ନିଜର ରାୟ ପ୍ରଦାନ କରିବା ଓ କବିକୁ ଏକାବେଳକେ ପ୍ରଶଂସା ବା ନିନ୍ଦା କରିବା, ଚଞ୍ଚଳ ବହି ଖଣ୍ଡିକ ପାଠ କରି ନିଜ ମନରେ ଯେଉଁ ଧାରଣା ହୋଇଅଛି, ତାହା ଘେନି ପୁସ୍ତକକୁ ସାଧାରଣ ଭାବରେ ଆଲୋଚନା କରିବା ଭିନ୍ନ ଆଉ ଅନ୍ୟ ପ୍ରକାର ସମାଲୋଚନା ଉତ୍କଳ ସାହିତ୍ୟରେ ଅତ୍ୟନ୍ତ ବିରଳ । "ପୁସ୍ତକ ଖଣ୍ଡିକ ଆଦ୍ୟନ୍ତ ପାଠକରି ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦିତ ହୋଇଅଛୁଁ, ଏଥିରେ ଲେଖକ ଯେଉଁ ସବୁ ନୂତନ ଭାବର ସମାବେଶ ଓ ନୂତନ ଭାଷାର କୌଶଳ ପ୍ରଦର୍ଶନ କରି ଅଛନ୍ତି, ତାହା ବାସ୍ତବିକ ପ୍ରଶଂସାହି, ଇତ୍ୟାଦି ସାଧାରଣ ଭାବରେ ପ୍ରଳାପ ଓ" ଆଜିକାଲି ଉତ୍କଳ ସାହିତ୍ୟ ଗଗନରେ ଗୋଟିଏ ନୂତନ ଜ୍ୟୋତିଷ୍କ ଆବିର୍ଭୂତ ହୋଇଅଛନ୍ତି । ଏ ମହାତ୍ମା ଶ୍ରୀ......ଙ୍କର ପୁତ୍ର ଓ ସ୍ୱନାମଧନ୍ୟ ଶ୍ରୀ.....ଙ୍କର ଭ୍ରାତୁଷ୍ପୁତ୍ର", ଇତ୍ୟାଦି ପ୍ରଶଂସା ଯେଉଁମାନେ ଲେଖନ୍ତି ଓ ପତ୍ରୀ କାଦିରେ ମୁଦ୍ରିତ କରନ୍ତି, ସେମାନେ ସମୁଦାୟ ଉତ୍କଳ ସାହିତ୍ୟର ଅଧଃ ପତନର ପ୍ରଧାନ ସହାୟ ସେଥିରେ ସନ୍ଦେହ ନାହିଁ ।

 

ସମାଲୋଚନା ଲକ୍ଷ୍ୟ ଅତି ଉଚ୍ଚ, ଅତି ମହାନ । ଲେଖକଙ୍କ ଭାବରାଶିକୁ ବିଶ୍ଳେଷଣ କରି ତାହା ଜନସାଧାରଣ ବୋଧଗମ୍ୟ କରିବା, ତାଙ୍କର ଲିଖନ ଭଙ୍ଗୀ, ଶବ୍ଦ ସମନ୍ଵୟ ଓ କଳା ବିଶେଷତ୍ୱର ଆଲୋଚନା କରି ତାଙ୍କର ସ୍ୱରୂପ ଆବିଷ୍କାର କରିବା, ତାଙ୍କ ଲେଖାର ଓ ଭାବ ରାଶିର ଇତିହାସ ନେଇ ତାଙ୍କର କଳା କୁଶଳତାକୁ ପୁଙ୍ଖାନୁପୁଙ୍ଖ ରୂପେ ବିଶ୍ଳେଷଣ କରିବା, ଗୋଟିଏ ପୁସ୍ତକର ପ୍ରଣୟନର ଯେଉଁ ସବୁ ଉପକରଣ କବିଙ୍କୁ ସାହାଯ୍ୟ କରିଅଛି; ସେଗୁଡ଼ିକ ନିରୂପଣ କରି କବିଙ୍କ ପ୍ରତିଭାକୁ ଆଲୋଚନା କରିବା ଓ ଜାତୀୟ ସାହିତ୍ୟରେ ବିଶ୍ୱ ସାହିତ୍ୟର ଭାବ ପ୍ରବେଶ କରାଇ ସାହିତ୍ୟକୁ ଉନ୍ନତ କରିବା ସମାଲୋଚନାର ପ୍ରଧାନ ଉଦ୍ଦେଶ୍ୟ । ସାହିତ୍ୟ କିପରି ଉନ୍ନତ ହେଉ, ନୂତନ ନୂତନ ଭାବର ସମାବେଶରେ ସାହିତ୍ୟର ଜଡ଼ତା ଦୂରୀଭୂତ ହୋଇ ସେଥିରେ ନୂତନ ପ୍ରାଣର ପ୍ରତିଷ୍ଠା ହେଇ, ଅନ୍ୟ ସାହିତ୍ୟରେ ଯାହା କିଛି ଉତ୍କୃଷ୍ଟ, ଯାହା କିଛି ନୂତନ, ତାହାର ଶକ୍ତିରେ ଜାତୀୟ ସାହିତ୍ୟ ଆନୁପ୍ରାଣିତ ହେଉ, ଏହାହିଁ ସମାଲୋଚନାର ଉଦ୍ଦେଶ୍ୟ, ଏହି ଉଦ୍ଦେଶ୍ୟର ସଫଳତାରେହିଁ ସମାଲୋଚନାର ସାଫଲ୍ୟ । ସଂସାରରେ ଯାହା କିଛି ସୁନ୍ଦର ଓ ମନୋଜ୍ଞ, ଜାତି ଧର୍ମ ନିର୍ବିଶେଷରେ ତାହାର ପ୍ରଚାରଠାରୁ ଆଉ କି ମହନୀୟ ଭାବ ଓ ଉଚ୍ଚତର କାର୍ଯ୍ୟ ସଂସାରରେ ଥାଇପାରେ ? ଏ ଉନ୍ନତ ଲକ୍ଷ୍ୟ ହୃଦୟରେ ଘେନି କେଉଁ ସମାଲୋଚକ ବୃଥା ପ୍ରଳାପରେ ପ୍ରବୃତ୍ତି ହୋଇ ଜାତୀୟ ସାହିତ୍ୟର ଅନିଷ୍ଟ ସାଧକ କରିପାରେ । ଉତ୍କଳ ସାହିତ୍ୟରେ ଏହି ଉନ୍ନତି ସମାଲୋଚନାର ଦିନ ଆଜି ଆସିଅଛି ବୋଲି ମୋର ବିଶ୍ୱାସ, ଆଧୁନିକ ଉତ୍କଳ ସାହିତ୍ୟର ଗତି ଉନ୍ନତି, ଦିଗରେ ଚଳିତ, ଏଣୁ ଏପ୍ରକାର ସମାଲୋଚନା ଉତ୍କଳରେ ଆବଶ୍ୟକ ହୋଇ ପଡ଼ିଅଛି । ଆଶା ଅଛି, ସାହିତ୍ୟକଗଣ ଏହି ଦିଗରେ ଶକ୍ତି ପରିଚାଳିତ କରି ଜାତୀୟ ସାହିତ୍ୟର ଉନ୍ନତିରେ ସାହାଯ୍ୟ କରିବେ ।

 

ଉତ୍କଳ ସାହିତ୍ୟ ୧୩୨୬, ୨୨ଶ ଭାଗ ୧୦ମ ସଂଖ୍ୟା।

Image

 

କବି ଓ କବିତା

ପଠାଣି ପଟ୍ଟନାୟକ

 

ନୀଳ ଆକାଶରେ ତାରକାଳିର ମେଳା, ଏହିମାନଙ୍କ ଗହଣରେ ଚାନ୍ଦ କାହିଁକି ହସି ହସି ଲୋଟିଯାଏ ? ବନ ଓ ଉପବନରେ ଋତୁଚକ୍ର ଇନ୍ଦ୍ରଜାଲର ମାୟା ସୃଷ୍ଟି କରେ । ପ୍ରକୃତି ସଂସାରରେ କେତେ ବର୍ଣ୍ଣର ରୂପଚ୍ଛଟା, ଅସରନ୍ତି ସୌନ୍ଦର୍ଯ୍ୟର ଲହଡ଼ି ଖେଳିଯାଏ । କାହିଁକି ତାରି ମଧ୍ୟରେ ରୂପର ମାୟା ସୃଷ୍ଟି କରି ଫୁଲମାନେ ଫୁଟି ଉଠନ୍ତି । ସୁଗନ୍ଧିରେ ଚତୁର୍ଦ୍ଦିଗକୁ ମତୁଆଲା କରନ୍ତି କାହିଁକି ? ପ୍ରିୟ ଲୋକର ସାନିଧ୍ୟ କାହିଁକି ଏତେ ଆପଣାର ବୋଧ ହୁଏ, ପ୍ରିୟା ଏତେ ସୁଖକର ହୁଏ କିପରି ? କେଉଁ ଗିରି ଖୋଲରୁ ଝରଣା ଜନ୍ମ ଗ୍ରହଣ କରେ । କିନ୍ତୁ ଆରମ୍ଭ କରେ ତାର ସୀମାହୀନ ଜୟଯାତ୍ରା ସାଗର ସଙ୍ଗମ ପାଇଁ । ସୀମିତ ଜୀବନ କାଳରେ ଯୌବନ ସମୟ ଏପରି ଉନ୍ମାଦକର ହୁଏ କିପରି ? ସେଇମିତି ଏ ପ୍ରଶ୍ନ—କବି କବିତା କାହିଁକି ଲେଖେ ? କବିତା ସହିତ କବିର ସମ୍ପର୍କ କଣ ? କବିତା ନ ଲେଖିଲେ କଣ ଚଳନ୍ତା ନାହିଁ ? ନା, ଆଦୌ ଚଳିବ ନାହିଁ । କବିତା ନ ଲେଖିଲେ କବି ବଞ୍ଚିପାରିବ ନାହିଁ । ତାକୁ ଲେଖିବାକୁ ହେବ ବୋଲି ସେ ଲେଖେ ।

 

କିଏ କହିଥିଲା ବର୍ଷା ଆସୁ, ତୋଫାନ ହେଉ, ମହାସାଗରରେ ଉତାଳ ତରଙ୍ଗ ଫୁଲି ଉଠୁ । କିଏ କହିବ, କାହିଁକି ହୁଏ ନିଘଞ୍ଚ ଅରଣ୍ୟାନି, କେଉଁଠାରେ ସବୁଜ ଶ୍ୟାମଳ ପ୍ରାନ୍ତର ତ ଆଉ କେଉଁଠାରେ ଧୁ ଧୁ ମରୁବାଲି । ବିଶ୍ୱଶିଳ୍ପୀର ଏ ଅଦ୍ଭୁତ ଖିଆଲ । ମାତ୍ର ସେ କଣ କେବଳ ଖିଆଲ ପାଇଁ ଏସବୁ ସୃଷ୍ଟି କରନ୍ତି ନା ଏହି ସୃଷ୍ଟିର ଅନ୍ତାରାଳରେ ନିହିତ ଅଛି କିଛି ମହତ୍‍ ଉଦ୍ଦେଶ୍ୟ ?

 

ମର ଜୀବନରେ ସୃଷ୍ଟି ଛଡ଼ା ଆଉ ଆଉ କଣ ଥାଇପାରେ । ଏ ସଂସାର ଦୁଃଖ ପୂର୍ଣ୍ଣ । ନାନା ଯନ୍ତ୍ରଣା ଓ ଜଞ୍ଜାଳରେ ମନୁଷ୍ୟର ଜୀନନୀ ଜର୍ଜରିତ, ବେଦନା ବିଧୁର ଜୀବନର ସେଥିପାଇଁ ସୃଷ୍ଟି ଧର୍ମର ଚରମ ବ୍ୟାକୁଳତା ପ୍ରକାଶ ପାଏ । ଜନନୀ ଅନ୍ତଃ ଫାଡ଼ି ଜନ୍ମ ଦିଏ ସନ୍ତାନକୁ । ଏତେ ଦୁଖଃ ସହ୍ୟ କରିବାର ମୂଳରେ ତାର ଚରମ ଆତ୍ମତୃପ୍ତି । ଦୁଃଖ ବଣର କରି ସେ ସୁଖୀ ହୁଏ । ଯନ୍ତ୍ରଣାକୁ ଆଲିଙ୍ଗନ କରି ସେ ସଂସାର ପାଇଁ ଆଶୀର୍ବାଦ ତାଳି ଦେଇଯାଏ । ସେହିପରି କବି ଏକ ସାମଜିକ ପ୍ରାଣୀ । ସେ ଜନ୍ମ ହୁଏ ସମାଜ କୋଳରେ । ଏଇଠି ସେ ଆତଜାତ ହୁଏ । ଦୁଃଖ ପାଏ ବୋଲି ସେ ପ୍ରକାଶିତ ହୁଏ । ନିଜକୁ ସେ ରୂପାୟିତ କରେ କବିତାରେ । ସେ ଲେଖି କରି ଆନନ୍ଦ ପାଏ, ଭାବକୁ ରୂପାୟିତ କରି ସେ ରସର ଝରଣା ବୁହାଇ ଦିଏ । ସମାଜ ଓ ରାଷ୍ଟ୍ରକୁ ମମତାର ବନ୍ଧନରେ ଏକାଠି କରିବା ପାଇଁ ସେ ସୃଷ୍ଟି କରିଯାଏ । କେହି ଖେଳି ବୁଲି ଆନନ୍ଦ ଲାଭ କରେ, କେହି ଅର୍ଥ ଉପାର୍ଜନ କରି କ୍ଷମତାର ଅଧିକାରୀ ହୋଇ ସୁଖର କଳ୍ପନା କରେ । ମାତ୍ର କବି ହୁଏତ ସର୍ଜନା ସ୍ୱପ୍ନକୁ ଚରିତାର୍ଥ କରି ସେହି ସୁଖ ଆହରଣ କରିଥାଏ ।

 

କଳା ମେଘରେ ବିଦ୍ୟୁତ ନୀରବରେ ରହିପାରେ ନାହିଁ । ବିଚ୍ଛୁରିତ ହେବ ତାହାର ଧର୍ମ । ସେ ଦିଗେ ଦିଗେ ପ୍ରକମ୍ପିତ ହୁଏ । ଅନ୍ଧକାର ମଧ୍ୟରେ ଆଲୋକର କଣା ବୁଣି ବୁଣି ଯାଏ । ଆମୋଘ ଶକ୍ତିର ଅଧିକାରୀ ହୋଇ ବିଜୁଳି ଛୁଟେ । ତାହାରି ମଧ୍ୟରେ ଗର୍ଜନ କରି ଉଠେ ଏକ ଅମାପ ବ୍ୟକ୍ତିତ୍ୱ । ସେଇମିତ କବିର କବିତା । ସେ ପ୍ରକାଶିତ ହେବାକୁ ଚାହେଁ, ରୂପାୟିତ ହେବାକୁ ଲୋଡ଼େ, ଶିବ ଓ ସୌନ୍ଦର୍ଯ୍ୟର ବାର୍ତ୍ତାବହ ହୋଇ ବିସ୍ତାରିତ ହୋଇଥାଏ, ଠିକ୍‍ ଗିରି ଗହ୍ୱରରୁ ଝରଣାର ପ୍ରବାହ ପରି । କବିର ମନରାଜ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି ହୁଏ । ତା ମଧ୍ୟରେ ‘ମୁଁ ତ୍ୱ’ ଗର୍ଜନ କରିଉଠେ ।

 

କବି ଲେଖେ, କାରଣ ତାକୁ ଲେଖିବାକୁ ହେବ; ସୃଷ୍ଟିର ସୌନ୍ଦର୍ଯ୍ୟ ଉକୁଟାଇବାକୁ ପଡ଼ିବ । ସାଧାରଣ ଲୋକର ଆଖି ଜଗତକୁ ଦେଖି ମଧ୍ୟ ସେକହିବା ସମ୍ଭବ ହୁଏ ନାହିଁ, କଣ ଶୁଣି ମଧ୍ୟ ସମ୍ପୂର୍ଣ୍ଣ ଶୁଣିବାକୁ ଅକ୍ଷମ ହୁଏ । ଜଗତର ଏହି ରହସ୍ୟକୁ କବି କେବଳ ଅନୁଭବରେ ଆଣିପାରେ । ଅସରନ୍ତି ତାର ଅନୁଭୂତି, ତାର ରସଶକ୍ତ ପ୍ରାଣରେ ସୃଷ୍ଟି ହୁଏ ଅପୂର୍ବ ଆଲୋଡ଼ନ । ସେ କହିବାକୁ ଚାହେଁ କବିତା ମାଧ୍ୟମରେ । ତାର କହିବା ପାଇଁ ଅନେକ କଥା ଅଛି । ସେ କେବଳ ନିଜ ପାଇଁ କହେ ନାହିଁ, ଖିଆଲିର ମନ ନେଇ ପ୍ରକାଶିତ ହୁଏ ନାହିଁ, ସେ କହେ ସମାଜ ପାଇଁ, ରାଷ୍ଟ୍ର ପାଇଁ, ସର୍ବୋପରି ଏହି ରହସ୍ୟବ୍ୟଞ୍ଜିତ ସୁନ୍ଦର ସୃଷ୍ଟି – ସଂସାର ପାଇଁ ।

 

ଏଥିପାଇଁ କବି କୌଣସି ବାଧାବନ୍ଧନ ସ୍ୱୀକାର ନାହିଁ । ସେ ହୁଏ ବିଦ୍ରୋହୀ । କବିର ଲେଖନୀରେ ଖତଗଦାରେ ପଦ୍ମଫୁଲ ଫୁଟେ । ମରଣଶୀଳ ପରି ବେଶରେ ଅମୃତର ଫଲ୍‍ଗୁ ପ୍ରବାହିତ, ଏହି ମର୍ତ୍ତ୍ୟଭୂମିରେ ସ୍ୱର୍ଗୀୟ ଐଶ୍ଵର୍ଯ୍ୟ ସମ୍ଭବ ହୋଇଥାଏ । ଏହି ଦୃଶ୍ୟମାନ ଜଗତକୁ ସେ କେବଳ ପ୍ରକାଶିତ କରେ ନାହିଁ । ଯାହା ଆମର ହାତ ପାହାନ୍ତାର ବହୁତ ଦୂରରେ, ସେ ସବୁ ମଧ୍ୟ କବିତାରେ ରୂପାୟିତ ହୁଏ । କବି ଜଣେ ମହତ ପୁରୁଷ । କବି ପୁରୁଷର ଅନ୍ତର୍ଦୁଷ୍ଟିର ସୀମାସରହଦ୍‍ କଳନା କରାଯାଇ ପାରିବ ନାହିଁ । ସାଧାରଣ ମନୁଷ୍ୟର ଯାହା କିଛି ଅଭିଜ୍ଞତାର ବହୁତ ଦୂରରେ, ଯାହା ତାହାର ଦୃଷ୍ଟିର ସୀମାରେଖାକୁ ମଧ୍ୟ ଛୁଇଁ ପାରେ ନାହିଁ, ସେହି ରହସ୍ୟ ଉଦ୍‍ଘାଟିତ ହୁଏ କବିତାରେ । କବି କେବଳ ବାହ୍ୟ ଜଗତର ବିବରଣୀ ପ୍ରଦାନ କରି ସନ୍ତୁଷ୍ଟ ହୁଏ ନାହିଁ, ସେ ତାହାରି ମଧ୍ୟରେ ଏକ ଅପୂର୍ବ ସୌନ୍ଦର୍ଯ୍ୟର ପ୍ରତିଧ୍ୱନି ଶୁଣି ଶୁଣାଇବାରେ ଆଗ୍ରହୀ ହୋଇପଡ଼େ । ଜଗତ ଓ ଜୀବନ ସଂପର୍କରେ କବିର ମନରେ ଅନେକ ପ୍ରଶ୍ନ ସଂଚାରିତ ହୁଏ । ଖୋଜିବାରେ ହିଁ ତାର ଆନନ୍ଦ-। ରହସ୍ୟର ଉଦ୍‍ଘାଟନରେ ତାର ଚରମ ସାର୍ଥକତା । କେତେ ସମସ୍ୟାର ଉତ୍ତର ସେ ଖୋଜି ପାଏ-। କେତେ ସମାଧାନର ସଙ୍କେତ ସେ ଦେଇ ଦେଇ ଚାଲିଯାଏ ।

 

ଜନନୀର କୋଳରେ ଅନାଗତ ଶିଶୁ ହସି ଉଠିଲା ପୂର୍ବରୁ କେତେ ଦୁଃଖ ସହିବାକୁ ହୁଏ-। ଏକଥା କଣ କେହି କେବେ ବୁଝେ ? ସୃଷ୍ଟିର ଆନନ୍ଦରେ ସମସ୍ତେ ଆତ୍ମହରା ହୁଅନ୍ତି । ମାତ୍ର ସୃଷ୍ଟି କାରିଣୀର ବେଦନାବିଧୁର ଅନୁଭୂତି ସହିତ କେତେ ଜଣ ପରିଚିତ ହୁଅନ୍ତି । କବିର ମାନସ ସନ୍ତାନ କବିତାର ଅଭ୍ୟୁଦୟ ପୂର୍ବରୁ କବି ଚିତ୍ତ ଯେ କେତେଦୂର ବେଦନାଶିକ୍ତ ହୋଇଥାଏ, ତାହା ରସିକ ଶ୍ରଦ୍ଧାଳୁ ପାଠକ ବିନା ଆଉ କଳନା କରି ପାରିବ ! ଏଥିପାଇଁ ସୃଷ୍ଟି—ସୌନ୍ଦର୍ଯ୍ୟ ସହିତ ବେଦନା ବିଦଗ୍ଧ ଅନୁଭୂତି ଅତ୍ୟନ୍ତ ନିବିଡ଼ ଭାବରେ ଲାଗିରହିଛି । ସେଥିପାଇଁ ବୋଧହୁଏ କୁହାଯାଇଛି, Sweetest songs are those that tell of saddest thought ବୀଣାର ସଙ୍ଗୀତରେ ଆମେ ମୁଗ୍‍ଧ ହେଉ, ଶ୍ରୋତାର ମନରେ ନିର୍ମଳ ଆନନ୍ଦ ସଂଚାରିତ ହୋଇଯାଏ-। ମାତ୍ର ନିଜର ତାରରେ ଆଘାତ ନ ପାଇଲେ ବୀଣା କଣ କେତେ ହେଲେ ମଧୁର ସଙ୍ଗୀତର ମୂର୍ଚ୍ଛନା ଶୁଣାଇ ପାରିବ ? ତେବେ ଏହି ଆଘାତର ଅନ୍ତରାଳରେ ବୀଣାର ଯଦି ଅନୁଭୂତି ଥିବା, ତେବେ ସେ ଏକ ପବିତ୍ର ଭାବାବେଗର ସମ୍ମୁଖୀନ ହେଉଥିବ ! କାରଣ ସେ ନିଜେ ଦୁଃଖ ବରଣ କରି ବହୁ ଚିତ୍ତରେ ଅମୃତରେ ପ୍ରଲେପ ବୋଳି ଦେଇପାରିଛି । ଠିକ୍‍ ସେଇମିତି କବିର କବିତା, କବିତା ପ୍ରକାଶିତ ହୁଏ । ହୁଏତ କବିର ଆତ୍ମା ବିଳପି ଉଠୁଥାଏ । ମାତ୍ର ଏହି ବେଦନା ମଧ୍ୟରେ କବିର ଏପରିସୀମା ଆନନ୍ଦ । ସେ ପାଠକର ଚିତ୍ତ ରାଜ୍ୟରେ ପ୍ରେମର ସିଂହାସନ ଲାଭ କରିବାକୁ କ୍ଷମ ହୋଇଥାଏ । ତାର ବେଦନା ବୋଧ ଆନନ୍ଦରେ ରୂପାନ୍ତରିତ ହୋଇଯାଏ । ପରିବେଷଣ କରି କବି ହୁଏ ଅପୂର୍ବ ଆନନ୍ଦ ଓ ଆହ୍ଲାଦର ଅଧିକାରୀ । ନିଜ ସୃଷ୍ଟିରେ ସେ ହୁଏ ଆତ୍ମହରା । ସେହି ସୄଷ୍ଟି ସମ୍ପଦ ଯେତେବେଳେ ସମଗ୍ର ସମାଜର ଐଶ୍ଵର୍ଯ୍ୟରେ ପରିଣତ ହୋଇଯାଏ, ସେତେବେଳେ କବିତା ରଚନାର ଚରମ ସାର୍ଥକତା ମିଳିଯାଏ । କବି କେବଳ ବ୍ୟକ୍ତିର ହୁଏ ନାହିଁ । ସେ ହୁଏ ସମାଜର ମାନ୍ତ୍ରିକ । ତାର ସ୍ୱରରେ ଜଗତର କଲ୍ୟାଣ ଝରିପଡ଼େ । ମୁକ୍ତି ପାଇଁ କି କଠୋର ସାଧନା କରିବାକୁ ନ ପଡ଼େ । ସାଧକ ସ୍ୱର୍ଗୀୟ ଆନନ୍ଦ ଲାଭ କରିବା ଲାଭ କରିବା ପାଇଁ ଅତି ଭୟଙ୍କର କୃଚ୍ଛ୍ର ସାଧନାକୁ ଅକାତରେ ବରଣ କରିଯାଏ । ସାହିତ୍ୟରେ ରସାନୁଭୂତି ସ୍ୱର୍ଗୀୟ ବିଭୂତି ଭଳି ଅତ୍ୟନ୍ତ ମହିମା ମଣ୍ଡିତ । କାରଣ କବି ନିଜ ପାଇଁ ପ୍ରକାଶିତ ହୁଏ ନାହିଁ । ତାର ଵ୍ୟାକୁଳତା ସମଗ୍ର ସମାଜ ପାଇଁ, ଜଗତର ଆନନ୍ଦ ପାଇଁ । ଅବଶ୍ୟ କବି ପାଇଁ ସାମାଜିକ ସ୍ୱୀକୃତି, ପ୍ରଶଂସା ଏବଂ ଅର୍ଥ ଗୌରବ ରହିଛି, ମାତ୍ର କବି ଚିତ୍ତରେ ମାନବ ପ୍ରେମର ସମ୍ମୋହିତ ଭାବନା ଯେଉଁ ରସସ୍ନିଗ୍‍ଧ ଚିରନ୍ତନ ଐଶ୍ୱର୍ଯ୍ୟର ସୄଷ୍ଟି କରେ, ତାହା ତୁଳନାରେ ଏହି ଜାଗତିକ ବିଭୂତିର ମୂଲ୍ୟ ଅତ୍ୟନ୍ତ ଗୌଣ-

 

କବି ଜଣେ ସାଧାରଣ ସଂସାରୀ, ସାମାଜିକ ପ୍ରାଣୀ । ତେଣୁ ତାର ଦୁଃଖ ଅନ୍ୟମାନଙ୍କ ତୁଳନାରେ ଖୁବ୍‍ ଅଧିକ । ସାଧାରଣ ସଂସାରୀର ଅଭାବ ଅଛି, ଯନ୍ତ୍ରଣା ଅଛି । ନିନ୍ଦା ଅପଯଶ ମଧ୍ୟରେ ସେ ସନ୍ତୁଳି ହୋଇଥାଏ । ରୋଗ ଶୋକ, ବିରକ୍ତିକର ଅନୁଭୂତି ତାହାକୁ ବିଚଳିତ କରେ । ମାତ୍ର ପ୍ରବୃତ୍ତି ପରାଧୀନ ମନୁଷ୍ୟ ସାମାନ୍ୟ ଲାଭ ଲୋଭରେ ଏ ସବୁ ବିସ୍ମୃତ ହୋଇଯାଏ । ମାତ୍ର କବି କେବଳ ସାଧାରଣ ମନୁଷ୍ୟ ପରି ଦୁଃଖ ବରଣ କରେ ନାହିଁ । ତାହାର ଦିବ୍ୟ ଦୃଷ୍ଟି, ସୁକ୍ଷ୍ମ ଅନୁଭୂତି ଜଗତ ଓ ଜୀବନ ସମ୍ପର୍କରେ ସଚେତନ କରାଇ ଜର୍ଜରରିତ କରିଦିଏ । ଯୁଗ ଯନ୍ତ୍ରଣାର ଆହ୍ୱାନକୁ ସେ ମର୍ମେ ମର୍ମେ ଅନୁଭବ କରେ । ସେ ଆପେ ଆପେ ବ୍ୟାଧିଗ୍ରସ୍ତ ହୁଏ । ଦୁଃଖକୁ ନିମନ୍ତ୍ରଣ କରି ଆଣେ, ଅନ୍ୟର ଦୁଃଖରେ ତାର ବେଦନା-ବିଦ୍‍ଗଧ ପ୍ରାଣ ଉତ୍ତେଜିତ ହୋଇଉଠେ, ତେଣୁ ସେ ପ୍ରକାଶିତ ହୁଏ । ପ୍ରକାଶିତ ନ ହେଲେ ସେ ବଞ୍ଚିପାରିବ ନାହିଁ । କବିତା ହୋଇଛି କବିର ସର୍ବଶ୍ରେଷ୍ଠ ମହୌଷଧି । ବିଶ୍ୱ ଜୀବନ ସହ ସେ ନିଜକୁ ମିଳାଇ ଦିଏ ।

 

ଅନନ୍ତ ବିଶ୍ୱପ୍ରକୃତି ହୋଇଛି ସୌନ୍ଦର୍ଯ୍ୟର ଗନ୍ତାଘର । ଚତୁର୍ଦ୍ଦିଗରେ ବିଶ୍ୱନିୟନ୍ତାର ପ୍ରଚ୍ଛନ୍ନ ହସ୍ତର ଇଙ୍ଗିତ ଉପଲବ୍‍ଧ କରାଯାଏ । ଗଛଲତା, ବଣପର୍ବତ, ଉପତ୍ୟକା, ଅଧିତ୍ୟକା, ନଦୀ, ଝରଣା, ଜାତି ଜାତିକା ଫୁଲ ଫଳ, ପଶୁ ପକ୍ଷୀ କେତେ ଚିତ୍ର କେତେ ମହକର ଗନ୍ତାଘର ଏଇ ଧରଣୀ । ସବୁଠାରେ ମନେହୁଏ କେଉଁ ଏକ ଅରୂପ ଶକ୍ତିଧର ଜଗତର କଲ୍ୟାଣ ପାଇଁ ଏ ସବୁ ସଜାଡ଼ି ରଖିଛି । ପ୍ରକୃତି ରାଜ୍ୟର ଆକର୍ଷଣରେ ମନୁଷ୍ୟର ମନ ଉତାଳ ହୁଏ । ଝରଣା କୂଳୁକୂଳୁ ଧ୍ୱନିରେ ସେ ଶୁଣେ କେଉଁ ସୁଦୂରର ବଂଶିଧ୍ୱନି, ପୁଷ୍ପର ସୁରଭି ମନ୍ଦ ମଳୟରେ ଭାସି ବୁଲି ତାର ପ୍ରାଣ ଓ ମନକୁ ବ୍ୟାକୁଳିତ କରିଦିଏ, ସେ ହୁଏ ଆତ୍ମହରା । ଏଭଳି ଆତ୍ମବିହ୍ଵଳ ହେଉ ହେଉ କିଏ ଯେପରି ତାର ହୃଦୟରେ ଅମୃତ ଫଲ୍‍ଗୁ ପ୍ରବାହିତ କରିଦେଇ ଯାଏ । ସେ ପ୍ରକାଶିତ ହୁଏ । ପ୍ରକାଶିତ ହେବାର କି ଆନନ୍ଦ, ସେ ନିଜେ କେବଳ ଅନୁଭବ କରେ ନାହିଁ, ଅନ୍ୟ ପ୍ରାଣରେ ମଧ୍ୟ ଜାଗ୍ରତ କରିଦେଇ ପାରେ । ସେଥିପାଇଁ ଅଳ୍ପ ବହୁତେ ପ୍ରତ୍ୟେକ ମନୁଷ୍ୟ କବି, ଅନ୍ତତଃ କେତେ ପାଇଁ ମଧ୍ୟ ସେ ରସପାୟୀ କବି ହୋଇଯାଏ । ଏହି ପ୍ରକାଶିତ ହେବାର ଶକ୍ତି ମନୁଷ୍ୟକୁ ପଶୁଠାରୁ ପୃଥକ କରି ରଖିଅଛି । ସେହି ଠାରେ ହିଁ ତାର ମନୁଷ୍ୟ ଜନ୍ମର ସାର୍ଥକତା ପ୍ରତିପାଦିତ ହୁଅ । ଏହି ସୌନ୍ଦର୍ଯ୍ୟ ସ୍ୱପ୍ନ ସତେ ଯେପରି ସଭ୍ୟ ମନୁଷ୍ୟର ଅତ୍ୟନ୍ତ ଏକ ଚାଟିଆ ସମ୍ପତ୍ତି, ସମ୍ପୂର୍ଣ୍ଣ ମୌଳିକ ଐଶ୍ୱର୍ଯ୍ୟ । ସୌନ୍ଦର୍ଯ୍ୟ ପ୍ରକାଶିତ ହୁଏ, ଆନନ୍ଦର ଅନୁଭୂତି ମାଧ୍ୟମରେ ସେ ପ୍ରକୃତିକ ଦର୍ଶନ କରୁ କରୁ ଆତ୍ମହରା ହୁଏ ବିମୂଢ଼ ହୁଏ, ବିସ୍ମିତ ହୋଇପଡ଼େ । ତାର ମନକନ୍ଦରରେ ସୄଷ୍ଟି ହୁଏ ଅସଂଖ୍ୟ ପ୍ରଶ୍ନ, ରହସ୍ୟର ଜାଲରେ ସେ ଆପେ ଆପେ ଛନ୍ଦଣି ମନ୍ଦଣି ହୋଇପଡ଼େ । ଏଇମିତି ଏକ ଅନୁଭୂତିରେ ସନ୍ତୁଳି ନ ହୋଇଥିଲେ ସେହି ଆଦିମ ଯୁଗର ଶକାରୀ ମନୁଷ୍ୟ ସେ କାଳର ଗୁମ୍ଫାର ଗାତ୍ରରେ ଚିତ୍ର ଅଙ୍କନ କରିନଥାନ୍ତା । ତାର ଅସହ୍ୟ ଅନୁଭୂତିକୁ ରୂପାୟିତ କରିବା ପାଇଁ ଚିତ୍ର ଅଙ୍କନ ଛଡ଼ା ତାର ଆଉ କଣ ଉପାୟ ଥିଲା । ଏତିକିରେ ସେ ସନ୍ତୋଷ ଲାଭ କରିପାରିଲା ନାହିଁ । ନିଜକୁ ଅନୁଭୂତି ସେ କଥାରେ ବର୍ଣ୍ଣନା କରି ସୁଖୀ ହେଲା । ଚାହୁଁ ଚାହୁଁ ତାର ଅଜାଣତରେ ସେ କେତେବେଳେ କବି ହୋଇ ବସିଛି, ସେ କଥା ସେ ନିଜେ ମଧ୍ୟ ଜାଣେ ନାହିଁ ।

 

ଏଥିପାଇଁ କବିତା ସହିତ କବିର ସମ୍ପର୍କ ଅତ୍ୟନ୍ତ ନିବିଡ଼, ଏକାନ୍ତ ଆନ୍ତରିକା । କାଳର ଗତିପଥରେ ଭାଷା ଜନ୍ମଗ୍ରହଣ କଲା । ଭାଷା ହେଲା ଭାବର ବାହାନ । ଭାଷାର ବନ୍ଧନରେ କବିତାର ପ୍ରାଣଧର୍ମରେ ଆସିଲା ନୂତନ ଉତ୍ତେଜନା, ଅଭିନବ ରୂପଚ୍ଛଟା, କବିର ଜୀବନ ଜିଜ୍ଞସା ମଧ୍ୟରେ ଜାତି ଓ ନୂତନ ଉତ୍ତେଜନା, ଅଭିନବ ରୂପଚ୍ଛଟା, କବିର ଜୀବନ ଜିଜ୍ଞାସା ମଧ୍ୟରେ ଜାତି ଓ ସମାଜର ପ୍ରାଣ ସ୍ପନ୍ଦନ ଚରିତାର୍ଥ ହେଲା । ଝଂକୃତ ହୋଇ ଉଠିଲା ତାର ଆଭିମୁଖ୍ୟ । ଯେଉଁଠାରେ ଜୀବନର ଏହି ଉତ୍ତରଳ ପ୍ରବାହ ନାହିଁ, ଯେଉଁ ପ୍ରବାହର ସ୍ପର୍ଶ ଅସଂଖ୍ୟ ମନରେ ଚିଆଁ ସୄଷ୍ଟି କରୁନାହିଁ, ସେ ବlସ୍ତବି୍କ ସାହିତ୍ୟ ହୋଇପାରିବ ନାହିଁ । ହୁଏତ ସମ୍ବାଦ ହୋଇପାରେ ନତୁବା ଆଉ କିଛି ରୂପ ଗ୍ରହଣ କରିପାରେ ।

 

ସାହିତ୍ୟରେ ପ୍ରାଣର ଲୀଳା ଫୁଟିଉଠେ । ଏକକ ଅନୁଭୂତି ଅଜସ୍ର ଅନୁଭୂତିରେ ରୂପାନ୍ତରିତ ହୋଇଯାଏ । କାବ୍ୟକାଳର ଅନୁଭୂତି ମଧ୍ୟରେ ରସିକ ପାଠକ ଦିବ୍ୟ ସୌନ୍ଦର୍ଯ୍ୟ ଆହରଣ କରେ, ଜାଗତିକ ସୌନ୍ଦର୍ଯ୍ୟ ସ୍ୱଗୀୟ ରୂପଶୋଭାରେ, ରକ୍ତମାଂସର ଦୈହିକ କାମନା ଦେହାତୀତର ନିର୍ମଳ ଆବେଗରେ ଛନ୍ଦାୟିକା ହୋଇପଡ଼େ । ବ୍ୟକ୍ତିନିଷ୍ଠ ସ୍ୱାର୍ଥସର୍ବସ୍ଵଜୀବନ ବିଲୀନ ହୋଇଯାଏ । ସେଠାରେ ଆତ୍ମତ୍ୟାଗର ସାଧନା ଚରିତାର୍ଥ ଲାଭକରେ, ମନର ଆକାଶରୁ ଭୀଷଣ କଳାବଉଦ ଅପସରି ଯାଇ ଲକ୍ଷ ଲକ୍ଷ ତାରାକାଳିର ପୁଷ୍ପ ସତେଜ ହୋଇଉଠେ । ସେଥିପାଇଁ ଅନ୍ଧକାର ମଧ୍ୟରେ ଆଲୋକର ବାର୍ତ୍ତାବହ ହୁଏ ସାହିତ୍ୟ । ଯୁଗେ ଯୁଗେ ସମାଜର ବିକ୍ଷୁବ୍‍ଧ ପ୍ରାଣରେ ସାହିତ୍ୟ ହିଁ ଅମୃତର ପ୍ରଲେପ ବୋଲି ଆସିଛି । ଯନ୍ତ୍ରଣା ଜର୍ଜରିତ ସାମାଜିକ ମନୁଷ୍ୟର ଅମୋଘ ବିଷଲ୍ୟକରଣୀ ହେଉଛି ସାହିତ୍ୟ । ଜାତିର ଅବଦମିତ ଆତ୍ମା ଜାଗ୍ରତ ହୁଏ କାବ୍ୟରସ ପାନ କରି । ସାହିତ୍ୟ ହେଉଛି ତାର ଜାଗ୍ରତ ପ୍ରହରୀ । ସେ ନିଜେ କେବଳ ତେଜୀୟାନ ଓ ଆଲୋକଦୀପ୍ତ ହୁଏ ନାହିଁ ଅନ୍ୟକୁ ମଧ୍ୟ ଆଲୋକିତ କରେ । ସମାଜର ଯାବତୀୟ କଳଙ୍କିତ ଭାବଧାରା ବିରୁଦ୍ଧରେ ସାହିତ୍ୟ ସଂଗ୍ରାମ କରିବାକୁ ଅଗ୍ରସର ହୁଏ । ଜୀବନର ରହସ୍ୟକୁ ଉଦ୍‍ଘାଟନ କରିବା ହେଲା ସାହିତ୍ୟର ପ୍ରଧାନ ଧର୍ମ । ସେଥିପାଇଁ ସାହିତ୍ୟ ଚେତନଶୀଳ ଓ ଜୀବନ ଧର୍ମୀ ।

 

ସାହିତ୍ୟ ଓ ଜୀବନ, କବି ଓ କବିତା କେତେ ଆପଣାର । ତେଣୁ କବି ଓ ସମାଜ ମଧ୍ୟରେ ଯେଉଁ ଅପାଶୋରା ଦେହ-ନମର କୁଟୁମ୍ବିତା ରହିଛି, ତାକୁ ଆଉ କେହି ନ ବୁଝ, କବି ଯଦି ନ ବୁଝିପାରିଲା, ତେବେ ଅନୁଭବ କରିବାକୁ ହେବ, ସେ ଉପଯୁକ୍ତ ଭାବରେ ଆତ୍ମପ୍ରକାଶ କରି ଜାଣିନାହିଁ । ତାହାର କାବ୍ୟ-ସାଧନା ଚରିତାର୍ଥ ହୋଇ ପାରିନାହିଁ । ସମାଜ-ଜୀବନ ଠାରୁ ବିଚ୍ଛିନ୍ନ ହୋଇ ଯେଉଁ କବିତାର ଫଲଗୁ ଝରିଯାଏ, ତାହା ମରୁଭୂମିର ଜଳଧାର ପରି ହଜିଯିବା ବିଚିତ୍ର ନୁହେଁ । କାବ୍ୟ-ରସର ଧାରା ଯଦି ସମସ୍ତକୁ ଚିଆଁଇ ନରଖିଲା, ଉନ୍ମେଷିତ କରି ନପାରିଲା, ଆଲୋକିତ ହେବା ପାଇଁ ପ୍ରେରଣା ସୄଷ୍ଟି ନକଲା, ତେବେ ତାହା ପ୍ରକୃତି ଆତ୍ମାପ୍ରକାଶ ନୁହେଁ । ନିଚ୍ଛୁକ ଆତ୍ମା-ପ୍ରତାରଣା ମାତ୍ର ।

Image

 

ଅଭିଭାବକ

ଚନ୍ଦ୍ରଶେଖର ରଥ

 

ଗଛ ଛାଇରେ ଗଛ ଯେମିତି ଉଧାଏ ନାହିଁ, ମଣିଷ ଛାଇରେ ମଣିଷର ବ୍ୟକ୍ତିତ୍ୱ ସେମିତି ଅଧେ ଛିଡ଼େ । ସମାନ ବିପୁଳତାରେ ଗଜେଇ ପାରେନା । କିନ୍ତୁ ନୂଆ ବଢ଼ିବ ବୋଲି ପୁରୁଣାକୁ ତ କାଟି ଫିଙ୍ଗି ଦେଇ ହୁଏ ନାହିଁ । ଅଭିଭାବକଙ୍କୁ ମଧ୍ୟ ଠିକ୍ ସେମିତି ସହି ଯିବାକୁ ହୁଏ । ତା’ ବୋଲି ଯେ ସେ ସମ୍ପୂର୍ଣ୍ଣ ଅନାବଶ୍ୟକ ଏହା ମଧ୍ୟ କହି ହେବ ନାହିଁ । ଚାରି ନୂଆ ହୋଇ ଚେର ଲଟେଇଲା ବେଳେ ପତର ଠୁଙ୍ଗା ଯେମିତି ବା ସୂର୍ଯ୍ୟ ତାପରେ ଜଟାୟୁ ଜଳିଯିବ ବୋଲି ତା’ ଉପରେ ଡେଣା ମେଲେଇ ପଙ୍ଗୁ ହୋଇ ଖସିପଡ଼ିବା ସମ୍ପାତି ଯେମିତି, ଏ ଅଭିଭାବକ ବିଚାର ବି ସେମିତି । ଗୋଟାଏ ସମୟରେ ତାକୁ ବାଦଦେଇ ବଞ୍ଚି ହୁଏନା । ଅବଶ୍ୟ ଏମାନଙ୍କ କଥା ଏଠି ପଡ଼ିନାହିଁ । ଜନ୍ମ ଦେଇ ପାଳିବା ପୋଷିବା ଦାୟିତ୍ୱକୁ ମମତା ସ୍ନିଗଧ କରି ସନ୍ତାନକୁ ଏଡ଼େଟିରୁ ଏଡ଼େଟିଏ କରୁଥିବା ବାପ ମାଙ୍କ କଥା ପଡ଼ିନାହିଁ, ପଡ଼ିଛି ସେହିମାନଙ୍କ କଥା, ଯେଉଁମାନେ ବିର୍ଦ୍ଧିଷ୍ଣୁ ଜୀବନର ସହଜ ପନ୍ଥା ଉପରେ ବିଶ୍ୱାସ ରଖନ୍ତି ନାହିଁ, ଯେଉଁମାନେ ଭାବନ୍ତି ସେମାନେ ନଥିଲେ ସୃଷ୍ଟି ଅଚଳ ହୋଇଯିବ, ନୀତି ନିୟମର ଧ୍ଵଜାଧାରୀ, ସେହି ଅତ୍ୟାଚାରୀ ଅପଶାସକଙ୍କ କଥା ଏଠି ପଡ଼ିଛି । ମୋଟ ଉପରେ କୌଣସି ନିର୍ଦ୍ଦିଷ୍ଟ ଅଭିଭାବକ ନୁହେଁ, ମାତ୍ର ସେହି କଥାକଥିତ ଅଭିଭାକତ୍ୱହିଁ ଆମର ବିଚାର୍ଯ୍ୟ ।

 

ପ୍ରଥମତଃ ଅଭିଭାବକ ମହାଶୟ ଭାବିଥାନ୍ତି ଯେ, ତାଙ୍କ ଅଧିନସ୍ଥ ନାବଳକଟି ତାଙ୍କ ଆଜ୍ଞାକାରୀ ଭୃତ୍ୟ । ସେ ଯାହା କହିବେ ତାକୁ ନିର୍ବିରୋଧ ମାନିଯିବ ତାର କର୍ତ୍ତବ୍ୟ, ଏଣୁ ସଦ୍‍ଗୁଣ ମଧ୍ୟ । ଯେ ଟିକିଏ ନିଜ ସ୍ୱାଧୀନ ଇଚ୍ଛା ଉପରେ କାମ କରିବାକୁ ଚେଷ୍ଟା କରିଦେଲା, ତା’ ଉପରେତ ଯାହା ଶାସନର ପିଙ୍ଗଳକୋଡ଼୍ ଅନୁଯାୟୀ ଦଣ୍ଡ ବିଧାନ ହେବ, ସେ କଥା ଛାଡ଼ । ତାକୁ ସ୍ୱାଧୀନ ବୋଲି ସ୍ୱୀକାର ନକରି କେବଳ ଅବାଧ୍ୟ ଆଖ୍ୟାରେ ମଧ୍ୟ ଅପମାନିତ କରାଯାଏ । ବିଧା, ଗୋଇଠା, ଚାପୁଡ଼ା, ବେତ, ବାଡ଼ି ପ୍ରହାରର ଉପାଦେୟତା ପାଇଁ ନିୟମ ଅଛି । ଏଇଠି ମନେ ରଖିବା ଉଚିତ୍ ଯେ, ଅଭିଭାବକଙ୍କର ମଧ୍ୟ ଆହୁରି ଜୋର୍‍ଦାର୍ ଅଭିଭାବକ ଅଛନ୍ତି । ସେଗୁଡ଼ିକ କିନ୍ତୁ ଅଶରୀର ଭୂତ ଯଥା— ଚକ୍ଷୁ, ଲଜ୍ଜା, ଭୟ, ଲୋକେ କଣ କହିବେ ଭୟ ଅନ୍ୟାୟ କଲେ ଧର୍ମ ସହିବ ନାହିଁ ଭୟ, ଇତ୍ୟାଦି । ନାନାପ୍ରକାର ଆଇନାକୁ ମୋଦିତ ଦଣ୍ଡ ଦେବାର ମୂଳ ଉଦ୍ଦେଶ୍ୟ ହେଲା ସେଇ କୋମଳ ନାବାଳକ ପ୍ରାଣରେ ଏକ ଆତଙ୍କ ସୃଷ୍ଟି କରିଦେବା—ମାଙ୍କୁଡ଼ିଆ ଯେମିତି ତା’ ପୋଷା ମାଙ୍କଡ଼ ପିଲାଙ୍କୁ ନାନାପ୍ରକାର ବିକଟ ଭଙ୍ଗୀରେ ନଚାଏ ଏବଂ ବାହାଦୂରି ନିଏ । ଅଭିଭାବଙ୍କ କାମ ହେଲା ସେଇ ପ୍ରକାର ଗୋଟାଏ ବାହାଦୂରି ନେବା । ତା’ ଭିତରୁ କେତେ ଜଣ ନୀତି କରି ଦେଇଛନ୍ତି ଯେ, ନାବାଳକ ଯାହା ଚାହିଁବ, ଠିକ୍ ତାର ଓଲଟା ପାଇଁ ତାକୁ ବାଧ୍ୟ କରିବା । ଏହା କୁଆଡ଼େ ତାକୁ ମଣିଷ କରିବାରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ—ଯଦି ସେ କହିଛି, କୋଟରେ ଗୋଟିଏ କିମ୍ବା ଦୁଇଟି ବୋତାମ ରହୁ ଯେପରି ରଖିଛନ୍ତି ରାମଚନ୍ଦ୍ର, ଶ୍ୟାମସୁନ୍ଦର କିମ୍ବା ଦାମୋଦର । ତତ୍‍କ୍ଷଣାତ ଅଭିଭାବକ ସେହି ତିନୋଟି ଭଦ୍ରଲୋକଙ୍କୁ ରାମା, ଶ୍ୟାମା, ଦାମାରେ ପରିଣତ କରି କହିବେ ଯେ ସାତୋଟି କିମ୍ବା ତଦୁର୍ଧ୍ଵ ବୋତାମ କୋଟରେ ରହିବା ବିଧେୟ । ଯଦି ନିହାତି ଚାହିଁ ବେକ ପାଖକୁ ଚକେ ଲେଖା ପ୍ରଜାପତିଆ କଲର୍ ରଖିପାରେ । ଛୁଟିଦିନ ଦୁଇପ୍ରହର ବେଳା ଯଦି ଇଚ୍ଛା ହେଲା ଚକା ବରଗଛରେ ଡାଳମାଙ୍କୁଡ଼ି ଖେଳିବା ବା ନଈକୂଳରେ ଫେରିକ୍ ଧରିବା, ଓଃ ସେ ଭୟାନକ କଥା, ତା କି କେବେ ସମ୍ଭବ । ଦ୍ୱିପ୍ରହରଟା ଖର ବେଳା, ଶୋଇଯାଅ । ଖରାରେ ବୁଲିଲେ ଝୋଲା ମାରି ଦେବ । ସେତେବେଳେ ଇଚ୍ଛା ହୁଏ କହିବାକୁ, ତୁମକୁ ହେଲେ ଝୋଲା ମାରି ଦିଅନ୍ତା କି ପ୍ରଭୁ । ଏକାଥରେ ମଣିଷ ନିଷ୍କୃତି ପାଇଯାନ୍ତା । ହୁଏତ ଅଭିଭାବକ ବୁଝନ୍ତି, ଟୋକା ଯାହା କହୁଛି ଠିକ୍ ଏବଂ ସେ ଯାହା କହୁଛନ୍ତି ଭୁଲ୍‍ । କିନ୍ତୁ ତାକୁ ସେଇୟା କହିଦେଲେ ତା ମୁହଁ ବଢ଼ିଯିବ ନାହିଁ ? ତାକୁ ବାଧ୍ୟ କରିବା ତ ହେଲା ତାଙ୍କ ଏକମାତ୍ର କର୍ତ୍ତବ୍ୟ । ସେଥିପାଇଁ ମାଡ଼ଖାଇ ସେ ବାଢ଼ୁଆ, ଗୟଁ । ହୋଇଯାଉ ବରଂ ତାହିଁ ଶ୍ରେୟସ୍କର; କିନ୍ତୁ ଲାପରବାୟ ହୋଇଯିବ ସେ ଥାଉ ଥାଉ, ଏ କଥା ଅସହ୍ୟ । ତା କେବେ ହୋଇପାରେନା ।

 

ଦ୍ୱିତୀୟତଃ ସେ ଭାବନ୍ତି ନାବାଳକଟି ଅନ୍ଧ । ତାକୁ ଏ ଘୋର ସଂସାରରେ କିଛି ବାଟ ନାକରେ ଖଣ୍ଡେ ଦଉଡ଼ି ଲଗେଇ ଟାଣି ନେଇଗଲେ ହୁଏ । ଜୋର କରି କିଛି ନୀତି ନିୟମର ପାନେ–ଯାହାକୁ ସେ ନିଜେ ଏପର୍ଯ୍ୟନ୍ତ ଏଡ଼ିପାରି ନାହାନ୍ତି, ତାର ପାଟିରେ ଭର୍ତ୍ତି କରିଦେବା ତାଙ୍କର କର୍ତ୍ତବ୍ୟ । ଏଥିରେ ଦୁଃଖ ରହିଯାଏ ଗୋଟିଏ କଥା ନେଇ । ତା’ ହେଉଛି ଯେ ଅଭିଭାବକ ଅନବରତ ଚିନ୍ତା କରନ୍ତି ଏବଂ ବିଶ୍ୱାସ କରନ୍ତି ଯେ ସେ ନାବାଳକର ଶୁଭଚିନ୍ତକ । ତାଙ୍କୁ ଯାହା ଭଲ ଦିଶେ, ବା ଠିକ୍ କହିବାକୁ ଗଲେ ଯାହାକୁ ସେ ଭଲ ବୋଲି ଦେଖି ଶିଖିଛନ୍ତ୍ତି, ତାକୁ ସେ ସମସ୍ତଙ୍କ ପାଇଁ ଏବଂ ସବୁ କାଳରେ ଭଲ ବୋଲି ମାନି ନିଅନ୍ତି । ତାର ବିଷମୟ ଫଳ ଭୋଗେ ନାବାଳକ ବିଚାରା । ଅଭିଭାବକ କଥା କଥାକେ ଉଦାହରଣ ଦିଅନ୍ତି ନିଜର । ସେ କିପରି ଆରୁଣିତୁଲ୍ୟ ଗୁରୁଜନ ବାକ୍ୟ ଅଲଙ୍ଘ୍ୟମଣି, ନାନା କଷ୍ଟ ସହି ଆଜି ମଣିଷ ହୋଇଛନ୍ତି । ତା ସାଙ୍ଗକୁ ଆଜିକାଲିକା ପିଲାଙ୍କ ଭବିଷ୍ୟତ ନେଇ ଘୋର ନୈରାଶ୍ୟ ପ୍ରକାଶ । ଏମିତି ଦୋମୁନିଆ ଯନ୍ତ୍ର ଲଗାଇ ସେ ହତବମ୍ବ ନାବାଳକଟି ଉପରେ ପ୍ରଭାବ ପକାନ୍ତି । ସେ ବି କିଛି ବିଚାର ନକରି ବାପା ଦାଦିଙ୍କର ପୁରୁଣା କାଦୁଅ ପୁଣି ଚକଟେ । ନୂଆ ରାସ୍ତା ନେବା ମନ । ଅଭିଭାବକ ତାକୁ ଲଉଡ଼ି ଧରେଇ ଦେଇଥାନ୍ତି । ସେ ତାକୁ ଯେଉଁଆଡ଼େ କଢ଼େଇଲା ତାହାହିଁ ରାଜପଥ । ଟିକିଏ ସଚେତନ ଓ ବିଚାରବନ୍ତ ଅଭିଭାବକଙ୍କୁ ଯଦି ପଚାରି ଦିଆଯାଆନ୍ତା "ଆଜ୍ଞା, ଏ ରାସ୍ତା କଁ ଠିକ୍ ବୋଲି ଆପଣ ନିଜେ ଜାଣନ୍ତି ?"—ସେ ଟିକିଏ ଚମକି ଯାଆନ୍ତେ । ଭାବନ୍ତେ "ଆରେ ସତେତ, ପନ୍ଥା ତ ମୁଁ ଦେଖିନାହିଁ । ମୋତେ ଦେଖେଇ ଦିଆ ହୋଇଛି । ମୁଁ ପଥିକ ମାତ୍ର । ଇଚ୍ଛା ବିରୁଦ୍ଧରେ ଏଥିରେ ପେଲି ହୋଇ ପଶିଆସିଛି ଏବଂ ସେହିପରି ଭିଡ଼ ଭିତରେ ଏହାକୁ ମଧ୍ୟ ଟାଣି ନେଉଛି । ସେ କଣ ସତେ ଏ ଗଳିରେ ଯିବାକୁ ବାଧ୍ୟ ?" —କିନ୍ତୁ ହତୋସ୍ମି ! ଏପରି ଅଭିଭାବକ କୋଟିକେ ଗୋଟିଏ ମିଳିବ କଷ୍ଟ ।

 

ଏଥିରୁ ଜଣାଗଲା ଯେ, ଅଭିଭାବକ ମହୋଦୟ ଯେତେ ନିଷ୍ଠୁର ଅପଶାସକ ହୁଅନ୍ତୁ ପଛକେ କଲେଜ ପରେ ଅନ୍ତତଃ ତାଙ୍କର ଆଉ ଦେଖା ମିଳିବ ନାହିଁ । ମହାମତି ଚାଣକ୍ୟ କହିଛନ୍ତି ସେଥିପାଇଁ ତାଙ୍କର ଜୟ ହେଉ ! ଯେ ଷୋଳ ବର୍ଷ ପୂରିଗଲେ ସେ କୁଆଡ଼େ ମିତ୍ରାଚରଣ କରନ୍ତି । ଏବେ ଅବଶ୍ୟ ଆଉ ପାଞ୍ଚ ବର୍ଷ ଦରକାର ସାବାଳକ ହେବାପାଇଁ । କିନ୍ତୁ ଏହା ବିଡ଼ମ୍ବନା ମାତ୍ର ! ଆମେ ମୋଟ ଉପରେ କେବଳ ସାବାଳକ ହେଉନା ଏବଂ କସ୍ମିନ୍‍କାଳେ ଏ ଅଭିଭାବକତ୍ୱର ଛାୟାରୁ ମୁକ୍ତ ହୋଇ ପାରୁନା । ସଂବିଧାନ ଅନୁସାରେ ସାବାଳକ ହୋଇଗଲେ ଅଭିଭାବକ ଆଉ ବ୍ୟକ୍ତି ହୋଇ ରହେ ନାହିଁ ସତ; କିନ୍ତୁ ହୋଇଯାଏ ଏକ ଆଶରୀରୀ ଆତ୍ମା । ଏକ ଅନତିକ୍ରମ ଦୁଷ୍ଟ ପରମ୍ପରା । ଏଣୁ ବ୍ୟକ୍ତିଠାରୁ ସେ ହୋଇଯାଏ ଆହୁରି ବ୍ୟାପକ, ଆହୁରି ଅମାନିଆ ଏବଂ ଅତ୍ୟାଚାରୀ । ଗୋଷ୍ଠୀ ହୋଇଯାଏ ଅଭିଭାବକ । ପ୍ରତିନିଧି ଆସି କହେ, ତୁମେ ବାବୁ ଆମ ସାହିରେ ଅଛ । ଆମେ ତୁମର ଦେଖ୍ ରେଖ୍ କରିବା, ଆଉ ସାହିବାଲାଙ୍କଠୁ ତୁମକୁ ରକ୍ଷା କରିବା । ବର୍ତ୍ତମାନ ସାହିର ଅମୁକ ଅନୁଷ୍ଠାନରେ କିଛି ଚାନ୍ଦ ଦେଇ ପକାଅ ।" —ନ କହି କୁହାଯାଏ, ଭଙ୍ଗୀରେ ଏବଂ ଇଙ୍ଗତରେ, ନ ହେଲେ ସମ୍ଭାଳ ।’ —ମନେ ପଡ଼ିଯାଏ ପିଲାଦିନର ବିଧା, ଗୋଇଠା ବେତ ଏବଂ ବାଡ଼ି ଏବଂ ତତ୍‍ଜନିତ ଆତଙ୍କ... ଚାନ୍ଦା ଦେବାରେ ଡେରି ହୁଏ ନାହିଁ । ଶ୍ରମିକ ଗୋଷ୍ଠୀ ଆସି କହେ, ‘ତୁମେ ଆମ ଅନ୍ତର୍ଭୁକ୍ତ, ଚାରଣିଆ ସଭ୍ୟ ହୋଇଯାଅ ବା ଯଦି ଚାହିଁ ପାଞ୍ଚଟଙ୍କିଆ ଆଜୀବନ ସଭ୍ୟ ହୋଇପାରେ, ଆମେ କାରଖାନା ମାଲିକ, ଖଣି ମାଲିକ ପାଖରେ ଲଢ଼ି ତୁମକୁ ରକ୍ଷା କରିବା’ । ପାଞ୍ଚୋଟି ଟଙ୍କା ଖସିଯାଏ ଏବଂ ଖସିଯାଏ ସେହି ଅନୁପାତରେ ନିଜ ଉପରୁ ଆସ୍ଥା । ଏପରି ବିବିଧ ଅନୁଷ୍ଠାନ, ଅସଂଖ୍ୟ ସଂପ୍ରଦାୟ— ଲକ୍ଷାଧିକ ଭୟ ଆତଙ୍କ, ଯୁକ୍ତି ଓ ପୃଷ୍ଠପୋଷକତା ଆସି ବ୍ୟକ୍ତିର ସମସ୍ତ ସମ୍ଭାବନାର ପଥରୋଧ କରି ଠିଆ ହୁଅନ୍ତି । ତା’ର ସାମୁହିକ ବ୍ୟକ୍ତିତ୍ୱ ଯେଉଁ ସବୁ ବିଭିନ୍ନ ପନ୍ଥାରେ ବିକଶିତ ହୋଇଥାନ୍ତା ସେ ସମସ୍ତର ଦ୍ୱାର ଦେଶରେ ଗୋଟିଏ ଗୋଟିଏ ଅଭିଭାବକ । ସେ ଅଣନିଶ୍ୱାସୀ ହୋଇ ଚିତ୍କାର କରେ, "ମୋତେ ଛାଡ଼ିଦିଅ, ମୁଁ ସ୍ୱାଧୀନ ହେବାକୁ ଚାହେଁ ।

 

ମୁଁ ବରଗଛରେ ଡାଳମାଙ୍କୁଡ଼ି ଖେଳିବି, କୋଟରେ ଗୋଟିଏ ବୋତାମ ଲଗାଇବି, ସେଥିରେ ଯାହା ବିପଦ ଥାଉ ସେଠିକି ମୋର ଭ୍ରୂକ୍ଷେପ ନାହିଁ । ମୋତେ ତୁମେ ଚାରିଆଡ଼ୁ ଘେରି ମାରିଦିଅ ନାହିଁ । —ଉତ୍ତର ଆସେ, ଆମେ କଣ ଏଠି ଚଷୁ କୁଟୁଛୁ । ଆମେ ପରା ସେଇଆ ଚାହୁଁ । ତୁମେ ଆଉ ସ୍ୱାଧୀନ କଣ ହେଲ ।" ସ୍ଥିର ହୋଇ ବୁଝ ସ୍ୱାଧୀନତାର ଅର୍ଥ କଣ ? ତୁମେ ସ୍ୱାଧୀନ ହେବାକୁ ହେଲେ କଣ କରିବାକୁ ହେବ । କିପରି କେଉଁ ପନ୍ଥା ଅବଲମ୍ବନ କରିବାକୁ ହେବ । ଫରାସୀ ଆନ୍ଦୋଳନ ଦିନଠାରୁ ଖୋଲା ଖୋଲି ଆମେ ସେଇଆ ଆମର ନୀତି କରି ଆସିଚୁ । ତୁମେ ଅଗ୍ରସର ହୁଅ । ଆମେ କେବଳ ତୁମ ପଛରେ ଠିଆ ହୋଇଥିବୁ । କାଳେ ଥାଏ ତ କେତେବେଳେ ଏକୁଟିଆ ଦେଖି କିଏ ଝାମ୍ପ ମାରି ଦେବ । ସେତେବେଳେ ଘଣ୍ଟ ଘୋଡ଼େଇ ଚକ୍ର ଆଢ଼ୁଆଳ କରିବା ଆମର କାମ । ୟା ପରେ ଚୁପ୍ । କଥାଟା ମୋଟା ଉପରେ ସତ ନୁହେଁ କି ? ସଂସାର ରୂପ ଯାହା ହେଲାଣି ଏକୁଟିଆ ଲୋକଟିକୁ କିଏ ପଚାରେ ? ସତ୍ୟ ନ୍ୟାୟ ବିଷୟରେ ମଧ୍ୟ ସଂସ୍ଥା ସଂପ୍ରଦାୟ ସବୁ ରହିଛି । ସବୁ ତା ମାଧ୍ୟମରେ ହେବା ଉଚିତ । ଆଉ ବିରୋଧ ରହେ ନାହିଁ । ବ୍ୟକ୍ତି ତାର ଚିର ନାବାଳକୃତ ସ୍ୱୀକାର କରି ନିଏ । କିନ୍ତୁ ଏଇଠି ଲକ୍ଷ୍ୟ ସେ ଦେଖନ୍ତା ଯେ ସେ କେତେବେଳୁ ତାର ଅଜ୍ଞାତରେ ନିଜେ ଗୋଟିଏ ଅଭିଭାବକ ସାଜି ସାରିଲାଣି । ଏଣୁ ବିରୋଧ ନ ରହିବା ସ୍ୱାଭାବିକ୍ । ଅଭିଭାବକ ନିଜେ ଅଭିଭାବକତ୍ୱରୁ ମୁକ୍ତ ନୁହେଁ, ସେ ତାର ପୋଷାକ ଓ ପୋଷିତ ।

 

ନାବାଳକତ୍ୱ ମଣିଷ ପ୍ରକୃତିରେ ଏକ ମୌଳିକ ଦୁର୍ବଳତା । ଯେଉଁ ଦିନଠାରୁ ସେ ତାର ଶାରୀରିକ ଦୁର୍ବଳତାକୁ ଘୋଡ଼େଇବାକୁ ଯାଇ ଗୋଷ୍ଠୀବଦ୍ଧ ହୋଇ ବଳବତ୍ତର ଜନ୍ତୁ ଆକ୍ରମଣରୁ ନିଜକୁ ରକ୍ଷା କଲାଣି । ଆଣାୟତ୍ତରେ ସେ ଏହି ଦୁର୍ବଳତାକୁ ସ୍ୱୀକାର କରି ନେଲାଣି । ଏ ଦୁର୍ବଳତା ଯେ କେବଳ ଶାରୀରିକ ତା ନୁହେଁ । ଏହା କ୍ରମଶଃ ସଞ୍ଚରି ଯାଇ ମନରାଜ୍ୟ ଏବଂ ଭାବରାଜ୍ୟରେ ମଧ୍ୟ ତାକୁ ପରାୟତ୍ତ କରି ଦେଇଛି । —ମଣିଷ ଆଉ ଏକୁଟିଆ ଚିନ୍ତା କରି ଶିଖିଲା ନାହିଁ । ସକ୍ରେଟିସ ଅମଳରୁ ଗୋଟିଏ ଦ୍ୱିତୀୟ ବ୍ୟକ୍ତି ଆବଶ୍ୟକ । ହୋଇପାରେ ସେ କେବଳ ନିମିତ୍ତ ମାତ୍ର, ହୋଇପାରେ ମଧ୍ୟ ଯେ ସେ ଗୋଟିଏ ମୂର୍ଖ କିନ୍ତୁ ତାର ମୂର୍ଖତାକୁ ହିଁ ଲକ୍ଷ୍ୟରେ ରଖି ସକ୍ରେଟିସ୍‍ ତାଙ୍କ ତଥ୍ୟ ବୟାନ କରିବାକୁ ବାଧ୍ୟ । ଜଣକ ଉପରେ ଭରା ନ ଦେଇ କିଛି କହି ହେବନାହିଁ । ସମାଜ ମଧ୍ୟ ଏପରି ରୂପ ନେଇ ସାରିଛି ଯେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ପରୋକ୍ଷ୍ୟରେ ହେଉ ବା ପ୍ରତ୍ୟକ୍ଷରେ ଅପର ଉପରେ ନିର୍ଭର କରିବ । ଏଣୁ ବ୍ୟକ୍ତି ମାତ୍ରକେ କେତେକାଂଶ ନାବାଳକ ଏବଂ ଅନ୍ୟ କେତେକାଂଶ ଅଭିଭାବକ । ଡରେଇ, ଚମକେଇ ଅନ୍ୟକୁ ନିଜର ଆଜ୍ଞାବହ କରିବାକୁ ସମସ୍ତେ ଆଗ୍ରହୀ । ଖାଲି କ୍ଷେତ୍ର ବିଶେଷରେ କାହାକୁ ସୁଯୋଗ ମିଳିଯାଏ । ନିଛାଟିଆ ରାତିରେ ନୂଆ ଯାତ୍ରା ହାବୁଡ଼ରେ ପଡ଼ିଗଲେ ଟାକ୍‍ସି ଚାଳକ ମଧ୍ୟ ବେଶ୍‍ ତାର ଅଭିଭାବକ ପଣିଆ ଦେଖେଇଦିଏ ଏବଂ ଦୁଇ ପଇସା ଚାନ୍ଦା ମଧ୍ୟ ଆଦାୟ କରିଦିଏ ସଂସ୍ଥାପାଇଁ । କୌଣସି ବଡ଼ ଧରଣର ଅଫିସରେ ଜଣେ ନୂଆ ଲୋକ ପଶିଗଲେ ତାଙ୍କ କାଗଜ ଖଣ୍ଡ କେଉଁ ପର୍ବତରେ ଠାବ କରିବାକୁ ଚାହିଁଗଲେ ଏ ମୁଣ୍ଡରୁ ସେ ମୁଣ୍ଡ ପଯ୍ୟନ୍ତ ସବୁ ମୁହଁ ନୂଆ ଅପରିଚିତ । ଜଣକ ପାଖକୁ ଚାଲିଗଲେ ଏବଂ ବୟାନ କଲେ ନିଜ କାହାଣୀ, ସେ ଚକ୍ଷମା ତଳୁ ସବୁ ଶୁଣିସାରି ପକେଇ ଦେଲେ-। ଗୋଲକ ଧନ୍ଦାରେ ବାଟୁଳୀ । ଆପଣ ମୋତେ ସବୁ ଛାଡ଼ି ଦିଅନ୍ତୁ । ମୁଁ ସବୁ ବନ୍ଦୋବସ୍ତ କରିଦେବି । ଆପଣ ନିଶ୍ଚିତ ହୋଇ ଯାଆନ୍ତୁ ।’ କହିଲେ ମୁରବି । ସବୁ ମୁରବୀ ଏମିତି କହିଥାନ୍ତି-। ଥରେ ତାକୁ ଛାଡ଼ିଦେଲେ, ତେଣିକି ତ କେଳା ନଳରେ ଚଢ଼ି ରହିଥିବା କଥା । ନା ଖସି ହୁଏ ନା ରହିହୁଏ । ଘୋଡ଼ା ଦୌଡ଼ ପାଖରେ ମୁରବୀ । ମନ୍ଦିର ଭିତରେ ପଣ୍ଡା ମୁରବୀ । ଏମାନଙ୍କଠାରୁ ରକ୍ଷା ନାହିଁ । ନିଜର ଅସହାୟ ନାବାଳକ ତ୍ୱରୁ ନବଦମ୍ପତ୍ତି ବିବାହ ପରେ କିଛିଦିନ ଏକୁଟିଆ ରହିବାକୁ ଚାହାନ୍ତି । କିନ୍ତୁ ପହଞ୍ଚିଗଲେ ମୁରବି, ପିଲାକୁ ନୂଆ କରି ସଂସାର ଚଳେଇବା ସେ ଶିଖେଇବେ—ଗୁଡ଼ିଏ ଅଭୁତ ଏବଂ ଅମୂଲ୍ୟ ସମ୍ଭାବନା ହଠାତ୍‍ ସେଇଠି ସଂକୁଚିତ ହୋଇ ମରିଯିବେ—ତଥାପି ଏ ଅଭିଭାବକତ୍ୱକୁ ସହିବାକୁ ପଡ଼େ ।

 

ତାର ପ୍ରଧାନ କାରଣ ହେଲା ଯେ ଏହି ଅଭିଭାବକତ୍ୱର ମୂଳ ମଞ୍ଜି ରହିଲା ମା ବାପାଙ୍କ ପାଖରେ ଏବଂ ଜୀବନର ଏପରି ଏକ ଅସହାୟ ମୁହୂର୍ତ୍ତରେ ସେମାନେ ଆବିର୍ଭୂତ ହୁଅନ୍ତି ଯେତେବେଳେ ନିର୍ବିଚାର ତାକୁ ଗ୍ରହଣ କରିବାକୁ ପଡ଼େ । ବେଶ ପାଞ୍ଚବର୍ଷ କଟିଯାଏ । ତାପରେ ଲାଳନ ପର୍ଯ୍ୟନ୍ତ ସରିଗଲେ ତାଡ଼ନ ଆସିଯାଏ ଏବଂ ତା ସାଥିରେ ଆସିଯାଆନ୍ତି ଅଭିଭାବକ । ସଂରକ୍ଷକ ହୋଇଯାନ୍ତି ଗୌଣ, ପ୍ରାଧାନ୍ୟ ଲାଭ କରନ୍ତି ଶାସକ । ତାଙ୍କର ଯାହା ନୀତି ନିୟମ, ବିଚାର ସବୁ ବଳପୂର୍ବକ ଲଦି ଦିଆହୁଏ, ବାଧ୍ୟ ନାବାଳକଟି ଉପରେ । ଏ ସୁଯୋଗରେ ଆସନ୍ତି ବଡ଼ ଭାଇ କକେଇ, ଦଦେଇ, ମାମୁଁ, ଶିକ୍ଷକ, ସାଇ ପଡ଼ିଶା, ହେଡ଼୍‍ମାଷ୍ଟ୍ରଙ୍କ ପିଅନ ଇତ୍ୟାଦି ଇତ୍ୟାଦି—ତାର ଆଉ ଇୟତା ନାହିଁ । ଘୋର ଅପଶାସନ ଚାଲେ ଏବଂ ଚାଲେ ସେହି—ପରିମାଣରେ ଆତ୍ୟାଚାର । ଯେଉଁ ବ୍ୟକ୍ତିତ୍ୱଟି ଏଥିରୁ ବାହାରେ ଖଣ୍ଡିଆ ଖାବରା ଏବଂ ବହୁ ଅଭିଭାବକ ବକ୍ରତା ନେଇ ବାହାରେ । ସେ ହୋଇଯାଏ ସାଧାରଣ ସାମାଜିକ ଗୋଟିଏ ଜୀବ । କିନ୍ତୁ ଯେ ବିଦ୍ରୋହ କରି ଭିତରେ ଏ ଅଭିଭାବକୁ ହତ୍ୟା କରିପାରିଛି, ସେ ହୁଏ ଗୋଟିଏ ବ୍ୟତିକ୍ରମ— ଅସାଧାରଣ ପ୍ରତିଭା । ଏହି ଆନ୍ତର ବିଦ୍ରୋହର ସଫଳତା ଉପରେ ନିର୍ଭର କରେ ମଣିଷର—ମୌଳିକ ପ୍ରତିଭା-

 

ଅଭିଭାବକ ରହିବେ, ରହିଛନ୍ତି ଏବଂ ରହିବା ଉଚିତ । କିନ୍ତୁ ତାଙ୍କ ସୀମା ବିଷୟରେ ସେ ସଚେତନ ହୋଇଯିବା ଦରକାର । ସେ କେବଳ ସୁରକ୍ଷା କରିବେ । ଶାସନ କରିବା ତାଙ୍କର କର୍ତ୍ତବ୍ୟ ନୁହେଁ । ନାବାଳକତ୍ୱକୁ ମୂଳତଃ ଆରୋପ ନ କରି ବରଂ ପ୍ରତ୍ୟେକ ବ୍ୟକ୍ତି ଏକ ଦାୟିତ୍ୱବାନ୍‍ ସାବାଳକ ବୋଲି ଗ୍ରହଣ କରିବା ବାଞ୍ଛନୀୟ । ତଦ୍ୱାରା ପରସ୍ପର ସମ୍ମାନବୋଧ ବଢ଼ିବ ଏବଂ ତା ସାଙ୍ଗେ ସାଙ୍ଗେ ଗଢ଼ି ଉଠିବ ଏକ ସୁସ୍ଥ ବଳିଷ୍ଠ ଆତ୍ମନିର୍ଭରଶୀଳ ବ୍ୟକ୍ତିତ୍ୱ ।

 

(ମନ ଅରଣ୍ୟ)

Image

 

ବୈଜ୍ଞାନିକ ମନୋବୃତ୍ତି

ଶରତକୁମାର ମହାନ୍ତି

 

ପ୍ରକୃତି ସମ୍ବନ୍ଧରେ ସତ୍ୟାସତ୍ୟ ଜାଣିବାପାଇଁ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାମୂଳକ ପ୍ରଣାଳୀର ବ୍ୟବହାର କରାଯାଏ । ତେବେ କେତେକ ବ୍ୟକ୍ତିଙ୍କର ସତ୍ୟାସତ୍ୟ ଜାଣିବାର ଆଗ୍ରହ ବ୍ୟତୀତ ଗୋଟିଏ ଉପଯୁକ୍ତ ପ୍ରଣାଳୀ ଆବିଷ୍କୃତ ହୋଇପାରି ନଥାନ୍ତା । ଜ୍ଞାନୀ ପଣ୍ଡିତଗଣ କଣ କହିଛନ୍ତି, ବିଶିଷ୍ଟ ଗ୍ରନ୍ଥମାନଙ୍କରେ କଣ କହିଛନ୍ତି, ବିଶିଷ୍ଟ ଗ୍ରନ୍ଥମାନଙ୍କର କଣ ଲେଖାଅଛି ବା ଯୁଗଯୁଗ ଧରି କେଉଁ କଥାଟି ସତ୍ୟଭାବେ ବିବେଚିତ ହୋଇ ଆସୁଛି, ତାହା ମାନି ନ ନେଇ ନିଜ ପାଇଁ ନିଜେ ଦେଖିବାର ମନୋବୃତ୍ତି ବିଜ୍ଞାନର ଅଭ୍ୟୁଦୟ ମୂଳରେ ରହିବି । ନିଜ ପାଇଁ ନିଜେ ଦେଖିବାରେ ମନୋବୃତ୍ତି ବିଜ୍ଞାନର ଅଭ୍ୟୁଦୟ ମୂଳରେ ରହିଛି । ନିଜ ପାଇଁ ନିଜେ ଦେଖିବାର ଆଗ୍ରହ ମାନସକୁ ଗଢ଼ିଛି ଓ ଏହି ପରି ଗଠିତ ମାନସ ଉପଯୁକ୍ତ ପ୍ରଣାଳୀ ବାହାର କରିଛି ।

 

ଆଧୁନିକ ବିଜ୍ଞାନର ଭିତ୍ତିସ୍ଥାପକମାନେ ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରକଥାକୁ ମାନି ନ ନେଇ ନିଜେ ଦେଖିବାର ସଂକଳ୍ପ ଘେନି ମୁକ୍ତ ମନରେ ଆଗେଇ ଯାଇଛନ୍ତି ପ୍ରଥମେ ଏହିପରି ମନୋବୃତ୍ତି ସୃଷ୍ଟି ହୋଇ ନ ଥିଲେ ଅନେକ ଶତାବ୍ଦୀ ଧରି ରାଜତ୍ୱ କରୁଥିବା ଭ୍ରାନ୍ତ ଧାରଣା ସଂଶୋଧିତ ହୋଇପାରି ନ ଥାନ୍ତା ଏହାରି ଅଭାବରେ ନୂତନ ଜ୍ଞାନର ଉଦୟ ହେଉ ନ ଥିଲା । ଯେ କୌଣସି ଉଚ୍ଚ ସ୍ଥାନରୁ ଅସମାନ ଓଜନ ବିଶିଷ୍ଟ ଦୁଇଟି ବସ୍ତୁକୁ ଖସିବାକୁ ଛାଡ଼ିଦେଇ ଯେ କେହି ଆରିଷ୍ଟୋଟଲୀୟ ମତକୁ ଖଣ୍ଡନ କରି ପାରିଥାଆନ୍ତେ । ମାତ୍ର ଏହି କାର୍ଯ୍ୟ ସାଧନ ପାଇଁ ଇତିହାସ ଜଣେ ଅସାଧାରଣ ପ୍ରତିଭାବାନ୍‍ଙ୍କୁ ଅପେକ୍ଷା ରଖିଛି । ମଧୁଚକ୍ରରେ ନେତା ଗୋଟିଏ ଅଣ୍ଡିରା ମହୁମାଛି ବୋଲି ଆରିଷ୍ଟୋଟ୍‍ଲ ଲେଖିଯାଇଥିଲେ । ସପ୍ତଦଶ ଶତାବ୍ଦୀ ପଯ୍ୟନ୍ତ ୟୁରୋପରେ ଏହି ଭୁଲ୍‍ କଥାଟି ସଂଶୋଧିତ ହୋଇପାରି ନ ଥିଲେ । ସପ୍ତଦଶ ଶତାବ୍ଦୀ ଆରମ୍ଭରେ ଚାର୍ଲସ ବଟ୍‍ଲର ନାମକ ଜଣେ ଇଂରେଜ ପାଦ୍ରୀ ଏହି ଭ୍ରମ ସଂଶୋଧନ କରିଥିଲେ । ମଣିଷ ଅନେକ ସହସ୍ର ବର୍ଷଧରି ଦେଖି ଆସୁଛି ଯେ, ଫୁଲ ଫୁଟିବା ଫଳ ଧରେ । ମାତ୍ର ଫୁଲ ଓ ଫଳ ମଧ୍ୟରେ ସମ୍ପର୍କ କଣ, ଫୁଲରୁ ଫଳ ହୁଏ କିପରି, ସେ ସମ୍ପର୍କରେ କୌଣସି କଥା ସପ୍ତଦଶି ଶତାବ୍ଦୀ ଶେଷ ପଯ୍ୟନ୍ତ ଜଣା ନ ଥିଲା । କୌଣସି ଜ୍ଞାନୀ ବ୍ୟକ୍ତିଙ୍କ ଗ୍ରନ୍ଥରେ ଏ ବିଷୟରେ ଲେଖାଥିଲେ ଅବଶ୍ୟ ଅନେକ ଲୋକ ତାହା ପଢ଼ିଥାନ୍ତେ । ପ୍ରଜାପତିର ପିଉପପାବସ୍ତା ପ୍ରଜାପତିର ଡିମ୍ବ ନିଜେ ଅନୁସନ୍ଧାନ କରି ଦେଖିବାର ମନୋବୃତ୍ତି ଅଭାବରୁ ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପଯ୍ୟନ୍ତ ଏ ଭୁଲ୍‍ ଧାରଣାଟି ରହିଥିଲା । ଏହିପରି ଅନେକ ଉଦାହରଣ ଦିଆଯାଇପାରେ ।

 

ବିଜ୍ଞାନ କ୍ଷେତ୍ରରେ ପୂର୍ବସିଦ୍ଧ ଧାରଣା ପ୍ରତି ଆସକ୍ତ ରହିବା ସତ୍ୟର ଆବିଷ୍କାର ଦିଗରେ ଅନ୍ତରାୟ । ପୂର୍ବସିଦ୍ଧ ଧାରଣାରୁ ମୁକୁଳିବା ଥିଲା ବୈଜ୍ଞାନିକ ଅନୁସନ୍ଧିତ୍ସୁମାନଙ୍କର ପ୍ରଥମ ସମସ୍ୟା । ଅନୁସନ୍ଧାନର ଫଳ କଣ ହେବ, ସେ ବିଷୟ ପୂର୍ବରୁ ସ୍ଥିର କରି ଦେଇ ଅନୁସନ୍ଧାନ କରିବା ଅର୍ଥହୀନ-। ବୈଜ୍ଞାନିକ ସତ୍ୟ ଘଟଣାମାନଙ୍କର ସାକ୍ଷ୍ୟ ଗ୍ରହଣ କରି ଜଣେ ନିରପେକ୍ଷ ବିଚାରପତିଭାବେ ବିଜ୍ଞାନୀ ତାର ରାୟ ଦିଏ । ବିଜ୍ଞାନୀ ପ୍ରକୃତିକୁ କହିବାକୁ ଛାଡ଼ି ଦେଇ ନିଜେ କେବଳ ଶୁଣିବାକୁ କାନ ଡେରିଥାଏ । ନିଜ ବଗିଚାର ନୂଆ ପରୀକ୍ଷା କରିବା ପୂର୍ବରୁ ପରୀକ୍ଷାର ଫଳ କିପରି ହେବାକୁ ଯାଉଛି ସେ କଥା ଡାରଉଇନ ତାଙ୍କର ମାଳିକୁ କହୁଥିଲେ । ତାଙ୍କର ଭବିଷ୍ୟତ ବାଣୀ ଭୁଲ୍‍ହେଲେ ମାଳି ଖୁସି ଯୋଇଯାଏ । ‘‘ଯାହା ନ କରିବାକୁ ମୁଁ ଇଚ୍ଛା କରୁଛି’’ ଏହି କ୍ଷୁଦ୍ର ଜୀବମାନେ ସେଇୟା କରୁଛନ୍ତି’’ । କହି ଡାରଉଇନ ନିରାଶ ହୁଅନ୍ତି ସତ, ମାତ୍ର କ୍ଷୁଦ୍ର ଜୀବମାନଙ୍କର ସାକ୍ଷ୍ୟ ସମମ୍ମାନେ ଗ୍ରହଣ କରନ୍ତି । ପୂର୍ବରୁ ଘଟଣାମାନଙ୍କର ସାକ୍ଷ୍ୟ ଅନୁଯାୟୀ ସ୍ଥିର କରିଥିବା ପ୍ରିୟ ଓ ଲୋଭନୀୟ ତତ୍ତ୍ୱକୁ ନିରୋଧ କଲେ କୌଣସି ନୂତନ ଘଟଣା ଡରଉଇନ ନିର୍ମମଭାବେ ପରିତ୍ୟାଗ କରୁଥିଲେ-। ଡାରଉଇନ୍‍ଙ୍କର ବନ୍ଧୁ ଓ ଜୀବନୀ ଲେଖକମାନେ ଏହିପରି କହିଛନ୍ତି । ସବୁ ବଡ଼ ବିଜ୍ଞାନୀଙ୍କର ଢଙ୍ଗ ଏମିତି । ସେମାନେ ସତ୍ୟର ସ୍ରଷ୍ଟା—ନୁହନ୍ତି । ଆବିଷ୍କାରକ-। ଘଟଣାମାନଙ୍କର ସାକ୍ଷ୍ୟ ନେଲାବେଳେ ଯେଉଁ ସାକ୍ଷ୍ୟ ତା’ର ମନମୁତାବକ ହୁଏ ନାହିଁ ବିଜ୍ଞାନୀ ତାକୁ ଚାପି ଦିଏନା । ନିରପେକ୍ଷ ବିଚାରକ କେଉଁ ସାକ୍ଷ୍ୟକୁ କାହିଁକି ବା ଚାପି ଦେବ-?

 

ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତସବୁ ଅନ୍ଧଭାବେ ଗ୍ରହଣ ନ କରି ଓ ଆତ୍ମରୁଚିକର ସିଦ୍ଧାନ୍ତରେ ପହଞ୍ଚିବାର ଗୁପ୍ତ ଅଭିଳାଷ ନ ରଖି ଘଟଣାମାନଙ୍କ ସାକ୍ଷ୍ୟ ଭିତରେ ନିରପେକ୍ଷଭାବେ ବିଚାର କରିବା ହେଉଛି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ । କହିବା ବାହୁଲ୍ୟ, କେବଳ ବିଜ୍ଞାନରେ ନୁହେଁ, ଯେ କୌଣସି ବିଷୟରେ ଜ୍ଞାନଲାଭ କରିବା ଓ ଜୀବନର ସମସ୍ୟାମାନଙ୍କର ସମ୍ମୁଖୀନ ହେବାପାଇଁ ବୈଜ୍ଞାନିକ ମନୋବୃତ୍ତି ଅତ୍ୟାବଶ୍ୟକ । ଯେଉଁ ପ୍ରକାର ମନକୁ ଆମେ ବୈଜ୍ଞାନିକ ମନଭାବ ଚିହ୍ନିତ କରୁଛୁ, ତାହା ଆଧୁନିକ ବିଜ୍ଞାନରେ ଜନ୍ମ ପୂର୍ବରୁ ମଧ୍ୟ ଥିଲା । ମୁକ୍ତ ମନ ନେଇ ନିରପେକ୍ଷ ବିଚାର କରିପାରିବା ପରି ଜ୍ଞାନୀ ପୁରୁଷ ପ୍ରାକବୈଜ୍ଞାନିକ ଯୁଗରେ ଥିଲେ । ମାତ୍ର ଯେଉଁ ମନୋବୃତ୍ତି ଅଭାବରୁ ପ୍ରକୃତି ସମ୍ୱନ୍ଧରେ ଜ୍ଞାନଲାଭର ପ୍ରଚେଷ୍ଟା ବାରମ୍ବାର ବିଫଳ ହେଉଛି, ସେହି ମନୋବୃତ୍ତିକୁ ବୈଜ୍ଞାନିକ ମନୋବୃତ୍ତି ନାମ ଦେବା ଯଥାର୍ଥ

 

ଅଭୂତପୂର୍ବ ସାଫଲ୍ୟ ଅର୍ଜନ କରି ବିଜ୍ଞାନ ସବୁ ଜ୍ଞାନର ଆଦର୍ଶ ହୋଇଛି । ଉଦାହରଣ ସ୍ୱରୂପ, ଅତୀତର ପ୍ରତ୍ୟେକ ଘଟଣାକୁ ଯଥାଯୋଗ୍ୟ ଗୁରୁତ୍ୱ ଦେଇ ଘଟଣାବଳୀରୁ ଇତିହାସ କାଢ଼ିବା ଇତିହାସର ଆଦର୍ଶ ବୋଲି ଐତିହାସିକ ଓ ସାଧାରଣ ଶିକ୍ଷିତ ବ୍ୟକ୍ତି ଭଲଭାବେ ହୃଦୟଙ୍ଗମ କରିଛନ୍ତି । ବିଜ୍ଞାନୀ ଜନୋଚିତ ନିରପେକ୍ଷ ବିଶ୍ଳେଷଣ ଦ୍ୱାରା ସାହିତ୍ୟର ମୂଲ୍ୟାଙ୍କନ କରିବା ସାହିତ୍ୟ ସମାଲୋଚନାର ଆଦର୍ଶ । ଲୋକଙ୍କର ଜୀବନ ଧାରାକୁ ଉତ୍ତମରୂପ ପରୀକ୍ଷା କରି, ସେମାନଙ୍କ ଆଶା ଆକାଂକ୍ଷା ପ୍ରତି ଧ୍ୟାନ ଦେଇ ବୈଜ୍ଞାନିକ ରୀତିରେ ଚିନ୍ତା କରିପାରୁଥିବା ନେତା ସମୂହ ବିକାଶର ପ୍ରକୃତ ଉପାୟ ବତାଇ ପାରନ୍ତି, ଏଥିରେ କାହାର ସନ୍ଦେହ ନାହିଁ । ବରଂ ସମସ୍ତେ ବିଜ୍ଞାନର ପ୍ରଣାଳୀ, ଆଦର୍ଶ ଓ ମର୍ମବାଣୀର ପ୍ରଶଂସା କରୁଥିବା ଏକ ବିପଦ ହୋଇ ପଡ଼ିଛି-। ନିଜ କଥାକୁ ବିଜ୍ଞାନ ସମ୍ମତ, ବୈଜ୍ଞାନିକ ବିଚାର ସମ୍ପନ୍ନ ଓ ଯୁକ୍ତିସିଦ୍ଧି ବୋଲି ଆଉ ନ କହୁଛି କିଏ-? ବିଜ୍ଞାନର ଆର୍ଶୀବାଦରୁ ମିଳିଥିବା ଗାଡ଼ି, ମଟର, ରେଡ଼ିଓ, ଟେଲିଫୋନ, ବିଜୁଳିବତୀ ଓ କଳାକାରଖାନାରେ ଯେପରି ଚତୁର୍ଦ୍ଦିଗ ପୂର୍ଣ୍ଣ, ସେହିପରି ବୈଜ୍ଞାନିକତା ବିଜ୍ଞାନ, ସମ୍ମତ, ବିଜ୍ଞାନୀ ଜନୋଚିତ ଇତ୍ୟାଦି ଶବ୍ଦରେ ଗଗନ ପବନ ପ୍ରକମ୍ପତି । ଚନ୍ଦ୍ର ପୃଷ୍ଠରେ ମଣିଷ ପହଞ୍ଚିବା ପରେ କଣ ଆଉ କେଉଁଠି କିଏ ଅବୈଜ୍ଞାନିକ ହୋଇଅଛି ? ଆମେ ବିଜ୍ଞାନ ଯୁଗର ମଣିଷ । ତେଣୁ ବୈଜ୍ଞାନିକ ବିଚାର ଓ ବୈଜ୍ଞାନିକ ମନୋବୃତ୍ତିର ମୂଲ୍ୟ ଆମେ ଭଲଭାବେ ବୁଝୁ।

 

ମାତ୍ର ବୈଜ୍ଞାନିକ ମନୋବୃତ୍ତିର ଅନ୍ତର୍ନିହିତ ମୂଲ୍ୟ ଆମେ ଆଧିକାଂଶ ପ୍ରକୃତରେ ଦେଖି ନ ଥାଉ । ଅସଲ କଥା, ବିଜ୍ଞାନର ସଫଳତା ଓ କରାମତିରେ ଆମେ ଏପରି ମୁଗ୍‍ଧ ଯେ ବିଜ୍ଞାନର ନ ଶୁଣୁ ଆମ ପାଟିରୁ ଜୟଧ୍ୱନି ବାହାରେ । ବିଜ୍ଞାନ ସହିତ ଯେତେ ଯାହା ସମ୍ପୃକ୍ତ ସବୁ ମହାନ୍‍ । ବୈଜ୍ଞାନିକ ମନୋବୃତ୍ତି ବାଦ୍‍ ଯିବ କାହିଁକି ? ପାଣି, ସତେ କ’ଣ ଆମେ ଏପରି ମରହଟ୍ଟା ହୋଇ ରହିଛୁ ଯେ, ଆଜିଯାଏ ଆମର ବୈଜ୍ଞାନିକ ମନୋବୃତ୍ତି ଆସିନାହିଁ ?

 

ଯଦି ଓଲଟା ପଚରାଯାଏ; ମନର ମରହଟ୍ଟୀ ଢଙ୍ଗ ଯାଏ କିପର ? ପ୍ରକୃତିର ଯେଉଁ ନିୟମ ଅନୁସାରେ ଜିରାଫର ବେକ ଲମ୍ବା ହୋଇଯାଇଥିଲା, ସେହି ନିୟମ ଅନୁସାରେ ଅନେକ ପୁରୁଷ ଧରି ଆଧୁନିକ ଚିପା ପୋଷାକ ପିନ୍ଧିଲେ କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଉପରେ ଅତ୍ୟଧିକ ଚାପପଡ଼ି କାଳକ୍ରମେ ତାହା ବଦଳି ଯାଇପାରେ । ମାତ୍ର ଏହାଦ୍ୱାରା ମନର କୌଣସି ପରିବର୍ତ୍ତନ ହେବନାହିଁ । ଆଧୁନିକତମ ପୋଷାକ ପିନ୍ଧି ଆଧୁନିକ ଆଦବ୍‍କାଇଦା ଆୟତ୍ତ କରି, ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ସବୁର ନାୟକ ନାୟିକାଙ୍କ ନାମ ଅନାୟାସରେ କହିପାରିଲେ (ବଡ଼ ଆଶ୍ଚର୍ଯ୍ୟର କଥା) ମନର ମରହଟ୍ଟୀ ଢଙ୍ଗ ଛାଡ଼େନା । ପୁରୁଣା କାଳିଆ ମରହଟ୍ଟା ଯୁଗରେ ମଧ୍ୟ ଅଳ୍ପ ବ୍ୟକ୍ତିଙ୍କର ସଂଖ୍ୟ ଯେ ବହୁତ ବଢ଼ିଯାଇଛି —ତା ନୁହେଁ । ତେବେ ବର୍ତ୍ତମାନ ମନ ଆଧୁନିକ ହେବାର ସୁଯୋଗ ବଢ଼ିଛି । ମରହଟା ଓ ଆଧୁନିକ ଯୁଗ ମଧ୍ୟରେ ତଫାତ୍‍ ଏତିକି । ଆଧୁନିକ ମନ ହେଉଛି ବିଶ୍ଲେଷଣାତ୍ମକ ମନ, ବୈଜ୍ଞାନିକ ଦୃଷ୍ଟିଲାଭ କରିଥିବା ମନ । ବିଜ୍ଞାନ ବା ଅନ୍ୟ କୌଣସି ବିଷୟକୁ ବେଦବାକ୍ୟଭାବେ ମାନି ନେବା ଏ ମନରେ ଲକ୍ଷଣ ନୁହେଁ । ବୈଜ୍ଞାନିକ ମନୋବୃତ୍ତିହିଁ ଆଧୁନିକ ମନର ନିର୍ଯ୍ୟାସ । ଯେଉଁ ଜିନିଷଟି ନ ଥିବାରୁ ପୁରାତନ ଭାବେ ବିବେଚିତ, ତାହା ହେଉଛି ବିଜ୍ଞାନ । ବିଜ୍ଞାନ ହିଁ ଆଧୁନିକ ଯୁଗକୁ ପୁରାତ୍ତନଠାରୁ ପୃଥକ କରିଦେଉଛି । ବିଜ୍ଞାନ କେବଳ ପୃଥିବୀରେ ରୂପ ବଦଳାଇ ଦେଇନି, ମଣିଷର ମନକୁ ମଧ୍ୟ ଗଢ଼ିଛି । ଯନ୍ତ୍ରପାତି, କଳକାରଖାନା ଟ୍ରେନ, ମଟର, ରେଡ଼ିଓ, ଟେଲିଭିଜନ ଇତ୍ୟାଦି ଯଦି ବିଜ୍ଞାନର ଶରୀର ହୁଏ, ତେବେ ବୈଜ୍ଞାନିକ ମନୋବୃତ୍ତି ତାହାର ପ୍ରାଣ । ଶରୀରର ଅବଦାନ ଓ ଉପଯୋଗୀତା ବିଷୟରେ କିଛି କହିବା ଅନାବଶ୍ୟକ । ମାତ୍ର ପୃଥିବୀରେ ସୁଖ ଶାନ୍ତିରେ ଚଳିବା ପାଇଁ ବିଜ୍ଞାନର ଏହି ଆତ୍ମାର ସ୍ପର୍ଶ ପାଇବା ଅପରିହାର୍ଯ୍ୟ ବୋଲି ସହଜରେ ଦୃଦୟଙ୍ଗମ କରି ହୁଏନା । ପୁଣି ଆମେ ଶରୀରର ଦାନ ଉପଭୋଗ କରୁଥିବାରୁ ଆତ୍ମାର ଅଧିକାରୀ ମଧ୍ୟ ହୋଇଛୁ ଧରିନେବା ହାସ୍ୟାସ୍ପଦ । ବୈଜ୍ଞାନିକ ମନୋବୃତ୍ତି ମାନସର କ୍ଷୁର ଧାରରେ ଚାଲିବାର ସାଧନା । ଏହା ଲାଭ କରିବାର ପ୍ରତିବନ୍ଧକ କ’ଣ ସେ ବିଷୟରେ ସଚେତନ ରହି ସତ୍ୟ ନିଷ୍ଠା ଦ୍ୱାରା ଉଦ୍‍ବୁଦ୍ଧ ହୋଇ ଦୀର୍ଘ କାଳ ମାନସକୁ ତାଲିମ୍‍ ନ କଲେ ବୈଜ୍ଞାନିକ ମନୋବୃତ୍ତିର ଉଦୟ ସମ୍ଭବ ନୁହେଁ ।

 

ଘଟଣାମାନଙ୍କୁ ଖୋଜି ବାହାର କରି, ସେମାନଙ୍କର ସାକ୍ଷ୍ୟ ନେଇ ନିରପେକ୍ଷ ଭାବେ ବିଚାର କରିବା କାହିଁକି ଏତେ କଠିନ ? କଥା ହେଉଛି, ମଣିଷର ଅନେକ ବ୍ୟକ୍ତିଗତ ବିଶ୍ୱାସ ତା’ ପକ୍ଷରେ ଖୁବ୍‍ ସୁଆଦିଆ । ସୁଆଦିଆ ବିଶ୍ୱାସର ଦାସ ଘଟଣାର ନିରପେକ୍ଷ ସାକ୍ଷ୍ୟ ଗ୍ରହଣ କରି ନ ପାରେ । କୌଣସି ପ୍ରକାରେ ସେ ସୁଆଦିଆ ବିଶ୍ୱାସମାନଙ୍କୁ ବଞ୍ଚାଇ ରଖିବାକୁ ବ୍ୟାକୁଳ । ସେ ଚାହେଁ, ସତ୍ୟ ତାର ମିଠା ବିଶ୍ୱାସକୁ ସମର୍ଥନ କରୁ । ଯେଉଁ ବିଷୟର ବିଚାର ସହିତ କୌଣସି ଆତ୍ମରୁଚିକର ବିଶ୍ୱାସର ସଂଘର୍ଷ ନାହିଁ, ସେ ବିଷୟକୁ ମଣିଷ ବେଶ୍‍ ବୈଜ୍ଞାନିକ ରୀତିରେ ବିଚାର କରେ । ମାତ୍ର ସବୁ ବିଷୟ ନୁହେଁ । ବିଜ୍ଞାନରେ ସର୍ବୋଚ୍ଚ ଉପାଧି ପାଇଥିବା ଜଣେ ବ୍ୟକ୍ତିଙ୍କର ଉଦାହରଣ ନିଅନ୍ତୁ । କୌଣସି ବୈଜ୍ଞାନିକ ତଥ୍ୟ ସମ୍ବଦ୍ଧରେ ତାଙ୍କଠାରୁ ଜାଣିବାକୁ ଚାହିଁଲେ ସେ ଧିରସ୍ଥିର ଭାବେ ଭାବିଚିନ୍ତି ବିଷୟଟିକୁ ବୁଝାନ୍ତୁ । ପ୍ରଶ୍ନ ପଚାରିଲେ ବିରକ୍ତ ନ ହେବ ବରଂ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ଏହି ବ୍ୟକ୍ତିଙ୍କ ସହିତ ରାଜନୀତି, ଧର୍ମ ବା ଅନ୍ୟ କୌଣସି ବିଷୟ ଆଲୋଚନା କରନ୍ତି । ଅଧିକାଂଶ କ୍ଷେତ୍ରରେ ଆମେ ଦେଖିବୁ, ସେ ଜଣେ ଭିନ୍ନ ମଣିଷ । ଧୈର୍ଯ୍ୟର ସହିତ ଭାବିଚିନ୍ତି ଯୁକ୍ତିଯୁକ୍ତ କାରଣ ଦର୍ଶାଇ କଥାବାର୍ତ୍ତା କରିବାକୁ ସେ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ବ୍ୟକ୍ତିଗତ ମତ ଉପରେ ସନ୍ଦେହ ପ୍ରକାଶ କରି ଏ ବିଷୟରେ ଯୁକ୍ତି କଲେ ସେ ରାଗୁଛନ୍ତି, ବିରକ୍ତ ହେଉଛନ୍ତି ଓ କୌଣସି ଉପାୟରେ ନିଜ ମତାମତ ଠିକ୍‍ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି-। ଏହା ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ନୁହେଁ-। ବିଜ୍ଞାନକୁ କିଛି ଆତ୍ମରୁଚିକର ଅନ୍ଧବିଶ୍ୱାସ ନାହିଁ । ପ୍ରକୃତି ସମ୍ବଦ୍ଧରେ ମଣିଷର ଆତ୍ମ ରୁଚିକର ବିଶ୍ୱାସ ହଟେଇବାକୁ ଅତୀତରେ ବିଜ୍ଞାନୀମାନଙ୍କୁ ଅନେକ ସଂଗ୍ରାମ କରିବାକୁ ପଡ଼ିଛି । ବିଜ୍ଞାନାଗାରରେ ପରୀକ୍ଷିତ ବୈଜ୍ଞାନିକ ତଥ୍ୟକୁ ସହଜଭାବେ ଗ୍ରହଣ କରିନେବାକୁ ମଣିଷ ଦୀର୍ଘଦିନ ଧରି ତାଲିମ୍‍ ପାଇଛି । ମାତ୍ର ଅନ୍ୟାନ୍ୟ କ୍ଷେତ୍ରରେ ଏ ମନୋବୃତ୍ତି ଆସିବା କଷ୍ଟକର । ଧର୍ମ, ସାହିତ୍ୟ, ନୈତିକତା ଇତ୍ୟାଦି ବିଷୟ ପରୀକ୍ଷା କରିବାକୁ କୋଣସି ବିଜ୍ଞାନାଗାର ନାହିଁ । ଏ ସବୁର ବିଜ୍ଞାନାଗାର ହେଉଛି ଏକ ବୁଦ୍ଧିମାନ, ଯୁକ୍ତିଯୁକ୍ତ ବିଚାରକ୍ଷମ, ସୁଆଦିଆ ବିଶ୍ୱାସ-ମୁକ୍ତ ମାନସ ।

 

ଜଣେ ରାଜନୀତିଜ୍ଞଙ୍କ କଥା ଦେଖନ୍ତୁ । ବିଧାନ ସଭାରେ କୌଣସି ବିଲ୍‍ର ଆଲୋଚନାରେ ଭାଗନେଇ ସେ ଅନେକ ସୁଚିନ୍ତିତ ଓ ଯୁକ୍ତିଯୁକ୍ତ କଥା କହିପାରନ୍ତି । ମାତ୍ର ତାଙ୍କର ସୁଆଦିଆ ବିଶ୍ୱାସ ସହିତ ସଂଘର୍ଷ ହେଲାପରେ ଅନ୍ୟ ଏକ ବିଲ୍‍ର ଆଲୋଚନା ବେଳେ ସେ ଏକ ଭିନ୍ନ ମଣିଷ ।

 

ତେଣୁ କେତେକ କ୍ଷେତ୍ରରେ ନିରପେକ୍ଷ ବିଚାର କରିବା ବଡ଼ କଥା ନୁହେଁ । ବଡ଼ କଥା ହେଉଛି ମଣିଷର ସ୍ୱଭାବ ବଦଳିବା । ‘‘ବୈଜ୍ଞାନିକ ଦୃଷ୍ଟି କୋଷ ମଣିଷର ସ୍ୱଭାବ ବିରୋଧୀ ।’’ ବିଂଶ ଶତାବ୍ଦୀରେ ବୈଜ୍ଞାନିକ ମନୋବୃତ୍ତିର ଶ୍ରେଷ୍ଠ ବନ୍ଦନାକାରୀ

 

ମହାନ୍ ଦାର୍ଶନିକ ବର୍-ଟ୍ରେଣ୍ଡ ରସେଲ ଏହି କଥା ଚେତାଇ ଦେଇଛନ୍ତି । ମଣିଷ ମିଠା ସ୍ୱପ୍ନରେ ବିଭୋର ହୋଇ କଳ୍ପଲୋକରେ ବଞ୍ଚିଥାଏ । ଅଧିକାଂଶ ଲୋକଙ୍କର ନିଜ ସମ୍ପକରେ, ନିଜ ପରିବାର, ଜାତି ଓ ଦେଶ ସମ୍ବଦ୍ଧରେ ଆତ୍ମସନ୍ତୋଷ ଲାଭ କଲାପରି ଅନେକ ବିଶ୍ୱାସ ରହିଛି । ନିଜକୁ ବୁଦ୍ଧିମାନ, ବିଚାରଶୀଳ, ନିଜ ପରିବାରକୁ ଆଦର୍ଶ ସ୍ଥାନୀୟ, ନିଜ ଜାତିକୁ ଅନ୍ୟ ଜାତିଠାରୁ ଶ୍ରେଷ୍ଠ ଓ ନ୍ୟାୟ ପରାୟଣ ଏବଂ ନିଜ ଦେଶର ଇତିହାସକୁ ସବୁଠାରୁ ଗୌରବମୟ ବୋଲି ଅଧିକାଂଶ ମଣିଷ ବିଶ୍ୱାସ କରନ୍ତି । ନିର୍ବାଚନ ବେଳେ ନିଜ ଦଳ ଜୟଲାଭ କରିବାର ସମ୍ଭାବନା ଯେତିକି ପ୍ରତ୍ୟେକ ଦଳର ପ୍ରଚାରକମାନେ ତା’ଠାରୁ ଅଧିକ ଆଶା ରଖନ୍ତି । ଯୁଦ୍ଧରେ ଭାଗ ନେଇଥିବା ଉଭୟ ପକ୍ଷର ଲୋକେ ବିଜୟୀ ହେବେ ବୋଲି ଦୃଢ଼ ନିଶ୍ଚିତ ଥାଆନ୍ତି । ଭିତ୍ତିହୀନ ମଧୁର ବିଶ୍ୱାସର ଆଉ ଅନେକ ଉଦାହରଣ ଦିଆଯାଇ ପାରେ । ମଣିଷକୁ ମିଠା ସ୍ୱପ୍ନରେ ମଜ୍ଜିଥିବାର ଲକ୍ଷ୍ୟକରି ବର୍-ଟ୍ରେଣ୍ଡ ରସେଲ Dreams and facts ନାମକ ପ୍ରବନ୍ଧରେ ଲେଖିଛନ୍ତି, "ମଣିଷ ବସ୍ତୁତଃ ସ୍ୱପ୍ନଜୀବୀ । ବାହ୍ୟ ଜଗତର କୌଣସି ଘଟଣା କେବେ କେବେ କ୍ଷଣକପାଇଁ ତାର ନିଦ୍ରାଭଙ୍ଗ କରିଥାଏ, ମାତ୍ର ଅତି ଶୀଘ୍ର ସେ ପୁଣି ମଧୁର ସ୍ୱପ୍ନ ରାଜ୍ୟକୁ ଫେରିଯାଏ ।

 

ଛାତ୍ର ପରୀକ୍ଷାରେ ଖରାପ କଲେ ପ୍ରଥମେ ନିଜ ଯୋଗ୍ୟତାକୁ ସନ୍ଦେହ କରେ । ମାତ୍ର ‘ପରୀକ୍ଷା ଯୋଗ୍ୟତାର ମାପକାଠି ନୁହେଁ’ ଇତ୍ୟାଦି ନାନା ସାନ୍ତ୍ୱନାର ଆଶ୍ରୟ ନେଇ ସେ ନିଜ ସମ୍ବନ୍ଧରେ ମଧୁର ବିଶ୍ୱାସକୁ ବଞ୍ଚାଇ ରଖେ । ନିଜକୁ ଅତି ପ୍ରତି ଭାବନା ବିଚାରୁଥିବା କବିଙ୍କର କବିତାର ଆଦର ନହେଲେ ସେ ଆତ୍ମବିଶ୍ଳେଷଣ ନକରି ଧରି ନିଅନ୍ତି ଯେ, ଲୋକେ ତାଙ୍କ କବିତା ବୁଝିବାକୁ ଅକ୍ଷମ । ନେପୋଲିୟନ୍‍ଙ୍କ ସହ ଇଂଲଣ୍ଡର ଯୁଦ୍ଧ ସମୟରେ ଫରାସୀମାନେ ନିମ୍ନସ୍ତରର ଜୀବ ବୋଲି ଅନେକ ଇଂରେଜଙ୍କର ବିଶ୍ୱାସ ଆସିଗଲା । ସେମାନେ ଫରାସୀ ଯୁଦ୍ଧ ବନ୍ଦୀଙ୍କର ଲାଞ୍ଜ ଖୋଜି ନପାଇ ନିରାଶ ହେଉଥିଲେ ।

 

ମଣିଷ ତା’ର ସୁଆଦିଆ ବିଶ୍ୱାସମାନଙ୍କ ଦ୍ୱାରା ପରିଚାଳିତ । ସେ କେବଳ ସୁଆଦିଆ ଜ୍ଞାନକୁ ଗ୍ରହଣ କରିଥାଏ । ମଣିଷ ସୁଆଦିଆ ବିଶ୍ୱାସ ଓ ଜ୍ଞାନର ଅଧୀନ । ଏମାନଙ୍କୁ ବଞ୍ଚାଇ ରଖିବା ହେଉଛି ତାର ସମସ୍ତ କାର୍ଯ୍ୟ କଳାପର ଉଦ୍ଦେଶ୍ୟ । ତାକୁ ବିଚାର ଶକ୍ତିହୀନ ମନେ କରିବା ଭୁଲ୍‍ । ମଧୁର ବିଶ୍ୱାସକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଦିଗରେ ତାର ବିଚାର କାର୍ଯ୍ୟ କରେ । ଏ ମଣିଷ ମୁକ୍ତ ନୁହେଁ । ଘଟଣାମାନଙ୍କର ନିରପେକ୍ଷ ସାକ୍ଷ୍ୟ ଗ୍ରହଣ କରି ବିଚାର କରିବା ତା’ ପକ୍ଷରେ ଅସମ୍ଭବ । ବୈଜ୍ଞାନିକ ମନୋବୃତ୍ତି ଥିବା ମଣିଷ ହେଉଛି ଅନାସ୍ତକ ମଣିଷ । ଭାରତୀୟ ଦର୍ଶନରେ ଅନାସକ୍ତି ମଣିଷର ଚରମ ଆଦର୍ଶ । କର୍ମଯୋଗୀ ଓ ଜ୍ଞାନଯୋଗୀ ଉଭୟେ ଅନାସକ୍ତ ପୁରୁଷ । ଆସକ୍ତ ମଣିଷକୁ କର୍ମ କୌଶଳ ଜଣା ନ ଥାଏ । ମାୟାଜାଲକୁ ଭେଦ କରି ସତକୁ ଦେଖିବା ସେ ଅକ୍ଷମ । ପ୍ରାଚୀନ ଓ ଆଧୁନିକ ଯୁଗର ଭାଷା ଓ ଭଙ୍ଗୀ ସମାନ ହୋଇ ନପାରେ । ମାତ୍ର ପ୍ରାଚୀନ ଭାରତୀୟ ଏବଂ ଆଧୁନିକ ୟୁରୋପର ବିଜ୍ଞାନୀ ଓ ଦାର୍ଶନିକଗଣ ସ୍ୱତନ୍ତ୍ରଭାବେ ମଣିଷର ଚରମ ଆଦର୍ଶ ସମୃନ୍ଧରେ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଅନାସକ୍ତି ନଥିଲେ ମଣିଷର ଜ୍ଞାନ-ଚକ୍ଷୁ ଫିଟିବ ନାହିଁ । ଭାରତୀୟ ଋଷି ଦାର୍ଶନିକ ଆତ୍ମିକଜ୍ଞାନ (Subjective Knowledge) ଉପରେ ଗୁରୁତ୍ୱ ଦେଉଥିଲେ । ସେମାନେ ଜାଣିଥିଲେ ଯେ, ଅନାଶକ୍ତି ବ୍ୟତୀତ ଏହା ଲାଭ କରିବା ଅସମ୍ଭବ । ଆଧୁନିକ ୟୁରୋପରେ ନିରପେକ୍ଷ ଜ୍ଞାନ (Objective Knowledge) ଉପରେ ଗୁରୁତ୍ୱ ଦିଆଯାଇଛି । ବିଜ୍ଞାନ ନିରପେକ୍ଷ ଜ୍ଞାନର ଆଦର୍ଶ । ବୈଜ୍ଞାନିକ ମନ ଅନାସକ୍ତି । ଅନାସକ୍ତି ବ୍ୟତୀତ ନିରପେକ୍ଷ ଜ୍ଞାନ ଦୁର୍ଲ୍ଲଭ । ସଂସାର ଭିତରେ ବୁଡ଼ି ରହିଥିବା ବିଷୟାସକ୍ତ ମଣିଷ ସତ୍‍କୁ ଚିହ୍ନି ମୋକ୍ଷ ଦିଗରେ ଯିବାକୁ ଅକ୍ଷମ । ଏହା ସନାତନ ଧର୍ମର ସିଦ୍ଧାନ୍ତ । ଘଟଣାମାନଙ୍କୁ ଘୋଡ଼ାଇ ପକାଉଥିବା ଆଜିର ବିଜ୍ଞାପନ ଓ ପ୍ରଚାର ଯୁଗରେ ସ୍ୱଭାବତଃ ସୁଆଦ ଖୋଜୁଥିବା ମଣିଷର ମନ ନିରପେକ୍ଷ ଜ୍ଞାନ ପାଇ ନ ପାରେ । ନିଜର ସ୍ୱଭାବ, ଅଭାବ, କୁସଂସ୍କାର, ଅନ୍ଧପଣ ଓ ନିଜକୁ ଜୟକରି ଦୁନିଆଁର କଳରୋଳରେ ବୁଡ଼ିଯାଇଥିବା ଘଟଣାମାନଙ୍କର ସୂକ୍ଷ୍ମ ସ୍ୱର ଶୁଣିପାରିବା ପାଇଁ ଅନାସକ୍ତ ମନ କେବଳ ସକ୍ଷମ । ଆଧୁନିକ ବିଜ୍ଞାନ ଏହି ସିଦ୍ଧାନ୍ତରେ ପହଞ୍ଚାଇଛି ।

 

ଏହିପରି ବିଜ୍ଞାନ ପ୍ରତି ମଧ୍ୟ ଅନାସକ୍ତ ରହିବାକୁ ବୈଜ୍ଞାନିକ ମନୋବୃତ୍ତି ଦାବୀ କରେ । ଜ୍ଞାନ ପ୍ରତି ଆସକ୍ତି ଅଧିକ ଜ୍ଞାନ ଲାଭର ପ୍ରତିବନ୍ଧକ । ବିଜ୍ଞାନ ଇତିହାସରେ ଏହି କଥାଟି ସ୍ପଷ୍ଟଭାବେ ପ୍ରମାଣିତ । ନୂତନ ଜ୍ଞାନ ପୁରାତନର ସ୍ଥାନ ଅଧିକାର କରୁ ଜ୍ଞାନ ପ୍ରତି ଆସକ୍ତ ମଣିଷର ଏ ମାନସିକ ନଥାଏ । ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ସର୍ବଦା ନୂତନ ଘଟଣାର ସାକ୍ଷ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ୍ । ଏହା ତାଙ୍କର ପୂର୍ବ ଜ୍ଞାନକୁ ବଦଳାଇ ଦେଲେ କ୍ଷତି ନାହିଁ । କଥାଟି କହିଦେବା ସହଜ ମାତ୍ର ଏହିପରି ମୁକ୍ତ ମାନସର ଅଧିକାରୀ ଅତି ବିରଳ । କହିବା ବାହୁଲ୍ୟ ଯେ, ଜ୍ଞାନ-ଗନ୍ତାଘର ଏଇମାନଙ୍କ ଦ୍ୱାରା ସମୃଦ୍ଧ ହୋଇଛି ।

 

ବୈଜ୍ଞାନିକ ମନ ସତ୍ୟନିଷ୍ଠ । ଯଦିଚ ସତ୍ୟକୁ ପାଇ ସାରିଲାଣି ବୋଲି ବୈଜ୍ଞାନିକ ମନୋଭାବାପନ୍ନ ମଣିଷର ଆତ୍ମପ୍ରତାରଣା ନଥାଏ । ଟି. ଏଚ୍. ହକସଲି ନିଜକୁ "almost a fanatic for the sanctity of truth" ଭାବେ ବର୍ଣ୍ଣନା କରିଛନ୍ତି । ବାସ୍ତବ ଜୀବନରେ ସେ ତାଙ୍କ ସତ୍ୟନିଷ୍ଠାର ପ୍ରମାଣ ରଖି ଯାଇଛନ୍ତି । ହକ୍‍ସଲି ପାରମ୍ପରିକ ଖ୍ରୀଷ୍ଟଧର୍ମର ବିଶ୍ୱାସ କରୁ ନଥିଲେ । ଜୀବନର ଅଭିଜ୍ଞତା ତାଙ୍କ ବିଶ୍ୱାସକୁ ଭିନ୍ନଭାବେ ଗଢ଼ିଥିଲା । ମାତ୍ର ତାଙ୍କର ପ୍ରଥମ ସନ୍ତାନର ମୃତ୍ୟୁ ପରେ ସେ ଯେଉଁ ଧକ୍କା ପାଇଲେ, ତାହା ତାଙ୍କର ବିଶ୍ୱାସର ମୂଳକୁ ଦୋହଲାଇ ଦେଲା । ଦୁଃଖରେ ଅଭିଭୂତ ଥାଇ ସେ ଭାବିଲେ ମଣିଷ ଜାତି ଧର୍ମରୁ ଯେଉଁ ଆଶା, ଭରସା ଓ ସାନ୍ତ୍ୱନା ପାଇ ଆସୁଛି, ସେଥିରୁ ନିଜକୁ ବଞ୍ଚିତ କରି ସେ କି ଲାଭ ପାଉଛନ୍ତି ? ସତେ କି ସଇତାନ ତାଙ୍କ କାନରେ ଏହି କଥା ବାରମ୍ବାର ଫୁଙ୍କିଲା । ତାଙ୍କର ଏହି ଅନୁଭୂତି ବର୍ଣ୍ଣନା କରି ହକ୍‍ସଲି ଜଣେ ବନ୍ଧୁଙ୍କ ପାଖକୁ ଚିଠି ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଯେ, ସଇତାନକୁ ତାଙ୍କର ଉତ୍ତର ହେଉଛି ।

 

"Oh Devil ! truth is better than much profit " I have searched over the grounds of my belief, and, if wife and child and name and fame were all to be lost to me one after the other as the penalty, still I would not lie."

 

ନୂତନ ଅଭିଜ୍ଞତା, ନୂତନ ଜ୍ଞାନ-ଚକ୍ଷୁର ଉନ୍ମୋଚନ ମଣିଷର ବିଶ୍ୱାସ ବଦଳାଇ ପାରେ । ମାତ୍ର ପରିସ୍ଥିତି ଆସକ୍ତମଣିଷର ବିଶ୍ୱାସକୁ ବଦଳାଇ ଥାଏ । ଭୋକ୍ତାର ଦୁଃଖ କଷ୍ଟରେ ଦ୍ରଷ୍ଟାକୁ ନିର୍ଲିପ୍ତ ହୋଇ ପାରିଥିବା ମଣିଷ ଜୀବନର ଉଚ୍ଚତମ ସୋପାନକୁ ଉଠିଛନ୍ତି ବୋଲି କୁହାଯିବ । ବିଜ୍ଞାନ ମାଧ୍ୟମରେ ହକ୍‍ସଲିଙ୍କ ପରି ସତ୍ୟନିଷ୍ଠା ମଣିଷର ଆସିପାରେ ଏବଂ ଯେଉଁ ବିଜ୍ଞାନୁରାଗୀ ଏହି ବିଷୟରେ ସଚେତନ ସେ ସର୍ବଶ୍ରେଷ୍ଠ ଦାନ ଲାଭକରି ପାରନ୍ତି ।

Image

 

ସାହିତ୍ୟରେ ପରିବର୍ତ୍ତିତ ଭାବବୋଧ

କାଳନ୍ଦୀଚରଣ ପାଣିଗ୍ରାହୀ

 

ଯୁଗ ଯୁଗ ଧରି ଯେଉଁସବୁ ଜାଗତିକ ରୀତି, ପରିସ୍ଥିତି ବା ପରିବେଶ, ସମାଜ କିମ୍ବା ବ୍ୟକ୍ତି ଜୀବନକୁ ନୂଆ ନୂଆ ପ୍ରେରଣା ଯୋଗାଇ ପ୍ରଭାବିତ କରି ରଖେ, ସାଧାରଣରେ ତାହାକୁହଁ କୁହାଯାଏ ପରମ୍ପରା । ତହିଁରେ ଏକ ବିସ୍ମୃତ ବିରାଟ ଐତିହ୍ୟର ଶିଥିଲତା ଅଛି । ଧ୍ୟାନରତ ତପସ୍ୟା, ନିର୍ବେଦନିଶ୍ଚଳ ଗତାନୁଗତିକତା ଅଛି, ମାତ୍ର ପ୍ରାଣଧର୍ମୀ ଜୀବନ-ଜିଜ୍ଞାସାର ଅଶ୍ଵସ୍ତି, ଅସନ୍ତୋଷ ଓ ଚାଞ୍ଚଲ୍ୟକର ସ୍ପନ୍ଦନ ନାହିଁ । ସେଥିରେ ଅଛି ଭାବର ଗଭୀର ପ୍ରାଚୁର୍ଯ୍ୟ, ଅଛି ବିଚାରଧାରାର ସୂକ୍ଷ୍ମତମ ନୈପୁଣ୍ୟ, ଅଛି ପୁଣି ଏକ ଅନୁଦବେଗ ଅନୁଭୂତି, ନାହିଁ କିନ୍ତୁ ଅନୁଭୂତ ଅଜ୍ଞେୟର ଆବିଷ୍କରଣ ଲାଗି ଅସ୍ଥିର ବ୍ୟାକୁଳତା, ଅଭାବର ସୁତୀବ୍ର ଉତ୍ତାପଜନିତ ଜ୍ଜ୍ୱାଳାମୁଖୀ ଯନ୍ତ୍ରଣା । ଅଛି ଏକ ଅନ୍ତର୍ମୁଖୀ ସୌର୍ଯ୍ୟ ସୌନ୍ଦର୍ଯ୍ୟର ବଡ଼ିମା, ନାହିଁ କିନ୍ତୁ ଉନ୍ମୁଖ ପ୍ରାଣ ପ୍ରାଚୁର୍ଯ୍ୟର ଅସମ୍ଭବ ଆବେଗ ଆଉ ଅନପେକ୍ଷ ଔଦ୍ଧତ୍ୟ । ତଥାପି ଏଇ ଅଛି ଆଉ ନାହିଁ ଭିତରେ ଗୋଟିଏ ସଜାଗ ସ୍ୱୀକୃତ ଅଛି, ଏକ ସୁଶୋଭନା ସାଲିସ୍ ବା ସାମଞ୍ଜସ୍ୟ ଅଛି । କାରଣ ପରମ୍ପରାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଆଧୁନିକତାର ପ୍ରତିଷ୍ଠା ଅବାନ୍ତର —ବାପ ମାଆଙ୍କ ସ୍ତିତିକୁ ଅସ୍ୱୀକାର କରି ନିଜ ଜନ୍ମର ବାସ୍ତବତାକୁ ବିଶ୍ୱାସ କଲାଭଳି ତାହା ଅପ୍ରାମାଣିକ ।

 

ବ୍ୟକ୍ତି ସମାଜ ବା ରାଷ୍ଟ୍ରର ମୁହୁର୍ମୁହୁଃ ପରିବର୍ତ୍ତିତ ପରିବେଶକୁ ଘେନି ସାହିତ୍ୟର ଅଭିନବ ଅଭିବ୍ୟକ୍ତ ସୁନିର୍ଦ୍ଦିଷ୍ଟ । ତହିଁରୁ ବିଚ୍ୟୁତ ହେବା ତାହାର ସ୍ୱଧର୍ମ ନୁହେଁ । ଆଧୁନିକ ଜୀବନଜିଜ୍ଞାସାର ନବ ନବ ମୂଲ୍ୟବୋଧହିଁ ସ୍ମଜନାତ୍ମକ ଉଦବେଗରେ ଲକ୍ଷଣ । ଏଠାରେ ଏହି ତିନିଗୋଟି ପ୍ରୟୋଗରେ ମର୍ମ ଆଗ ବିଚାର କରାଯାଉ । ପ୍ରଥମ କଥାଟି ହେଲା ଜୀବନ-ଜିଜ୍ଞାସା କଣ ? ଦ୍ୱିତୀୟରେ ନୂତନ ମୂଲ୍ୟବୋଧ କାହାକୁ ବୁଝାଏ ? ଆଉ ତୃତୀୟରେ ସୃଜନାତ୍ମକ ଉଦବେଗର ପରିଚୟ ମିଳେ କେଉଁଠି ?

 

ଆଦିକାଳରୁହଁ ଜୀବନଜିଜ୍ଞାସାର ଅନ୍ତ ନାହିଁ । ଦାର୍ଶନିକମାନେ ନାନାଦିଗରୁ ଜୀବନରେ ବିଶ୍ଳେଷଣାତ୍ମକ ବ୍ୟାଖ୍ୟା କରିଛନ୍ତି । ଜୀବନଟା ଆମୂଳଚୂଳ ଦୁଃଖଦ ଆଉ ସେ ଦୁଃଖରୁ ଉଦ୍ଧାର ପାଇବାକୁ ହେଲେ ଅହରହ କର୍ମତତ୍ପର ରହିବା ଆବଶ୍ୟକ । ଏହି ଦୁଃଖ ମେଦ କେବଳମ୍—ବୌଦ୍ଧିକ ବା ସଂଖ୍ୟନ୍ୟାୟର ଠିକ୍ ଓଲଟା କଥାଟି ଦେଲା—ଆନନ୍ଦାତ୍ତ ଖଳୁ ଇମାନି ଭୂତାନି ଜାୟନ୍ତେ । ପୁଣି ଏହି ଦୁଃଖ ଆଉ ଆନନ୍ଦର ଅତୀତ ଆଉ ଗୋଟିଏ ଅବସ୍ଥା ଅଛି, ଯାହା ନିଃସଙ୍ଗ, ନିର୍ବିକଳ୍ପ, ଜ୍ଞାନମୟ ଚୈତନ୍ୟ । କିନ୍ତୁ ଆଜିର ଜୀବନ-ଜିଜ୍ଞାସା ଏତିକିରେ ସନ୍ତୁଷ୍ଟ ନୁହେଁ । ତାହାର ସମୀକ୍ଷା ନିରୀକ୍ଷା ଲାଗି ଅସୀମକ୍ଷେତ୍ର ବସ୍ତୃତ । ତାହାର ଶୂନ୍ୟତାର ସୀମା ଆଜିର ମହାକାଶ ବା ଅନ୍ତରୀକ୍ଷଠାରୁ ଅଧିକ ଦୂରପ୍ରସାରୀ । ତାହାର ସଂଖ୍ୟା ନାହିଁ, ବ୍ୟାଖ୍ୟା ବର୍ଣ୍ଣନା ନାହିଁ । ସେ ଏକ ନିରୁତ୍ତର ପ୍ରଶ୍ନାବଚୀ ।

 

ମନୁଷ୍ୟ ଆଜି ମହାକାଶ ବା ଅନ୍ତରୀକ୍ଷରେ ତାହାର ଜନ୍ମଭୂମି ଏହି ଧରିତ୍ରୀକୁ ମହାବେଗରେ ବାରମ୍ବାର ପ୍ରଦକ୍ଷିଣ କରୁଛି । ଆଜି ତାହାର ଲକ୍ଷ୍ୟ ହୋଇଛି ଗ୍ରହାନ୍ତରରେ ଉପନିବେଶ ସ୍ଥାପନ । ତାହାର ବେଗରେ ମାତ୍ରା ଗ୍ରହ ଉପଗ୍ରହର ଅକ୍ଷାଂଶ ଗତି ବେଗଠାରୁ ଆହୁରି କ୍ଷିପ୍ରତର ହେବାକୁ ଯାଇଛି । ପ୍ରଗତିର ବିଶ୍ୱ ପରିଧିରେ ବିଜୟ ହାସଲ କରି ତାହାର ବୈଜ୍ଞାନିକ ଚେତନା ଜାଳିଦେଇଛି ଏକ ଅନନ୍ତ ଆକାଙ୍‍କ୍ଷାର ମସାଲ । କୃଷି ସଭ୍ୟତାକୁ ପଛରେ ପକାଇ ଦେଇ ଦୃତ ବେଗରେ ଆଗେଇ ଚାଲିଛି ଶିଳ୍ପସଭ୍ୟତା । ବ୍ୟକ୍ତି, ପରିବାର, ସମାଜ ତଥା ରାଷ୍ଟ୍ରର ଆବହମାନ ପରିକଳ୍ପିତ ସଙ୍ଗଠନକୁ ଭାଙ୍ଗିଚୂରି, ତାହା ସ୍ଥାନରେ ଦେଖାଦେଇଛି ଅକଳ୍ପିତ ବୈପ୍ଳବିକ ପରିବର୍ତ୍ତନ । ବ୍ୟକ୍ତି ବିଶେଷହଁ ସମାଜ ବା ରାଷ୍ଟ୍ରର ଅବିଚ୍ଛିନ୍ନ ଅଙ୍ଗ ହୋଇଥିବା ହେତୁ ତାହାର ସମୁଦାୟ ବୈଷୟିକ ଦାୟିତ୍ୱ ତୁଲାଇବା ଭାର ପଡ଼ିଛି ଆଜିର ବିଜ୍ଞାନ ନିୟନ୍ତ୍ରିତ ସମାଜ ଓ ବିଜ୍ଞାନ ସମ୍ମତ ରାଷ୍ଟ୍ର ଉପରେ । ଅନ୍ୟଥା ବ୍ୟକ୍ତିର ସ୍ଥିତି କେବଳ ସମାଜ ବା ରାଷ୍ଟ୍ର ପାଇଁ । ରାଷ୍ଟ୍ର ବା ସମାଜକୁ ଧନଶାଳୀ ଶକ୍ତିଶାଳୀ କରି ଗଢ଼ି ବାରେହିଁ ବ୍ୟକ୍ତିର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ନିହିତ । ଆଉ ରାଷ୍ଟ୍ରର କର୍ତ୍ତବ୍ୟ ହେଲା, ବ୍ୟକ୍ତିର ସବୁ ପାରିବାରିକ ଦାୟିତ୍ୱ ବହନ କରି ତାହାର ଅନ୍ନ ବସ୍ତ୍ର, ବାସଗୃହ, ଶିଶୁଶିକ୍ଷା, ସ୍ୱାସ୍ଥ୍ୟଚିକିତ୍ସା ଆଦି ମୌଳିକ ପ୍ରୟୋଜନଗୁଡ଼ିକୁ ଯୋଗାଇ ଦେଇ ବ୍ୟକ୍ତି ବିଶେଷକୁ ରାଷ୍ଟ୍ରର ସାମୁହିକ ଉତ୍ପାଦନ ଯୋଜନାରେ ଏକ ଉପାଦାନ ଆକାରରେ ବ୍ୟବହାର କରିବ; ଅବିକଳ କଳ-କବଜାକୁ ଯେମିତି ବ୍ୟବହାର କରାଯାଏ ।

 

କଳ କାରଖାନା ଜଡ଼ିତ ଶିଳ୍ପ ସଙ୍ଗଠନ କରି ସମାଜ ସ୍ୱୟଂ ସଙ୍ଗଠିତ ହେବା ଫଳରେ ବ୍ୟକ୍ତିତ୍ସାତନ୍ତ୍ର୍ୟ ସଙ୍କୁଚିତ ହୋଇପଡ଼େ । ବିରାଟ ସାମାଜିକ ଶିଳ୍ପ ଯୋଜନାରେ ବ୍ୟକ୍ତିର ସ୍ଥାନ ଏକ ସାମାନ୍ୟ ଯାନ୍ତ୍ରିକ ଉପାଦାନରେ ପରିଣତ ହୁଏ । ସମାଜର ସମୂହ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତି ହସ୍ତପଦ ବିଶିଷ୍ଟ କର୍ମକ୍ଷମ ପରିପୂରକ କ୍ଷୁଦ୍ର ଅଙ୍ଗମାତ୍ର । ସ୍ଥାନ ତାର ଯେପରି ଗୌଣ, ସେହିପରି ନଗଣ୍ୟ । କିନ୍ତୁ ସୃଜନାତ୍ମକ ସାହିତ୍ୟ କଳାପାଇଁ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ମୂଲ୍ୟବୋଧ ସର୍ବୋଚ୍ଚରେ । ପ୍ରତ୍ୟେକ କବି ସାହିତ୍ୟକର ରଚନାରେ ବୈଶିଷ୍ଟ୍ୟ ଫୁଟିଉଠେ ବ୍ୟକ୍ତିର ସ୍ଵାକ୍ଷର ବହନ କରି । ଏହିଠାରେହିଁ ସମାଜ ଓ ରାଷ୍ଟ୍ରର ସର୍ବବ୍ୟାପୀ ସଙ୍ଗଠନ ସହିତ ସାହିତ୍ୟକ ଓ କଳାକାରରେ ତାତ୍ତ୍ୱିକ ସଂଘର୍ଷ ।

 

ରାଷ୍ଟ୍ର ବା ଜନତାର ସମ୍ମିଳିତ ବିଚାର ଉପରେ ବ୍ୟକ୍ତିର ବିଚାରକୁ ସେ ସବୁ କାଳରେ ଉଚ୍ଚସ୍ଥାନ ଦେଇଆସିଛି । ଜନତାର ଅନ୍ୟାୟକୁ ବ୍ୟକ୍ତି ସେଠାରେ କ୍ଷମା କରିନାହିଁ । ଅତୀତର ଆଦର୍ଶ ରାଷ୍ଟ୍ର ରାମରାଜ୍ୟକୁ ସୁଦ୍ଧା ବିଚାରର ଅଗ୍ନି ପରୀକ୍ଷାରେ ସେ ନିନ୍ଦିତ କରିଛି ସେହି ତାତ୍ତ୍ୱିକ ସଂଘର୍ଷରେ ଆଜି ପରୀକ୍ଷିତ ହେଉଛି, ପ୍ରତିବାଦରେ ଚୂଡ଼ାନ୍ତ ପରିଣତି ରୂପେ ପୁଣି ଏକ ବିଶ୍ୱଯୁଦ୍ଧର ସମ୍ମୁଖୀନତା, ତାହାଫଳରେ ବ୍ୟକ୍ତିବାଦର ଏକାଧିକ ଅବାଞ୍ଛିତ ଅପାଂକ୍ତେୟ ରୂପ ମୁଣ୍ଡ ଟେକିଛି । କେତେକ ସ୍ଥଳରେ ବ୍ୟକ୍ତି ଆଜି ସମାଜକୁ ଉପେକ୍ଷା କରିବାକୁ ଉତ୍‍କ୍ଷିପ୍ତ । ଫରାସୀ ସାହିତ୍ୟିକ ମାତ୍ରେ ପ୍ରମୁଖ ଏହାର ଉଦାହରଣ । ଅବଶ୍ୟ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଅକ୍ଷୁଣ୍ଣ ରଖି ଆଧୁନିକ ରାଷ୍ଟ୍ର ସଙ୍ଗଠନକୁ ଶକ୍ତିଶାଳୀ କରିବାନାହିଁ ସୁସ୍ଥ ଦୁନିଆର ଲକ୍ଷଣ । କିପରି ତାହା ସମ୍ଭବପର ହେବ, ଏହାହିଁ ହେଲା ଆଜିର ସମସ୍ୟା । ବ୍ୟକ୍ତିବାଦ ଯେ କଦାପି ସମାଜବାଦୀ ରାଷ୍ଟ୍ରର ବିରୋଧୀ ନୁହେଁ । ବରଂ ତାହାର ପୂରକ ଓ ଚରମ ବିକାଶର ପରିଚାୟକ, ଏହାର ବିଚାର ଓ ବ୍ୟାଖ୍ୟା ହେଲା ଆଧୁନିକ କଳାକାର ବା ସୃଷ୍ଟିଧର୍ମୀ ବା ସାହିତ୍ୟକର ସାଧନା । ସାମାଜିକ ସଂଘବଦ୍ଧ ସଚେତନତା ଭିତରେ ସେ ବ୍ୟକ୍ତିସ୍ଵାତନ୍ତ୍ରର ପ୍ରତିଷ୍ଠା ଲୋଡ଼େ ।

 

ବିଜ୍ଞାନ—ସଚେତନ ପାଶ୍ଚାତ୍ୟର ଅଦ୍ଭୁତ ଶିଳ୍ପ ଯୋଜନା ପ୍ରାଚ୍ୟର ସମୁଦାୟ ଜନ ସମାଜକୁ ମଧ୍ୟ ପ୍ରଭାବିତ କରିବା ସମୁଦାୟ ପୃଥିବୀରେ ରାଷ୍ଟ୍ର ସଙ୍ଗଠନ ଅଳ୍ପ ବେଶୀ ତାହାରି ଅନୁକୃତି । ସେଠାରେ କିନ୍ତୁ ବ୍ୟକ୍ତିସ୍ୱାତନ୍ତ୍ର୍ୟ କିପରି କ୍ଷୁଣ୍ଣ ହୋଇଛି, ତାହାରି ଦୁଇଟି ଉଦାହରଣ ନିଆଯାଉ । ପାଶ୍ଚାତ୍ୟର ଦୁଇଟି ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ହେଲା ଆମେରିକା ଓ ଋଷିଆ, ଯାହା ଉପରେ ଆଜି ବିଶ୍ୱଯୁଦ୍ଧ ବା ବା ବିଶ୍ୱଶାନ୍ତି ସବୁଠାରୁ ବେଶୀ ପରିମାଣରେ ନିର୍ଭର କରେ । ବିଜ୍ଞାନସମ୍ମତ ଶିଳ୍ପ ସଙ୍ଗଠନରେ ଏ ଦୁଇ ରାଷ୍ଟ୍ରହିଁ ଅଗ୍ରଣୀ । ତଥାପି ସେଠାରେ ଏକାଧିକ କବି, ସାହିତ୍ୟକ ଓ କଳାକାର ଆତ୍ମହତ୍ୟା କରିଥାନ୍ତି ।

 

ସେଥିମଧ୍ୟରୁ କେତେକ ବର୍ଷ ପୂର୍ବେ ଋଷର ପ୍ରଖ୍ୟାତ କବି ମାୟାକୋଭାସ୍କର ଓ ଅଳ୍ପକାଳ ପୂର୍ବେ ଆମେରିକାରର ଶ୍ରେଷ୍ଠ ଔପନାସିକ ହେମିଂଓୟେ ଆତ୍ମହତ୍ୟା କରୁଛନ୍ତି । ପୃଥିବୀର ଆଧୁନିକ କବିତା ପୁଣି ଉପନ୍ୟାସ କ୍ଷେତ୍ରରେ ଏ ଦୁଇଜଣ ପ୍ରତ୍ୟକ୍ଷ ପ୍ରବଳ ଅନସ୍ୱୀକାର୍ଯ୍ୟ । ପୁଣି ଏହି ଦୁଇଟି ରାଷ୍ଟ୍ର ପୃଥିବୀର ଆଜି ଆଦର୍ଶ । ତଥାପି ସେଥିରେ ଦୁଇଜଣ ଶ୍ରେଷ୍ଠ ଭାବୁକ ଓ ସାହିତ୍ୟିକଙ୍କ ଆତ୍ମହତ୍ୟା ଭଳି ଅତ୍ୟାଶ୍ଚର୍ଯ୍ୟ ମର୍ମନ୍ତୁଦ ଦୁର୍ଘଟଣା ମୂଳରେ କି ଗୂଢ଼ ରହସ୍ୟ ଥାଇପାରେ, ତାହାର ଯଥାର୍ଥତା ଖୋଜିବାପାଇଁ ବହୁ ସାମ୍ବାଦିକ, କବି ଭାବୁକ ଉଦ୍ୟମ କରିଛନ୍ତି । ଅଥଚ କେହିହେଲେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବିନ୍ଦୁରେ ପହଁଞ୍ଚିଥିବାର ବିଶ୍ୱାସ କରନ୍ତିନାହିଁ । ଏପରିକି ଏଇ ଦୁଇଜଣ ମହାମନୀଷୀ ଆତ୍ମହତ୍ୟା, ସ୍ୱେଚ୍ଛାକୃତ କି ଅତର୍କିତ ସେ ବିଷୟରେ ମଧ୍ୟ ଅନେକ ସନ୍ଦେହ କରନ୍ତି । ହେମିଂଓୟେଙ୍କ ମୃତ୍ୟୁ ଉପରେ ଏହି ସନ୍ଦେହ ଆଜି ପର୍ଯ୍ୟନ୍ତ ଝୁଲିଛି । ସେଥିସଙ୍ଗେ ଆଉ ଏକ ବିଚାର ଅଛି । ହେମିଂଓୟେଙ୍କ ରଚନାରେ ଜୀବନର ଚରମ ବ୍ୟର୍ଥତା ହେଲା, ପ୍ରେମ ଆଉ ମୃତ୍ୟୁ । ଜୀବନ କହିଲେ ବୁଝାଯାଏ କେବଳ ହତ୍ୟା—ଯାହାକିଛି ସୁନ୍ଦର, ଯାହାକିଛି ମଧୁର । ପୁଣି ତାହାର ସାହାସିକତା ଅଖଣ୍ଡ, ତାହାକୁ ସେ ନିରପେକ୍ଷ ଭାବରେ ହତ୍ୟାକରେ ସବୁକିଛି ଭାଙ୍ଗି ପକାଏ । ଏକମାତ୍ର ହତ୍ୟାହିଁ ହେଲା ଜୀବନର ଧର୍ମ ଓ ସାର୍ଥକତା । ହେମିଂଓୟେଙ୍କ ବିଚାରରେ ମୃତ୍ୟୁ ହେଲା ଗୋଟିଏ ଅଭିଜ୍ଞତାର ସାମଗ୍ରୀ—ଜୀବନର କେନ୍ଦ୍ର ବିନ୍ଦୁରେ ହିଁ ତାର ଅବସ୍ଥିତି । ତାହାହିଁ ଏକମାତ୍ର ବାସ୍ତବତା, ଯାହାଉପରେ ମନୁଷ୍ୟ କେବଳ ନିଶ୍ଚିତ ରୂପେ ନିର୍ଭର କରିପାରେ । ସେ ନିଶ୍ଚିତକୁ ସ୍ୱେଚ୍ଛାରେ ପାଇବାପାଇଁ ହୁଏତ ସେ ଅନିଶ୍ଚିତ ଜୀବନକୁ ଶେଷ କରିଥିବେ, ମୃତ୍ୟୁ ଆସି ତାଙ୍କୁ ଜବରଦସ୍ତି ଟାଣି ନେବା ଆଗରୁ । ମାତ୍ର ସେଥିପାଇଁ କଣ ଶିଳ୍ପ ସମୃଦ୍ଧ ବିଜ୍ଞାନ ସଚେତନ ପାଶ୍ଚାତ୍ୟର ବୈଷୟିକ ସମାଜ ଚେତନା ଓ ଦୈହିକ ଶକ୍ତି ଉପରେ ଗଠିତ ରାଷ୍ଟ୍ର ପୁଣି ଅର୍ଥନୈତିକ ସଂଘର୍ଷ ଜଞ୍ଜାଳ ସର୍ବସ୍ୱ ପାରିବାରିକ ପରିବେଶ ଆଦୌ ଦାୟୀ ନୁହେଁ ? ଏ ପ୍ରଶ୍ନର ଉତ୍ତର ପାଶ୍ଚାତ୍ୟ ଦାର୍ଶନିକ ଓ ଭାବୁକ ମାନଙ୍କଠାରୁ ପାଇବାଲାଗି ଦୁନିଆଆଜି ହକ୍‍ଦାର ନୁହେଁ କି-?

 

ସେଭଳି ଏକ ସୁଦୀର୍ଘ ପ୍ରଶ୍ନ ଚିହ୍ନ ମଧ୍ୟ ଠିଆ ହୋଇଛି ମାୟାକୋ ଭସ୍କାଇଙ୍କ ଆତ୍ମରକ୍ଷା ଘଟଣା ଉପରେ । ବୈଜ୍ଞାନିକ ସାମ୍ୟବାଦର ପ୍ରତିଷ୍ଠାତା ଋଷ କମ୍ୟୁନିଷ୍ଟ ପାର୍ଟିଦ୍ୱାରା ପରିଚାଳିତ ସର୍ଵହରା ଲେଖକମାନଙ୍କ ସଂଗଠନରେ ଯୋଗ ଦେବାରେ ଦୁଇମାସ ପରେ ସେ ଆତ୍ମହତ୍ୟା କରନ୍ତି । କେହି କେହି ତାହା ଏକ ବ୍ୟର୍ଥ ପ୍ରେମରେ ପରିଣତି ବୋଲି ଚିତ୍ରଣ କରିଅଛନ୍ତି । କିନ୍ତୁ ତାଙ୍କର ପରମବନ୍ଧୁ କମ୍ୟୁନିଜିମର ବିରୋଧୀ ପାସ୍ତାରନାକ୍ ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି ଯେ ମାୟାକୋ ଭାସ୍କାଇଙ୍କ ଆତ୍ମହତ୍ୟା ଲେଖକ, ଭାବୁକ ପକ୍ଷରେ ମହାନ୍ ଗର୍ବର ସାମଗ୍ରୀ । କାରଣ ସେ ସମୂହର ହୁକୁମନାମା ପାଖରେ ଭାବୁକ ସ୍ରଷ୍ଟାର ବ୍ୟକ୍ତିସ୍ୱାତନ୍ତ୍ର୍ୟକୁ ଜଳାଞ୍ଜଳି ଦେଇନାହାନ୍ତି; ତଥାପି ଏଇ ଆତ୍ମହତ୍ୟା ଦୁଇଟିର ମୌଳିକ ରହସ୍ୟ ଏବେ ସୁଦ୍ଧା ଉଦ୍‍ଘାଟିତ ହୋଇନାହିଁ । କମ୍ୟୁନିଜିମ୍ ଦର୍ଶନରେ ଆତ୍ମହତ୍ୟା ଯେପରି ଏକ ଘୋର ଅପରାଧ ରୂପେ ନିଷିଦ୍ଧ, ଅକମ୍ୟୁନିଷ୍ଟ ସମାଜରେ ସେହିଭଳି ତାହା ଏକ ମହାପାପ । ବୈଜ୍ଞାନିକ ଦୃଷ୍ଟିରୁ ତାହା ପୁଣି ଉତ୍କଟ ପାଗଳାମି । ଅଥଚ ମାୟାକୋଭାସ୍କାଇ ଓ ହେମିଂଓୟେଙ୍କୁ ଯଦି ପାଗଳ ବୋଲାଯାଏ, ତେବେ ଋଷ୍‍ ଆମେରିକାରେ ସୁସ୍ଥତର ମସ୍ତିଷ୍କ କେଉଁଠି ଅଛି ।

 

ଏହି ଦୁଇଟି ଐତିହାସିକ ଆତ୍ମହତ୍ୟା ହିଁ ଆଧୁନିକ ସାହିତ୍ୟରେ ଜୀବନ-ଜିଜ୍ଞାସାର ବାଣୀ ଶୁଣାଇଥାଏ । ଏହି ଜୀବନଜିଜ୍ଞାସାହିଁ ନୂତନ ମୂଲ୍ୟବୋଧ ପ୍ରତି ସ୍ପଷ୍ଟ ଆଙ୍ଗୁଳି ସଂକେତ କରିଥାଏ । ହେମିଂଓୟେଙ୍କ ଭାଷାରେ କୌଣସି ବସ୍ତୁ, କୌଣସି ସାମାଜିକ ବା ପାରିବାରିକ ସମ୍ପର୍କ ଆଜି ବିଶ୍ୱାସଯୋଗ୍ୟ ନୁହେ । କାହାରି ଉପରେ ଆଜି ପ୍ରତ୍ୟୟ କରାଯାଇ ନପାରେ, କେବଳ ମୃତ୍ୟୁ ବ୍ୟତୀତ । ଆଜିର ମନୁଷ୍ୟ ଯାହା କହେ କିମ୍ବା ଆଜିର ଲେଖକ ଯାହା ଲେଖେ ତଦୁପରି ତାହାର ବିଶ୍ୱାସ ଅଛିକି ନାହିଁ, ଦୃଢ଼ତାର ସହିତ ତାହା ଘୋଷଣା କରିବାକୁ ସେ ଅସମର୍ଥ । ହୁଏତ ନିଜକୁ ସମର୍ଥନ କରିବା ପାଇଁ ସେ ଯୁକ୍ତି ବାଢ଼ିପାରେ ଯଥେଷ୍ଟ । କ୍ୟୁବିଜିମ୍, ଏକ୍‍ଜିଷ୍ଟେସନସିଆଲିଜିମ୍, ସରଲିୟାଲିଜିମ୍, ରୋମାଣ୍ଟିକସିଜିମ୍ ଆଦି ବୈଦେଶିକ ବିଭାଗୀକରଣ ଅନୁଯାୟୀ ଛାୟାବାଦ, ଅତି-ବାସ୍ତବବାଦ, ଆଦି ଶ୍ରେଣୀରେ ନିଜ ସାହିତ୍ୟକୁ ଚିହ୍ନିତ କରିପାରେ । ବିଚିତ୍ର ଛନ୍ଦ ବିନ୍ୟାସ ଓ ପ୍ରକାଶର ଭଂଗୀମା ମଧ୍ୟରେ ଜୀବନର କେତେଗୋଟି ଶୁଭ ବା ଅଶୁଭ ମୁହୂର୍ତ୍ତକୁ ସତ୍ୟର ରୂପଦବାକୁ ଉଦ୍ୟମ କରିପାରେ, ମାତ୍ର ଆଜିର ଲେଖକ ପକ୍ଷରେ ଜୀବନର ସମୁଚିତ ନୂତନ ମୂଲ୍ୟବୋଧ ଲାଗି ଯେଉଁ ଦୁର୍ଦ୍ଦମ, ଦୁର୍ବିନୀତି ସାହସ ଲୋଡ଼ା ମୃତ୍ୟୁ ସପକ୍ଷରେ ମଧ୍ୟ-ହେମିଂଓୟେଓ ମାୟା ଭସ୍କାଇ ତାହାର ଏକ ନିର୍ମମ ନିରଙ୍କୁଶ ବହ୍ନି–ଆହ୍ୱାନ । ଏହାକୁ ପାଶ୍ଚାତ୍ୟ ପରମ୍ପରା ଉପରେ ନିର୍ମିତ ପରିବର୍ତ୍ତିତ ଭାବବୋଧର ଆହ୍ୱାନ କହିପାରୁଁ ।

 

ସେହି ଆହ୍ୱାନହିଁ ଆଧୁନିକ ଲେଖକର ଭାବ ବୋଧରେ ଆଣିଛି ତୁମୂଳ ପରିବର୍ତ୍ତନ । ସେହି, ଭକ୍ତି,ପ୍ରେମ, ମମତା,ଦୟା, କ୍ଷମା, ଆଦି ଭାବବୋଧ ଉପରେ ପୁଣିଥରେ ସତ୍ୟାନୁଭୂତିର ସମୀକ୍ଷା କରାଯାଉଛି ଆଜିର ପରିବର୍ତ୍ତିତ ପରିବେଶରେ ।

 

ସ୍ୱାମୀ, ସ୍ତ୍ରୀ, ପିତା, ପୁତ୍ର, କନ୍ୟା, ଜାମାତା ପ୍ରଭୃତି ସମ୍ବନ୍ଧଗୁଡ଼ିକର ବିଚାର ହେଉଛି ଆଜି ଏହି ନୂତନ ପରିପ୍ରେକ୍ଷୀରେ । ପୃଥିବୀର ପ୍ରଗତିଶୀଳ ଦେଶମାନଙ୍କ ସହିତ ଭାରସାମ୍ୟ ରଖିବାପାଇଁ ଭାରତ ଆଜି ମଧ୍ୟ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି । କିନ୍ତୁ ପ୍ରାଚ୍ୟ ପରମ୍ପରାର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ସେ କେତେଦୂର ସମର୍ଥ୍ୟ ତାହା ଅବଶ୍ୟ ବିଚାର୍ଯ୍ୟ । ଭାରତରେ ଏହି ନୂତନ ଜୟଯାତ୍ରାର ମାଂଗଳିକ ଅବାହନୀ ଶୁଣାଇବ ଆଧୁନିକ ଭାରତୀୟ ସାହିତ୍ୟ । ସେ ପୁଣି ଫେରାଇ ଆଣିବ ତା’ର ସେହି ସୃଜନାତ୍ମକ ଉଦବେଗ । ସେହି ମନ, ସେହି ଜୀବନ ଫେରାଇ ଆଣିବ ସେହି ବିଶ୍ୱାସ, ଯେ ତାହାର ପରମ୍ପରାର ସମ୍ପଦ, ପୁଣି ଆଧୁନିକତାର ଅଗ୍ରଲେଖ । ଯେଉଁ ବିଶ୍ୱାସ ବଳରେ ପୃଥିବୀର ଯେ କୌଣସି ଦେଶରେ ହତାଶ ହେମିଂଓୟେ କିମ୍ବା ଅନୁତପ୍ତ ମାୟାକୋଭସ୍କାଇଙ୍କ ଆଧୁନିକ କଣ୍ଠରୁ ସୁଦୂର ପାଚ୍ୟ ପରମ୍ପରାର ବାଣୀ ପୁଣିଥରେ ଅଭିନବ ଛନ୍ଦରେ ଧ୍ୱନିତ ହୋଇ ଉଠିବା—ଶୁଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ ।

 

ସର୍ବେଂ ଭବନ୍ତୁ ସୁଖିନଃ ସର୍ବେଂ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କିଶ୍ଚିତ୍ ଦୁଃଖଭାଗ୍‍ଭଵେତ୍ ।

Image

 

ଦଇବ ଦଉଡ଼ି

ଡକ୍ଟର ଭୁବନେଶ୍ୱର ବେହେରା

 

ଅନେକ କହନ୍ତି ଯେ ମଣିଷ ଯେତେବେକେ ଏ ସଂସାରକୁ ଆସେ, ସେ ତା’ ସାଙ୍ଗରେ ନିଜ ଭାଗ୍ୟଲିପି ମଧ୍ୟ ନେଇ ଆସେ । ପ୍ରତ୍ୟେକ ମଣିଷର ସୃଷ୍ଟି ବେଳକୁ ଏ ଭାଗ୍ୟଲିପି କୁଆଡ଼େ ତାର କପାଳରେ ଲେଖା ହୋଇଯାଏ । ଆଉ ସେ କପାଳ ଲିଖନକୁ କେହି ଆନ କରି ପାରିନ୍ତିନି । ତେଣୁ ଏ ସଂସାରରେ ଯେ ଯାହା କିଛି କରେ, ଘଟଣ ଅଘଟଣ ଘଟାଏ, ଭଲ ମନ୍ଦ ଚିନ୍ତେ, ସୁଖ ଦୁଃଖ ଭୋଗେ ସେ ସବୁଥିରେ ତାର ନିଜର କିଛି ବ୍ୟକ୍ତିଗତ ବାହାଦୁରୀ ଅଥବା ଦୋଷ ଗୁଣ ନଥାଏ । ମଣିଷର ନାକରେ ଅଦେଖା ଦଉଡ଼ିଟିଏ ବାନ୍ଧି ଦଇବ ତାକୁ ଏ ଲିପିର ଇଙ୍ଗିତ ଅନୁସାରେ ଯେଉଁ ଆଡ଼ିକି ଓଟାରେ ମଣିଷ ବିଚରା ନିରୀହ ଗାଈଟିଏ ପରି ସେ ଆଡ଼ିକି ଯିବାକୁ ବାଧ୍ୟ ହୁଏ—ତାହା ବିନା ତାର ଆଉ ଅନ୍ୟ ଗତି ନଥାଏ ।

 

ଭାଗ୍ୟବଦୀ କେହି କେହି ମଣିଷର ଏ ଦଶାକୁ ମାଙ୍କଡ଼ ନାଚ ସାଙ୍ଗରେ ତୁଳନା କରନ୍ତି । ନଚାଳୀର ଇଚ୍ଛା ଅନୁସାରେ ମାଙ୍କଡ଼ କେତେବେଳେ ପେଣ୍ଟ-କାମିଜ ଓ ଟୋପି ପିନ୍ଧି ବୋହୂ ଦେଖିଯାଏ ତ ପୁଣି କିଛି ସମୟ ପରେ ସେହି ମାଙ୍କଡ଼ ଫ୍ରକ ଖଣ୍ଡିଏ ପିନ୍ଧି ମୁଣ୍ଡରେ ବାସନ ଖଣ୍ଡିଏ ଧରି ନିଜେ ବୋହୂ ସାଜି ପାଣି ଆଣେ ବାଡ଼ିର ତାଳେ ତାଳେ ଓ ବାଡ଼ି ଟେକି ଧଇଲେ ସମୁଦ୍ର ଡେଇଁ ଲଙ୍କାକୁ ଯାଏ

 

ଅନ୍ୟ କେହି ଏ ସଂସାରରେ ମଣିଷର କାଯ୍ୟ କଳାପ ସବୁକୁ କଣ୍ଢେଇ ନାଚ ସାଙ୍ଗକୁ ମଧ୍ୟ ତୁଳନା କରନ୍ତି । କେହି ଜଣେ ଓସ୍ତାଦ ଉହାଡ଼ରେ ରହି କଣ୍ଢେଇ ହାତ ଗୋଡ଼ ମୁଣ୍ଡ ଓ ଅଣ୍ଟାରେ ବନ୍ଧା ହୋଇଥିବା ଅଦୃଶ୍ୟ ଦଉଡ଼ିକୁ ଯେପରି ଭାବରେ ଟାଣେ କଣ୍ଢେଇ ସେପରି ଭାବରେ ନାଚେ—ରାଜ ସିଂହାସନରେ ବସେ, ଛାତି ପିଟେ, ଖଣ୍ଡାଧରି ଯୁଦ୍ଧ କରେ ମଝିରେ ମଝିରେ କିଛି କିଛି ହସେ ।

 

ଭାଗ୍ୟ ଅନୁସାରେ ମଣିଷ କିପରି ଏ ସଂସାରରେ ଯାତାୟାତ କରେ ତାହା ପ୍ରମାଣ କରିବାକୁ ଯାଇ ଭାଗ୍ୟବାଦୀମାନେ ଯେଉଁ ସୁନ୍ଦର କାହାଣୀ ସବୁ ବର୍ଣ୍ଣନା କରି ଯାଇଛନ୍ତି ସେଥିରୁ ଗୋଟିଏ ଜଣାଶୁଣା କାହାଣୀ ଏଠାରେ କୁହାଯାଇପାରେ ।

 

ଗୋଟିଏ ସହରରେ ଜଣେ ପରମ ଶିବ ଭକ୍ତ ଥିଲେ । ସେ ଯେ କୌଣସି କାମରେ ଲାଗିଥିଲେ ମଧ୍ୟ ତାଙ୍କ ମନ ସଦା ସର୍ବଦା ଶୟନେ, ସ୍ୱପନେ, ଜାଗରଣେ ସେହି ମହାଯୋଗୀଙ୍କ ପାଦତଳେହିଁ ଅଟଳ ହୋଇ ରହିଥାଏ ।

 

ତାଙ୍କର ଛୋଟ ସଂସାରଟିଏ । ଦିନଯାକ କଠୋର ପରିଶ୍ରମ କରି ସେ ଯାହା ପାଆନ୍ତି ସେଥିରେ ସେ, ତାଙ୍କ ସ୍ତ୍ରୀ ଓ ଦୁଇପୁଅ ଝିଅଙ୍କ ସଂସାରଟି କଷ୍ଟେ ମଷ୍ଟେ ଚଳିଯାଏ । କିନ୍ତୁ ବର୍ଷାଦିନେ ଯେତେବେଳେ ଘର ଛାତର ଅଜସ୍ର ବିବର ଦ୍ୱାରା ସେଇ ପାଣିଧାରାର ସୁଅ ଛୁଟେ ଆଉ ପିଲାଙ୍କ ବସିବା ପାଇଁ ବି ଶୁଖିଲା ଜାଗା ଟିକିଏ ମିଳେନି ଅଥବା ଶୀତ ଦିନେ ପିଲା ଦୁଇଟି ଯେତେବେଳେ ବାପାମାଆଙ୍କ ପେଟ ପାଖରେ ଜାକିଜୁକି ହୋଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉଷୁମ ଟାଣିବାକୁ ଚେଷ୍ଟା କରନ୍ତି —ଘରର ଛପର ବଦଳାଇ କିମ୍ବା ଘୋଡେଇ ହେବ ଚାଦର ଖଣ୍ଡିଏ କିଣିବା ପାଇଁ ଅର୍ଥର ଘୋର ଅଭାବ ଯୋଗୁଁ ଶିବଭକ୍ତଙ୍କ ମନରେ ବେଲେ ବେଳ କଷ୍ଟ ହୁଏ ।

 

ସେହି ସହରରେ ଆଉ ଜଣେ ବଣିକ ରହୁଥିଲେ । ବଣିକ ମହାରାଜ ବେଶ୍ ଧୂର୍ତ୍ତି ଓ ଧନୀ । ଧର୍ମ ନାମରେ ଠାରେ ଅଧେ କିଛି ଚାନ୍ଦା ଦିଅନ୍ତି ସତ, ଲୋକ ଦେଖାଣିଆ ପୂଜାବିଧି ବି କରନ୍ତି, କିନ୍ତୁ ଅର୍ଥହଁ ଥିଲା ତାଙ୍କର ଏକମାତ୍ର ଆରାଧ୍ୟ ଦେବତା । ବଣିକ ଘରର ସମସ୍ତେ ବେଶ୍ ସୁଖ ସ୍ଵାଚ୍ଛନ୍ଦ୍ୟରେ ରହନ୍ତି । ମା ପାର୍ବତୀ ଏ ସବୁ ଲକ୍ଷ୍ୟ କରୁଥିଲେ । ଦିନେ ସେ ଦୁଃଖକରି ଶିବଙ୍କୁ ପଚାରିଲେ ଯେ ଶଠ ଶେଠ ଏପରି ଧନ ସମ୍ପଦ ନେଉଥିଲାବେଳେ ସେ ତାଙ୍କ ପରମ ଭକ୍ତଙ୍କୁ କାହିଁକି ଦାରିଦ୍ୟରେ କଷ୍ଟ ଦେଉଛନ୍ତି । ଶିବ ଉତ୍ତର ଦେଲେ ଯେ ଭକ୍ତଙ୍କ ଭାଗ୍ୟରେ ଧନ ସମ୍ପଦ ନାହିଁ, ତେଣୁ ସେ ବା କଣ କରିବେ ? ପାର୍ବତୀ କିନ୍ତୁ ଏ କଥାରେ ବିଶ୍ୱାସ କଲେନି, ଆଉ ଜିଦ୍‍ ଧରି ବସିଲେ ଯେ ଭକ୍ତଙ୍କୁ କିଛି ଧନ ଦେବାକୁ ହିଁ ହେବ । ଧନ ଦେବା ଉଦ୍ୟମର ବିଫଳତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ପାର୍ବତୀଙ୍କ କଥିତ ମତେ ଚେଷ୍ଟା କରିବାକୁ ଶିବ ରାଜି ହେଲେ ।

 

କୌଣସି ଗୋଟିଏ ଦିନ ଶିବଭକ୍ତଙ୍କୁ ତାଙ୍କ ସହରରୁ ପାଖ ଗୋଟିଏ ଗାଁକୁ ଯିବାର ଥିଲା-। ଗାଁକୁ ଯିବା ମଝି ବାଟରେ ଗୋଟିଏ ବଡ଼ ଅଶ୍ୱତ୍‍ଥ ଗଛ ପଡ଼େ । ଦୂରକୁ ଆଖିକି ଚଟ୍ କରି ଦେଖାଯାଉଥିବା ଗୋଟିଏ ରଙ୍ଗୀନ୍ ମୁଣିରେ ଅନେକ ଧନରତ୍ନ ଭର୍ତ୍ତିକରି ଏଇ ଅଶ୍ୱତ୍‍ଥ ଗଛ ତଳେ ମୁଣିଟିକୁ ଥୋଇ ଦେଇ ଶିବ ଓ ପାର୍ବତୀ ଗଛ ଉହାଡ଼ରେ ଅଦୃଶ୍ୟ ହୋଇ ରହିଲେ-। ପାର୍ବତୀଙ୍କ ବିଶ୍ୱାସ ଥିଲା ଯେ ଭକ୍ତ ସେ ପାଖ ଦେଇ ଗଲାବେଳେ ରତ୍ନଭରା ମୁଣିଟି ନିଶ୍ଚୟ ପାଇବେ ।

 

ଶିବଭକ୍ତ ମନ ଭିତରେ ମହାଦେବଙ୍କ ନାମ ଜପି ଜପି ଯାଉଥାଆନ୍ତି । ହଠାତ୍‍ ତାଙ୍କ ମନରେ ଗୋଟିଏ ଭାବନା ଆସିଲା ସେ ପ୍ରକୃତରେ କେଡ଼େ ଭାଗ୍ୟବାନ । ମହାଦେବ ତାଙ୍କୁ ଦି’ ଆଖି ଦେଇଛନ୍ତି ଯାହା ଫଳରେ ସେ ସବୁ ଦେଖି ପାରୁଛନ୍ତି, ଆଉ କେଡ଼େ ସହଜରେ ଏବାଟ ଦେଇ ଚାଲି ଯାଉଛନ୍ତି । ଆହା ! ଭାଗ୍ୟହୀନ ଅନ୍ଧମାନକ ଦଶା କଣ ହେଉଥିବ । ଅନ୍ଧମାନେ ଚାଲିଲାବେଳେ କଣ କରୁଥିବେ ଆଉ କିପରି କଷ୍ଟ ପାଉଥିବେ ତାହା ଉପଲବ୍‍ଧି କରିବା ପାଇଁ ହଠାତ୍‍ସେ ନିଜ ଆଖି ଦୁଇଟି ବୁଜି ଦେଲେ ଓ ହାତରେ ଧରିଥିବା ବାଡ଼ି ସାହାଯ୍ୟ ଦଶାରେ ଠୁକ୍ ଠୁକ୍ କରି ବାଟ ଦରାଣ୍ଡି ଚାଲିବାକୁ ଚେଷ୍ଟାକଲେ । ତାଙ୍କର ଗତି ମନ୍ଥର ହୋଇଗଲା; କିନ୍ତୁ କୌଣସି ମତେ ଏପାଖ ସେପାଖ ହୋଇ ସେ ବାଟ ଅଣ୍ଡାଳି ଅଣ୍ଡାଳି ଆଗକୁ ଯିବାକୁ ଲାଗିଲେ-। ଏମିତି ଅବସ୍ଥାରେହିଁ ଅଶ୍ୱତ୍‍ଥ ଗଛଟି ପାର ହୋଇଗଲା ଆଉ ସେ ସାଙ୍ଗରେ ରତ୍ନ ବୁଜୁଳାଟି ବି ପଛରେ ପଡ଼ି ରହିଲା । ଅନ୍ଧମାନଙ୍କ ଦୁଃଖରେ ଅତି ଦୁଃଖିତ ହୋଇ ଦେବ ଦେବ ମହାଦେବ ସେମାନଙ୍କୁ ଚକ୍ଷୁଦାନ ଦିଅନ୍ତୁ ବୋଲି ପ୍ରାର୍ଥନା କରି ଭକ୍ତ ଆଉଥରେ ଆଖି ଖୋଲି ନିଜ ବାଟରେ ତରତର ହୋଇ ଚାଲିବାକୁ ଲାଗିଲେ । ଭାଗ୍ୟର ପରୀକ୍ଷା ଏପରି ଭାବରେ ହୋଇଗଲା-। ଏହି ଭାଗ୍ୟବାଦୀମାନେ କହନ୍ତି ଯେ ପୂର୍ବ ଜନ୍ମକୃତ ଫଳ ହିଁ ମଣିଷ ଏ ଜନ୍ମରେ ଭୋଗ କରେ-। ତେଣୁ ଭାଗ୍ୟଲିପି ଅଥବା କପାଳଲିଖନ ପୂର୍ବଜନ୍ମର ଭଲ ମନ୍ଦ ଓ ପାପ ପୁଣ୍ୟ ଜନିତ ଫଳାଫଳର ଗୋଟିଏ ଲିପିବଦ୍ଧ ହିସାବ ତାଲିକା ମାତ୍ର । ସେମାନଙ୍କ ମତରେ ଏ ହିସାବ ତାଲିକା ଅନୁଯାୟୀ ମଣିଷ ସଂସାରକୁ ମଣିଷର ଆଗମନର ସମୟ ଜାଣି ପାରିଲେ ଗଣନା ଦ୍ୱାରା ଏ ହିସାବ ତାଲିକାର ଅବିକଳ ନକଲ ପ୍ରସ୍ତୁତ କରାଯାଇ ପାରେ ।

 

କେହି କେହି କହନ୍ତି ଯେ ଏ ଲିପିର ଗୋଟିଏ ନକଲ ହାତ ପାପୁଲିରେ ମଧ୍ୟ ଅଙ୍କିତ ହୋଇଥାଏ । ଐତିହାସିକ ଗବେଷଣା ବିଷାରଦମାନେ ଯେପରି ପଥର ଦେହରେ କେବେ କେଉଁ କାଳେ ଖୋଲା ହୋଇଥିବା ପ୍ରାକ୍—ଐତିହାସିକ ସଙ୍କେତ ମାନ ପଢ଼ିପାରନ୍ତି, ସେପରି ହାତ ପାପୁଲି ବିଷାରଦମାନେ ପାପୁଲିର ରେଖାରୁ ଭାଗ୍ୟଲିପି ପଢ଼ି ଦେଇପାରନ୍ତି । ଏ ପାପୁଲିରେ କୁଆଡ଼େ ସର୍ଟହେଣ୍ଡଠାରୁ ଆହୁରି ଅତି ସଂକ୍ଷେପରେ ଜୀବନର ସବୁ କାହାଣୀ ଖୋଦିତ ହୋଇଥାଏ-। ତେଣୁ ଜାତକ ଗଣନା କରି କିମ୍ବା ହାତ ଦେଖି କେତେ ବିଶାରଦ ବାହାଘରଠାରୁ ଆରମ୍ଭ କରି ପୁଅ, ଝିଅ, ନାତି, ନାତୁଣୀ, ଗାଈ, ଗୋରୁ, ବିଦେଶ ଯାତ୍ରା, ଚାକିରି ବାକିରି ସବୁ କଥା ଆଗତୁରା କହି ଦିଅନ୍ତି ବୋଲି ଶୁଣାଯାଏ । ମକଦ୍ଦମାରେ ହାର ଜିତ୍‍ଠାରୁ ପରୀକ୍ଷାରେ ପାସ୍‍ ଫେଲ ପର୍ଯ୍ୟନ୍ତ ଓ ଏପରିକି ପାସରେ ଡିଭିଜନ ମଧ୍ୟ ବେଳ ବେଳ ବାଦ୍ ଯାଏନି ।

 

କେତେ ସଂସ୍କାରକାମୀ ଭାଗ୍ୟବଦୀ ଏପରି ଚରମ ସିଦ୍ଧାନ୍ତରେ ମୂଳକ ଭାଗ୍ୟ ବାଦରେ ବିଶ୍ୱାସ କରନ୍ତିନି । ସେମାନେ କହନ୍ତି ଯେ ମଣିଷ ତାର ନିର୍ଦ୍ଦିଷ୍ଟ ଭାଗ୍ୟ ନେଇ ଏ ସଂସାରକୁ ଆସେ ସତ; କିନ୍ତୁ କର୍ମକର୍ମାଣୀର ଫଳରେ ଏ ଭାଗ୍ୟର ପରିବର୍ତ୍ତନ କରାଯାଇପାରେ । ଗୋଟିଏ ଜଳନ୍ତା ଦୀପ ତେଲ ସରିଗଲେ ଲିଭିଯାଏ ଅଥବା ତେଲ ଥାଇ ବଳିତାଟି ସରିଗଲେ ଲିଭିଯାଏ । କିନ୍ତୁ ବେଳେ ବେଳେ ତେଲ ଓ ବଳିତା ଦୁଇଟି ଯାକ ଥାଇ ମଧ୍ୟ ପବନର ଗୋଟିଏ ଧାପ୍‍ସରେ ଦୀପଟି ଲିଭିଯାଇ ପାରେ । ସେମାନେ ମଣିଷର ଜୀବନକୁ ଏ ଦୀପ ସାଙ୍ଗରେ ତୁଳନା କରି କହନ୍ତି ଯେ, ଭାଗ୍ୟଲିପି ତେଲ ଓ ବଳିତା ସାଙ୍ଗରେ ପବନର ପ୍ରକୋପ ମଧ୍ୟ ଲିପିବଦ୍ଧ କରିଥାଏ । ତେଲ କିମ୍ବା ବଳିତା ସରିଗଲେ କେହି ତାକୁ ରକ୍ଷା କରିପାରନ୍ତି; କିନ୍ତୁ ବେଳେ ବେଳେ ଦୁଷ୍ଟ ପ୍ରକୃତିର ଗ୍ରହ ମହାଗ୍ରହମାନଙ୍କ ପ୍ରକୋପରେ ପବନରେ ଦୀପ ଲିଭିଲା ପରି ମଣିଷର ଖରାପ ଦଶା ଆସି ଯାଇପାରେ । ତେଣୁ ସେମାନେ କହନ୍ତି ଯେ ଗଣନାରେ ଖରାପ ଯୋଗ ଜଣା ପଡ଼ୁଥିଲେ ଏହି ଶନି ରାହୁମାନଙ୍କୁ ସନ୍ତୁଷ୍ଟ କରି ଭାଗ୍ୟର ଫଳା ଫଳ ବଦଳାଇ ନିଆଯାଇପାରେ । ଶନି ରାହୁମାନେ ବକ୍ରଦୃଷ୍ଟି ଦେଲେ ପାସ୍‍କୁ ଫେଲ୍‍କରି ଦେଇପାରନ୍ତି ଅଥବା ସନ୍ତୁଷ୍ଟ ହୋଇ ପଣତକାନି ଢାଙ୍କି ଫେଲ୍‍କୁ ପାଶ ମଧ୍ୟ କରାଇ ଦେଇପାରନ୍ତି

 

କେତେ କ୍ରାନ୍ତିକାରୀ ଏସବୁ ପୂରାପୂରି ଧପ୍‍ପାବାଜି ବୋଲି କହନ୍ତି । ସେମାନେ କହନ୍ତି ଯେ ଭାଗ୍ୟ ବୋଲି କିଛି ନାହିଁ । ମଣିଷ ନିଜେ ନିଜ ଭାଗ୍ୟର ସୃଷ୍ଟି କର୍ତ୍ତା, ନିଜ ଉଦ୍ୟୋଗରେ ନିଜ ଭାଗ୍ୟ ଗଢ଼େ । କେବଳ କାପୁରୁଷମାନେହିଁ ଭାଗ୍ୟ ଉପରରେ ଆଶ୍ରା କରି ପଡ଼ିରହନ୍ତି । ତାଙ୍କ କଥା ଅନୁସାରେ ଶୋଇ ରହିଥିବା ସିଂହର ମୁହଁ ପାଖକୁ କୌଣସି ଜନ୍ତୁ ‘ମୋତେ ଖା’ ବୋଲି କହି ଦୌଡ଼ି ଆସେନି । ଆମ ଦେଶର ଏପରି ମତଦାନ ପାଶ୍ଚାତ୍ୟ ଦେଶର ରବର୍ଟ ବ୍ରୁଶ୍‍ ଓ ବୁଢ଼ିଆଣୀ କାହାଣୀକୁ ସମର୍ଥନ କରେ । ରବର୍ଟ ବୁଶ୍‍ କୁଆଡ଼େ ଯୁଦ୍ଧରେ ଷଷ୍ଠ ଥର ହାରିସାରିଲା ପରେ ଶତ୍ରୁ ଭୟରେ ଯେତେବେଳେ ଗୋଟିଏ ଗୁମ୍ଫା ଭିତରେ ଲୁଚି ରହିଥିଲେ ସେଠାରେ ଗୋଟିଏ ବୁଢ଼ିଆଣୀ ତା’ ଜାଲ ବାନ୍ଧିବା ପାଇଁ ୬ଥର ଚେଷ୍ଟା କରି ବିଫଳ ହେଲା ପରେ ସପ୍ତମ ଥର ପୁଣି ଚେଷ୍ଟା କରି ସଫଳ ହୋଇଥିବା ଦେଖି ସାହସ ସଞ୍ଚୟ କଲେ ଓ ସପ୍ତମ ଥର ପାଇଁ ଯୁଦ୍ଧ କରି ଜୟଲାଭ କରିଥିଲେ

 

ଏସବୁ ବାଦ ବିସମ୍ବାଦ ଭିତରେ ପ୍ରକୃତ ସତ୍ୟ କଣ ସେକଥା କହିବା ସହଜ ନୁହେଁ । ଅନେକ ସମୟରେ ମନେ ହୁଏ ଯେ ମଣିଷର ନିଜ ଶକ୍ତି ଓ ଉଦ୍ୟମ ବାହାରେ ଅନ୍ୟ କୌଣସି ଅଦୃଶ୍ୟ ଶକ୍ତି ମଧ୍ୟ ପ୍ରଚ୍ଛନ୍ନ ଭାବରେ କାମ କରୁଥାଏ । ପୁରାଣର କଥନ ଅନୁସାରେ ରାତି ପାହିଲେ ରାଜା ହେବା ପରିବର୍ତ୍ତେ ରାମଚନ୍ଦ୍ର ଯେପରି ବନବାସ ଯାଆନ୍ତି, ସତୀ, ସାଧ୍ୱୀ, ପତି ସୋହାଗନୀ ସୀତା ଯେପରି ବିନା କାରଣରେ ନିର୍ବାସିତା ହୁଅନ୍ତି, ସ୍ୱୟଂ ଗୋବିନ୍ଦ ଯାହାଙ୍‍କ ମାମୁଁ ଓ ଧନଞ୍ଜୟ ଯାହାଙ୍କ ପିତା, ସେହି ଅଭିମନ୍ୟୁ ଯେପରି ଭାବରେ ଯୁଦ୍ଧରେ ମରି ଶୁଅନ୍ତି, ଆଜି ମଧ୍ୟ ନୀତିଦିନି ଏପରି ଶହ ଘଟଣା ଘଟିଯାଏ, ଯାହାର କୌଣସି ସିଧାସଳଖ କାରଣ ଖୋଜି ଏପରି ଶହ ଶହ ଘଟଣା ଘଟିଯାଏ, ଯାହାର କୌଣସି ସିଧାସଳଖ କାରଣ ଖୋଜି ବାହାର କରିହୁଏନି—ଯାହାସବୁ ନିୟତିର କ୍ରୂର ଅଟ୍ଟହାସ୍ୟ ବୋଲିହିଁ ମନେହୁଏ ।

 

ବଶିଷ୍ଠ ବାମଦେବଙ୍କ ପରି ମହାଜ୍ଞାନୀମାନେ ଗଣନା କରି ଅଭିଷେକ ଲଗ୍ନ ସ୍ଥିର କରିଥିଲେ ହେଁ, ସେହି ଲଗ୍ନରେ ରାମଚନ୍ଦ୍ରଙ୍କ ବନବାସ ଯେପରି ଭାବରେ ହେଲେ ସେଥିରୁ ଗଣନା ପ୍ରତି ବିମୁଖତା ଆସେ —ତଥାପି ଭାଗ୍ୟକୁ ତାତ୍ସଲ୍ୟ କରି ହସି ଉଡ଼ାଇ ଦେଇ ହୁଏନି ।

 

ଏତେଦୂର ଆକାଶରୁ ପୂର୍ଣ୍ଣିମାର ଚନ୍ଦ୍ର ଯଦି ପୃଥିବୀ ବକ୍ଷସ୍ଥିତ ସମୁଦ୍ରରେ ଜୁଆର ସୃଷ୍ଟି କରିପାରେ, ବୃକ୍ଷଲତା ମାନଙ୍କରେ ରସର ଅପୂର୍ବ ସଞ୍ଚାର କରି ନିଜ ଔଷଧିଶ ନାମ ସାର୍ଥକ କରିପାରେ ତେବେ କ୍ଷିତି, ଅପ୍ ତେଜ, ମରୁତ୍, ବ୍ୟୋମ ପରି ପଞ୍ଚ ମହାଭୂତରେ ସୃଷ୍ଟ ମଣିଷ ଶରୀରରେ ଗ୍ରହ ମହାଗ୍ରହଙ୍କ କୁ କିମ୍ବା ସୁ ପ୍ରଭାବ ଅସ୍ୱାଭାବିକ ହେବ କାହିଁକି ? ତଥାପି ହୋମ କିମ୍ବା ଯଜ୍ଞ ସାହାଯ୍ୟରେ ଯେପରି ସମୁଦ୍ରର ଜୁଆରକୁ ଆକଟ କରି ହୁଏନି—ଶନି ଓ ରାହୁ ଗ୍ରହଙ୍କୁ କିପରି ଶାନ୍ତ କରି ଦିଆଯାଇ ପାରିବ ସେ ସମ୍ବଦ୍ଧରେ ନିଶ୍ଚିତ ଭାବେ ମନରେ ସନ୍ଦେହ ଜନ୍ମେ ।

 

ଗ୍ରହ ମହାଗ୍ରହ ପ୍ରଭାବ ପରିଆଉ କେତେ ଅଜଣା ଶକ୍ତିର ପ୍ରଭାବ ମଣିଷ ଉପରେ ପଡ଼େ । ଘରୁ ବାହାରିଲା ବେଳେ କେହି ଛିଙ୍କିବା, ଗଲାବେଳେ ବିରାଡ଼ି ବାଟ କାଟିବା ପ୍ରଭୂତି ଅଶୁଭ ସଙ୍କେତ ମଣିଷ ସମାଜର ଅନ୍ଧବିଶ୍ୱାସ ହୋଇପାରେ ତଥାପି ଶୁଭାକାଂକ୍ଷୀ ଓ ହିତାକାଂକ୍ଷୀଙ୍କ ସଦିଚ୍ଛା ଓ ଶୁଭେଚ୍ଛା ଓ ବିଶେଷକରି ଗୁରୁଜନଙ୍କ ଆଶୀର୍ବାଦ ଯେ ମଣିଷର ଅଶେଷ ମଙ୍ଗଳ ସାଧନା କରେ ଏଥିରେ ସନ୍ଦେହ ନାହିଁ ।

 

* ସପ୍ତର୍ଷି ସଂପାଦକୀୟ— ତୃତୀୟ ବର୍ଷ —ଦ୍ୱିତୀୟ ସଂଖ୍ୟା —୧୯୭୪

Image

 

ଲେଖକ ପରିଚିତ

ଉତ୍କଳମଣି ଗୋପବନ୍ଧୁ ଦାସ

 

ଉତ୍କଳମଣି ଗୋପବନ୍ଧୁ ଏହି ଉତ୍କଳଭୂମିରେ ଦରିଦ୍ରର ବନ୍ଧୁଭାବରେ ସୁପରିଚିତ । ସେ ହେଉଛନ୍ତି ଏ ଦେଶରେ ଜାତୀୟତା ସ୍ରୋତର ଭାଗିରଥ । ତାଙ୍କର ପ୍ରେରଣାରେ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଜନସାଧାରଣ ହସି ହସି ପ୍ରଥମେ ଝାସ ଦେଇଥିଲେ । ସେ ଥିଲେ ସ୍ୱାଧୀନତା ସଂଗ୍ରାମର ସେନାପତି ସତ, ଅଥଚ ତାଙ୍କପରି ସଂସ୍କାରକ ଶିକ୍ଷାବିତ୍‍ ସେ କାଳରେ କମ୍‍ ଦେଖିବାକୁ ମିଳନ୍ତି । ୧୮୭୭ ଖ୍ରୀଷ୍ଟାବ୍ଦ ଅକ୍ଟୋବର ମାସ ନଅ ତାରିଖରେ ସତ୍ୟବାଦୀର ବ୍ରାହ୍ମଣ ଶାସନ ମଧ୍ୟରେ ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୨୮ ସାଲରେ ଅକାଳରେ ତାଙ୍କର ଜୀବନକୁସୁମ ଝଡ଼ି ପଡ଼ିଥିଲା । ତଥାପି ଏହି ସୀମିତ ଜୀବନକାଳରେ ସେ ଏକ ଅନୁଷ୍ଠାନରେ ପରିଣତ ହୋଇ ଯାଇଥିଲେ । ଦେଶ ଓ ଜାତିର ଦୁର୍ଗତିର ବିଚଳିତ ହୋଇ ସେ ଆଇନ୍ ବ୍ୟବସ୍ୟାୟକୁ ଜଳାଞ୍ଜଳୀ ଦେଇ ଦେଶସେବାରେ ସମଗ୍ର ଜୀବନକାଳ ଉତ୍ସର୍ଗ କରି ଦେଇଥିଲେ । ୧୯୦୯ ଖ୍ରୀଷ୍ଟାବ୍ଦ ଅଗଷ୍ଟ ବାର ତାରିଖରେ ସତ୍ୟବାଦୀରେ ସେ ଯେଉଁ ଶିକ୍ଷାନୁଷ୍ଠାନ ଆରମ୍ଭ କରିଥିଲେ ତାହା ପରେ ଆଦର୍ଶ ଜାତୀୟ ଶିକ୍ଷାୟତନରେ ରୂପାନ୍ତରିତ ହୋଇ ସମଗ୍ର ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସାଧାରଣ ସ୍କୁଲ ନ ହୋଇ ଏକ ମଣିଷ ତିଆରି କାରଖାନାରେ ପରିଣତ ହୋଇଥିଲା । ୧୯୧୫ ଖ୍ରୀଷ୍ଟାବ୍ଦରେ ବିଖ୍ୟାତ ‘‘ସତ୍ୟବାଦୀ’’ ସାହିତ୍ୟ ପତ୍ରିକା ତାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ୧୯୧୯ ସାଲରେ ସେ ସାପ୍ତାହିକ ସମାଜର ପ୍ରାଣ ପ୍ରତିଷ୍ଠାତା ଥିଲେ । ତାଙ୍କ ଅନ୍ତେ ‘ସମାଜ’ ଦୈନିକରେ ରୂପାନ୍ତରିତ ହୋଇଥିଲା । ଦେଶ ପାଇଁ ବାରମ୍ଵାର କାରାବରଣ କଲାବେଳେ ସେ ଜେଲ ମଧ୍ୟରେ ଅଳ୍ପ କିଛି କାବ୍ୟ କବିତା ଲେଖିବାକୁ ସୁଯୋଗ ପାଇଥିଲେ । ମାତ୍ର ତାଙ୍କର ସଂପାଦକୀୟ ଅଗ୍ରଲେଖା ଏବଂ ‘ସତ୍ୟବାଦୀ’ରେ ପ୍ରକାଶିତ ପ୍ରବନ୍ଧ ଷ୍ଟାଣ୍ଡାର୍ଡ ଓଡ଼ିଆ ଗଦ୍ୟ ହିସାବରେ ପରିଗଣିତ ହୋଇଥାଏ । ତାଙ୍କର ରଚନାଗୁଡ଼ିକ ହେଲା–ଧର୍ମପଦ, ଗୋମହାତ୍ମ, ବନ୍ଦୀର ଆତ୍ମକଥା, କବିତା ନଚିକେତା ଉପାଖ୍ୟାନ ।

 

ପଦ୍ମଚରଣ ପଟ୍ଟନାୟକ

 

ଉନବିଂଶ ଶତାବ୍ଦୀରେ ଶେଷ ଦଶକରେ କବି ପଦ୍ମଚରଣ ଭୁବନେଶ୍ୱରର ଦକ୍ଷିଣ ଦିଗରେ ‘‘ପାଞ୍ଚଗାଁ’’ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଗୋପୀନାଥ ପଟ୍ଟନାୟକ ଭକ୍ତ ଅଂଶର ଲୋକ ଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଅନ୍ନପୂର୍ଣ୍ଣା ଦେବୀ । ପଦ୍ମଚରଣ ଦରିଦ୍ର ପରିବାରରେ ଖତଗଦାରେ ପଦ୍ମ ଭଳି ଝଟକି ଉଠୁଥିଲେ । ରେଭେନ୍ସା ଏବଂ କଲିକତାରେ ଉଚ୍ଚଶିକ୍ଷା ସାଙ୍ଗକରି ଆଇନ ବ୍ୟବସାୟରେ ଭର୍ତ୍ତି ହୋଇଥିଲେ । ଇତିହାସରେ ଏମ୍. ଏ. ଡିଗ୍ରୀ ହାସଲ କରିଥିଲେ ସେ ହୁଏତ ଜଣେ ଅଧ୍ୟାପକ ହୋଇଥାଆନ୍ତେ ମାତ୍ର ତହିଁରେ ସେ ବିଫଳ ହୋଇଥିଲେ ।

 

ସେ ଥିଲେ ଆବାଲ୍ୟରୁ ସାହିତ୍ୟ ସେବୀ । ଉତ୍କଳ ସାହିତ୍ୟ, ମୁକୁର ଏବଂ ସାମୟିକ ସାହିତ୍ୟ ପତ୍ରିକା ଗୁଡ଼ିକରେ ବହୁବର୍ଷକାଳ ସେ ସାହିତ୍ୟ ସାଧନା କରି ଆସିଥିଲେ । ସେ ମୁଖ୍ୟତଃ କବି; ତଥାପି ଗଦ୍ୟ ସାହିତ୍ୟରେ ଉନ୍ନତିରେ ମଧ୍ୟ ସେ ହାତ ଦେଇଥିଲେ । ତାଙ୍କ କବିତାର ପ୍ରଧାନ ଆଭିମୁଖ୍ୟ ହେଲା ଦେଶାତ୍ମବୋଧ ।ତାଙ୍କର ଆମର ସୃଷ୍ଟିମାନଙ୍କ ମଧ୍ୟରେ—ସୂର୍ଯ୍ୟମୁଖୀ, ଆଶାମଞ୍ଜରୀ, ପଦ୍ମପାଖୁଡ଼ା, ଗୋଲାପଗଛ, ପାରିବାରିକ ପ୍ରବନ୍ଧ, ଫକୀରମୋହନ ପ୍ରଭୃତି ପ୍ରଧାନ-

 

କୃପାସିନ୍ଧୁ ମିଶ୍ର

 

ଐତିହାସିକ କୃପାସିନ୍ଧୁ ସତ୍ୟବାଦୀ ଜାତୀୟ ଅନୁଷ୍ଠାନର ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ-। ସେ ୧୮୮୭ ଖ୍ରୀଷ୍ଟାବ୍ଦରେ ହରେକୃଷ୍ଣପୁର ଶାସନ ଜନାର୍ଦ୍ଦନ ରଥଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲେ । ପରେ ମାଉସୀଙ୍କ ପରିବାରରେ ପୌଷ୍ୟପୁନ୍ତ୍ର ହୋଇ ଯାଇଥିବାରୁ ତାଙ୍କର ସାଙ୍ଗିଆ ରଥ ପରିବର୍ତ୍ତେ ମିଶ୍ର ହୋଇ ଯାଇଥିଲା । ଯୌବନ କାଳରେ ଗୋପବନ୍ଧୁଙ୍କ ପ୍ରେରଣାରେ ସେ ସତ୍ୟବାଦୀ ଜାତୀୟ ଅନୁଷ୍ଠାନର ଜଣେ କର୍ମୀ ହିସାବରେ ଯୋଗଦାନ କରିଥିଲେ । ୧୯୧୪ ଖ୍ରୀଷ୍ଟାବ୍ଦରେ ଦର୍ଶନରେ ସେ ଏମ୍.ଏ. ପାଶ୍ କରିଥିଲେ । ମାତ୍ର ତାଙ୍କର ଐତିହାସିକ ଗବେଷଣାରେ ଜୀବନ ବ୍ୟୟିତ ହୋଇଥିଲା । ଜାତୀୟ ଆନ୍ଦୋଳନରେ ଝାସ ଦେଇ ସେ ପୁରୀଜିଲ୍ଲା କଂଗ୍ରେସର ଉଚ୍ଚ କର୍ମକର୍ତ୍ତା ମଧ୍ୟ ହୋଇଥିଲେ । ଆଦର୍ଶ ସତ୍ୟବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ହିସାବରେ ସେ ନିଜର ଶାସନ—କୁଶଳତାର ପରିଚୟ ଦେଇ ଯାଇଛନ୍ତି । ତାଙ୍କ ରଚିତ ପୁସ୍ତକଗୁଡ଼ିକ ହେଲା–ବାରବାଟୀ, କୋଣାର୍କ ଓ ଓଡ଼ିଶା ଇତିହାସ । ଏ ଗୁଡ଼ିକରେ ତାଙ୍କର ମୌଳିକ ଗବେଷଣା ପ୍ରକଟିତ ହୋଇଅଛି । ଓଡ଼ିଆ ଗଦ୍ୟ ସାହିତ୍ୟରେ ଏହି ପୁସ୍ତକଗୁଡ଼ିକ ଅବିସ୍ମରଣୀୟ ।

 

ଜଳନ୍ଧର ଦେବ

 

ବାମଣ୍ଡା ରାଜପରିବାର ସୁଯୋଗ୍ୟ ସନ୍ତାନ । ରାଜା ବାସୁଦେବଙ୍କ ନେତୃତ୍ୱରେ ବାମଣ୍ଡାରେ ଯେଉଁ ନବଯୁଗର ଆରମ୍ଭ ହୋଇଥିଲା, ସୁସାହିତ୍ୟିକ ଜଳନ୍ଧର ଦେବ ସେହି କାର୍ଯ୍ୟରେ ତାଙ୍କର ପରମ ସହାୟକ ହୋଇଥିଲେ । ସେ ଥିଲେ ଏକାଧାରେ ଜଣେ ଦକ୍ଷ ଶାସକ ଏବଂ ବଳିଷ୍ଠ ସାହିତ୍ୟିକ । ବାମଣ୍ଡାର ଉତ୍କଳ ପ୍ରସିଦ୍ଧ ଆଲୋଚନା ସଭା ତାଙ୍କର ନେତୃତ୍ୱରେ ପରିଚାଳିତ ହେଉଥିଲା । ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ରାଧାନାଥ ରାୟ, ମଧୁସୂଦନ ରାଓ, ଗୋପାଳଚନ୍ଦ୍ର ପ୍ରହରାଜ, ଫକୀରମୋହନ ସେନାପତି, ବିଶ୍ୱନାଥ କର ପ୍ରଭୃତିଙ୍କର ନିବିଡ଼ ସଂପର୍କରେ ଆସି ସେ ଓଡ଼ିଆ ସାହିତ୍ୟର ସେବା କରି ଯାଇଅଛନ୍ତି । ତାଙ୍କର ଲିଖିତ ‘ଡାୟରୀର କିୟଦଂଶ’ ଉତ୍କଳ ସାହିତ୍ୟରେ ବହୁକାଳ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା । ଏତଦ୍‍ବ୍ୟତୀତ ରାଶି ରାଶି ଆଲୋଚନା ପ୍ରବନ୍ଧ ସେ ପ୍ରକାଶ କରି ଓଡ଼ିଆ ଗଦ୍ୟ ସାହିତ୍ୟର ସମୃଦ୍ଧିସାଧନା କରିଛନ୍ତି । ବାଲ୍ମୀକି ରାମାୟଣ ସଂପର୍କରେ ତାଙ୍କର ବୈଜ୍ଞାନିକ ବିଶ୍ଳେଷଣ ଆଲୋଚକମାନଙ୍କୁ ବିସ୍ମିତ କରିଥାଏ । ନାନା ସମସ୍ୟାମୂଳକ ପ୍ରବନ୍ଧ ଲେଖି ସେ ଯଶସ୍ୱୀ ହୋଇଛନ୍ତି ।

 

ବିଶ୍ୱନାଥ କର

 

୧୮୯୭ ସାଲରୁ ‘ଉତ୍କଳ ସାହିତ୍ୟ’ ପ୍ରକାଶ କରି ଦୀର୍ଘକାଳ ଯାବତ ଓଡ଼ିଆ ସାହିତ୍ୟକୁ ଗଠନ କରିବାରେ ସେ ନେତୃତ୍ୱ ଗ୍ରହଣ କରିଥିଲେ । ସେ ଥିଲେ ତତ୍‍କାଳୀନ ଓଡ଼ିଶାର ସୁପ୍ରସିଦ୍ଧ ବାଗ୍ମୀ ଓ ସଂସ୍କାରକ । ରକ୍ଷଣଶୀଳ ବ୍ରାହ୍ମଣ ପରିବାରେ ଜନ୍ମଗ୍ରହଣ କରି ସେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ ଏବଂ ସମକାଳୀନ ରକ୍ଷଣଶୀଳ ମନୋଭାବ ଓ ଆଚରଣ ବିରୁଦ୍ଧରେ ପ୍ରବଳ ବିଦ୍ରୋହ ଘୋଷଣା କରିଥିଲେ । ଓଡ଼ିଶାରେ ସଂବାଦଧର୍ମୀ ପ୍ରବନ୍ଧ ଲେଖିବାରେ ସେ ଥିଲେ ଅଗ୍ରଦୂତ । ତାଙ୍କର ବାର୍ତ୍ତାମୁଖୀ ପ୍ରବନ୍ଧଗୁଡ଼ିକ ସେକାଳରେ ବିଖ୍ୟାତ ସାହିତ୍ୟ ମାସିକ ‘ଉତ୍କଳ ପ୍ରଭାରେ’ ପ୍ରକାଶିତ ହୋଇଥିଲା । ତାଙ୍କ ସଂପାଦିତ ‘ଉତ୍କଳ ସାହିତ୍ୟ ‘ ଥିଲା ଏକ ଲେଖକ ତିଆରି କାରଖାନା-। ବହୁ ତରୁଣ ଲେଖକଙ୍କୁ ସେ ଲୋକ ଲୋଚନକୁ ଆଣି ଚିରସ୍ମରଣୀୟ ହୋଇଅଛିନ୍ତି-। ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକ ‘ବିବିଧ ପ୍ରବନ୍ଧ‘ ନାମରେ ସଂକଳିତ ହୋଇଅଛି ।

 

ଶଶିଭୂଷଣ ରାୟ

 

ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା ରାଧନାଥ ରାୟଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ଥିଲେ ଶଶିଭୂଷଣ । କବି ରାଧାନାଥ କବିତାରେ ଉତ୍କଳ ପ୍ରକୃତି ସଂସାରର ମନୋଜ୍ଞ ଚିତ୍ର ପ୍ରଦାନ କଲାପରି ଶଶିଭୂଷଣ ଗଦ୍ୟ ଜରିଆରେ ରମଣୀୟ ପ୍ରକୃତି ରାଜ୍ୟର ସାର୍ଥକ ରୂପାୟନ କରି ଯାଇଅଛନ୍ତି । ଶଶିଭୂଷଣ ୧୮୭୭ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରି ୧୯୫୩ ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ବରଣ କରିଥିଲେ । ଶତାଧିକ ମୌଳିକ ପ୍ରବନ୍ଧ ଦ୍ଵାରା ସେ ଓଡ଼ିଶା ସାହିତ୍ୟର ଗନ୍ତାଘରକୁ ସମୃଦ୍ଧ କରି ଯାଇଅଛନ୍ତି । ରାଧାନାଥଙ୍କ ପରେ ତାଙ୍କପରି ଉତ୍କଳ ପ୍ରକୃତିକୁ ଆଉ କେହି ଏପରି ଚିହ୍ନି ଚିହ୍ନାଇ ଦେଇ ନାହାନ୍ତି । ପ୍ରକାଶିତ ପୁସ୍ତକ ମାନଙ୍କ ମଧ୍ୟରେ ଶିକ୍ଷା, ଉତ୍କଳ ପ୍ରକୃତି, ଉତ୍କଳର ଋତୁଚିନ୍ତ୍ର, ପ୍ରବନ୍ଧ ପ୍ରବାହ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏବେ ମଧ୍ୟ ତାଙ୍କର ଅଧିକାଂଶ ଲେଖା ପୁସ୍ତକ ରୂପରେ ଆତ୍ମପ୍ରକାଶଂ କରିପାରିନାହିଁ । ଓଡ଼ିଆ ଗଦ୍ୟ ସାହିତ୍ୟରେ ତାଙ୍କର ସ୍ଥାନ ଅବିସ୍ମରଣୀୟ ।

 

ଗିରିଜାଶଙ୍କର ରାୟ

 

ଗିରିଜାଶଙ୍କର ରାୟ ଜଣେ ସ୍ୱନାମଧନ୍ୟ ଅଧ୍ୟାପକ । ଉତ୍ତରାଧିକାରୀ ସୂତ୍ରରେ ସେ ଓଡ଼ିଆ ସାହିତ୍ୟ ସେବା କରିବା ଗୌରବ ଅର୍ଜନ କରିଥିଲେ । ତାଙ୍କର ପିତା ରାମଶଙ୍କର ରାୟ ଓଡ଼ିଆ ସାହିତ୍ୟର ଆଦ୍ୟଯୁଗର ଶକ୍ତିଶାଳୀ ନାଟ୍ୟକାର ଏବଂ ଔପନ୍ୟାସିକ ଥିଲେ । କକା ଗୌରୀଶଙ୍କର ଥିଲେ ପ୍ରବୀଣ ସାମ୍ବାଦିକ ଏବଂ ସମ୍ପାଦକ ।

 

ଗିରିଜାଶଙ୍କର ଜଣେ ଶକ୍ତିଶାଳୀ ପ୍ରାବନ୍ଧିକ ଓ ସମାଲୋଚକ । ଓଡ଼ିଆ ନାଟକ ଓ ଭାଷାତତ୍ତ୍ୱ ସମ୍ପର୍କରେ ତାଙ୍କର ଗବେଷଣାତ୍ମକ ସମୀକ୍ଷା ଅନ୍ୟନ୍ୟ ସାଧାରଣ । ସମକାଳୀନ ସହକାର ଓ ନବଭାରତ ପ୍ରଭୃତି ପତ୍ରିକାଗୁଡ଼ିକରେ ତାଙ୍କର ଚିନ୍ତାଶୀଳ ପ୍ରବନ୍ଧ ଏକଦା ଅତ୍ୟନ୍ତ ପ୍ରଭାବଶାଳୀ ଅନୁଭୂତି ହୋଇଥିଲା । ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ଓଡ଼ିଆନାଟ୍ୟକଳା, ବିବିଧ, ସନ୍ଦର୍ଭ ରଚନାବିଚାର,ଓଡ଼ିଆ ଭାଷାତତ୍ତ୍ୱ ପ୍ରଭୃତି ଉଲ୍ଲେଖଯୋଗ୍ୟ

 

ପଠାଣି ପଟ୍ଟନାୟକ

 

ସ୍ୱାଧୀନତା ପରବର୍ତ୍ତୀ-କାଳ ଓଡ଼ିଆ ସାହିତ୍ୟରେ ଜଣେ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ହିସାବରେ ସୁପରିଚିତ । ଅଧ୍ୟାପକ ପଟ୍ଟନାୟକ ଅନେକ ସମ୍ବାଦ ଧର୍ମୀ ପ୍ରବନ୍ଧ ମଧ୍ୟ ପ୍ରକାଶ କରିଅଛନ୍ତି । ସେ କିଛିକାଳ ପ୍ରଜାତନ୍ତ୍ର ଓ ମାତୃଭୂମି ପତ୍ରିକାର ସହକାରୀ ସମ୍ପାଦକ ଥିଲେ କୁଙ୍କୁମ, ଚତୁରଙ୍ଗ, ବୀଣା, ନବୀନ, ଡଗର, ରବିବାର ପ୍ରଜାତନ୍ତ୍ର, ରବିବାର ଆଶା, ଆସନ୍ତାକାଲି, ଝଙ୍କାର, ସହକାର ପ୍ରଭୃତି ପତ୍ରପତ୍ରିକା ଗୁଡ଼ିକରେ ତାଙ୍କର ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଅଛି । ପ୍ରକାଶିତ ପୁସ୍ତକ ମଧ୍ୟରୁ ନିମ୍ନଲିଖିତ କେତେଗୋଟି ଉଲ୍ଲେଖଯୋଗ୍ୟ (୧) ଓଡ଼ିଆ ସାହିତ୍ୟର ଭୂମିକା (୨) ଭାରତୀୟ ସାହିତ୍ୟର ଭୂମିକା (୩) ସାହିତ୍ୟ ବିଚାର (୪) ସାହିତ୍ୟ ପରିନ୍ତ୍ରମା (୫) ପ୍ରବନ୍ଧ ଓ ସମାଲୋଚନା (୬) ସାହିତ୍ୟ, ସଂହତି ସଂସ୍କୃତି (୭) ସମାଜ ଓ ସାହିତ୍ୟ

 

ଚନ୍ଦ୍ରଶେଖର ରଥ

 

ଅଧ୍ୟାପକ ଚନ୍ଦ୍ରଶେଖର ରଥ ଆଧୁନିକ ଓଡ଼ିଆ ସାହିତ୍ୟ ଜଣେ ଶକ୍ତିଶାଳୀ ପ୍ରାବନ୍ଧିକ ଓ ଗାଳ୍ପିକ । ତାଙ୍କର ରଚନା ଶୈଳୀ ସ୍ୱତନ୍ତ୍ର ଓ ଅତ୍ୟନ୍ତ ମୌଳିକ । ସାଂପ୍ରତିକ କାଳର ପତ୍ରପତ୍ରିକାରେ ସେ ଜଣେ ଧାରାବାହିକ ଲେଖକ । ତାଙ୍କର ଅଣୁବୀକ୍ଷଣ ଏବଂ ବ୍ୟଙ୍ଗଧର୍ମୀ ଶାଣିତ ଶୈଳୀ ପାଠକ ପ୍ରାଣରେ ଗଭୀର ଭାବରେ ରେଖାପାତ୍ କରିଥାଏ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା—ମନ ଅରଣ୍ୟ, ଦୃଷ୍ଟି ଓ ଦର୍ଶନ, ଅଶ୍ରୁତସ୍ୱର । ତାଙ୍କର ଉପନ୍ୟାସ ହେଲା ଅସୂର୍ଯ୍ୟ ଉପନିବେଶ, ଯନ୍ତ୍ରାରୁଢ଼-

 

ଶରତକୁମାର ମହାନ୍ତି

 

ଲୋକପ୍ରିୟ ବୈଜ୍ଞାନିକ ସାହିତ୍ୟ ରଚନାରେ ଯେଉଁ କେତେଜଣ ଲେଖକ ସଫଳତା ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରେ ଅଧ୍ୟାପକ ଶରତକୁମାର ମହାନ୍ତି ଅନ୍ୟତମ । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ‘‘ବିଜ୍ଞାନ ଦୃଷ୍ଟି’’ ମହାବିଦ୍ୟଳୟର ପାଠ୍ୟ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଅଛି । ବୈଜ୍ଞାନିକ ପ୍ରବନ୍ଧ ଲେଖି ବିଜ୍ଞାନର ଜଟିଳ ବିଷୟକୁ ଲୋକପ୍ରିୟ କରିବାରେ ସେ ବ୍ରତୀ ହୋଇଛନ୍ତି ।

 

ଡ. ଭୁବନେଶ୍ୱର ବେହେରା

 

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ହିସାବରେ ସେ ସମଗ୍ର ଉତ୍କଳରେ ଜଣେ ଦକ୍ଷ ପ୍ରଶାସକ ହିସାବରେ ସୁପରିଚିତ । ଇଞ୍ଜିନିଅରିଂ ବିଦ୍ୟାଳୟରେ ଉଚ୍ଚମାନ ଓ ଅଭିଜ୍ଞତାର ଅଧିକାରୀ ହେଲେହେଁ ଓଡ଼ିଆ ସାହିତ୍ୟ ସେବାରେ ତାଙ୍କର ସାଧନା ଅଭିନନ୍ଦନୀୟ । ତାଙ୍କର ନେତୃତ୍ୱରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ସପ୍ତଷ’ ପ୍ରକାଶ କରି ଓଡ଼ିଶା ସାହିତ୍ୟର ମହୋପକାର ସାଧନା କରୁଅଛନ୍ତି । ଏହି ପତ୍ରିକାରେ ତାଙ୍କର ଧାରାବାହିକ ସମ୍ପାଦକୀୟ ପ୍ରବନ୍ଧ, ଝଙ୍କାର ଓ ଅନ୍ୟାନ୍ୟ ଶକ୍ତିଶାଳୀ ସାମୟିକ ପତ୍ରିକାରେ ତାଙ୍କ ଲିଖିତ ଗଳ୍ପ ଓ ପ୍ରବନ୍ଧ ଅଳ୍ପକାଳ ମଧ୍ୟରେ ଓଡ଼ିଶାର ସୁଧୀ ପାଠକ ସମାଜର ଦୃଷ୍ଟି ଆକର୍ଷଣ କରିପାରିଅଛି । ପ୍ରବନ୍ଧ କାଳରେ ତାଙ୍କର ଏକ ନିଜସ୍ୱ ଶୈଳୀ ଥିବା ଅନୁଭୂତ ହୁଏ ।

Image